Unknown

 

 

 

 

 

 

 

 

 

୬୦ତମ କୋଣାର୍କ ସଂଖ୍ୟା-୧୯୮୬

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

(ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର)

 

 

ସମ୍ପାଦକ :

ରାଧାମୋହନ ଗଡ଼ନାୟକ

ପରିଚାଳନା ସମ୍ପାଦକ :

ସୁରେନ୍ଦ୍ର ନାଥ ଶତପଥୀ

 

 

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ଵର

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ଵର-୭୫୧୦୧୪

 

ମୁଦ୍ରଣ :

ପ୍ରଜାତନ୍ତ୍ର ପ୍ରେସ, କଟକ-୭୫୩୦୦୨

 

ଏ ସଂଖ୍ୟାର ଲେଖା ଓ ଲେଖକ

 

୧.

ସାଂପ୍ରତିକ ଓଡ଼ିଆ-କବିତାରେ ଗଣଚେତନାର ଉନ୍ମେଷ ଓ ଉତ୍ତରଣ

ବୈଷ୍ଣବ ଚରଣ ସାମଲ

୨.

ପାଶ୍ଚାତ୍ୟ ଉପନ୍ୟାସର ଉତ୍ପତ୍ତି ଓ ଅଭିବ୍ୟକ୍ତି

ଡକ୍ଟର କୃଷ୍ଣଚନ୍ଦ୍ର ମିଶ୍ର

୩.

ଆଧୁନିକ ଓଡ଼ିଆ କାବ୍ୟ-ଚେତନାରେ ସ୍ୱପ୍ନ ଓ ସଂଗ୍ରାମ

ଇନ୍ଦୁ ମିଶ୍ର

୪.

ଓଡ଼ିଆ-କବିତା କ୍ଷେତ୍ରରେ ଅନ୍ନଦାଶଙ୍କର

ରାଧାମୋହନ ଗଡ଼ନାୟକ

୫.

ଯାତ୍ରାପଥ ବିଭୀଷିକାମୟ

ନରସିଂହ ସ୍ୱାଇଁ

୬.

ଆଜୀବକର ଅଟ୍ଟହାସ (୨)

ସୁରେନ୍ଦ୍ର ମହାନ୍ତି

୭.

ଓଡ଼ିଆ ସାହିତ୍ୟରେ ରଥଯାତ୍ରା

ଡଃ ହରିହର କାନୁନ୍‌ଗୋ

୮.

ବାଗ୍‌ବିଶେଷ

 

୯.

ଏକାଡେମୀ ସମାଚାର

 

୧୦.

ସମ୍ପାଦକୀୟ

 

 

କୋଣାର୍କ ପ୍ରକାଶନର ନିୟମାବଳୀ

 

୧.

ପ୍ରତିବର୍ଷ “କୋଣାର୍କ”ର ଚାରିଗୋଟି ସଂଖ୍ୟା ନିୟମିତଭାବେ ମାର୍ଚ୍ଚ, ଜୁନ୍‌, ସେପ୍‌ଟେମ୍ବର ଓ ଡିସେମ୍ବର ମାସରେ ପ୍ରକାଶିତ ହୋଇଥାଏ । ପ୍ରତିସଂଖ୍ୟାର ମୂଲ୍ୟ ଟ୪-୦୦ ରହିବ । ଯେଉଁମାନେ ଟ୧୫-୦୦ ଦେଇ ବାର୍ଷିକ ଗ୍ରାହକ ହେବେ, ସେମାନଙ୍କ ନିକଟକୁ ଏକାଡେମୀ ପକ୍ଷରୁ ପ୍ରକାଶିତ ସଂଖ୍ୟାମାନ ପ୍ରେରିତ ହୋଇଥାଏ । ବିଶେଷ ସଂଖ୍ୟାଗୁଡ଼ିକର ମୂଲ୍ୟ ସ୍ଵତନ୍ତ୍ର ଭାବରେ ନିର୍ଦ୍ଧାରିତ ହୋଇପାରେ । ପତ୍ରିକା ଏଜେଣ୍ଟମାନଙ୍କୁ ୨୫% ହିସାବରେ କମିଶନ ଦେବାପାଇଁ ବ୍ୟବସ୍ଥା ରହିଛି ।

 

୨.

‘କୋଣାର୍କ’ରେ ସମୀକ୍ଷା ଓ ଗବେଷଣା-ଧର୍ମୀ ପ୍ରବନ୍ଧ ସହିତ ଏଣିକି ସୀମିତ ଭାବରେ କବିତା, ଗଳ୍ପ ଓ ଗ୍ରନ୍ଥ-ସମୀକ୍ଷା ମଧ୍ୟ ସ୍ଥାନ ପାଇବ । ତେଣୁ ସୃଜନଶୀଳ ଲେଖକ ଓ ଆଲୋଚକମାନେ ଏକାଡେମୀର ସମ୍ପାଦକଙ୍କ ନିକଟକୁ କବିତା, ଗଳ୍ପ, ପ୍ରବନ୍ଧ ଓ ଗ୍ରନ୍ଥ-ସମୀକ୍ଷା ଇତ୍ୟାଦି ପଠାଇବାକୁ ଅନୁରୋଧ । କିନ୍ତୁ ଗ୍ରନ୍ଥ-ସମୀକ୍ଷା ସହିତ ଆଲୋଚ୍ୟ ଗ୍ରନ୍ଥର ଗୋଟିଏ କପି ଏକାଡେମୀ କାର୍ଯ୍ୟାଳୟକୁ ପ୍ରେରିତ ହେବା ଆବଶ୍ୟକ । ପ୍ରକାଶ ଥାଉକି, ଗ୍ରନ୍ଥ-ସମୀକ୍ଷା ସଂକ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟିକୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ ।

 

୩.

‘କୋଣାର୍କ’ରେ ପ୍ରକାଶିତ ପ୍ରବନ୍ଧ, ଆଲୋଚନା, କବିତା, ଗଳ୍ପ ଓ ଗ୍ରନ୍ଥ-ସମୀକ୍ଷା ଇତ୍ୟାଦି ପାଇଁ ଲେଖକଙ୍କୁ ଟ୧୦୦ଙ୍କା (ଶହେଟଙ୍କା) ପାରିତୋଷିକ ପ୍ରଦାନ କରାଯାଇଥାଏ ।

 

୪.

ନିଜ ଦେଶର ବା ବିଦେଶର ଅନ୍ୟାନ୍ୟ ଭାଷାରେ ରଚିତ ସାହିତ୍ୟ ସମ୍ପର୍କରେ ଆଲୋଚନା ଏବଂ ବିଭିନ୍ନ ସାରସ୍ଵତ ପ୍ରତିଷ୍ଠାନଗୁଡ଼ିକର କୃତି ଓ କୃତିତ୍ଵ ସମ୍ବନ୍ଧରେ ପ୍ରକାଶଯୋଗ୍ୟ ସଂକ୍ଷିପ୍ତ ସମାଚାର ମଧ୍ୟ ‘କୋଣାର୍କ’ ପୃଷ୍ଠାରେ ସ୍ଥାନ ପାଇଥାଏ ।

 

୫.

‘କୋଣାର୍କ’ରେ ପ୍ରକାଶ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ରଖିବା ପାଇଁ ଲେଖକ ଲେଖିକାମାନଙ୍କୁ ଅନୁରୋଧ । ଅମନୋନୀତ ଲେଖା ଫେରାଇଦେବାର ବ୍ୟବସ୍ଥା ନାହିଁ । ଲେଖା ମନୋନୀତ ହେଲେ ସଂପୃକ୍ତ ଲେଖକ-ଲେଖିକାଙ୍କୁ ତାହା ଜଣାଇ ଦିଆଯିବ । ଲେଖାଗୁଡ଼ିକ କାଗଜର ଗୋଟିଏ ପାର୍ଶ୍ଵରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

 

୬.

ଲେଖା ନିର୍ବାଚନର ଦାୟିତ୍ଵ ସଂପୂର୍ଣ୍ଣରୂପେ ସମ୍ପାଦକଙ୍କ ରୁଚି ଓ ବିଚାର ଉପରେ ନିର୍ଭରଶୀଳ । ସବୁପ୍ରକାର ଯୋଗାଯୋଗ ଓ ପତ୍ରାଳାପ ଏକାଡେମୀର ସମ୍ପାଦକଙ୍କ ସହିତ କରିବା ପାଇଁ ଅନୁରୋଧ ।

 

୭.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କର ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନହୋଇ ତାହା କେବଳ ବ୍ୟକ୍ତିଗତ ମତାମତରୂପେ ବିବେଚିତ ହେବ ।

 

ପରିଚାଳନା ସମ୍ପାଦକ

 

ସାଂପ୍ରତିକ ଓଡ଼ିଆ-କବିତାରେ ଗଣଚେତନାର ଉନ୍ମେଷ ଓ ଉତ୍ତରଣ

ବୈଷ୍ଣବ ଚରଣ ସାମଲ

 

ସାହିତ୍ୟରେ ଗଣଚେତନା ଆଧୁନିକତମ ଅଭିବ୍ୟକ୍ତି । ପ୍ରାଚୀନ ସାହିତ୍ୟରେ ଯେ ଗଣଚେତନା ନଥିଲା, ନୁହେଁ । କିନ୍ତୁ ସେହି ଗଣଚେତନା ଗଣହୃଦୟରେ ଜୀବନର ସ୍ପନ୍ଦନ ଖେଳାଏ ନାହିଁ, ଗଣକୁ ବିପ୍ଳବମୁଖର କରେ ନାହିଁ, ଗଣହୃଦୟରେ ନିଆଁ ଜାଳିଦିଏ ନାହିଁ । ବରଂ ତାହା ଗଣକୁ ଶୀତଳ କରିଦିଏ । ସେହି ଗଣଚେତନା ଜୀବନଭିତ୍ତିକ ନୁହେଁ, ସମସ୍ୟାକୈନ୍ଦ୍ରିକ ନୁହେଁ; ତାହା ମୁଖ୍ୟତଃ ଧର୍ମକୈନ୍ଦ୍ରିକ । ବଞ୍ଚିବାର ସମସ୍ୟା ନୁହେଁ, ଧର୍ମକ୍ଷେତ୍ରରେ ଆସନ ପାଇବାର ସମସ୍ୟା ଯେପରି ଗଣଚେତନାକୁ ପ୍ରଭାବିତ କରିଥିଲା । ରାଜତନ୍ତ୍ର ଭିତରେ ଗଣ ଗୌଣ । ରାଜବିଳାସ ମୁଖ୍ୟ । ରାଜତନ୍ତ୍ରର ପରିପୋଷକ ସାମନ୍ତସମାଜର ପ୍ରାଧାନ୍ୟ ସ୍ପଷ୍ଟ । ଏଥିରେ ଗଣର ସାମଗ୍ରିକ-ସ୍ୱାର୍ଥ ନଥାଏ । ଯେତେବେଳେ ରାଜତନ୍ତ୍ରର ସ୍ୱେଚ୍ଛାଚାରିତା ଓ ଅନ୍ୟାୟ ଅବିଚାର ଗଣଜୀବନକୁ ଦୋହଲାଇ ଦିଏ, ସେତିକିବେଳେ ଗଣ ହୁଏ ଜାଗ୍ରତ; ଯେମିତି ହେଲା ଫରାସୀ ରାଷ୍ଟ୍ର ବିପ୍ଳବବେଳେ ବା ଋଷିଆର ସମାଜବାଦୀ ଆନ୍ଦୋଳନବେଳେ । ଫରାସୀ ବିପ୍ଳବ ସାମନ୍ତବାଦୀ ସମ୍ପତ୍ତି ମୋହ ଲୋପ କଲା, ମାତ୍ର ପ୍ରତିଷ୍ଠା ଦେଲା ବୁର୍ଜୁୟା-ସମ୍ପତ୍ତି-ମୋହ । ଋଷୀୟ ବିପ୍ଳବ ଲୋପ କଲା ବୁର୍ଜୁୟା-ସମ୍ପତ୍ତି । ଏହା ଘୋଷଣା କଲା- ସମ୍ପତ୍ତି ବ୍ୟକ୍ତିଗତ ନୁହେଁ, ସମାଜର ଶକ୍ତି । ଏହା ସମାଜର ପ୍ରତ୍ୟେକ ଲୋକଙ୍କର ସମ୍ପତ୍ତି । ବୁର୍ଜୁୟା ସମାଜରେ ଅତୀତ ପ୍ରଭାବ ବିସ୍ତାର କରେ, ବର୍ତ୍ତମାନ ଉପରେ । ସମାଜବାଦୀ ସମାଜରେ ବର୍ତ୍ତମାନ ଅଧିକାର ସାବ୍ୟସ୍ତ କରେ, ଅତୀତ ଉପରେ । ବୁର୍ଜୁୟା ସମାଜରେ ସମ୍ପତ୍ତି ସ୍ୱାଧୀନ ଏବଂ ଏହାରହିଁ ଅଛି ବ୍ୟକ୍ତିତ୍ୱ (Individuality)-। ଅଥଚ ଏହି ସମାଜରେ ଜୀବନ୍ତ ମଣିଷ ହେଉଛି ପରାଧୀନ ଏବଂ ତା’ର ବ୍ୟକ୍ତିତ୍ୱ ନାହିଁ । ଏହି ସମାଜରେ ଗଣ ନିର୍ବେଦ । ଗଣଜୀବନର ସମସ୍ୟା-ସଚେତନ କଳାକାର, ଲେଖକ ଓ କବି ସେହି ନିର୍ବେଦତାରେ ସୃଷ୍ଟିକରେ ଚାଞ୍ଚଲ୍ୟ । ଗଣର କୁମ୍ଭକର୍ଣ୍ଣ-ନିଦ୍ରାକୁ ସେ ଭାଙ୍ଗେ-। ସେ ଆଉ ଅଭିଜାତ-ସମାଜର ଗାଥା କହେ ନାହିଁ । ସେ କହେ ଗଣଜୀବନର କଥା । ସାମନ୍ତବାଦର ସ୍ତୁତି କରେ ନାହିଁ, କ୍ଷମତାର ଜୟଗୀତି ରଚନା କରେ ନାହିଁ; ଗଣର ସମସ୍ୟାକୁ ପ୍ରକାଶ କରେ । ଗଣ ଭାବ ଉପରେ ଗୁରୁତ୍ୱ ଦିଏ । ଏତିକିବେଳେ ତା’ ହୃଦୟରେ ସୃଷ୍ଟିହୁଏ, ଗଣତାନ୍ତ୍ରିକ ଭାବ-ଚେତନା । ଗଣର ଦୁଃଖ, ଗଣର ଅଭାବ, ଗଣର ସମସ୍ୟାକୁ ସେ ସାମାଜିକକରଣ କରିଦିଏ । ତାହା ହୋଇଯାଏ ସମୂହ ସମସ୍ୟା । ଏହି ସମସ୍ୟା ଉପଭୋଗୀ ଗୋଷ୍ଠୀର ନୁହେଁ, ସାଧାରଣ ଶ୍ରମଜୀବୀର, ଅବହେଳିତ ମଣିଷ ସମାଜର । ଶ୍ରେଣୀସମାଜର ଥାଏ ନିଜର ରାଜନୀତିକ ଓ କଳାତ୍ମକ ଦିଗ । ଏଥିରେ ସାଧାରଣ ମଣିଷର ସ୍ଥାନ ନଥାଏ । ବୁର୍ଜୁୟା-ସମାଜ ସର୍ବହରା ସାହିତ୍ୟିକ ଓ କଳାତ୍ମକକୃତି, ଯେତେ ମହତ୍‌ ହେଲେ ମଧ୍ୟ ପରିତ୍ୟାଗ କରିଦିଏ । (୧) ଯଥାର୍ଥ ବିପ୍ଳବୀ ଲେଖକ ଓ କଳାକାରହିଁ ଗଣ-ସମସ୍ୟାକୁ ଠିକ୍ ଭାବରେ ପ୍ରକାଶ କରେ । ବିପ୍ଳବୀ ଲେଖକ ଓ କଳାକାରମାନଙ୍କର ମୌଳିକ କାର୍ଯ୍ୟ ହେଉଛି, ଜନସାଧାରଣଙ୍କୁ ଯେଉଁ ଅନ୍ଧକାର-ଶକ୍ତି ବିପଦଗ୍ରସ୍ତ କରିଦିଏ, ତାକୁ ପ୍ରକାଶ କରିଦେବା ଓ ଜନସମାଜର ସକଳ ବୈପ୍ଳବିକ ସଂଗ୍ରାମକୁ ମଜଭୁତ କରିଦେବା । (୨) ମାଓ-ସେ-ତୁଙ୍ଗଙ୍କ ମତରେ ସେତିକିବେଳେ ଯଥାର୍ଥ ମାନବ ପ୍ରେମ ଜାତ ହେବ, ଯେତେବେଳେ ଶ୍ରେଣୀବୈଷମ୍ୟ ପୃଥିବୀରୁ ଲୋପ ପାଇବ । (୩) ଶ୍ରେଣୀହୀନ ସମାଜର ମାନବପ୍ରେମ ଦୟାନିଷ୍ଠ ନୁହେଁ; ପାରସ୍ପରିକ କର୍ତ୍ତବ୍ୟନିଷ୍ଠ । ଶ୍ରେଣୀ-ସମାଜରେ ଲେଖକ ନିଜକୁ ପ୍ରଭୁ ମନେକଲେ ବା ତଥାକଥିତ ସାମନ୍ତବାଦୀଙ୍କ ପରି ନିମ୍ନବର୍ଗମାନଙ୍କ ଉପରେ ପ୍ରଭୁତ୍ୱକୁ ଜାହିର୍‍ କଲେ, ତାଙ୍କର ଲେଖା ଜନସାଧାରଣଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ । ସେପରି ଲେଖାର ମଧ୍ୟ କୌଣସି ଭବିଷ୍ୟତ ନଥାଏ । ଯଥାର୍ଥ ସାହିତ୍ୟିକ-ଉତ୍ସାହ ହେଉଛି ମଣିଷ, ସମାଜ ଓ ସଭ୍ୟତା ସମ୍ପର୍କରେ ଉତ୍ସାହ ପ୍ରକାଶ କରିବା । (୪) ଜନତାର ଜୀବନ ମରଣର ସମସ୍ୟାକୁ ଯେଉଁ ସାହିତ୍ୟ ପ୍ରକାଶ କରେ ଓ ଗଣକୁ ବଞ୍ଚିବା ପାଇଁ ଯଥାର୍ଥ ପ୍ରେରଣା ଦିଏ ତାହାହିଁ ହେଉଛି ଆସନ୍ତା କାଲିର ସାହିତ୍ୟ । (୫) ଜନସାଧାରଣଙ୍କର ଭୂମି, ଶିଳ୍ପ, ସଂସ୍କୃତି ଓ କଳା ସମସ୍ୟାକୁ ସାହିତ୍ୟିକ ଉପଲବଧି କରି ସେସବୁର ସମାଧାନ ପାଇଁ ଅଗ୍ରସର ହେବା ବିଧେୟ ।

କ୍ରୀତଦାସ ଯୁଗ, ଅର୍ଦ୍ଧଦାସ ବା ଅର୍ଦ୍ଧସାମନ୍ତବାଦୀ ଯୁଗ, ସାମନ୍ତବାଦୀ ଯୁଗ ଓ ପୁଞ୍ଜିବାଦୀ ଯୁଗରେ କଳା ଓ ସାହିତ୍ୟ ରହିଗଲା ସେହି ମୁଷ୍ଟିମେୟ ସୁଖଭୋଗୀ ବା ଉପଭୋଗୀ ଗୋଷ୍ଠୀଙ୍କ ହାତରେ । ଫଳରେ ଯେଉଁ ଶ୍ରମିକ, କୃଷକ ଓ ସାଧାରଣ ମଣିଷମାନଙ୍କ ଶ୍ରମରେ ନୂତନ ନୂତନ ଉତ୍ପାଦନ ପ୍ରଣାଳୀ ଗଢ଼ି ଉଠିଲା; କଳା, ସାହିତ୍ୟ ଓ ସଂସ୍କୃତିର ହେଲା ବିକାଶ; ସେଥିରେ ସେମାନେ କୌଣସି ଅଧିକାର ପାଇଲେ ନାହିଁ । ସେମାନଙ୍କୁ ବରଂ ଅଶିକ୍ଷିତ ଓ ଶୋଷିତ କରି ରଖାଗଲା । ମାର୍କ୍‍ସବାଦୀ ଦର୍ଶନରେ କଳା ଓ ସାହିତ୍ୟର ଭିତ୍ତିରୂପେ ଶ୍ରମକୁ ଗ୍ରହଣ କରାଯାଇ ସୃଜନଶୀଳ ମାନବକୁ ତାର ବିଷୟବସ୍ତୁ ବୋଲି କୁହାଗଲା । ଯୁଗ ବିପ୍ଳବୀ ଲେନିନ୍ ମଧ୍ୟ କହିଲେ, କଳା ଜନସାଧାରଣଙ୍କର ସମ୍ପଦ । ଏହାର ସୁବିସ୍ତୃତ ଚେରମୂଳ ବିରାଟ ଜନସାଧାରଣଙ୍କ ଗଭୀର ଅନ୍ତରତମ ପ୍ରଦେଶରେ ପ୍ରବେଶ କରିବା ଏକାନ୍ତ ଆବଶ୍ୟକ । ଏହା ଜନସାଧାରଣଙ୍କ ଅନୁଭୂତି, ଭାବନା ଓ ଇଚ୍ଛାଶକ୍ତିକୁ ସମନ୍ୱୟ କରି ସେମାନଙ୍କୁ ଉତ୍ତରୋତ୍ତର ଉନ୍ନତି ପଥରେ ଆଗେଇ ନେଉଥିବ । (୬) ଏହି ସାହିତ୍ୟ ହେବ ସ୍ୱାଧୀନ ସାହିତ୍ୟ । ସମାଜବାଦର ଭାବନା ଓ ଶ୍ରମିକଶ୍ରେଣୀର ଅନୁଭବ ସେହି ସାହିତ୍ୟରେ ଏକ ନୂତନ ଶକ୍ତି ସଞ୍ଜାତ କରୁଥିବ । କୋଟି କୋଟି ଶ୍ରମଜୀବୀମାନଙ୍କର ସେବା କରୁଥିବାରୁ ଏହା ହେବ, ଏକ ମୁକ୍ତ-ସାହିତ୍ୟ । ମଣିଷ ଜାତିର ବୈପ୍ଳବିକ ମୂଲ୍ୟବୋଧକୁ ଏହା ପ୍ରକାଶ କରୁଥିବ । (୭) ମାର୍କ୍‍ସ କହନ୍ତି ଯେ, ମଣିଷକୁ ମଣିଷ ଏବଂ ବିଶ୍ୱ ସହିତ ତା’ର ସମ୍ପର୍କକୁ ମାନବିକ ଭାବରେ ଗ୍ରହଣ କରିନେଲେ ଯାଇଁ ପ୍ରେମକୁ ପ୍ରେମ ସହିତ, ବିଶ୍ୱାସକୁ ବିଶ୍ୱାସ ସହିତ ପ୍ରଦାନ କରାଯାଇ ପାରିବ । ଜଣେ କଳାକୁ କେବଳ ଉପଭୋଗ କରିବାକୁ ଚାହିଁଲେ ତାଙ୍କୁ କଳାତ୍ମକ ଭାବରେ ଦକ୍ଷ ହେବାକୁ ହେବ । ଯଦି ଅନ୍ୟ ଲୋକମାନଙ୍କ ଉପରେ ପ୍ରଭାବ ପକାଇବାକୁ ହେବ, ତେବେ ତାଙ୍କୁ ଲୋକଙ୍କ ଉପରେ ପ୍ରଭାବ ପକାଇଲା ଭଳି ନିଜକୁ ଉଦ୍ଦୀପିତ ଓ ପ୍ରୋତ୍ସାହିତ କରିବାକୁ ହେବ । (୮) ଏପରି ଏକ ସାହିତ୍ୟିକ ବ୍ୟକ୍ତିତ୍ୱ ସୃଷ୍ଟି ନ ହେଲେ ଯଥାର୍ଥ ଗଣ-ଉନ୍ମେଷକାରୀ ସାହିତ୍ୟ ସୃଷ୍ଟି ହୋଇପାରିବ ନାହିଁ । ଗଣ-ସମାଜ ହିଁ ପ୍ରଗତିଶୀଳ ଓ ସୃଜନଶୀଳ କଳା ଓ ସାହିତ୍ୟର ସ୍ରଷ୍ଟା, ରକ୍ଷକ ଓ ପରିପୋଷକ । ଗଣ-ସଂସ୍କୃତି ହିଁ ସାହିତ୍ୟର ପ୍ରେରଣା । ଗଣ ଜୀବନ ହିଁ ସହିତ୍ୟର ପୁଞ୍ଜି । ମାକ୍‌ସିମ ଗୋର୍କି ଏ ସମ୍ପର୍କରେ କହନ୍ତି- ‘ସଂସ୍କୃତି କେତେଜଣ (ସଂଭ୍ରାନ୍ତ ବଂଶୀୟ) ବ୍ୟକ୍ତି ବିଶେଷଙ୍କ ମନଲାଖି ଖେଳଣା ନୁହେଁ । କଳା ଓ ମାନବର ଏକତ୍ର ବିକାଶ ଓ ପ୍ରଗତିର ଯାତ୍ରାହୁଏ । ଲେଖକମାନଙ୍କୁ ସେମାନଙ୍କର ଜନତା ହିଁ ପ୍ରତିଭା ଯୋଗାନ୍ତି । ଯେଉଁ ଲେଖକମାନେ ସେମାନଙ୍କ ଲୋକଙ୍କର ସୁଖ ଦୁଃଖ, ଜୟ ପରାଜୟ ଏବଂ ସେମାନଙ୍କର ଜୀବନଯାତ୍ରାରେ ଭାଗ ନିଅନ୍ତି, ସେହିମାନେ ହିଁ ବାସ୍ତବରେ ସୁଲେଖକ ପଦବାଚ୍ୟ ।’ (୯) କଳା ଓ ସାହିତ୍ୟ ସମ୍ପର୍କରେ ମାଓ-ସେ-ତୁଙ୍ଗ ମଧ୍ୟ ୧୯୫୩ ମସିହାରେ କହିଥିଲେ- ‘ଜନସାଧାରଣଙ୍କ ଜୀବନ ପ୍ରଣାଳୀ ହିଁ କଳା ସାହିତ୍ୟ ସୃଷ୍ଟି ପାଇଁ ଅମୂଲ୍ୟ ଉପାଦାନ ଯୋଗାଏ । ଏହି ଉପାଦାନ ଯଦିଚ କଞ୍ଚା ଓ ପ୍ରାକୃତିକ ତଥାପି ଜୀବନ୍ତ, ଅମୂଲ୍ୟ ଓ ମୌଳିକ । ସୃଜନଶୀଳ କଳା ଓ ସାହିତ୍ୟ ନିମନ୍ତେ ଜନସାଧାରଣଙ୍କ ଜୀବନହିଁ ଅସରନ୍ତି ଉପାଦାନ ଯୋଗାଣର ସ୍ୱଚ୍ଛ ନିର୍ଝରିଣୀର ଉତ୍ପତ୍ତିସ୍ଥଳୀ । ଜନସାଧାରଣ ଏହି ଝରଣାର ଉତ୍ପତ୍ତିସ୍ଥଳ ଥିବା ଯୋଗୁ ଅନ୍ୟ କେହି ସେ ସ୍ଥାନ ଦଖଲ କରି ନ ପାରେ । (୧୦) ଅତଏବ ଗଣ-ସମାଜର ଜୀବନଯାତ୍ରା ଓ କଥାବସ୍ତୁ ଯେଉଁ ସାହିତ୍ୟରେ ପ୍ରକାଶ ପାଏ, ତାହାହିଁ ଯଥାର୍ଥ ସାହିତ୍ୟ । ଏହା ସୌଖୀନ ବିଳାସର ସାହିତ୍ୟ ନୁହେଁ; ଜୀବନର ସାହିତ୍ୟ । ରାଜକୀୟ ଛଟା ଓ ଇଚ୍ଛାର (princely will) ସାହିତ୍ୟ ନୁହେଁ; ଗଣ-ଜୀବନର ସଂଘର୍ଷ ଓ ସମସ୍ୟାର ସାହିତ୍ୟ । ଏ ସାହିତ୍ୟ ଭୂମିକୈନ୍ଦ୍ରିକ କୃଷିଭିତ୍ତିକ, ସାମନ୍ତବାଦର ବା ଶିଳ୍ପ କୈନ୍ଦ୍ରିକ ବୁର୍ଜୁୟା ପୁଞ୍ଜିବାଦର ସ୍ତୁତି କରେ ନାହିଁ । ଏଥିରେ ଆଦର୍ଶଗତ ବିପ୍ଳବ, ରୋମାଣ୍ଟିକ ବିପ୍ଳବ ନ ଥାଏ; ବା ନ ଥାଏ ମଧ୍ୟ ଫାସିବାଦୀ, ଜାକୋବାଇଟି ଓ ସାମନ୍ତବାଦୀଙ୍କର ମୃତ୍ୟୁ ଚିନ୍ତା ଓ ବୁର୍ଜୁୟା-କବିଙ୍କର ନିଃସଙ୍ଗତାବୋଧ (Loneliness) । ଦର୍ପଣରେ ଗୋଟିଏ ପ୍ରତିବିମ୍ବ (Image) ସୃଷ୍ଟିକରି ବାସ୍ତବ ବସ୍ତୁଠାରୁ ଦୂରେଇ ଯିବା ପରି ବୁର୍ଜୁୟା-କବିଙ୍କର ଦର୍ପଣ-ବିପ୍ଳବ (Mirror-revolution) ଏଥିରେ ନ ଥାଏ । ଏହି କାରଣରୁ ଖ୍ରୀଷ୍ଟଫର କଡ୍‌ୱେଲ କହନ୍ତି ଯେ, ଆଜିର ଶ୍ରେଣୀ-ସାହିତ୍ୟ ଯଦି ତାହା ସର୍ବହରାର ସାହିତ୍ୟ ନ ହୁଏ, ତେବେ ତାହା ହେବ; କେବଳ ଏକ ମରଣମୁଖୀ ଶ୍ରେଣୀର ସାହିତ୍ୟ । (୧୧)

 

ବିଶ୍ୱ-ସାହିତ୍ୟରେ ଗଣ-ଚେତନାର ଉନ୍ମେଷ ଘଟିଛି, ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପରେ ଏକ ଦିଗରେ ଫରାସୀ ରାଷ୍ଟ୍ରବିପ୍ଳବ (୧୭୮୯); କୃଷକ ଶ୍ରମିକମାନଙ୍କର ନବୋତ୍‌ଥାନ, ଗଣତନ୍ତ୍ରର ପ୍ରତିଷ୍ଠା; ଅନ୍ୟ ଦିଗରେ ରାଜତନ୍ତ୍ରର ବିଲୋପ ଓ ସ୍ୱେଚ୍ଛାଚାରିତାର ଅବସାନ; ଏକ ପକ୍ଷରେ ରୁଷିଆରେ ଜାର ଶାସକମାନଙ୍କର ନିର୍ମମ ଅତ୍ୟାଚାର, ଅନ୍ୟ ପକ୍ଷରେ ମାର୍କସୀୟ ଚେତନା-ଉଦ୍ଭୂତ ଶ୍ରେଣୀହୀନ ସମାଜବାଦୀ ବିପ୍ଳବ ଓ ସାମ୍ୟବାଦୀ ଶାସନ ପ୍ରତିଷ୍ଠା ବାସ୍ତବିକ ଗତାନୁଗତିକ ବିଶ୍ୱ-ଚିନ୍ତା ଧାରାରେ ସୃଷ୍ଟି କଲା ଏକ ଅନବଦ୍ୟ ଭାବ-ସ୍ପନ୍ଦନ । ଏହି ଦୁଇଟି ବିପ୍ଳବହିଁ ଗଣଚେତନାର ଯଥାର୍ଥ ଜନ୍ମଦାତା । ଗୀର୍ଜା ବା ଚର୍ଚ୍ଚାର ପ୍ରଭୂତ୍ୱ-ବିଲୋପ ମଧ୍ୟ ଏହି ଗଣ ଚେତନାକୁ କଲା, ଆହୁରି ଶାଣିତ । ପୂର୍ବରୁ ସାହିତ୍ୟରେ ଗଣଚେତନା ପ୍ରକାଶ ପାଇ ଆସିଥିଲେହେଁ ବିଂଶ ଶତାବ୍ଦୀର ଆରମ୍ଭରୁ ଏହି ଚେତନା ହେଲା, ସାହିତ୍ୟର ପ୍ରଧାନ ଅନ୍ତଃସ୍ୱର । ଏହି ସମସ୍ୟା-ଚିତ୍ରଣ ଭିତରେ ଫୁଟି ଉଠିଲା ମାନବିକ ସମ୍ବେଦନା । ଗଣର ବ୍ୟଥା ଓ ବିଫଳତା, ନୈରାଶ୍ୟ ଓ ଶୋଚନୀୟତା ଯେପରି ହୋଇଗଲା, ସାହିତ୍ୟର ପୁଞ୍ଜି । ଉଚ୍ଚଶ୍ରେଣୀର ହୃଦୟରେ ଏହା ସୃଷ୍ଟିକଲା, ସହାନୁଭୂତି । ଗୋଟାଏ ନୈତିକ ବିଭୂତି ଯେପରି ପ୍ରଚ୍ଛନ୍ନ ଭାବରେ ଆତ୍ମପ୍ରକାଶ କଲା । ଏହା ଗଣକୁ ଜାଗ୍ରତ କଲା ନାହିଁ, ବରଂ ଶୀତଳ କରିଦେଲା । ଅଦୃଷ୍ଟ ଓ ଭାଗ୍ୟବାଦର ଧୂମକୁଣ୍ଡଳୀ ଭିତରେ ସେ ହୋଇଗଲା, ମୋହାଚ୍ଛନ । ଭାରତୀୟ ସାହିତ୍ୟରେ ଏହି ଅବସ୍ଥା ବିଶେଷ ଭାବରେ ଦେଖାଦେଲା । ସ୍ୱାଧୀନତା-ସଂଗ୍ରାମ ପରିପ୍ରେକ୍ଷୀରେ ଦେଖାଦେଲା ଏକ ନୂତନ ଗଣ-ଚେତନା । ଯଦିଓ ସ୍ୱାଧୀନତା-ଆନ୍ଦୋଳନ ଅଭିଜାତ-ମାନସ ପ୍ରସୂତ; କିନ୍ତୁ ଏହାକୁ କ୍ରମେ ଗଣ ଅଭିମୁଖୀ କରାଇ ଦିଆଗଲା । ମହାତ୍ମା ଗାନ୍ଧୀଙ୍କର ଏ ଦିଗରେ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଣକୁ ସେ ଭଲ ପାଇଲେ । ଗଣ ସହିତ ମିଶିଲେ । ଗଣକୁ ଆନ୍ଦୋଳନରେ ମିଶାଇ ନେଲେ । ଏହି ରାଜନୀତିକ ଦିଗ ସହିତ ସାମାଜିକ, ସାଂସ୍କୃତିକ ଓ ଆର୍ଥନୀତିକ ଦିଗକୁ ମଧ୍ୟ ଆନ୍ଦୋଳନ ମଧ୍ୟକୁ ଆଣିଲେ । ଯୁଗ ଯୁଗର ଜାତିଗତ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କଲେ । ଧର୍ମର ସଂକୀର୍ଣ୍ଣତାକୁ ଭାଙ୍ଗିବା ପାଇଁ ଉଦ୍ୟମ କଲେ । ଅବହେଳିତ ସର୍ବହରା ମଣିଷ ସମାଜର ଆର୍ଥନୀତିକ ବିକାଶ ପାଇଁ ମଧ୍ୟ ଚେଷ୍ଟା କଲେ । ଏସବୁ ସତ୍ତ୍ୱେ ଗଣ ହୋଇ ରହିଲା ସେହି ଉପଭୋଗୀ ଉଚ୍ଚଗୋଷ୍ଠୀର ଦୟାର ପାତ୍ର-। ଗଣ ଜୀବନରେ ଯେଉଁ ଚାଞ୍ଚଲ୍ୟ ଦେଖା ଦେଇଥିଲା, ତାହା ଦେଶମାତୃକାର ସ୍ୱାଧୀନତା ପାଇଁ ଭାବବାଦୀ ଆଦର୍ଶଜନିତ । ସ୍ୱାଧୀନତା ପରେ ଏହା ଆଉ ରହିଲା ନାହିଁ । କାରଣ, ଯେଉଁ ଐତିହ୍ୟ ଓ ପରମ୍ପରାର ଭିତ୍ତିଭୂମି ଉପରେ ଗଣ-ଚେତନା ଜାଗ୍ରତ ହୋଇ ଆସୁଥିଲା, ସେହି ଐତିହ୍ୟ ଓ ପରମ୍ପରା ପ୍ରତି ଗଣ ଯେପରି କ୍ରମେ ହୋଇଗଲା ନିଶ୍ଚେତନ । ଗାନ୍ଧୀ-ପ୍ରଚାରିତ ହୃଦୟ-ପରିବର୍ତ୍ତନ-ଦର୍ଶନ ଉପଭୋଗୀ ଗୋଷ୍ଠୀକୁ ଆଉ ସ୍ପର୍ଶ କଲା ନାହିଁ । ବରଂ ଉପଭୋଗୀ ଗୋଷ୍ଠୀ ପ୍ରସାରଲାଭ କଲା । ଗଣତନ୍ତ୍ରର ପୋଷାକ ଭିତରେ ସେହି ଉପଭୋଗୀ ଗୋଷ୍ଠୀର ହେଲା, ପ୍ରତିଷ୍ଠା ଓ ବିକାଶ । ଏହି ଚେତନାବଳୟ ମଧ୍ୟରେ ଗଣର କଥା କୁହାଗଲା, ଗଣର ଆର୍ଥନୀତିକ ବିକାଶ ପ୍ରସଙ୍ଗରେ କାର୍ଯ୍ୟକ୍ରମ ନିଆଗଲା, ଗଣର ଶିକ୍ଷା ଓ ରୁଚି ପରିବର୍ତ୍ତନ ପାଇଁ ମଧ୍ୟ ଉଦ୍ୟମ ହେଲା, ମାତ୍ର ତାହା ଗଣ ନାମରେ ଯେପରି ଜଣର ବିକାଶ କଲା । ବରଂ ଏହି ପ୍ରକ୍ରିୟାରୁ ଉପଭୋଗୀ ଗୋଷ୍ଠୀର ଆହୁରି ପ୍ରସାର ହେଲା । ଉଚ୍ଚ ସ୍ତରର ଉପଭୋଗୀ ଗୋଷ୍ଠୀ ଆପଣାର ପ୍ରତିଷ୍ଠା ପାଇଁ ଆଉ ଏକ ନୂତନ ଗୋଷ୍ଠୀକୁ ପାଖକୁ ନେଲେ । ସେହି ଗୋଷ୍ଠୀ ପୁଣି ଶୋଷଣର ନୂତନ ଜାଲ ବିସ୍ତାର କଲା । ସ୍ୱାଧୀନତା ପରବର୍ତ୍ତୀ କାଳର ଶୋଷଣ ସ୍ୱାଧୀନତା ପୂର୍ବବର୍ତ୍ତୀ କାଳର ଶୋଷଣ ନୁହେଁ । ପୂର୍ବବର୍ତ୍ତୀ ଶୋଷଣ ପ୍ରତ୍ୟକ୍ଷ । ପରବର୍ତ୍ତୀ ଶୋଷଣ ପରୋକ୍ଷ । ଏହି ଶୋଷଣ ଭିତରେ ପାରମ୍ପରିକ ଅଭିଜାତ ପରିବାର କ୍ରମେ ନିମ୍ନସ୍ତରର ମଣିଷ-ସମାଜ ସହିତ ସାମିଲ ହୋଇଗଲେ । ଆର୍ଥନୀତିକ ସମସ୍ୟା ଏହାର ମୁଖ୍ୟ କାରଣ । ରାଜନୀତି ଚାକିରି ଓ ଶିଳ୍ପ-ବ୍ୟବସାୟ-ଏହି ତିନୋଟି ବ୍ୟବସ୍ଥାରେ ଯେଉଁ ନୂତନ ଅଭିଜାତ ଉପଭୋଗୀ ଗୋଷ୍ଠୀର ସୃଷ୍ଟି ହେଉଛି, ତାହାହିଁ ଯେପରି ହୋଇଯାଉଛି ସାଂପ୍ରତିକ ସମୟର ଶୋଷଣ-ବୃତ୍ତର କେନ୍ଦ୍ର ।

 

ଉପରୋକ୍ତ ବିଚାର ଧାରାରେ ଜଣାଯାଏ ଯେ, ସ୍ୱାଧୀନତା ପରେ ଗଣ ଜୀବନରେ ନାନା ସମସ୍ୟା ଦେଖା ଦେଇଥିଲେହେଁ ଏବଂ ଗଣ ପାଇଁ ପ୍ରଶାସନିକ ଓ ରାଜନୀତିକ ବ୍ୟବସ୍ଥା ହୋଇଥିଲେହେଁ ଗଣ ଯେପରି ହୋଇଯାଇଛି; କକ୍ଷ-ଚ୍ୟୁତ ଅସହାୟ ଗ୍ରହ । ସେ ବାଧ୍ୟ ହୋଇ ଆତ୍ମପ୍ରଶାନ୍ତି ପାଇଁ ଧର୍ମ-ବୃତ୍ତରେ ଆଶ୍ରୟ ଖୋଜୁଛି । ତାର ଯେପରି ଅନ୍ୱେଷା ନାହିଁ । ବନ୍ୟା, ମରୁଡ଼ି ବା କୌଣସି ପ୍ରାକୃତିକ ଦୁର୍ବିପାକବେଳେ ଚାଉଳ ମୁଠାଏ ଆକାଶରୁ ତା’ ପାଖରେ ପଡ଼ିଗଲେ ବା ନିର୍ବାଚନ ଉପଲକ୍ଷେ ରାସ୍ତାଟିଏ ବା ପୋଲଟିଏ ହୋଇଗଲେ, ସେ ଯେପରି କୃତାର୍ଥ ହୋଇଯାଉଛି । ସେକ୍‌ସପିୟରଙ୍କ ଭାଷାରେ ଗଣକୁ ହାତରେ ରଖିବାକୁ ହେଲେ ତାଙ୍କୁ ସର୍କସ ଦେଖାଇଦେଲେ ବା ଭୋଜି ଦେଇ ଦେଲେ, ହେଲା । ଏବେ, ସେହି ପରଂପରା ଦେଖାଯାଉଛି । ତେଣୁ ଗଣକୁ ଜାଗ୍ରତ କରିବା ପାଇଁ ଠିକ୍ ପନ୍ଥା ଅନୁସୃତ ହେଉ ନାହିଁ । ଯେଉଁ ଶ୍ରମିକ ଆନ୍ଦୋଳନ ବା ଚାକିରିଜୀବୀମାନଙ୍କର ଆନ୍ଦୋଳନ ହେଉଛି, ତାହା ସେହି ଉପଭୋଗୀ ଗୋଷ୍ଠୀର ନୂତନ କୌଶଳ ମାତ୍ର । ସ୍ୱାଧୀନତା ପରେ ଭାରତବର୍ଷରେ ତଥା ଓଡ଼ିଶାରେ ଗଣ-ଚେତନା ସୃଷ୍ଟିପାଇଁ ଯାହା କିଛି ହୋଇଛି, ତାହା ଗଣ-ଚେତନା ସୃଷ୍ଟି କରିପାରି ନାହିଁ । ବରଂ ଗଣକୁ କ୍ରମେ ନିର୍ବେଦ କରି ଦେଉଛି । ଗଣ-ହୃଦୟରେ ଅସନ୍ତୋଷ ସୃଷ୍ଟି କରି ନୂତନ ଅନ୍ୱେଷା ପଥରେ ଗଣକୁ ନେଇ ପାରୁନାହିଁ । ଏହି ପରିପ୍ରେକ୍ଷୀରେ ସାଂପ୍ରତିକ ଓଡ଼ିଆ-କବିତାରେ ଗଣଚେତନା କିପରି ସୃଷ୍ଟି ହୋଇଛି ଓ ଏହାର ଉନ୍ମେଷ ଏବଂ ଉତ୍ତରଣ କିପରି ହୋଇପାରିଛି, ତାହା ଦେଖାଇ ଦିଆଯାଇଛି ।

 

ସାଂପ୍ରତିକ ଓଡ଼ିଆ-କବିତା କହିଲେ ଆଧୁନିକ ଓଡ଼ିଆ କବିତାର ଆରମ୍ଭ କାଳରୁ ବୁଝିବା ଠିକ୍‌ ହେବନାହିଁ । ସ୍ୱାଧୀନତା ପରବର୍ତ୍ତୀ କାଳର; ବିଶେଷତଃ ୧୯୬୦ ମସିହା ପରବର୍ତ୍ତୀ ସମୟର ଓଡ଼ିଆ-କବିତାହିଁ ସାଂପ୍ରତିକ କବିତା । ଏହି କବିତାରେ ସାଂପ୍ରତିକ ଜୀବନ ଧାରା ପ୍ରକଟିତ । ବ୍ୟକ୍ତିର ଅନ୍ୱେଷାବୋଧ ଉଚ୍ଚାରିତ । ଏହା ସମାଜ-ମଣିଷର ଉଚ୍ଚାରଣ ନୁହେଁ, ବ୍ୟକ୍ତି-ମଣିଷର ଉଚ୍ଚାରଣ, ଆତ୍ମ-ମଣିଷର ଉଚ୍ଚାରଣ, ଅହଂର ଉଚ୍ଚାରଣ । ଏଥିରେ ଗଣତାନ୍ତ୍ରିକ ଆବେଦନ ନାହିଁ, ସମାଜବାଦୀ ଆବେଦନ ନାହିଁ; ଅଛି ଆତ୍ମକୈନ୍ଦ୍ରିକ ବୌଦ୍ଧିକ ଇସ୍ତାହାର । ତେଣୁ ଏହା ଗଣକୁ ସ୍ପର୍ଶ କରେ ନାହିଁ । ଏହା ଗଣର କବିତା ନୁହେଁ, ଗଣ ପାଇଁ ମଧ୍ୟ ନୁହେଁ । ତେଣୁ ଗଣ ଏହାକୁ ବୁଝେ ନାହିଁ କିମ୍ବା ଏହାଦ୍ୱାରା ଗଣ ଉଦ୍‌ବୋଧିତ ହୁଏ ନାହିଁ । ସ୍ୱାଧୀନତା ପରବର୍ତ୍ତୀ ମଣିଷ କ୍ରମେ ବହୁ କାରଣରୁ ବୃହତ୍ତର ସମାଜବୃତ୍ତରୁ ଅଲଗା ହୋଇଯାଉଛି । ସେ ହୋଇଯାଇଛି; ଏକାକୀ । ତାର ଚତୁର୍ଦ୍ଦିଗରେ ଏକ ବୌଦ୍ଧିକ ଅସହାୟତାର ବୃତ୍ତ । ସେହି ବୃତ୍ତକୁ ଗଣ ପ୍ରବେଶ କରିପାରେ ନାହିଁ । ତାରି ଭିତରେ ସାଂପ୍ରତିକ କବି ନିଜର ଅହଂ-ବୃତ୍ତର ଉଚ୍ଚାରଣ କରେ । ଆପେ ତନ୍ମୟ ହୁଏ । ଆପେ ମଧ୍ୟ ବିଭୋର ହୁଏ । ଆପେ ଉପରକୁ ହାତଟେକି ଅସହାୟତା ପ୍ରକାଶ କରେ । ଏପରି ଏକ ପରିସ୍ଥିତିରେ ଗଣପାଇଁ କବିତା କିଏ ଲେଖିବ ? ଗଣ ତାକୁ କେତେ ପରିମାଣରେ ପାଠ କରି ପାରିବ ? କେତେ ପରିମାଣରେ ବୁଝିପାରିବ ? ଏହାଦ୍ୱାରା ତାର ଚେତନାର କେତେ ପରିମାଣରେ ବିକାଶ ହୋଇ ପାରିବ ? ଗଣ ଯେଉଁଠି ନିରକ୍ଷର, ଗଣ ଯେଉଁଠି ନିରନ୍ନ ଓ ବାସହୀନ, ସେଠି କବିତା ତାକୁ କେଉଁ ପ୍ରେରଣା ଦେବ ? ଗଣର ଭାଷାକୁ କେବଳ କବିତାରେ ଗ୍ରହଣ କଲେ, ତାହା କଣ ଗଣକୁ ଛୁଇଁବ ? ହୁଏତ ଗଣକୁ ଶୁଣାଇ ଦେଲେ ଗଣ ବୁଝିପାରିବ, ତା’ର ଜୀବନର କଥା । ସେ ଉପଲବଧି କରିପାରିବ, ତା’ର ସମସ୍ୟା । ସେ ସଚେତନ ହେବ, ଭାଗ୍ୟ-ଭଗବାନ-ପ୍ରଶାସନ ବ୍ୟବସ୍ଥା ଓ ଆର୍ଥନୀତିକ ସ୍ଥିତି-ସଂଘର୍ଷ ବିଷୟରେ । ଯଦି ସେ ଶୁଣି ମଧ୍ୟ ବୁଝି ନ ପାରେ, ତେବେ ସେ କିପରି ସଚେତନ ହେବ ?’’ ଗଣ କହିଲେ କାହାକୁ ବୁଝିବା ? କଣ ସମୂହ ଜନସାଧାରଣଙ୍କୁ ଗଣ କୁହାଯିବ ? ନା’-ଏହା ନୁହେଁ । ଗଣ କହିଲେ, କେବଳ ସାମାଜିକ ଓ ଆର୍ଥନୀତିକ ସୁଯୋଗରୁ ବଞ୍ଚିତ ସମାଜ । ସେମାନେ ହେଉଛନ୍ତି, ସମାଜର ଶତକଡ଼ା ନବେ ଭାଗ ମଣିଷ । କୃଷକ, ଶ୍ରମିକ, କ୍ଷୁଦ୍ର ଚାଷୀ, ସୈନିକ, କ୍ଷୁଦ୍ର ଦୋକାନୀ, ଶିଳ୍ପୀ, କଳାକାର, ଆଦିବାସୀ, ହରିଜନ, ଆର୍ଥନୀତିକ ଦୁର୍ବଳ ଶ୍ରେଣୀ । ଏହି ସମାଜରେ ଥାଏ ପ୍ରତ୍ୟକ୍ଷ ସାମାଜିକ ସମ୍ପର୍କ । ମୂଲ୍ୟ ଅପେକ୍ଷା ଥାଏ, ସାମୂହିକ ମୂଲ୍ୟବୋଧ । ବୁର୍ଜୁୟା-ସମାଜରେ ପ୍ରତ୍ୟକ୍ଷ ସମ୍ପର୍କ ନ ଥାଏ । ଏହା ମୁକ୍ତ-ସମାଜ ଏବଂ ଶକ୍ତିଶାଳୀ ସମାଜ । ଏହି ସମାଜରେ ଉତ୍ପାଦନ ପ୍ରକ୍ରିୟାରେ ହୁଏ, ଯାନ୍ତ୍ରିକ ପ୍ରଗତି (Technical advance) । ସେମାନଙ୍କ କବିତାରେ ମଧ୍ୟ ହୁଏ, ସେହି ଶୈଳୀଗତ ପରିବର୍ତ୍ତନ (Technical change) । ପୁଞ୍ଜିପତି ଓ ସେହି ସମାଜର କବି ହୋଇଯାଆନ୍ତି, ଅନ୍ଧକାର-ଛବି-। ପୁଞ୍ଜିପତି ଖୋଜେ ଏକାନ୍ତ ଆତ୍ମ-ବୃତ୍ତ, ଏକାନ୍ତ ସ୍ୱାଧୀନତା । ଗଣ-ସମାଜ ସମୂହ ଜୀବନବୋଧର ସମାଜ । ଏଠି ଆତ୍ମ-ନିର୍ବାସନ ନୁହେଁ; ସମୂହପାଇଁ ଆତ୍ମବିସର୍ଜନ ହୁଏ ମୁଖ୍ୟ ସ୍ୱର-। ତେଣୁ ଏହି ସମାଜରେ କବିତା ହୁଏ, ସହଯୋଗୀ ମଣିଷମାନଙ୍କର ବାସ୍ତବସତ୍ତାର ଅଭିବ୍ୟକ୍ତି । ସେହି ମଣିଷମାନଙ୍କଠାରୁ ହିଁ ଏହା ସତ୍ୟ ଆହରଣ କରେ । (୧୨) କବିତା ଅସାର, ଅବାସ୍ତବ ବାଣୀ ନୁହେଁ; ସମାଜରେ ଏହାର ଅଛି, ଚଳମାନ ଭୂମିକା (dynamic role) ସମଷ୍ଟିଭୂତ ଆବେଗର ଏହା ବାଙ୍‌ମୟ ରୂପ । ଏହା ମଣିଷର ଆତ୍ମସଚେତନତାର ଉଦୀୟମାନ ଭାବ । ଏହି ଭାବ ବ୍ୟକ୍ତିଗତ ନୁହେଁ; ସମଗ୍ର ବିଶ୍ୱର ସାଧାରଣ ଆବେଗ ସହିତ ଅନ୍ୟମାନଙ୍କର ସମ୍ପର୍କର ଭାବ । (୧୩) ସମଷ୍ଟିଭୂତ ଭାବ ଓ ଆବେଗ କବିତାରେ ପ୍ରକାଶ ପାଇଲେ, ତାହା ଗଣକୁ ସ୍ପର୍ଶ କରେ ଏବଂ ସେଥିରେ ଗଣ ହୁଏ ଉତ୍ତୋଳିତ । ଏହା ନ ହେଲେ, ସେହି କବିତାର ଅର୍ଥ କିଛି ରହେ ନାହିଁ । ସେହି କବିତାରେ ଯେଉଁ ଶବ୍ଦ ବ୍ୟବହାର କରାଯାଏ, ତାହା ସାଧାରଣ ସାମାଜିକ ଜୀବନର ପ୍ରତ୍ୟେକ ମଣିଷ ସହିତ ଆବେଗିକ ସମ୍ପର୍କ ସ୍ଥାପନ କରେ । ଏହି ଶବ୍ଦଗୁଡ଼ିକୁ ସତର୍କତା ସହକାରେ ବାଛିବାକୁ ହୋଇଥାଏ ଏବଂ ଏମାନଙ୍କର ଛାନ୍ଦସିକ ସଂସ୍ଥାନ ହିଁ ଐକ୍ୟତାନରେ ଗାନ କରିବା ପାଇଁ ସମ୍ଭବ କରେ । ସମୂହ ଅବସ୍ଥାନ ମଧ୍ୟରେ ସମସ୍ତ ଆବେଗିକ ସମ୍ପର୍କକୁ ପ୍ରକାଶ କରେ-। (୧୪) ଏହି ପରିପ୍ରେକ୍ଷୀରେ ସାଂପ୍ରତିକ ଓଡ଼ିଆ-କବିତାକୁ ବିଚାର କରାଯାଇପାରେ ।

 

ସ୍ୱାଧୀନତାର ପୂର୍ବ ଦୁଇଦଶନ୍ଧି ମଧ୍ୟରେ ଗୋଦାବରୀଶ ମହାପାତ୍ର, କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ମାୟାଧର ମାନସିଂହ, ରାଧାମୋହନ ଗଡ଼ନାୟକ, ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ମନମୋହନ ମିଶ୍ର, କୁଞ୍ଜବିହାରୀ ଦାଶ, ସୁନନ୍ଦ କର ପ୍ରମୁଖ ଗଣଜୀବନକୁ ନେଇ କବିତା ରଚନା କରିଥିଲେ । ଏହି ଗଣ-ଅଭିମୁଖୀ-କାବ୍ୟିକ-ଚେତନା ଗାନ୍ଧିବାଦୀ ମାନବିକ ଆଦର୍ଶ ଓ ମାର୍କସବାଦୀ ସାମାଜିକ ଦର୍ଶନକୁ ନେଇ ସୃଷ୍ଟି ହୋଇଥିଲା । ଏମାନଙ୍କ କବିତାରେ ଗଣଜୀବନର ଚିତ୍ର ଅଛି, ସମସ୍ୟା ଅଛି, ଦୁଃଖ ଓ ଯନ୍ତ୍ରଣା ଅଛି । ସୁବିଧାବାଦୀ ଉପଭୋଗୀ ଅଭିଜାତ ମଣିଷ ଦ୍ୱାରା ଗଣ କିପରି ଶୋଷିତ ହୁଏ, ତା’ର ଚିତ୍ର ମଧ୍ୟ ଅଛି । କେତେ ସୁନେଲି କଳ୍ପନା କରି ମୁଣ୍ଡଝାଳ ତୁଣ୍ଡରେ ମାରି କୃଷକ ବିଲରେ ସୁନା ଫଳାଏ । ଜମିଦାର ଘର ଷଣ୍ଢ ତା’କୁ ନଷ୍ଟ କରିଦିଏ । ବିଚରା କୃଷକ କେବଳ ନୀରବରେ ମୁଣ୍ଡରେ ହାତ ଦେଇ ବସେ । ଅଥଚ ତା’ର ଗାଈ ଜମିଦାର ଘର ବାଡ଼ିକୁ ପଶିଗଲେ, କାଞ୍ଜିଆହୁଦାରେ ଗାଈ ଭର୍ତ୍ତି ହୁଏ । ସକଳ ରାଗକୁ ବିଚରା କୃଷକ ସୁଝାଇଦିଏ, ପତ୍ନୀ ଉପରେ । (୧୫) ଏଥିରେ ଆସିଛି ମାନବିକ ସମ୍ବେଦନା ଓ ସହାନୁଭୂତି; ମାତ୍ର ଏଥିରେ ଗଣଚେତନାର ଉନ୍ମେଷ କାହିଁ ? ‘ଅଭିଯାନ’ କବିତା ପୁସ୍ତକରେ ଗଣ-ଚେତନା ହୋଇଛି, ଶାଣିତ ଓ ବିପ୍ଳବ ଉଦ୍ଦୀପ୍ତ । (୧୬) ‘ପାଣ୍ଡୁଲିପି’ ବେଳକୁ ଗଣ-ଚେତନା ଆହୁରି ସୁତୀବ୍ର । ଧୂମ ଧୂସର ଜୀବନ ଚିତ୍ରରେ ‘ପାଣ୍ଡୁଲିପି’ ଚିତ୍ରିତ । କାବ୍ୟପୁରୁଷ ଏଥିରେ ଲେଖିଛି-ମଣିଷର କଥା, ଗଣର କଥା । (୧୭) ଯେଉଁଠି ମଣିଷର ଅପମାନ, ଜୀବନ୍ତ ମଣିଷ ଯେଉଁଠି ଭୋକ ଓ ଉପବାସରେ ମୃତ୍ୟୁବରଣ କରେ, ଯେଉଁଠି ମଣିଷର ବୁକୁ ବେଦନାକୁ ବିଦ୍ରୂପ କରାଯାଏ, ସେଠି କାବ୍ୟପୁରୁଷର ପ୍ରକାଶ ପାଇଛି ବୈପ୍ଳବିକ ମନୋଭାବ-। (୧୮) ତଥାପି ଏଥିରେ ଗଣ-ଚେତନାର ଉନ୍ମେଷ ଘଟିଛି କି ? ସାଆନ୍ତିଆ ରୁଚି ଛାଞ୍ଚ ଭିତରେ ଗଣ-ଜୀବନର ଚିତ୍ର ନାହିଁ ବୋଲି କାବ୍ୟପୁରୁଷ ପ୍ରତିବାଦ କରିଛି (୧୯) ମାତ୍ର ଏଥିରେ ଗଣର ଉତ୍ତରଣ ପାଇଁ କ’ଣ ଆବେଦନ ଅଛି ? ଠିକ୍‌ ଏହିପରି ଅନନ୍ତ ପଟ୍ଟନାୟକଙ୍କ କବିତାରେ ଗଣ-ଜୀବନର ଚିତ୍ର ଅଛି, ସମସ୍ୟା ଅଛି; ଗଣର ଉତ୍ତରଣ ଅଛି କି ? ଅବଶ୍ୟ ଶ୍ରୀ ପଟ୍ଟନାୟକ ସାମ୍ୟ ଓ ଶାନ୍ତି ପାଇଁ ଆହ୍ୱାନ ଦେଇଛନ୍ତି । ସର୍ବହରାଙ୍କୁ ଉଦ୍‌ବୋଧନ ଦେଇଛନ୍ତି, କାରାଗାରର ଜଞ୍ଜିରକୁ ଛିନ୍ନ କରିବାପାଇଁ, ଦୁଃଖ ଓ ଶୋଷଣର ଅବସାନ କରି ସାମ୍ୟରେ ଦେଶ ଦେଶକୁ ପୂର୍ଣ୍ଣ କରିଦେବା ପାଇଁ-। ହତ୍ୟାକାରୀ, ଅତ୍ୟାଚାରୀ ଓ ଚୋର ଶୋଷକର ବାର୍ତ୍ତାଧାରୀମାନଙ୍କୁ ତଫାତ ହୋଇଯିବା ଲାଗି ବଜ୍ର-ବାଣୀ ଶୁଣାଇ ଅଛନ୍ତି । (୨୦) ଏସବୁ କବିତାରେ ଗଣ, ଗଣ-ସମସ୍ୟା, ଗଣ-ଭାବ କବିମାନଙ୍କ ଚିତ୍ତ-ବୃତ୍ତରେ କମ୍ପନ ସୃଷ୍ଟି କରିଛି ସତ ମାତ୍ର ତାହା ଯେପରି ହୋଇଯାଇଛି କବିମାନଙ୍କର ସମ୍ବେଦନଶୀଳ ହୃଦୟର ସାନ୍ତ୍ୱନା ମାତ୍ର ।

 

ସ୍ୱାଧିନତାର ପୂର୍ବ ତିନିଦଶନ୍ଧି ମଧ୍ୟରେ ଗଣଜୀବନର ସୁଖ ଦୁଃଖ ଓ ନାନାବିଧ ସମସ୍ୟା କବିତାରେ ପ୍ରକାଶ ପାଇଥିଲା । ଏହି ସମୟ ଥିଲା, ରୋମାଣ୍ଟିକ ବୈପ୍ଳବିକ ଅନ୍ୱେଷାର ସମୟ । ଜାତୀୟତାର ସିଂହାବଲୋକନ ଭିତରେ ଗାନ୍ଧିବାଦୀ ମାନବିକତାବୋଧ ଏହି ରୋମାଣ୍ଟିକ ଅନ୍ୱେଷା ସହିତ ଏକାତ୍ମ ହୋଇଯାଇ ଗଣ-ଜୀବନ ପ୍ରତି ଏକ ସ୍ୱତନ୍ତ୍ର ସମ୍ବେଦନା ସୃଷ୍ଟି କରିଥିଲା । ଏହି ସମ୍ବେଦନା ମଧ୍ୟଦେଇ ପାରମ୍ପରିକ ଦେବପୂଜା, ମୂର୍ତ୍ତି ଉପାସନା, ଭଗବାନ ଓ ଧର୍ମପ୍ରତି ପ୍ରକାଶ ପାଇଥିଲା, ଏକ ନେତିବାଦୀ ଦୃଷ୍ଟିକୋଣ । ଏହି ଦୃଷ୍ଟିକୋଣ ସ୍ୱାଧୀନତା ପରବର୍ତ୍ତୀ ସମୟରେ ମଧ୍ୟ ପ୍ରତିଧ୍ୱନିତ ହୋଇଅଛି । ବୈକୁଣ୍ଠନାଥ ପଟ୍ଟନାୟକ ରହସ୍ୟବାଦୀ ବୃତ୍ତ ମଧ୍ୟକୁ ଗତିକରି ଯାଇଥିଲେହେଁ ନିମ୍ନଜାତି ଓ ନିମ୍ନବର୍ଗ ପ୍ରତି ପ୍ରକାଶ କରିଛନ୍ତି ସହାନୁଭୂତି । କାଳିନ୍ଦୀଚରଣ ରୋମାଣ୍ଟିକ ଭାବବଳୟରୁ ଗତିକରି ସାମ୍ୟବାଦୀ ଚେତନା ମଧ୍ୟରେ କାବ୍ୟିକ ଉତ୍ତରଣ ଦେଖାଇଅଛନ୍ତି ଓ ଗଣ ଭିତରେ ସାମିଲ ହୋଇ କାବ୍ୟପୁରୁଷ ଚାହିଁଛି, ଗଣର ଉତ୍ତରଣ ଏବଂ ଉପଭୋଗୀ ଶୋଷକଗୋଷ୍ଠୀ ପ୍ରତି ତାଙ୍କର ପ୍ରକାଶ ପାଇଛି, ତୀବ୍ର ପ୍ରତିବାଦ । ଶୋଷଣକୁ ସାହାଯ୍ୟ କରୁଥିବା ଧର୍ମ, ଧର୍ମଯାଜକ, ମନ୍ଦିର, ମସ୍‌ଜିଦ୍, ଗୀର୍ଜା ପ୍ରତି ମଧ୍ୟ ତାଙ୍କର ଦେଖାଦେଇଛି, ପ୍ରତିକ୍ରିୟା । (୨୧) ଗୋଦାବରୀଶ ମହାପାତ୍ର; ବିଶେଷତଃ ପଲ୍ଲୀସମାଜର ତଥା ନିମ୍ନବର୍ଗର ଆର୍ଥନୀତିକ ଦୁଃସ୍ଥିତି ଓ ଉଚ୍ଚବର୍ଗର ନିମ୍ନବର୍ଗ ପ୍ରତି ଶୋଷଣକୁ ଦେଖାଇ ଏକ ନୂତନ ସମାଜ ଚାହିଁଛନ୍ତି । ତାଙ୍କର ବଙ୍କା ଓ ସିଧା, କଣ୍ଟା ଓ ଫୁଲ ଆଦି ପୁସ୍ତକରୁ ଏହାର ପରିଚୟ ମିଳିଥାଏ । ମାୟାଧର ମାନସିଂହ କିନ୍ତୁ ରବୀନ୍ଦ୍ରୀୟ ମାନବବାଦର ବିମୁଗ୍‌ଧ ରୂପକାର । ଗାନ୍ଧିବାଦ ପ୍ରଭାବ ପ୍ରସୂତ ମାନବିକ ଚେତନାର ସେ ଗୀତିକାର । (୨୨) ଯେଉଁମାନେ କୃଷକ, ଶ୍ରମିକ, ଚଟକଳର କୁଲି, କିରାଣୀ, ମାଷ୍ଟ୍ର, ଖଟିଖିଆ, ରିକ୍‌ସାବାଲା, ସେମାନେ କିପରି ନିର୍ଯ୍ୟାତିତ ଏବଂ ଯେଉଁମାନେ ଧନୀ, ହାକିମ, କଳମାଲିକ, ସେମାନେ କିପରି ଏହି ଦୁର୍ବଳ ଶ୍ରେଣୀକୁ ଶୋଷଣ କରନ୍ତି; ସେକଥାକୁ ସେ ସହଜ ଭାବରେ ପ୍ରକାଶ କରିଅଛନ୍ତି । କୁଞ୍ଜବିହାରୀ ଦାଶ ଦୃଷ୍ଟି ପକାଇଛନ୍ତି; ବନ୍ୟା ଓ ଦୁର୍ଭିକ୍ଷପୀଡ଼ିତ ପଲ୍ଲୀର କୃଷକ ଓ ମୂଲିଆମାନଙ୍କ ଉପରେ । ସେମାନଙ୍କୁ ସେ ମାଟିର ଫଉଜ ଭାବରେ ବର୍ଣ୍ଣନା କରି ସେମାନଙ୍କ ଭିତରେ ଉପଲବ୍ଧି କରିଛନ୍ତି, ନୂତନ ଜୀବନ ସ୍ପନ୍ଦନ । ସେ ପୁଣି ଧର୍ମ ଓ ଭଗବାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଦୁଃଖ ଓ ବିପଦ ସମୟରେ ଭଗବାନଙ୍କର ଦର୍ଶନ ନ ମିଳିଲେ, ତାଙ୍କୁ ଅନ୍ତରତଳୁ ଚିରଦିନ ନିର୍ବାସନ ଦେବାକୁ ସେ କହିଛନ୍ତି । (୨୩) ରାଧାମୋହନ ଗଡ଼ନାୟକ କିମ୍ବଦନ୍ତୀ, ଇତିହାସ ଓ ପୁରାଣ ଆଧାରରେ ରଚନା କରିଅଛନ୍ତି, ମାନବିକ ସମ୍ବେଦନାଧର୍ମୀ କବିତା । ନିମ୍ନଜାତି ଓ ନିମ୍ନବର୍ଗଙ୍କ ଭିତରେ ଥିବା ମାନବିକତାର ସ୍ୱର୍ଣ୍ଣଦ୍ୟୁତିକୁ ସେ ଦେଖାଇ ଦେଇ ଉଚ୍ଚବର୍ଗର ହୃଦୟ ପରିବର୍ତ୍ତନ ପାଇଁ ଦେଇଛନ୍ତି, ଆହ୍ୱାନ । ଧର୍ମର ଧ୍ୱଜା ଉଡ଼ାଇ ସମାଜପତି ଓ ମଠପତି ମହାରାଜମାନେ କିପରି ଶୋଷଣ କରନ୍ତି, ସେ କଥାକୁ ସୂଚାଇ ଦେଇଛନ୍ତି । (୨୪) କୃଷ୍ଣଚନ୍ଦ୍ର ତ୍ରିପାଠୀ ମଧ୍ୟ ପ୍ରାଣର ମୁଗ୍‌ଧ ବନ୍ଦନା କରିଅଛନ୍ତି, ସେହି ଦୀନଦଳିତ ମଣିଷମାନଙ୍କର । ସେ କହନ୍ତି, ‘ମାଟିର ମୁଁ ସ୍ୱାର୍ଥ, ମାଟିର ମୁଁ ସମ୍ପଦ / ବିରାଟ ଜୀବନ ମୁଁ / ବିରାଟରେ ମିଶିଯିବି ସତରେ । ସବୁ ମଣିଷଙ୍କୁ ସେ ମନେ କରିଛନ୍ତି ଆପଣାର । ଯେଉଁମାନେ ଶୋଷିତ, ଅବହେଳିତ, ଅନାଦୃତ ସେହିମାନଙ୍କୁ ସେ ଆପଣାର କରିଛନ୍ତି । (୨୫) ଯେଉଁଠି ମଣିଷ ଉପରେ ମଣିଷ ଅତ୍ୟାଚାର କରେ; ସେହି ମାଟି, ମାଟି ନୁହେଁ । ପୃଥିବୀକୁ ଗ୍ରାସ କରିବାକୁ ମଣିଷ ଯେଉଁଠି ଧ୍ୱଂସର ବିଭୀଷିକା ସୃଷ୍ଟିକରେ, ହତ୍ୟା, ଷଡ଼ଯନ୍ତ୍ର ଓ ବୋମା ବିସ୍ଫୋରଣ କରେ; ସେହି ମାଟି ମଧ୍ୟ ମାଟି ନୁହେଁ । ଏପରି ଏକ ସମାଜରେ ସର୍ବହରା ମଣିଷର ଜୀବନ କେବଳ ବ୍ୟଥା ଓ ବେଦନାରେ ପରିପୂର୍ଣ୍ଣ । (୨୬) କବି ଜ୍ଞାନୀନ୍ଦ୍ର ବର୍ମା ମଧ୍ୟ ମୂର୍ତ୍ତି ଓ ମନ୍ଦିର, ଧର୍ମ ଓ ଭଗବାନ ପ୍ରତି ବିଦ୍ରୂପାତ୍ମକ ଦୃଷ୍ଟିଭଙ୍ଗି ପ୍ରକାଶ କରି ସାଧାରଣ ଅବହେଳିତ ମଣିଷ ସମାଜର ଉତ୍ତୋରଣ ପାଇଁ ଦେଇଛନ୍ତି ଆହ୍ୱାନ । (୨୭) ସ୍ୱାଧିନତା ପୂର୍ବରୁ ଏବଂ ଠିକ୍ ପରେ ପରେ ଏତାଦୃଶ ଯେଉଁସବୁ କବିତା ରଚିତ ହୋଇଥିଲା, ସେ ସବୁଥିରେ ମାନବିକ ସମ୍ବେଦନା ଅଛି, ହୃଦୟ ପରିବର୍ତ୍ତନର ବାଣୀ ଅଛି, କିନ୍ତୁ ଗଣ-ଚେତନାର ଯଥାର୍ଥ ଉନ୍ମେଷ ଓ ଉତ୍ତରଣ ନାହିଁ । ଯୁଗ ଯୁଗର ଅନ୍ଧବିଶ୍ୱାସ ପ୍ରତି ଆଘାତ ଅଛି, ଧର୍ମକୈନ୍ଦ୍ରିକ ଶୋଷଣର ଚିତ୍ର ଅଛି, ଭଗବାନ-ମୂର୍ତ୍ତି ଓ ମନ୍ଦିର ବିରୁଦ୍ଧରେ ନେତିବାଦୀ ସ୍ୱର ଅଛି, ଉପଭୋଗୀ ଗୋଷ୍ଠୀର ଶୋଷଣ ଫଳରେ ଗଣଜୀବନର ନୈରାଶ୍ୟ ଓ ଶୋଚନୀୟତା, ବ୍ୟଥା ଓ ବିଫଳତାର ମର୍ମସ୍ପର୍ଶୀ ଭାବ ଅଛି, ଅସ୍ତ୍ରୋପଚାର ପରି ସମାଜକୁ ନାନା ଭାବରେ ଦେଖାଇ ଦେବାର ପ୍ରବୃତ୍ତି ଅଛି; ତଥାପି ଗଣଜୀବନରେ ଏହ ନୂତନ ଆଶା ଓ ଆଶ୍ୱାସନା ଦେଇପାରିନାହିଁ । ବରଂ ହୃଦୟ ପରିବର୍ତ୍ତନ, ସହିଷ୍ଣୁତା ଓ ଉଦାରତା ଆଦି ଭାବ କବିତାରେ ପ୍ରାଧାନ୍ୟ ଲାଭ କରି ଗଣ-ଜୀବନକୁ ଶୀତଳ କରିଦେବାର ଉପାଦାନ ଯୋଗାଇ ଦେଇଥିବା ଲକ୍ଷ୍ୟ କରାଯାଇଥାଏ ।

 

ସ୍ୱାଧୀନତା ପରେ ଗଣତାନ୍ତ୍ରିକ ରାଜନୀତିକ ଧାରାରେ ସାମାଜିକ ଜୀବନର ହୋଇଛି, ଦୃତ ପରିବର୍ତ୍ତନ । ନିର୍ବାଚନ-ରାଜନୀତି ଭିତରେ ଗଣ ପାଇଛି, ଭୋଟ୍-ଅଧିକାର । ଅଥଚ ଗଣ ଯେପରି ସ୍ୱାଧୀନତା ପୂର୍ବର ଅବସ୍ଥାଠାରୁ ହୋଇଯାଇଛି, ଆହୁରି ଅବହେଳିତ । ଏବେ ବି ଶତକଡ଼ା ୭୦ଭାଗ ଲୋକ ନିରକ୍ଷର । ଶତକଡ଼ା ୬୭ ଭାଗ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ । ଓଡ଼ିଶାର ଆଦିବାସୀ ସଂଖ୍ୟା ୧୯୮୧ ମସିହାର ଜନଗଣନାନୁଯାୟୀ ସମଗ୍ର ଲୋକସଂଖ୍ୟାର ଶତକଡ଼ା ୨୩.୫ ଭାଗ । ଏମାନେ କୃଷକ, କୃଷି-ଶ୍ରମିକ, ଶିଳ୍ପ-ଶ୍ରମିକ ଓ ନାନାବିଧ କାର୍ଯ୍ୟର ଶ୍ରମିକ । ଏମାନଙ୍କ ଶ୍ରମ ଉପରେ ନିର୍ଭର କରେ ଦେଶର ରାଜନୀତି, ଚାକିରି, ଶିଳ୍ପ ଓ ବ୍ୟବସାୟ । ଅଥଚ ଏମାନେ ଅବହେଳିତ । ଏମାନେ ଗଣତନ୍ତ୍ରର ଧାର ଧାରନ୍ତି ନାହିଁ । ଗଣତାନ୍ତ୍ରିକ ସମାଜବାଦ କ’ଣ ବୁଝନ୍ତି ନାହିଁ । ଏହିମାନେ ହିଁ ‘ଗଣ’ । ଏହି ଗଣ ସହିତ କ୍ରମେ ସାମିଲ ହୋଇଯାଉଛନ୍ତି, ନିମ୍ନମଧ୍ୟବିତ୍ତ ସଂପ୍ରଦାୟ । ଅର୍ଥନୀତିକ ସ୍ଥିତି ସେମାନଙ୍କର ଭୁଷୁଡ଼ି ପଡ଼ିବାରୁ ସେମାନେ ବି ଗଣପର୍ଯ୍ୟାୟବାଚୀ । ସେମାନଙ୍କର ଶିକ୍ଷା ଅଛି, ପରଂପରା ଅଛି; ଅଥଚ ନାହିଁ ଆର୍ଥନୀତିକ ସ୍ୱଚ୍ଛନ୍ଦତା । ଏହିମାନେ ହିଁ ହେଉଛନ୍ତି ଗଣଚେତନାର ବାହକ । ଏମାନଙ୍କ ମାଧ୍ୟମରେ ପ୍ରକାଶ ପାଏ, ଗଣଜୀବନର ପ୍ରତିକ୍ରିୟା । ଏହିମାନେ ହିଁ ଉପଲବ୍‌ଧି କରନ୍ତି, ସାହିତ୍ୟର ସତ୍ୟ ଓ ସୌନ୍ଦର୍ଯ୍ୟ, ଦୃଷ୍ଟି ଓ ଦର୍ଶନ । ଗଣଙ୍କୁ ଏମାନେ କରନ୍ତି, ଉଦ୍‌ବୋଧିତ । ଯାହା ଫଳରେ ଗଣଜୀବନର ହୁଏ, ଉନ୍ମେଷ ଓ ଉତ୍ତରଣ । ସମୟେ ସମୟେ ଉଚ୍ଚବର୍ଗ ମଧ୍ୟ ଅବତରଣ କରିଆସନ୍ତି ନିମ୍ନବର୍ଗ ମଧ୍ୟକୁ ଏବଂ ସେମାନଙ୍କ ସହିତ ସାମିଲ ହୋଇଯାଇ ଗଣଚେତନାକୁ ଆହୁରି ଆଗେଇ ନିଅନ୍ତି । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ କିନ୍ତୁ ଏପରି ପରିସ୍ଥିତି ବା ପରିବେଶ ସୃଷ୍ଟି ହୋଇନାହିଁ । ଯାହା ଫଳରେ କବିମାନେ ହୋଇଯାଇଛନ୍ତି, ଆତ୍ମ-ଅନ୍ୱେଷୀ । ବ୍ୟକ୍ତି-ବୃତ୍ତ ମଧ୍ୟରେ କାବ୍ୟ-ପୁରୁଷ ବିଦ୍ୟମାନ ରହି ବିଶ୍ୱ-ବ୍ୟକ୍ତିବୃତ୍ତକୁ ସ୍ପର୍ଶ କରିପାରି ନାହିଁ । ତେଣୁ ବ୍ୟକ୍ତି-ବୃତ୍ତ ଓ ବିଶ୍ୱ-ବୃତ୍ତର ସମନ୍ୱୟ ହୋଇନାହିଁ । ଦୁଇଟି ଯେପରି ହୋଇଯାଉଛି, ଅଲଗା ଅଲଗା ବିଶ୍ୱ । ଏ ସମୟର କବିମାନଙ୍କ ଭିତରେ ତେଣୁ ଶ୍ରେଣୀ ଚରିତ୍ର ପ୍ରକାଶ ପାଉଛି । ବାଦଲ ଉହାଡ଼ରୁ ଚାନ୍ଦ ଫୁଟିଉଠିଲା ପରି ବେଳେ ବେଳେ ମାନବିକ ସମ୍ବେଦନା ଏମାନଙ୍କ କବିତାରେ ଦେଖାଦେଇଛି ମାତ୍ର ତାହା ଗଣକୁ ସ୍ପର୍ଶ କରିପାରି ନାହିଁ । ବ୍ୟକ୍ତି ବିଶ୍ୱ ଭିତରେ ଗତି କରି କାବ୍ୟ-ପୁରୁଷ ଆପଣାକୁ ମନେ କରିଛି, ଅସହାୟ । (୨୮) ପୁଣି କେତେବେଳେ ଆସିଛି, ବିଭୁବୋଧ । ଏହା ଠିକ୍ ବିଭୁବୋଧ ନୁହେଁ, ଛଦ୍ମ ଧର୍ମଭାବ । କେତେବେଳେ କବି ନିଜେ ହୋଇଯାଇଛି, ଏକାନ୍ତ ଦୁର୍ବୋଧ୍ୟ । କେତେବେଳେ ମଧ୍ୟ ସେ ହୋଇଛି, ଏକାକୀ ଏକ ବିଚ୍ଛିନ୍ନ ସତ୍ତା । ଏସବୁ ଭିତରେ ଗୋଟାଏ ଇନ୍ଦ୍ରିୟଗତ ଓ ବସ୍ତୁଗତ ଆକାଂକ୍ଷାର ଅତୃପ୍ତି ବା ଅପ୍ରାପ୍ତିଜନିତ ଅସହାୟତାବୋଧ ଓ ତଜ୍ଜନିତ ନାନା ଆତ୍ମକୈନ୍ଦ୍ରିକ ଭାବବୋଧ ଉଚ୍ଚାରିତ । ଏପରି କବିତାରୁ ଗଣ-ଜୀବନ ନିର୍ବାସିତ । ତଥାପି ଆଲୋଚ୍ୟ ସମୟର କବିତାକୁ ବିଚାର କଲେ, ସେଥିରୁ ଗଣ ଜୀବନକୁ ନେଇ ମୋଟାମୋଟି ଭାବରେ ଦୁଇଟି ଧାରା ଦେଖିବାକୁ ମିଳେ । ସେହି ଦୁଇଟି ଧାରା ହେଉଛି (କ) ବ୍ୟକ୍ତିକୈନ୍ଦ୍ରିକ ଅଭିଜାତ କାବ୍ୟ-ବୃତ୍ତରେ ଗଣ-ଜୀବନ ପ୍ରତି ଦୟା-ଦୃଷ୍ଟି (ଖ) ଗଣ-ଜୀବନ ଭିତ୍ତିକ କାବ୍ୟ-ବୃତ୍ତରେ ମଧ୍ୟବିତ୍ତ ଦୃଷ୍ଟି ଓ ଗଣଜୀବନ ପ୍ରତି ଏକ ସାଗ୍ନିକ ଦୃଷ୍ଟିକୋଣ । ପ୍ରଥମଟିରେ ଗଣ ପ୍ରତି ଖିୁବ୍ ଉଚ୍ଚ ସ୍ଥାନରୁ ପ୍ରକାଶ ପାଇଛି ଦୟା-ଦୃଷ୍ଟି । ଏଥିରେ ଆସିଯାଇଛି ମୃତ୍ୟୁ, ଧର୍ମ, ଭାଗ୍ୟ ଓ ଭଗବାନ ଅନୁଚିନ୍ତନ । ତେଣୁ ଏହା ଶୀତଳ ଦୃଷ୍ଟି । ଗଣକୁ ଏହା ଉତ୍ତୋଳନ କରିପାରେ ନାହିଁ । ଏଥିରେ ସ୍ୱାଭାବିକତା ନାହିଁ; ଅଛି କୃତ୍ରିମତା । ସହୃଦୟତା ନାହିଁ; ଅଛି ବୌଦ୍ଧିକତା । ଦ୍ୱିତୀୟଟିରେ ଅଛି ନିମ୍ନ ମଧ୍ୟବିତ୍ତର ଉଚ୍ଚବର୍ଗ ବିରୁଦ୍ଧରେ ପ୍ରତିକ୍ରିୟା ଓ ବିଦ୍ରୋହ । ଗଣମୁଖରେ ଏହି ବିଦ୍ରୋହର ଉଦାତ୍ତ ବାଣୀ ପ୍ରଦତ୍ତ, ମାତ୍ର ଏହା ଗଣର ବାଣୀ ନୁହେଁ; ନିମ୍ନ ମଧ୍ୟବିତ୍ତ କବି-ହୃଦୟର ବାଣୀ । ଗଣ ପ୍ରତି ଏହି ଗୋଷ୍ଠୀ ଅଧିକ ନିକଟବର୍ତ୍ତୀ ହୋଇଥିବାରୁ କବିତାରେ ସେ ଗଣ ଜୀବନକୁ ମୁଖ୍ୟ କରିନିଏ । କିନ୍ତୁ ମନ ଭିତରେ ଉଚ୍ଚବର୍ଗର ମୋହ ଓ ଆକାଂକ୍ଷା କେଉଁଠି କେମିତି ସଂଗୁପ୍ତ ହୋଇ ରହିଥାଏ । ତେଣୁ ଏହି କବିତାର ବିଦ୍ରୋହବୀଣାର ଝଙ୍କାର ମଧ୍ୟ ଗଣକୁ ଉଦ୍‌ବୋଧିତ କରିପାରେ ନାହିଁ । କିନ୍ତୁ ଯେତେବେଳେ ସେହି ନିମ୍ନ ମଧ୍ୟବିତ୍ତ ସମ୍ପୂର୍ଣ୍ଣ ନିଜକୁ ନିମ୍ନବର୍ଗ ସହିତ ସାମିଲ କରିନିଏ, ମାନସ ସ୍ତରରେ ଆଉ ଉଚ୍ଚବର୍ଗର ମୋହ ରହେନାହିଁ; ସେତେବେଳେ ସେ ଚାହେଁ ସମାଜର ସମ୍ପୂର୍ଣ୍ଣ ପରିବର୍ତ୍ତନ । ଏହି ପରିବର୍ତ୍ତନ ଆଉ ହୃଦୟ ପରିବର୍ତ୍ତନ ଭିତ୍ତିରେ ନୁହେଁ; ଏକ ସମାଜବାଦୀ ବିପ୍ଳବ ମାଧ୍ୟମରେ ସମ୍ଭବ । ତେଣୁ କବିତାରେ ପ୍ରକାଶ ପାଏ, ଅଗ୍ନିଗର୍ଭ ବାଣୀ । ଏହାହିଁ ସର୍ବହରା ଗଣର ବାଣୀ । ଏହା ଶୀତଳତାକୁ ଲୋପ କରେ, ନିର୍ବେଦତାକୁ ଭାଙ୍ଗିଦିଏ , ଭାଗ୍ୟ ଓ ଭଗବାନଙ୍କର ବ୍ୟାମୋହକୁ ଧ୍ୱଂସ କରିଦିଏ । ଗଣକୁ ଏହା ସଚେତନ କରାଇଦିଏ ତା’ର ଅଧିକାର ସମ୍ପର୍କରେ, ତାକୁ ପତିତ ଓ ଅବହେଳିତ କରି ରଖିଥିବା ଉପଭୋଗୀ ଗୋଷ୍ଠୀର ଚକ୍ରାନ୍ତ ଓ କୌଶଳ ସମ୍ପର୍କରେ, ରାଜନୀତି-ଚାକିରୀ-ଶିଳ୍ପ ଓ ବ୍ୟବସାୟ ସମ୍ଭୁତ ନୂତନ ଆଭିଜାତ୍ୟ ବିଷୟରେ ଓ ସର୍ବୋପରି ତା’ର ଶକ୍ତି ଓ ସାମର୍ଥ୍ୟ ବିଷୟରେ ।

 

ସ୍ୱାଧୀନତା ପରେ ପୂର୍ବର ମାନବବାଦୀ କବିମାନେ ମଧ୍ୟ ସାମାଜିକ ଓ ରାଜନୀତିକ ପରିବର୍ତ୍ତନକୁ ଲକ୍ଷ୍ୟ କରି ଗଣ ଅଭିମୁଖୀ କବିତାମାନ ରଚନା କରିଅଛନ୍ତି । ସଚ୍ଚିଦାନନ୍ଦ ରାଉତରାୟ ପୂର୍ବରୁ ବିପ୍ଳବର ଯେଉଁ ରୈବିକ ରସବୀଜର ସଂଚାର କରିଥିଲେ, ସ୍ୱାଧୀନତା ପରେ ଅବଶ୍ୟ କେତେକ କବିତାରେ ତାହା ରକ୍ଷା କରିଅଛନ୍ତି । ସାଧାରଣ ଗଣଜୀବନ ମଧ୍ୟରେ ଐକ୍ୟର ମହାମନ୍ତ୍ର ସୃଷ୍ଟି କରିବା ପାଇଁ ସେ ଦେଇଛନ୍ତି ପ୍ରେରଣା । (୨୯) ଯେଉଁ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକ ରୋମାଣ୍ଟିକ ମାନବ-ବନ୍ଦନା ମଧ୍ୟରେ ଗଣଜୀବନ ପ୍ରତି ସମ୍ବେଦନା ପ୍ରକାଶ କରିଥିଲେ, ସ୍ୱାଧୀନତା ପରେ ସେହି କବି ଗଣଜୀବନର ବିପର୍ଯ୍ୟୟକୁ ଲକ୍ଷ୍ୟ କରି ନିଜର ବୈପ୍ଳବିକ ଭାବକୁ ବ୍ୟକ୍ତ କରିଅଛନ୍ତି । କଳା-ଧନରେ ପରିପୁଷ୍ଟ ଉପଭୋଗୀ ଗୋଷ୍ଠୀ କିପରି ସାଧାରଣ ମଣିଷକୁ ଶୋଷଣ କରୁଛି, ତାର ଚିତ୍ର ସେ ପ୍ରଦାନ କରିଛନ୍ତି । ‘କଳକୀ ଅବତାର’ କବିତାରେ । (୩୦) ସମାଜରେ ଚାଲିଥିବା ସୁବିଧାଭୋଗୀଙ୍କର ଜାଲିଆତିଖେଳ ଓ ତଜ୍ଜନିତ ଗଣ-ଜୀବନର ବିପର୍ଯ୍ୟୟକୁ ଲକ୍ଷ୍ୟ କରି ସେ ଦେଇଛନ୍ତି ଆହ୍ୱାନ ।

 

‘ଜନତାକୁ ଧରି ଜାଲିଆତି ଖେଳ ନାଇଁ

ବେନିକର ଯୋଡ଼ି

 

ବିନୟେ କହୁଛି

ଧ୍ୟାନଦିଅ ନେତା ଭାଇ

 

ପେଟ ବିକଳରେ

 

ଦିଶୁନାହିଁ ଯା’କୁ

ଆକାଶ ପାତାଳ କୂଳ

ଅଣ୍ଟଇ ନାଇ

 

ଗେଣ୍ଡା କୋଚିଆ

ଗଛଲତା ଚେରମୂଳ ।

 

କଙ୍କାଳ ସାର

 

ଅଖାଦ୍ୟ ଖାଇ

ଶ୍ୱାନ ତହୁଁ ପ୍ରାଣହୀନ

ଅଳଙ୍କାର ତା’

 

ଭିକ୍ଷାର ଥାଳ

କଟି ବାସ କୌପୀନ !

 

କଳା ବଜାରରେ

 

ଖାଦ୍ୟଶସ୍ୟ ଦେଖି ଦେଖୁନାହିଁ

ପାହାଡ଼ ପ୍ରକାରେ ଜମା

ରକ୍ତ ଶୋଷକ

 

ମୁନାଫାଖୋରକୁ

ଘଣ୍ଟ ଘୋଡ଼ାଇ କରି ଚାଲିଥିବ କ୍ଷମା ?’

-ଜାଲିୟାତି ଖେଳ ପାଇଁ-

 

ସ୍ୱାଧୀନତା ପୂର୍ବରୁ ଗୋଦାବରୀଶ ମହାପାତ୍ର ପଲ୍ଲୀର ବନ୍ୟା-ଦୁର୍ଭିକ୍ଷ-ପୀଡ଼ିତ କୃଷକ ଓ ଶ୍ରମିକମାନଙ୍କର ଜୀବନ-ବିପର୍ଯ୍ୟୟର ଚିତ୍ର ପ୍ରଦାନ କରିବା ସହିତ ରାଜା-ଜମିଦାର-ରାଜକର୍ମଚାରୀ ମାନଙ୍କର ଶୋଷଣ-ପୀଡ଼ନ ଫଳରେ ସେହି ନିମ୍ନବର୍ଗ ସର୍ବହରା ମଣିଷ-ସମାଜ କିପରି ରେଙ୍ଗୁନ ଆସାମ-କାଳିମାଟି ଯାଇ ସର୍ବସ୍ୱ ହରାଇ ଦେଉଥିଲେ, ତାର ମର୍ମସ୍ପର୍ଶୀ ଚିତ୍ର କବିତାରେ ପ୍ରକାଶ କରିଥିଲେ । ସେଥିରେ ସେ ଫୁଟାଇଥିଲେ, ସମ୍ବେଦନଶୀଳ ମାନବବାଦୀ ଭାବଧାରା । ସ୍ୱାଧୀନତା ପରେ ଗଣତାନ୍ତ୍ରିକ ସରକାରଙ୍କର ସ୍ୱେଚ୍ଛାଚାରିତାକୁ ଲକ୍ଷ୍ୟ କରି ସେ ଶୁଣାଇଛନ୍ତି, ଦୀନ-ଦଳିତମାନଙ୍କୁ ନବ ଜାଗରଣ ପାଇଁ ବୈପ୍ଲବିକ ଆହ୍ୱାନ-

 

‘ତୁମେ କି ଜାଣିବ ନାହିଁ । ଆଜି ଏଇ ଗଣତନ୍ତ୍ର ଦେଶେ

ନିର୍ଯ୍ୟାତିତ, ପଦାନତ, ଉଠଜାଗି-ଶୁଭ ଦିଶେ ଦିଶେ ।

ଆପଣାରେ ଘୋରି ଯେହୁ ପରେ ଦିଏ ଜୀବନର ବଳ

ତୁମେ କି ହେ ହରିଜନ, ତୁମେ ସେହି ଆଦିବାସୀ ଦଳ !

ପଶୁର ଚମଡ଼ା ତୁମେ, ପଶୁ ଆତ୍ମା ଯାଇ ଅପସରି

ଆଶ୍ରୟ ନେଇଚ କେତେ ଏ ଦେଶର ନର ଦେହଭରି ।

-ଚଟି-(୧୯୫୬)

ସମାଜର ନିମ୍ନବର୍ଗ ଅବହେଳିତ ମଣିଷ-ସମାଜ ପ୍ରତି ଏଥିରେ ଫୁଟି ଉଠିଛି, ଗଭୀର ସହାନୁଭୂତି । କବି ଉପଲବ୍‌ଧି କରିଛନ୍ତି, ଜଗା ଦାସ ପରି କେତେ ଶ୍ରମିକ ଓ ଅସହାୟ ମଣିଷ ଆଜି ସ୍ୱେଚ୍ଛାଚାରୀ ସମାଜପତିଙ୍କ ଦ୍ୱାରା ସର୍ବସ୍ୱାନ୍ତ । କେତେ ଜନନେତାଙ୍କର ଆବିର୍ଭାବ ଘଟିଛି । ଅଥଚ ସମାଜରୁ ବୈଷମ୍ୟ ଦୂର ହୋଇନାହିଁ । (୩୧) ସ୍ୱାଧୀନତା ପୂର୍ବର ତିନି ଦଶନ୍ଧି ମଧ୍ୟରେ ଦେବପୂଜା ନ କରି ମଣିଷର ପୂଜା କରିବାକୁ ଯେପରି କବିମାନେ ଆହ୍ୱାନ ଦେଇଥିଲେ, ଗୋଦାବରୀଶ ମହାପାତ୍ର ମଧ୍ୟ ସେହିପରି ସ୍ୱାଧୀନତା ପରେ ଦେଇଛନ୍ତି ଆହ୍ୱାନ । (୩୨) ନିତ୍ୟାନନ୍ଦ ମହାପାତ୍ର ମଧ୍ୟ ଆଜିର ଏହି ବୁଭୁକ୍ଷୁ ମଣିଷସମାଜ ପ୍ରତି ଜଣାଇଛନ୍ତି ସମ୍ବେଦନା । ଉତ୍ପାଦନ ଓ ଉପକରଣରେ ସମୃଦ୍ଧ ସଭ୍ୟତାର ସୁଦର୍ଶନଚକ୍ରଧାରୀ ବ୍ୟକ୍ତିମାନଙ୍କୁ ବିଦ୍ରୂପ କରିବା ସହିତ ଗଣ ନାମରେ ଯେଉଁ ଭେଳିକି-ସର୍ବସ୍ୱ ପ୍ରଗତିର ପାଞ୍ଚଜନ୍ୟ ବାଜିଉଠୁଛି ବୋଲି କୁହାଯାଉଛି, ତାକୁ ସମାଲୋଚନା କରିଅଛନ୍ତି ଏବଂ ଏପରି ପ୍ରଗତି-ସଂଗ୍ରାମରେ ଗଣର ଊରୁଭଗ୍ନ ହେଉଛି ବୋଲି ମତ ଦେଇଅଛନ୍ତି । ସେହି ଗଣ ଆଜି ନିରାସନ, ପିପାସିତ ଓ ବୁଭୁକ୍ଷୁ । ତାହା ଯେପରି ମନୁଷ୍ୟର ମହାସମାଧି । (୩୩) ସ୍ୱାଧୀନତା ପୂର୍ବରୁ ଯେଉଁ ଗଣୋନ୍ମୁଖୀ କାବ୍ୟିକଧାରା ଶାଣିତ ହୋଇ ଆସିଥିଲା; ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ଦଶକ ପର୍ଯ୍ୟନ୍ତ ତାହାର ପ୍ରଭାବ ରହିଥିଲା । ସ୍ୱାଧୀନତାର ସ୍ୱପ୍ନଭଙ୍ଗ ପରେ କବିମାନେ ଉପଲବ୍‌ଧି କରିଅଛନ୍ତି, ସାମାଜିକ ପ୍ରବଞ୍ଚନା ଓ ରାଜନୀତିକ ଅନ୍ତଃସାରଶୂନ୍ୟତା । କବି ମନମୋହନ ମିଶ୍ର ସ୍ୱାଧୀନତା ପୂର୍ବରୁ ଗଣଚେତନା ଅଭିମୁଖୀ କବିତା ରଚନା କରି ଆସିଥିଲେ ଓ ସ୍ୱାଧୀନତା ପରେ ସେହି ଭାବଧାରାର କବିତା ମଧ୍ୟ ରଚନା କଲେ । ସରଳ ସାବଲୀଳ ଗୀତିମୟ ଭାଷାବିନ୍ୟାସରେ ସେ ଗଣ-ସମାଜର ଦୁଃଖ ଓ ଦୈନ୍ୟକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଶୋଷକ-ପୁଞ୍ଜିପତିମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାକୁ ଦେଲେ ଆହ୍ୱାନ । (୩୪) ସ୍ୱାଧୀନତାର ମୋହଭଙ୍ଗ ଭିତରେ ସେ ଉପଲବ୍‌ଧି କଲେ, ଗଣସମାଜର ଲୁହ ଛଳ ଛଳ ନୟନ । ବିପ୍ଳବୀକବି ଅନନ୍ତ ପଟ୍ଟନାୟକ ମଧ୍ୟ ଠିକ୍ ଏହିପରି କହିଛନ୍ତି-‘ଆଜି ତ ମଣିଷ ଢଳି ପଡ଼େ ଭୋକେ/ଆଜି ତ ଶିଶୁର ଛାତିରେ ଗୁଳି/ମୁହେଁ ମୁହେଁ ଖାଲି ସାମ୍ୟବାଦ ହେ/ହାତୁଁ ହାତେ ଛୁରୀ ଯାଉଚି ବୁଲି ।’ (୩୫) କବି ରାଧାମୋହନ ଗଡ଼ନାୟକ ମଧ୍ୟ ଠିକ୍ ଏହି କଥା ଅନୁଭବ କରିଛନ୍ତି । ଗଣ-ଶାସନର ତଳେ ନାନା ବାଦ-ଭେଦ, ଅନ୍ୟାୟ ଓ ଅବିଚାର ବିଦ୍ୟମାନ । ଅନ୍ନ ମୁଠାଏ ପାଇଁ ଆଜି ମଧ୍ୟ ମଣିଷ ମରୁଛି, ଭୋକ ଉପବାସରେ । ଲଜ୍ଜା ନିବାରଣ ପାଇଁ ଆଜି ମଧ୍ୟ ବସ୍ତ୍ର ଖଣ୍ଡେ ମିଳୁ ନାହିଁ । (୩୬) ଏହାହିଁ ସ୍ୱାଧୀନ ଦେଶର ଦଶା । ନିମ୍ନୋକ୍ତ କବିତାଂଶରେ ଏହା ସ୍ପଷ୍ଟ ।

 

‘ସ୍ୱାଧୀନ ଆମର ଦେଶର ଦଶା

କାହା ଆଳୟରେ ମଳୟ ଲୋଟୁଛି

କାହା କପାଳରେ ପ୍ରଳୟ ହସା

ବେପାରୀ, ଦଲାଲ, କଣ୍ଟ୍ରାକ୍ଟର, କଳମାଲିକର କମ୍ରପୁରେ

କଳାରେ କଳାରେ ଏ ଲାଗେ ଷୋହଳ କଳାରେ ବିଜେ ।’

-ବନ୍ଦନା ଲାଗି ଜଳୁଚି ଦୀପାଳି ଜଳୁଚି କାହିଁ-

 

କବି ରଘୁନାଥ ଦାସ ମଧ୍ୟ ଅଗଷ୍ଟ ପନ୍ଦରର ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ପାଳନ ଭିତରେ ପୁଞ୍ଜିପତି ଓ ମୁନାଫାଖୋରମାନଙ୍କର ପୈଶାଚିକ ଉଲ୍ଲାସ ଓ ସାଧାରଣ ଶ୍ରମଜୀବୀମାନଙ୍କର ଅସହାୟ ଜୀବନ-ଚର୍ଯ୍ୟାକୁ ପ୍ରକାଶ କରିଛନ୍ତି । (୩୭) ଅନୀତି, ଅନ୍ୟାୟ, ଶୋଷଣ ଓ ଭ୍ରଷ୍ଟାଚାରର ପ୍ରତୀକ ରାବଣ-ଶକ୍ତିକୁ ଜଟାୟୁ, ଏକାକୀ ଓ ଦୁର୍ବଳ ହେଲେହେଁ, ପ୍ରତିରୋଧ କରେ-ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ପାଇଁ, ଅସହାୟା ନାରୀର ମର୍ଯ୍ୟାଦା ରକ୍ଷାପାଇଁ । ସମାଜ ସଚେତନ କବି ସେଥିପାଇଁ କହନ୍ତି-

 

‘ମୁଁ ଛାର ଜଟାୟୁ ପକ୍ଷୀ, ପ୍ରତିପକ୍ଷ ପ୍ରବଳ ପ୍ରତାପୀ

ନୁହେଁ ତା’ର ସମକକ୍ଷ, ପ୍ରତିବାଦ କରିବି ତଥାପି

ପାରେ ବା ନପାରେ ମୁହିଁ ଅନୀତିର ରୋଧିବି ଗତିକୁ

ସତ୍ୟଲାଗି ଯୁଝିବି ମୁଁ ଆଶ୍ୱାସନା ହେବ ସେ ସତୀକୁ ।’ (୩୮)

-ଜଟାୟୁ-

 

କବି ଜ୍ଞାନୀନ୍ଦ୍ର ବର୍ମା ଅନୀତି ଓ ଶୋଷଣର ବିନାଶ ପାଇଁ ବରଣ କରି ନେଇଛନ୍ତି, ବାମପଥକୁ । (୩୯) ପ୍ରାଣକୃଷ୍ଣ ସାମଲ, ଲକ୍ଷ୍ମୀଧର ନାୟକ, ସୁନନ୍ଦ କର, ବିଦ୍ୟୁତ୍‌ପ୍ରଭା ଦେବୀ, ରଜନୀକାନ୍ତ ଦାସ, ଦୁର୍ଗାଚରଣ ସାମନ୍ତ, ଦୁର୍ଗାଚରଣ କୁଅଁର ପ୍ରମୁଖ କବିମାନେ ମଧ୍ୟ ଗଣଚେତନାକୁ କବିତାମାନଙ୍କରେ ରୂପାୟନ କରିଛନ୍ତି । ଲକ୍ଷ୍ମୀଧର ନାୟକ ଦୀନଦଳିତ ହତଭାଗ୍ୟ ମଣିଷ ମାନଙ୍କର ନାନା ସମସ୍ୟାକୁ କବିତାରେ ଚିତ୍ରଣ କରିବା ସଙ୍ଗେ ସଙ୍ଗେ ଶୋଷଣର ଅବସାନ ପାଇଁ ବିପ୍ଳବ ଏକାନ୍ତ ଅବ୍ୟର୍ଥ ବୋଲି ଘୋଷଣା କରିଛନ୍ତି ଏବଂ ସେହି ଭୋକିଲା ମଣିଷ ବିପ୍ଳବର ଅଗ୍ନି-ମନ୍ତ୍ରରେ ନୂତନ ଶକ୍ତି ନେଇ ଶୋଷକର ଲାଲ ରକ୍ତରେ ସମାଜବାଦର ନିର୍ଭୁଲ ସ୍ୱାକ୍ଷର ଆଣିବେ ବୋଲି ଆଶାପୋଷଣ କରିଛନ୍ତି । (୪୦) ସୁନନ୍ଦ କର ମଧ୍ୟ ଠିକ୍ ଏହିପରି ପ୍ରେତ ପିଶାଚରୂପୀ ଶୋଷକମାନଙ୍କୁ ନିର୍ମୂଳ କରି ପ୍ରଗତିର ତାରକା ଫୁଟାଇବାକୁ ଦେଇଛନ୍ତି ଆହ୍ୱାନ । (୪୧) ସ୍ୱାଧୀନତା ପରବର୍ତ୍ତୀ ଗଣଜୀବନର ଆଶା ଓ ଆକାଂକ୍ଷା, ଦୁଃଖ ଓ ଦୈନ୍ୟର ଚିତ୍ରକୁ ଫୁଟାଇଛନ୍ତି ମନୋଜ ଦାସ ‘ଗରିଲା’, ‘ପୂର୍ବଭାସ’ ଆଦି କବିତା ମାନଙ୍କରେ । (୪୨)

 

ନାରୀକବି ବିଦ୍ୟୁତ୍‌ପ୍ରଭା ‘ରିକ୍‌ସାବାଲା’ କବିତାରେ ଉପଲବ୍‌ଧି କରିଅଛନ୍ତି-‘ଦୁର୍ବଳର ଅସ୍ଥିପରେ ବଳିଷ୍ଠର ଏ କି ଅତ୍ୟାଚାର’ (୪୩) ଏବଂ ‘କୁଲି’ କବିତାରେ ମଧ୍ୟ ପ୍ରକାଶ ପାଇଛି ଏହି ଅନୁଭବ । ଆଖିଆଗେ ନିରାଶାର ବାଲି ।’ (୪୪) ସ୍ୱାଧୀନତା ପରବର୍ତ୍ତୀ ଜନଗଣ କାଠଘୋଡ଼ା ପରି ଯେପରି ହୋଇଯାଇଛି ନିଷ୍ପ୍ରାଣ । ତା’ ପାଇଁ ରାଜାଘର ବେଣ୍ଟ ପୋଖରୀର ନିର୍ମଳ ସୁବାସିତ ଜଣ ଯେପରି ନିଷିଦ୍ଧ । ସେ ଜୀବନ କ’ଣ ବୁଝେନାହିଁ । ସେ ଚାହେଁ ଅତୀତର ମୃତ୍ୟୁ ଘଟୁ । ଅତୀତର ଇତିହାସ, ସଂସ୍କୃତି ଓ ଗୌରବକୁ ସ୍ମରଣ କରିବାର ଅର୍ଥ ମଧ୍ୟ ସେ ବୁଝେନାହିଁ । କାରଣ, ସେ ନିର୍ଜୀବ କାଠଘୋଡ଼ା । ବୁଦ୍ଧି ଓ ସ୍ୱାର୍ଥରେ ଉପଭୋଗୀ ମଣିଷ ତା’କୁ ଶୋଷଣ କରେ । ଅଭାବୀର ହସ ନାହିଁ, ରସନାହିଁ । କୀଟ ପରି ସେ ପରିଶ୍ରମ କରି ଉପଭୋଗୀ ଗୋଷ୍ଠୀପାଇଁ ଇତିହାସ ତୋଳିବ କାହିଁକି ? କବି ବେଣୁଧର ରାଉତଙ୍କର ଏହାହିଁ ଥିଲା, ସ୍ୱାଧୀନତାର ସୁନାସିଂହ ପ୍ରତି ଅନ୍ତରର ପ୍ରତିବାଦ । (୪୫) କବି ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ) ମଧ୍ୟ ସାଂପ୍ରତିକ ସମାଜରେ ନିର୍ବାଚନ, ଚାକିରୀ ଓ ରାଜନୀତିକୁ ନେଇ କିପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି, ତା’ର ଚିତ୍ର ପ୍ରଦାନ କରିଛନ୍ତି ବିଭିନ୍ନ କବିତାରେ । ‘ଅଗଷ୍ଟ ପନ୍ଦର’ର ବନ୍ଦନା ଭିତରେ ସେ ପ୍ରଶ୍ନ କରିଛନ୍ତି-

 

‘‘ମାତ୍ର ଆଜି ତରଣୀରେ ଯଦି/ଭରିଉଠେ ଆବର୍ଜନା ପୂତିଗନ୍ଧମୟ

ସମ୍ମାନିତ ସ୍ଥାନ ନିଏ ତହିଁ ଯଦି/ପୁଞ୍ଜିପତି କୂର ବିଷଧର/

ସେବକ ରକ୍ଷକ ନିଏ ଦୀକ୍ଷା ଭକ୍ଷକର/

ଚଉଦିଗୁ ଶୁଭେ ଯଦି/ଅଭାବର ବାଣୀ ତୁଚ୍ଛ ତମ

ନାହିଁ ମିଳେ ନାଯ୍ୟ ଅଧିକାର ନ୍ୟୂନତମ/ବିଚାରର ଆରୋହୀଗଣ

ଏଇ ଉପକୂଳେ ମୁଣ୍ଡପୋତି/କି ହୋଇବ ତେବେ ପରିଣତି ?’’(୪୬)

 

ଆଜିର ପୀଡ଼ିତ-ଲେଖନୀ କୋଟି ମନରେ ନୂତନ ଜୀବନ ସ୍ପନ୍ଦନ ଫୁଟାଇ ପାରୁନାହିଁ । ନବ ପ୍ରଭାତର ରକ୍ତ କରବୀ ଆଙ୍କିପାରୁନାହିଁ । ଅନାଗତ ଯୁଗ-କବିଗଣ ନିଶ୍ଚିତ ଭାବରେ ମଣିଷର ବନ୍ଦନା କରିବେ । (୪୭) ଦୀନ ଦଳିତ ଅବହେଳିତ ମଣିଷମାନଙ୍କର ମୋହନିଦ୍ରା ଭଙ୍ଗ କରିବା ପାଇଁ କୃଷ୍ଣଚରଣ ବେହେରା ଆହ୍ୱାନ ଦେଇ ପୂର୍ବଦିଗରୁ ନୂତନ ଆଲୋକର ସଙ୍କେତ ମିଳିଲାଣି ବୋଲି କହିଛନ୍ତି । (୪୮) କବି ଗୋପାଳଚନ୍ଦ୍ର ମିଶ୍ରଙ୍କର ସାଧାରଣ ମଣିଷ ସମାଜ ପ୍ରତି ପ୍ରକାଶ ପାଇଛି, ରୋମାଣ୍ଟିକ୍ ସହାନୁଭୂତି । ଚିନ୍ତାମଣି ବେହେରା ଅନୁଭବ କରିଛନ୍ତି, ଶତ ଅତ୍ୟାଚାର-ଅବିଚାର-ଶୋଷଣ ସତ୍ତ୍ୱେ ମଣିଷ ତଥାପି ବଞ୍ଚିଛି । ସବୁଜ ଶସ୍ୟର ଶତ୍ରୁ ପଙ୍ଗପାଳଙ୍କୁ ବିନାଶ କରି ମଣିଷ-ଫସଲକୁ ସେହି ପଙ୍ଗପାଳରୂପୀ ଶୋଷକମାନଙ୍କ କବଳରୁ ରକ୍ଷା କରିବାକୁ ହେବ । (୪୯) ଜନତାର ମହାତୀର୍ଥ ପୀଠରେ ପ୍ରଭାତର ସୂର୍ଯ୍ୟରଥର ଆଗମନ ପାଇଁ ପଥ ପରିଷ୍କାର କରିଦେବ କବିତା । ତାଙ୍କର କାବ୍ୟ-ପୁରୁଷ ତେଣୁ ପ୍ରତିବାଦ କରିଛି, ଯେଉଁଠି-‘ରକ୍ଷକ ନାମେ ଭକ୍ଷକ ପାଏ ପୂଜା/ଅହିଂସା ନୀତି ବଖାଣେ ହତ୍ୟାକାରୀ ।’ (୫୦) ବିନୋଦ ରାଉତରାୟ ମଧ୍ୟ ଦୀନ ଦଳିତର ବକ୍ଷରୁ ସକଳ ଦୁଃଖ ଶୋକ ଦୂର କରିବା ପାଇଁ ଲେଖିଛନ୍ତି, ନୂତନ କବିତା । (୫୧) ତୁଳସୀ ଦାସ ବିପ୍ଳବକୁ ସ୍ୱାଗତ କରିଛନ୍ତି, ସମାଜରେ ନୂତନ ଛବି ଦେବା ଲାଗି । (୫୨)

 

ରବୀନ୍ଦ୍ରନାଥ ସିଂହ, ବ୍ରଜନାଥ ରଥ, ଉଜ୍ଜ୍ୱଳ ପାଢ଼ୀ, ପ୍ରସନ୍ନ କୁମାର ପାଟଶାଣୀ, ସଦାଶିବ ଦାସ, ସମରେନ୍ଦ୍ର ନାୟକ, କୁଳମଣି ଜେନା, ପ୍ରମୁଖ କବିମାନେ ଗଣଜୀବନରେ ନୂତନ ସ୍ପନ୍ଦନ ସୃଷ୍ଟି କରି ଯୁଗ ଯୁଗର ଶୋଷଣ ପ୍ରାଚୀରକୁ ଭାଙ୍ଗି ଦେବାପାଇଁ ଦେଇଛନ୍ତି, ବଜ୍ର ଆହ୍ୱାନ । ମାର୍କ୍‍ସବାଦୀ ସ୍ୱର ଏମାନଙ୍କ କବିତାର ବୈଶିଷ୍ଟ୍ୟ । ଏସବୁ କବିତାରେ ଦୟା-ଦୃଷ୍ଟି ନାହିଁ, ଗଣକୁ ଶୀତଳ କରିଦେବାର ଭାବ ନାହିଁ; ଅଛି ଗଣ ଭିତରେ ନୂତନ ଶକ୍ତି ଓ ସାମର୍ଥ୍ୟ ଭରିଦେବା ପାଇଁ ଦୀପ୍ତ ଆହ୍ୱାନ । ଶୋଷଣ ଓ ପୀଡ଼ନର ଅବସାନ ପାଇଁ ଅଛି ବଜ୍ର ଶପଥ । ରବୀନ୍ଦ୍ରନାଥ ସିଂହ ଷଷ୍ଠଦଶକରୁ ଆରମ୍ଭ କରି ଏଯାବତ୍‌ ସେହି ଧାରାରେ କବିତା ରଚନା କରୁ ଅଛନ୍ତି ଏବଂ ଗଣ-ଜୀବନର ଦ୍ୱାନ୍ଦ୍ୱିକ ଉନ୍ମେଷ ପାଇଁ ଦେଇଛନ୍ତି ଆହ୍ୱାନ । ସେ ମଧ୍ୟ ପୂର୍ବସୂରୀମାନଙ୍କ ପରି ଧର୍ମ ଓ ଭଗବାନ, ମୂର୍ତ୍ତି ଓ ମନ୍ଦିରର ବିରୋଧ କରିଛନ୍ତି । ଏସବୁ ମଣିଷକୁ ରକ୍ଷା କରନ୍ତି ନାହିଁ; ଶୋଷଣ କରନ୍ତି । ସାଂପ୍ରଦାୟିକ ସଂଘର୍ଷର ବୀଜବପନ କରନ୍ତି । ଭଗବାନ ମିଥ୍ୟାବାଦର ସଜୀବ ଦେବତା, ଭଣ୍ଡମାନଙ୍କର ନେତା । (୫୩) ସକଳ ଶୋଷଣ-କଷଣ-ଦୁଃଖଦୈନ୍ୟ-ନୈରାଶ୍ୟ-ବ୍ୟଥା ଓ ବ୍ୟର୍ଥତାକୁ ବିଲୋପ କରି ଏହି ମଣିଷ ଦିନେ ହେବ ଜାଗ୍ରତ । ରାତ୍ରିର ଖାଦାନ୍ ତଳୁ ପ୍ରଭାତର ସୂର୍ଯ୍ୟ ଧୀରେ ଧୀରେ ଉଇଁ ଆସିବ । ବିପ୍ଳବର ହେବ ନବ ଜନ୍ମ । ଶ୍ରେଣୀ-ଯୁଦ୍ଧର ଶାଣିତ ଚୋଟରେ ଶୋଷକର ସକଳ ସଂସ୍କୃତିର ହେବ ଅବସାନ । ଧରା ବକ୍ଷରେ ଲୋଟିଯିବ ମନୁଫା ପାହାଡ଼, ସୁନାବାଡ଼ି ଓ ପାଟଛତି । (୫୪) ସୃଷ୍ଟିର ଶସ୍ୟ କ୍ଷେତରୁ ହଟାଇ ଦେବାକୁ ହେବ ଅକାଳ ମରୁଡ଼ି । ସବୁଜକ୍ଷେତରେ ବିକଶି ଉଠିବ, ସତ୍ୟ-ଶିବ-ସୁନ୍ଦର । କବି ତେଣୁ ଉଦ୍‌ବୋଧନ ଦେଇଛନ୍ତି, ସକଳ ଦୁର୍ଦ୍ଦିନକୁ ପୋଛି ଦେଇ ନୂତନ ଭାଷାରେ ଜାଗିଉଠିବା ଲାଗି । (୫୫) ମରଣ ଦୁଆରେ ପଦାଘାତ ଦେଇ ଭାଗ୍ୟବାଦକୁ ଧୂଳିସାତ କରିଦେବାକୁ ମଧ୍ୟ ସେ ଦେଇଛନ୍ତି ଆହ୍ୱାନ । (୫୬) କବି ବଜ୍ରନାଥ ରଥ ମଧ୍ୟ ଆଶା ପୋଷଣ କରିଛନ୍ତି, ଅନ୍ଧାର ପରେ ଆସିବ ଆଲୋକ । ଜୀବନର ଗାନରେ ଅପସରି ଯିବ ଦୁଃଖର ଅମାରଜନୀ । କୋଟି ଜନତାର କଣ୍ଠରୁ ଶୁଭିବ ଜୈତ୍ରବାଣୀ । କୋଟି ହୃଦୟରେ କୋଟିଏ ଦୀପାଳି ଜଳି, ଖେଳିଯିବ ଆଶାର ଆଲୋକ । (୫୭) ନୂଆ ଦୁନିଆରେ ଫୁଟିଉଠିବ, ନୂତନ ମଣିଷର ଭାଷା । ନୂତନ ସୂର୍ଯ୍ୟ ଉଇଁ ଆସିବ । ଫୁଟି ଉଠିବ ନୂତନ ଗୋଲାପ । ବାଜି ଉଠିବ, ଶାନ୍ତିର ଗୀତି । ଶୋଷକମାନଙ୍କର ସମରଘାଟି ଲୋପ ପାଇଯିବ ଚିରଦିନ ଲାଗି । ହସି ଉଠିବ, ଏହି ଧୂସରମାଟି । (୫୮) କବି ରମାକାନ୍ତ ରଥ ମଧ୍ୟ ଷଷ୍ଠଦଶକ ବେଳକୁ ଅନୁଭବ କରିଛନ୍ତି-ଏ ଜୀବନ ଯେପରି ହଜିଯାଇଛି । ଜନ୍ମ ନେଉଛି, ନୂତନ ସ୍ତୁତିଗାଥା । ଜୀବନର ପ୍ରକୋଷ୍ଠରେ କେବଳ ଅଛି ଜୀବନ୍ତ ମରଣ । (୫୯) ଏହି ଜୀବନର ଉର୍ବର କ୍ଷେତରେ ଜଣେ ଯୁଆଳି ଯୋଚି ଛାତିର ଫସଲକୁ ବୋହିନିଏ, ଅନ୍ୟ କୋଠିକୁ । (୬୦) ଶ୍ରୀ ରଥଙ୍କର ଏହ ଗଣ ଅଭିମୁଖୀ କାବ୍ୟାନୁଭବ ଷଷ୍ଠଦଶକରୁ ପ୍ରକାଶ ପାଇ ଆସିଥିଲେହେଁ ସପ୍ତଦଶକର ଦ୍ୱିତୀୟାର୍ଦ୍ଧ ବେଳକୁ ବଦଳି ଗଲା । ବ୍ୟକ୍ତି-ବୃତ୍ତ ମଧ୍ୟରେ କାବ୍ୟ-ପୁରୁଷ ସଂପୂର୍ଣ୍ଣ ଭାବରେ ପ୍ରବେଶ କରି ଅହଂର ଉଚ୍ଚାରଣ କରିବାକୁ ଲାଗିଲେ । ଏହା ଆଉ ଗଣକୁ ସ୍ପର୍ଶ କଲା ନାହିଁ । ଅପର ପକ୍ଷରେ ଯଦୁନାଥ ଦାଶମହାପାତ୍ର ଯନ୍ତ୍ରଣାର କାବ୍ୟ ରଚନା କରୁଥିଲେହେଁ ଗଣ ଚେତନାର ଉନ୍ମେଷ ଚାହିଁଛନ୍ତି । କ୍ଷୁଧାର ଗଦ୍ୟମୟ ଜ୍ୱଳନ୍ତ ଶିଖା ଭିତରେ ସେ ଅନୁଭବ କରିଛନ୍ତି, ସଂଗ୍ରାମର ପୂର୍ବାଭାସ । କ୍ଷୁଧା ଓ ଭୋଗ, କ୍ରନ୍ଦନ ଓ ଅଟ୍ଟହାସ୍ୟ ମଧ୍ୟରେ ଦେଖାଦେବ ଯୁଦ୍ଧ । ଗଣ-ମୁକ୍ତିର ଚୈତକ କ୍ଷିପ୍ରତର ନ ହେଲେ, ପୃଥିବୀର ସବୁ ମଣିଷ ସମାନ ଅଧିକାର ନପାଇଲେ, ଏହି ସୃଷ୍ଟି ହେବ ଅର୍ଥହୀନ । ଧ୍ୱଂସ ପରେ ହେବ, ନୂତନ ସୂର୍ଯ୍ୟୋଦୟ, ଜନ୍ମ ନେବ ନୂତନ ମଣିଷ ଓ ନୂତନ ସମାଜ । (୬୧) କବି ସୀତାକାନ୍ତ ମହାପାତ୍ର, କାବ୍ୟ-ସାଧନାର ଆଦ୍ୟ ପର୍ଯ୍ୟାୟରେ କହିଛନ୍ତି । କବି ବି ଅନ୍ୟମାନଙ୍କ ପରି ଜଣେ ସାମାଜିକ ପ୍ରାଣୀ । ସେ ବି ଚାକିରି କରେ । ତୃତୀୟ ଶ୍ରେଣୀ ରେଳଡବାରେ ଜାକିଜୁକି ହୋଇ ଅନ୍ୟମାନଙ୍କ ସହିତ ସେ ବସେ, କଣ୍ଟ୍ରୋଲ ଦୋକାନ ଆଗରେ କ୍ୟୁରେ ଛିଡ଼ା ହୁଏ । ତେବେ ସେ କାହିଁକି ନ କହିବ, ନିତିଦିନିଆ ଜୀବନର ଛୋଟ ଆଶା, ମହତ୍‌ ଅନୁଭୂତିର କଥା । ଏ ଦୁନିଆରେ ତ ବହୁତ ଲୋକ ବଞ୍ଚିଛନ୍ତି; ଆଶା ଓ ଆଲୋକର ଏକ କ୍ଷୀଣ ସଂଦୀପନ ପାଇଁ ଯାହାକି କେଉଁ କ୍ୱଚିତ ମୁହୂର୍ତ୍ତରେ ତାଙ୍କୁ ମିଳିଥାଏ । କିନ୍ତୁ ସେମାନେ ବଞ୍ଚି ଶିଖିଛନ୍ତି । ଭାଗ୍ୟକୁ ବିଦ୍ରୂପ କରି ଶିଖିଛନ୍ତି । ସେହିମାନେହିଁ ପ୍ରକୃତ କବି, ନାମହୀନ, ଅଜଣା, ଅଶୁଣା । ପୃଥିବୀର ପ୍ରତ୍ୟେକ କୋଣରେ ସେମାନେ ଦେଖନ୍ତି, ଆଗାମୀର ସ୍ୱପ୍ନ, କାଣିଚାଏ ସୁଖର ସମ୍ଭାବନାରେ ମହଣ ମହଣ ଦୁଃଖର ବୋଝ ସେମାନେ ଉଠାନ୍ତି, ମୁଣ୍ଡରେ । କବିତା ଆଜି ତାଙ୍କରି କଥା କହୁ । ତାଙ୍କର ନୀରବତାକୁ ସମ୍ମାନ ଦେଉ । କବିତା ଦୃଢ଼ ସ୍ୱରରେ ଅଥଚ ଧୀର ଗମ୍ଭୀର ଭାବରେ କହି ଶିଖୁ ଯେ ମଣିଷ ଯେ କେବଳ ଆଜି ବଞ୍ଚିବ, ସବୁ ଭୟ, ସବୁ ବିପଦ, ସବୁ ଯୁଦ୍ଧ, ସବୁ ଆଣିବିକ ବିସ୍ଫୋରଣକୁ ବିଦ୍ରୂପ କରି ହସିବା କେବଳ ନୁହେଁ: ମଣିଷ ସବୁ ଦୁଃଖ ଦୁର୍ବିପାକକୁ ଜୟ କରିପାରିବ, କାରଣ ସେ ବଞ୍ଚିବାର କଳା ଶିଖିପାରିଚି ଓ ପାରିବ । ନିଜର ଲୁଣି ଲୁହ ପିଇ ସେ ଓଠ ଚାଟିପାରିବ ଆକାଶକୁ ଅନେଇ, ଅନ୍ତରର ଧୂସରତାକୁ ଭୁଲିପାରିବ ଆଗାମୀ ଶିଶୁକୁ ଚାହିଁ, କଅଁଳ ଘାସକୁ ଛୁଇଁ । କବିତା ଆଜି ସମସ୍ତଙ୍କୁ କହିରଖୁ ସେ କାହାରି ଶତ୍ରୁ ନୁହେଁ । ସେ ସମସ୍ତଙ୍କର ବନ୍ଧୁ । x x x x କବିତା ଯଦି ଏ ପ୍ରଶ୍ନ ବିଷୟରେ ମଣିଷକୁ ସଜାଗ କରାଇ ନ ପାରିଲା, ତେବେ ତାର ସାର୍ଥକତା କେଉଁଠି ?’’ (୬୨) ଏହି ଉକ୍ତି ମଧ୍ୟରେ କବିଙ୍କର ଫୁଟି ଉଠିଛି, ସାଧାରଣ ଜନସମାଜ ପ୍ରତି ଗଭୀର ମମତ୍ୱବୋଧ । ଗଣର ମୁକ୍ତିରେ କବିତାର ସ୍ଥିତି । କବିତା ସେହି ଗଣଜୀବନର ଗାଥାର ଭାଷ୍ୟ । ସେହି ଗଣ ମଧ୍ୟରୁ ରମଜାନ ମିଆଁ ଜଣେ ଶ୍ରମିକ । ଅସହାୟ ଶ୍ରୀହୀନ ତାର ଜୀବନ । କେରପାଲ ବିଛଣାରେ ଶୋଇ, ହାଇବର ବିଡ଼ି ଟାଣି, ମନ ମତାଣିଆ ଭାବରେ ସମୟ କାଟେ । ଏହି ପୃଥିବୀର ଅନ୍ଧାରି ବୁକୁରେ ଅଛି ଲାଭାର ସ୍ରୋତ । ତା’ରି ଭିତରେ କାବ୍ୟ-ପୁରୁଷ ଖୋଜିଛି, ବିପ୍ଳବୀର ପଥ । ଯେତେ ଯାହା ସ୍ଥବିର, ଅଚଳ, ଜଡ଼, ଅର୍ଥବ ଜୀବନ ତା’ରି ଭିତରେ ସେ ଆଣିବାକୁ ଚାହିଁଛନ୍ତି, ନୂତନ ସଂଦ୍ଦୀପନା, ଉଚ୍ଚାରଣ କରିବାକୁ ଚାହିଁଛନ୍ତି, ନୀରବ ମଶାଣିବୁକୁରେ ଜୀବନର ମନ୍ତ୍ର । (୬୩) ‘ଦୀପ୍ତି ଓ ଦ୍ୟୁତି’ ପରେ ପରେ କାବ୍ୟପୁରୁଷ ଗଣ-ଜୀବନରୁ କ୍ରମେ ଅପସରି ଯାଇ କରିଛନ୍ତି ଅଭିଜାତ-ମାନସର ବୌଦ୍ଧିକ ଉଚ୍ଚାରଣ । ଗଣସମାଜକୁ ମନେ କରିଛନ୍ତି, ଗୋରୁ ଓ ମେଣ୍ଢାପଲ ପରି ଏକାନ୍ତ ନିରୀହ । (୬୪)

 

କବି ପ୍ରସନ୍ନକୁମାର ପାଟଶାଣୀଙ୍କ କବିତାରେ ଅଛି, ସର୍ବହରା ମଣିଷର ଉନ୍ମେଷ ଓ ଉତ୍ତରଣ । ସେ ଅନୁଭବ କରିଛନ୍ତି, ପୂର୍ବରୁ ପଶ୍ଚିମକୁ ଚାଲିଛି, ବିପ୍ଳବର ଅବାରିତ ପଦଯାତ୍ରା । (୬୫) ନବଜାତ ବିପ୍ଳବର ସୂର୍ଯ୍ୟ-ଶିଶୁର ମୃତ୍ୟୁ ନାହିଁ । ସେ ଭୟ କରେନାହିଁ ଜୁଆରକୁ । ପ୍ରଳୟର ସେ ଏକ ଅଗ୍ନିକୋଣ । (୬୬) ଭାରତମାତାର ରୁଗ୍‌ଣ ଅସହାୟ ବୁଭୁକ୍ଷୁ ସନ୍ତାନମାନଙ୍କୁ ସେ ଜଣାଇଛନ୍ତି, ପ୍ରାଣର ଅଗ୍ନି-ପ୍ରଣାମ । (୬୭) ମୂଲିଆ, ମୂଲିଆଣୀ ଓ ଭିକାରୀର କ୍ଷୁଧାର ଲୋହିତ-ପାତାଳକୁ ସେ ଅନୁଭବ କରି ବଜାଇଛନ୍ତି ବିପ୍ଳବର ଅଗ୍ନି-ଶଙ୍ଖ । (୬୮) ସଦାଶିବ ଦାସ ମଧ୍ୟ ବୈପ୍ଳବିକ ସହାନୁଭୂତି ପ୍ରକାଶ କରିଛନ୍ତି କୃଷକ, ଶ୍ରମିକ ଓ ଅନାଥ ମଣିଷମାନଙ୍କ ପ୍ରତି । (୬୯) କାବ୍ୟପୁରୁଷ ଚାହିଁଛି, ମାଟିର ଅଧରରେ ଅଧର ମିଶାଇ ମୁକ୍ତିର ଆଲୋକ ବରଣ କରିନେବାକୁ । ଖାଦାନ ଓ ବସ୍ତିରେ ସେ ଅସ୍ତ୍ର ଚଳାଇ ଶୋଣିତ ବୁହାଇ ଦେବେ । ମାଟିକୁ ସେ ସେହି ରକ୍ତରେ କରିବେ ରଙ୍ଗୀନ । ପ୍ରଗତିର ସ୍ରୋତ ଭିତରେ ସେ ପ୍ରଚାର କରିବେ, ମୁକ୍ତିର ଅଗ୍ନି-ବାଣୀ । (୭୦) ଆଗାମୀ କାଳରେ ଜନତାର ବିପୁଳ ସ୍ରୋତରେ ମିଶି ଏକାକାର ହୋଇଯିବ ବ୍ୟକ୍ତି-ବିନ୍ଦୁ; ଲୋପ ପାଇଯିବ, ସକଳ ଅନ୍ଧକାର । ‘ଆଗାମୀ ଘୋଷଣା’ କବିତାର ଏ କଥାକୁ ପ୍ରକାଶ କରିଛନ୍ତି, ଅଚ୍ୟୁତାନନ୍ଦ କର । (୭୧) ଏଥିରେ କାବ୍ୟ-ପୁରୁଷ ଅନୁଭବ କରିଛି, ଘରେ ଘରେ ମରଣର ଆର୍ତ୍ତନାଦ ଓ ଦରିଦ୍ରର କରୁଣ ଜୀବନ । (୭୨) ଗଣ-ଚେତନାର ଏହି ଧାରାରେ ବ୍ୟତିକ୍ରମ ଆଣି ଅଭିଜାତ କବି-ମାନସ ଭିନ୍ନ ଭାବରେ ସାଂପ୍ରତିକ କବିତାରେ ଏହାର ଉନ୍ମେଷକୁ ଦେଖାଉ ଅଛନ୍ତି । ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ଦୁର୍ଗା ମାଧବ ମିଶ୍ର, ଶ୍ରୀନିବାସ ଉଦ୍‌ଗାତା, ଉମାଶଙ୍କର ମିଶ୍ର, ସୌଭାଗ୍ୟକୁମାର ମିଶ୍ର, ବିବେକ ଜେନା, ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ପ୍ରତିଭା ଶତପଥୀ, ନିତ୍ୟାନନ୍ଦ ପତି, କମଳାକାନ୍ତ ଲେଙ୍କା, ହରି ମିଶ୍ର, ଲକ୍ଷ୍ମୀନାରାୟଣ ମହାପାତ୍ର, କୈଳାସ ଲେଙ୍କା ପ୍ରମୁଖ କବିମାନେ ଏ ଦିଗରେ କିଛିଟା ଭୂମିକା ନେଇଅଛନ୍ତି । ତେବେ, ଏମାନଙ୍କ କବିତାରେ ଗଣ-ଚେତନା ଆସିଛି; କାବ୍ୟ-ପୁରୁଷର ବୌଦ୍ଧିକ ଅନୁଚିନ୍ତନରେ ।

 

କବି ରାଜେନ୍ଦ୍ର ପ୍ରସାଦ ପଣ୍ଡା ଅନୁଭବ କରିଛନ୍ତି ଯେ, ବୈରାଗୀ ଭୋଇ ପରି ଜଣେ ସାଧାରଣ ମଣିଷ ଅଭିଶାପ ଚାହିଁଥିଲା, ତାହା ସେ ପାଇଗଲା । ସେ ଜାଣେ ତା’ର ପାପ, କ୍ରୋଧ ଓ ମୃତ୍ୟୁ । ନିଜ ହାତରେ ସେ ନିଜେ ଚଉଦ ପା’, କାହାର ସେ ଧରମ ପୁଅ ନୁହେଁ । ସେ ଚୋରି କରିନି । ଦାରି କରିନି । ତା’ ପାଇଁ କାହାର ମୁଣ୍ଡ ଖେଳାଇବା ଦାରକାର ନାହଁ । (୭୩) ଜଣେ ସାଧାରଣ ମଣିଷର ଜୀବନ-ଚିତ୍ର ଭିତରେ ଯେପରି ସେହି ସମାଜର ସବୁ ମଣିଷର ଆର୍ତ୍ତ ହୋଇଛି ପ୍ରତିଧ୍ୱନିତ । ହରି ମିଶ୍ର ମାନି ନେଇଛନ୍ତି ବିଶାଳ ଜନତାଙ୍କୁ । ସେମାନଙ୍କୁ ସେ ଭଲ ପାଇଛନ୍ତି । ସମସ୍ତେ ଯେପରି ତାଙ୍କର ହୃଦୟରେ ହୋଇଛନ୍ତି ଏକାକାର । (୭୪) କ୍ଷେତ, ଖଳା, ଖାଦାନ ଓ ଗଳି ଉପଗଳିରେ ସେହି ସାଧାରଣ ଦଳିତ ମଣିଷମାନଙ୍କର ଜୀବନର ଗୁଣୁଗୁଣୁ ଗୁଞ୍ଜନ ପୂରିଉଠୁ ବୋଲି ଆଶା ପ୍ରକାଶ କରିଛନ୍ତି, କମଳାକାନ୍ତ ଲେଙ୍କା । (୭୫) କଙ୍କାଳମୁହଁରେ ହସ ଫୁଟାଇ ବଞ୍ଚିବାର ନୂତନ ସ୍ୱପ୍ନ ଭରିଦେବାକୁ କବି ନିତ୍ୟାନନ୍ଦ ପତି ଦେଇଛନ୍ତି ‘ଜନ୍ମଭୂମି’ କବିତାରେ ଆହ୍ୱାନ-। (୭୬)

 

ସାଂପ୍ରତିକ ଓଡ଼ିଆ-କବିତାରେ, ବିଶେଷତଃ ଅଛି ଏକାନ୍ତ ଅଭିଜାତ ବ୍ୟକ୍ତି-ବୃତ୍ତର ଅସହାୟ ଆତ୍ମସତ୍ତାର ଉଚ୍ଚାରଣ । ଏଥିରୁ ଲୋପ ପାଇ ଯାଉଛି ଗଣ-ସମସ୍ୟା ଓ ଗଣ ସମାଜ । ଅଭିଜାତ ମଣିଷ ହିଁ ଏଥିରେ ପ୍ରାଧାନ୍ୟ ଲାଭ କରୁଛି । ଏହି ଅଭିଜାତ କବି-ଚିତ୍ତ-ବୃତ୍ତିରୁ ଯେଉଁ ମାନବିକ ସମ୍ବେଦନାଧର୍ମୀ କବିତା ବେଳେ ବେଳେ ଉଚ୍ଚାରିତ ହେଉଛି, ତାହା ଗଣସମାଜକୁ ସ୍ପର୍ଶ କରି ପାରୁନାହିଁ । ତାହା ହେଉଛି, ସେହି କବି-ହୃଦୟର ଗଣ-ଚେତନାର ଅନୁଭବ ଓ ଉନ୍ମେଷ । ଫଳରେ ଏହା ଯେଉଁ ସମାଜବାଦୀ ଭାବଧାରା ଉପରେ ଆଲୋକପାତ କରୁଛି, ତାହା ହୋଇଯାଉଛି, ପ୍ରତିକ୍ରିୟାଶୀଳ ସମାଜବାଦ, ଅଥବା ପେଟି ବୁର୍ଜ୍ଜୁୟା-ସମାଜବାଦର ଅନ୍ତର୍ଧ୍ୱନି । ଏଥିରେ ମଧ୍ୟ ଲକ୍ଷ୍ୟ କରାଯାଉଛି, ସେହି ରକ୍ଷଣଶୀଳ ବୁର୍ଜ୍ଜୁୟା ସମାଜବାଦର ଧ୍ୱନି । ଯେଉଁ କାବିତାରେ ବିଶ୍ଳେଷଣାତ୍ମକ ଆଦର୍ଶବାଦୀ ସମାଜବାଦ (Critical Utopian Socialism) ରହିଛି, ସେଥିରେ ମଧ୍ୟ ସେହି ଅଭିଜାତ-ମାନସ ଯେପରି ଆତ୍ମପ୍ରକାଶ କରୁଛି । ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ରଚିତ ହୋଇଥିବା ଆଧୁନିକ କବିତାକୁ ବିଶ୍ଳେଷଣ କଲେ, ସେଥିରେ ଗଣ-ସମାଜ ପ୍ରତି କବିମାନଙ୍କର ଚିତ୍ତ-ବୃତ୍ତିରେ ଯେଉଁ ଭାବଧାରା ପ୍ରକାଶ ପାଇଛି, ତାକୁ ଲକ୍ଷ୍ୟ କରି ହୁଏ । ଧର୍ମ ଓ ଭାଗ୍ୟ-ଭଗବାନଙ୍କ ପ୍ରତି ଏକ ନେତିବାଦୀ ମନୋଭାବ ବଳିଷ୍ଠ ହୋଇ ସେଥିରେ ପ୍ରକାଶ ପାଇଛି ସାଧାରଣ ମଣିଷପ୍ରତି ଗଭୀର ସହାନୁଭୂତି । ଏଥିରେ ପ୍ରଗତିବାଦୀ ଆଭିମୁଖ୍ୟ ସ୍ପଷ୍ଟ । ଅନ୍ୟ ପକ୍ଷରେ ଯୁଗ ଯୁଗର ଶୋଷଣ-କଷଣ-ଅବିଚାର ଓ ଅନ୍ୟାୟ କବିତାମାନଙ୍କରେ ପ୍ରକାଶ ପାଇ ଗଣ ସମାଜର ଉତ୍ତରଣ ପାଇଁ ଅଛି ଆହ୍ୱାନ । ସ୍ୱାଧୀନତାର ସ୍ୱପ୍ନଭଙ୍ଗକୁ କବିମାନେ ଦେଖାଇ ଦେଇ ନୂତନ ଅଭିଜାତ ମଣିଷର ବୌଦ୍ଧିକ-ଶୋଷଣର ଚିତ୍ର ପ୍ରଦାନ କରି ଅଛନ୍ତି । ଏ ସବୁ ସତ୍ତ୍ୱେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ-କବିତାରେ ଗଣଜୀବନ ଓ ଗଣ-ସମସ୍ୟା ଥିଲେହେଁ ତାହା ଗଣର ଉନ୍ମେଷ ଓ ଉତ୍ତରଣ ଘଟାଇ ପାରିନାହିଁ । ବରଂ ମନେହୁଏ, କବି-ହୃଦୟର ଗଣବୋଧ ଏସବୁ କବିତାରେ ହୋଇଛି ଉନ୍ମେଷିତ ଓ ଉତ୍ତରିତ । କବି ଅଛନ୍ତି, କବିତା ଅଛି । ମାତ୍ର କବିତାରୁ ଯେପରି ଦୂରେଇ ଯାଉଛନ୍ତି; ଗଣସମାଜ । ସମସ୍ୟା ଅଛି; ଅଥଚ ସମସ୍ୟା ପ୍ରତି କବି-ଚିତ୍ତ ଯେପରି ନିର୍ଲିପ୍ତ । ତେଣୁ ସାଂପ୍ରତିକ କବିତାରେ ଗଣ ଚେତନାର ଉନ୍ମେଷ ଓ ଉତ୍ତରଣ ହେଉନାହିଁ । ଏଥିପାଇଁ ଯେଉଁ ମାନସିକତା ଦରକାର, ସେହି ମାନସିକତା ନାହିଁ । ଯେଉଁ ଆକ୍ରୁହୀନ ଭାଷା ଓ ଶୈଳୀ ଦରକାର, ତାହା ମଧ୍ୟ ନାହିଁ । ସାଂପ୍ରତିକ କବିତା ଅଭିଜାତ-ମାନସର ଆତ୍ମ ଉଚ୍ଚାରଣ ହୋଇଯାଉଥିବାରୁ ତାହ ଆଉ ଗଣ-ଚେତନାର ଉନ୍ମେଷ ଓ ଉତ୍ତରଣ ଘଟାଇବାକୁ ସମର୍ଥ ହୋଇ ପାରୁନାହିଁ । ଯଦିଓ ଅଭିଜାତ କବି-ମାନସ ସଂଜାତ କବିତାରେ ଗଣ-ଚେତନା ପ୍ରକାଶ ପାଉଛି, ତାହା ବୌଦ୍ଧିକ କାବ୍ୟ-ପୋଷାକ ଭିତରେ ନିବଦ୍ଧ ହୋଇ ରହୁଛି ଏବଂ ଏହା ହେଉଛି, ସେହି କବି-ହୃଦୟର ଆତ୍ମ-ସନ୍ତୋଷ ମାତ୍ର ।

***

 

ପରିଶିଷ୍ଟ :-

 

୧.

‘The bourgeoisie always rejects proletarian artistic and literary works, no matter how great their artistic achievement.’-

Mao-Tse-Tung On Literature & Art (1967)-P. 97

୨.

Only truely revolutionary artists and writers can correctly solve the problem whether to extol or to expose. The fundamental task of all revolutionary artists and writers is to expose all dark forces which endanger the people and to extol all the revolutionary struggles of the people.

Mao-Tse-Tung-On literature & Art-1967, P. 100

୩.

Ibid.......... P. 99

୪.

‘...... a real Literary interest is an interest in man, society and civilization.’

Dr. F.R. Levis

୫.

ପ୍ରାଣନାଥ ପଟ୍ଟନାୟକ - ଆସନ୍ତାକାଲିର ସାହିତ୍ୟ (୧୯୭୦)-ପୃ. ୫୮

୬.

Art belongs to the people. It must with its widest stretching root go out into the very thick of the broadest masses. It must combine the feelings, thoughts and will of the masses and uplift them.

-Lenin-

୭.

This will be a free literature because neither covetousness nor careerism but rather the idea of socialism and feelings for the working people will draw ever fresh forces into its ranks. This will be a free literature because it will serve millions and tens of millions of working people who constitute the strength and future of the country.

Collected Works, Lenin. Moscow (1947) -Vol. X-30/31

୮.

Assume man to be a man and his relationship to the world to be a human one : Then you can exchange love only for love, trust for trust, etc. If you want to enjoy art you must be an artistically cultivated person; if you want to exercise influence over other people, you must be a person with a stimulating & encouraging effect on other people. Karl Marx - Economic & Philosophic Manuscript of 1844.

(Marx & Engels, collected works), Vol,-3-Moscow (1973) P. 323/26

୯.

ପ୍ରାଣନାଥ ପଟ୍ଟନାୟକ - ଆସନ୍ତାକାଲିର ସାହିତ୍ୟ (୧୯୭୦)-ପୃ. ୬୩

୧୦.

ଅତ୍ରୈବ……………. - ଆସନ୍ତାକାଲିର ସାହିତ୍ୟ (୧୯୭୦) ପୃ. ୬୩

୧୧.

Class art to-day, unless it is proletarian, can only be the art of a dying class.

‘Illusion and Reality’ - P. 240

୧୨.

Poetry is then an expression of real essence of associated men and derives its truth from this.

Christapher Cordwell-Illusion & Reality. P. 54

୧୩.

poetry is the nascent self-consciousness of man, not as an individual but as sharer with others of a whole world of common emotion.

Ibid-P. 26

୧୪.

Words, in ordinary social life, have aquired emotional associations for each man. These words are carefully selected and the rhythmical arrangement makes it possible to chant them in unison and release their emotional associations in all the vividness of collective existence.

Christapher Cordwell-Illusion & Reality-P. 24

୧୫.

ଚାହିଁଲା ଥକା ହୋଇ ବୁଲାଇ ଦେଲା ମୁଣ୍ଡ

ଦେହରୁ ବହେ ଝାଳ ପଇଟେ ନାହିଁ ତୁଣ୍ଡ ।       

ତୁନିଟି ହୋଇ ତହିଁ ସବୁ ସେ ଶୁଣିନେଲା

ନିରାଶା-ରୋଷେ ଶେଷେ ଭାଷିଲା ଭଲ ହେଲା ।

ଜମିଦାରଙ୍କ ଷଣ୍ଢ-(ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ ୨ମ ଭାଗ) ପୃ. ୬୩୨

୧୬.

‘ତେଜରେ ଶ୍ରମିକ ଭୟ/ଗାଅ ସବୁ ଆଜି ବିଶ୍ୱର ଯେତେ ପୀଡ଼ିତ ପ୍ରାଣର ଜୟ ।’

ଶ୍ରମିକ କବି’-ଅଭିମାନ

ଟେକ ଭାଇ ଭାଲ, ତୋଳ ଜୟରୋଳ/ଉଡ଼ାଅ ରକ୍ତ ବାନା

ଶୋଷକ ମୁଠାରେ ରହିଅଛି ଭାଇ/ତୁମର ଯେ ମାଲଖାନା । ‘ସର୍ବହରା’-ଅଭିଯାନ

୧୭.

ମୁଁ ସଚ୍ଚି ରାଉତରା/ନୁହେଁ ଟାଗୋର ବା ସେଲୀ ମୁଁ ଏଇ ମାଟିର ଧରା/ଆଉ ଆକାଶର କବି/କାମ ମୋ ନୁହେଁ ଖାଲି ଆଙ୍କିବା କାଗଜର ଛବି/ପେଶାଦାର ଗାୟକ ମୁଁ ନୁହେଁ/ତୁମେ ମୋର ଛାପା ବହି ଯେତେବେଳେ ଛୁଅଁ/ଛୁଅଁ ନୂଆ ମଣିଷର ଛାତି/ଏଇ ପୃଥିବୀର ସବୁ ମଣିଷ ଜାତି/ତା’ର ପ୍ରତିଟି ଖବର/ରୂପ ପାଏ କବିତାରେ ମୋର । ‘ରାଜଜେମା’-ପାଣ୍ଡୁଲିପି

୧୮.

ମଣିଷ ଯେଉଁଠି ମରଇ ଅକାଳେ ଧ୍ୱଂସର ପାରାବାରେ

ସେଠାରେ ହସିବ ଶୀତର ଶସ୍ୟ କହ କେଉଁ ଅଧିକାରେ ?

କୋଟି ଛାତି ଯହିଁ ଭାଜିପଡ଼େ ହେଳେ ଚିତାର ଭସ୍ମ ବୋଳି

ସେଠାରେ ଫୁଟିବ କିଆଁରେ କୁସୁମ ଗନ୍ଧମୁକୁଳ ଖୋଲି ?

ଭୋକ ଓ ଓପାସେ ଜୀଅନ୍ତା ପ୍ରାଣ ଯେଉଁଠି ସମାଧି ଲଭେ

ସେଠି ନାଚିଯିବ କିଆଁ ଅହରହ ଛାଇ ଓ ଆଲୁଅ ନଭେ ?

ମଣିଷର ଗୁରୁ ବୁକୁ ବେଦନାକୁ ଯହିଁ ବିଦ୍ରୂପ କରି

ସୃଷ୍ଟିର ସବୁ ସମାରୋହ ନାଚେ ଉତ୍ସବ ବେଶ ଧରି ।

ସେଠାରେ ଜାଗେ ମୁଁ ଭୈରବ ବେଶେ ମୃତ୍ୟୁର କେତୁ ଟେକି

ମଣିଷକୁ ଯେହୁ ଉପହାସ କରେ କ୍ଷମା ଲଭିପାରେ ସେ କି ? ‘ପଶୁ’-ପାଣ୍ଡୁଲିପି

୧୯.

ଆଭିଜାତ୍ୟର ବରାଦରେ ସେଠି/ସାଆନ୍ତିଆ ରୁଚି ଛାଞ୍ଚେ

ନଗ୍ନ ନଟୀର ନଧର ଚରଣ/ଚପଳ ଛନ୍ଦେ ନାଚେ

ରମ୍ୟ କଳାର ଲୀଳା/କିଛି ତ କହିନି ମଣିଷର କଥା/କହିବାର ଯାହା ଥିଲା ।

‘କୋଣାର୍କ’-ପାଣ୍ଡୁଲିପି (ସହକାର-୧୯୩୭)

୨୦.

ଚୁପ୍‌ କର ! ଚୁପ୍‌ କର/ମୋ ବୁଟ ବାଜିଲା/କପାଳେ କପାଳେ/ଠକ୍‌ ଠକ୍‌ ଏଇ/ସାମ୍ୟର ତାଳେ/ହୃଦୟେ ହୃଦୟେ/ଶାନ୍ତି ଉଦୟେ/ପ୍ରୀତି ଉଦ୍‌ବାହେ/ନିର୍ମମ ଥରଥର ।

ନିଜ ବନ୍ଦନା ପଢ଼େ-‘ଅଲୋଡ଼ା ଲୋଡ଼ା’-ପୃ. ୬

ସର୍ବହରା ଦଳ/ଚାଲ ଚାଲ ଖରତର/ଚୂର ଚୂର ଜଂଜୀର, କାରାରେ/କଣ୍ଠେ ଖେଳୁ ହେ ତବ/ବିଦ୍ୟୁତ-ଦ୍ୟୁତି ଦଳ/ବକ୍ଷେ ବିକଶୁ ପ୍ରୀତି ଧାରାରେ/x x x ସଂଖ୍ୟା ଅଗଣ ତବ/ଜାଗ ଜାଗ ଭୈରବ/ଦୁଃଖ, ଶୋଷଣ କର ଶେଷରେ/ସାମ୍ୟରେ ପୁରୁ ଦିଗ୍‌ଦେଶରେ ।

ପ୍ରଳୟର ଆବାହନ- ‘ଅଲୋଡ଼ା ଲୋଡ଼ା’-ପୃ. ୩୭

ତଫାତ୍‌ ହୁଅରେ ହତ୍ୟାକାରୀ/ତଫାତ୍‌ ହୁଅରେ ଅତ୍ୟାଚାରୀ/ତଫାତ୍‌ ହୁଅରେ ଚୋର ଶୋଷକର ବାର୍ତ୍ତାଧାରୀ/ସେଇ ତ ଆମର/ଶାନ୍ତି ସମର/ଅକ୍ଟୋବର ସାମ୍ୟ ଅମର/ତୁମର ମୋହର ରକ୍ତ ଟୋପାଏ ମାଂସ ପଳେ ।

ସେ ମେରୁ ପ୍ରଭାରେ - ‘ଅବାନ୍ତର’ (୧୯୭୮)-ପୃ. ୩୨

୨୧.

କବିତା ଗଢ଼େ ଏକ ବିରାଟ ସମାଜର/ସବୁରି ପାଇଁ ଯହିଁ ବଖରେ ହେଲେ ଘର/ସକଳେ ଲଭିବାକୁ ମୁଠାଏ ଦୁଧଭାତ/ଯୋଗ୍ୟ ଯେତେ ଯହିଁ ବାଳକ ବାଳିକା ତ/ଦୁଇଟା ଲୁଗା ଜାମା ସବୁରି ପାଇଁ ମିଳେ/ପଢ଼ିବା ପାଇଁ ବାଧା କାହାରି ନାହିଁ ତିଳେ/ବେକାର ରହିବାକୁ ନାହିଁଟି ଅଧିକାର/ସବୁରି ପାଇଁ କାମ ଯୋଗାଏ ସରକାର/କହିବା ପାଇଁ କଥା ସବୁରି ଦାବୀ ଅଛି/ମୁଁ ସେହି ସମାଜର କବିତା ବସେ ରଚି ।

ଆଗାମୀ-(୧୯୪୨)

୨୧

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ ମାନ/ଆମ ଝିଅ ବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ/ବର୍ଷା ଖରାରେ ସଢ଼ୁଁ ଶୁଖୁଁ ଆମେ ଯାହା ପାଇଁ ଟେକି ଛତି/ନିଜ ଘରେ ଡାକିଆଣୁ ଅନ୍ଧାର ଯାହା ପାଇଁ ଜାଳି ବତୀ/ଯାହା ପିଲା ପାଇଁ ଭୋଜନ ସଜାଡ଼ୁ ନିଜ ପିଲା ମାରି ଭୋକେ/ହଜୁର ମଣିବା ସା’ନ୍ତ ସେମାନେ ଆମେ ବଜ୍ଜାତ୍‌ ଲୋକେ/x x / ମନେ ହେଜ ଥରେ ଗାଡ଼ି ପରେ ନାଆ କେବେ ନାଆ ପରେ ଗାଡ଼ି/ସିଂହର ନାଡ଼ି ଖାଇପାରେ ଦିନେ ଶୃଗାଳ ମୁଖରେ ପଡ଼ି/ଶାଶୁ ପାଳିଗଲେ ଆସେ ବହୂ ପାଳି ଶଳାଟି ଭିଣୋଇ ହୁଏ/ଯେତେ ଯାହା ପୁଣି ଘଟିପାରେ ସବୁ ନ ଆଣିବା ଆଉ ନୁହେଁ/ବିଲେଇ କୁକୁର ଶୁଣାଅଛି ଦିନେ ବୁଝେ ମାନ ଅପମାନ/ମଣିଷ କି ଦିନେ ନ ପାରିବ ବୁଝି କିଏ ଶଳା ସଇତାନ ।

କିଏ ଶଳା ସଇତାନ-(୧୯୪୪)

୨୨.

ଧରାତଳେ କ୍ରୂର ପରିହାସ/କାଟି ଶସ୍ୟ, ରହେ ଉପବାସ/ସକଳେ ଯେ ଯୋଗାଏ ଭୋଜନ/ନିଜ ଥାଳେ ନାହିଁ ତାର ଅନ୍ନ/ତା’ ଥାଳିରୁ ଭାତ ନେଇ କାଢ଼ି/ଦେବ ବଡ଼ ଲୋକ କୋଠା ଗାଡ଼ି/ସ୍ତ୍ରୀରୀ ତାଙ୍କ ବୁଲନ୍ତି ମୋଟରେ/ପିଲେ ଛନ୍ତି ସୁଖ ବିଳାସରେ/କୃଷକ ମୁଁ ଅଧା ଉପବାସ/ଆଶ୍ରୟ ମୋ ଭଙ୍ଗାରୁଜା ବାସ/x x x ବିଧାତାର ଏଇ ପରିହାସ/ଅନ୍ନକାରୀ ରହେ ଉପବାସ ।

‘କୃଷକ’ - ମାନସିଂହ ଗ୍ରନ୍ଥାବଳୀ-(୧୯୬୨)-ପୃ ୬୦

ଚଟକଳେ ମୁଁ ଓଡ଼ିଆ କୁଲି କଳର ଏକଚକ/ଖଟି ଖଟିକା ସାରାଟି ଦିନ ଉଡ଼ିଯାଏ ମୋ ଧକ/x x x /ଏ କି ବିଚାର ଲୋକ ହଜାର ଖଟି ଖଟିକା ମରେ/ଗୋଟାଏ ଲୋକ ବସି ବସିକା ବାକ୍‌ସ ଭର୍ତ୍ତି କରେ ।

‘ମଜ୍‌ଦୁର’ - ମାନସିଂହ ଗ୍ରନ୍ଥାବଳୀ ୧ମ-ପୃ ୫୭/୫୮

ହେ ଭାଇ ଚଷା, ଶ୍ରମିକ, ଗୁଣୀ/ରିକ୍‌ସାବାଲା, କିରାଣୀ, ମାଷ୍ଟ୍ର/ତୁମରି ଭାଗ୍ୟ ତମରି ହାତେ/ଜାଣ ଏକଥା ହେଲାଣି ରାଷ୍ଟ୍ର/ପିଟିଲେ ମଥା, ଦେଲେ କି ଖୁନ୍‌/କେହିରେ ଭାଇ ଶୁଣିବେ ନାହିଁ/ଅର୍ଥ, ପଦ, ସ୍ୱାର୍ଥ ନରେ/ପଥର କରେ ଜାଣିଥା ଭାଇ/ତୁମେରେ ଭାଇ ଏକାଠି ହୁଅ/ଏକାଠି ହୁଅ ମଣିଷ ପରି/ଏକତ୍ରିତେ କରରେ ଦାବୀ/ବଞ୍ଚିବ ସଭ୍ୟ ମଣିଷ ଭଳି/ଚାଷୀ, ମଜ୍‌ଦୁର, କିରାଣୀ, ମାଷ୍ଟ୍ର/ପିଠିରେ ତମର ଚରଣ ଥାପି/ଉପର ପାହି ହୋଇଛି ଛିଡ଼ା/ଏକଥା ମନେ ଦିଅରେ ମାପି/x x x ଆମ ଶ୍ରମରେ ଯା ପେଟ ମୋଟା/ତା ହାତେ କିଆଁ ରହିବା ଚାହିଁ/ହାକିମ ଧନୀ କଳ ମାଲିକ/କା’ ଯୋଗୁଁ ୟାଙ୍କ ବିଭବ ଭାଇ ? /x x x ସମସ୍ତେ ରେ ଲାଗିବା ଆସ/ଏପରି ଗୋଟିଏ ସମାଜ ପାଇଁ/ସକଳେ ଯହିଁ ସେବକ ଖାଲି/ହାକିମ ନାହିଁ, ସକଳେ ଭାଇ ।

‘କବି କହେ’ - ମାନସିଂହ ଗ୍ରନ୍ଥାବଳୀ ୧ମ ଭା: (୧୯୬୨) ପୃ. ୬୫/୬୭

ଏବେ କାଠ ପଥର ନ ପୂଜି, ଆସ ପୂଜ ଜୀବନ୍ତ ଦେବତା/ଯା ଆଖିରୁ ଲୁହ ଯିବ ବହି, କହି ଦେଲେ ପଦେ ମଧୁକଥା/ବନ୍ଦକର ମନ୍ତ୍ରପାଠ ତବ ବନ୍ଦ କର କର୍ପୂର ଆରତୀ/ଦେଉଳର ବାହାରେ ଦେବତା ହାତପାତି ଉଭା ରହିଛନ୍ତି/ଦେବ ଭୋଗ ନିରନ୍ନରେ ଦିଅ, ଦେବପୂଜା ହେଉ ମାନବରେ/ଦେବତାର ଦରଶନ ଲଭ, ମାନବର ପ୍ରତି ଘରେ ଘରେ ।

ଦେବପୂଜା - ମାନସିଂହ ଗ୍ରନ୍ଥାବଳୀ (୧ମ)-ପୃ. ୪୦୩

୨୩.

ମାଟିର ଫଉଜ ଶୋଇ ପଡ଼ିଚିରେ ପଡ଼ିଚି ଶୋଇ/ହଠାତ୍‌ ଉଠିବ ଭାଙ୍ଗିବ ପାଚେରୀ ପଡ଼ିବ ଡେଇଁ/ଚମକି ଦେଖିବ ନୁହେଁ ଖାଲି ଦାସ ନୁହେଁ ସେ ପ୍ରଜା/ଆଖିର ପଲକେ ନିଜର ମୂଲକେ ହୋଇଚି ରଜା/ଯୁଗେ ଯୁଗେ ମୁହିଁ ମାଟିର ପୂଜାରୀ ମାଟିର ସାଥୀ/ପିତୃପୁରୁଷ ଭସ୍ମେ ଏ ମୋର ତୀର୍ଥ-ମାଟି ।

ମାଟି ଓ ଲାଠି - କୁଞ୍ଜବିହାରୀ ସଂଚୟନ (୧ମ)-ପୃ. ୩

ଜଗତର ପିତା, ସୁତ କ୍ରନ୍ଦନ ପଡ଼େ ନାହିଁକି କାନେ/ରଖିବାର ଯଦି ନଥିଲା ଶକତି ଜନମ ଦେଲ କି ଟାଣେ ? ଗୀତା ଭାଗବତେ କରିଅଛ ବହୁ ଆତ୍ମବିଜ୍ଞାପନ/ପତିତ ଆରତ ଉଦ୍ଧାର ତିଳେ ଦେଖେ ନାହିଁ ପ୍ରଭୁପଣ/ସର୍ବହରାର କବି କହେ ଯେବେ ସର୍ବହରାର ପ୍ରଭୁ/ବଜାଇ ବଇଁଶୀ ନିର୍ଦ୍ଦୋଷ ଦୀନ ବ୍ୟଥା ହରିନିଅ ସବୁ/ସାବଧାନେ କରେଁ ଦୁଃଖେ ବିପଦେ ନ ମିଳିଲେ ଦରଶନ/ଅନ୍ତର ତଳୁ ଚିରଦିନ ଦେବୁଁ ଦେବୁଁ ହେ ନିର୍ବାସନ/ତରଳେ ମଣିଷ ଛାତି/ପ୍ରଭୁମନ ଯଦି ନ ତୁଟିଲା ତହିଁ କି ଲାଭ ପୂଜାରେ ମାତି ।

କୁଞ୍ଜବିହାରୀ ସଞ୍ଚୟନ (୨ୟ) ପୃ. ୨୫/୨୬

୨୪.

ଭଗବାନ ଭଗବାନ/କେଉଁ ବେଶେ ବସି ଦେଖୁଅଛ ଆଜି/ସୃଷ୍ଟିର ଅପମାନ/ x x x ମାଟିର ଭକତ/ବରଷ ତମାମ/ଛାତିର ରକତ ଦେଇ/ମାଟିର ଭରସେ/ସୁନାର ଫସଲ/ସୃଷ୍ଟି କରୁଚ ଏଇ/ରାଜାର ଶାସନ/ପରଜା ନାଶନ/କଳେ ବଳେ କଉଶଳେ/ଦଣ୍ଡକେ ତାହା/ଲୁଟି ନେଉଅଛି/ସିଂହ-ଶାସନ-ତଳେ/ପୀଡ଼ିତ ପରଜା ଜଣାଇଲେ ଯାଇ/ଦୈନ୍ୟ ବେଦନା ଭାରେ/ଲୁହାର ଫଉଜ/ବନ୍ଧୁକ ମୁଖେ/ବିଚାର କରୁଚି ତାର/ଧର୍ମର ଧ୍ୱଜା/ବାହାରେ ଉଡ଼ାଇ/ଧର୍ମର ଧନେ ଆଜ/ଦେହର ଓଜନ/ବଢ଼ାଉଚି ଖାଲି/ମଠପତି ମହାରାଜ/ଧର୍ମ ଜମାର/ଉଜାଡ଼ କରୁଚି/ଟିକିଏ ବିଚାର ନାହିଁ/ଗଣିକା ଦେହର/ଦୋହନ କରୁଚି/ଟିକିଏ ବିକାର ନାହିଁ ।

ଗଡ଼ନାୟକ ଗ୍ରନ୍ଥାବଳୀ ୧ମ ଭା. (୧୯୬୮)-ପୃ. ୩୯୯

୨୫.

ସବୁରି ଓଠରେ ମୋର ଭାଷାରେ/ସବୁରି ବୁକୁରେ ମୋର ଆଶାରେ/କିଏ କାହିଁ କାନ୍ଦୁଅଛି କିଏ କାହିଁ ପଡ଼ିଅଛି/ଅନାଦରେ ଅନାହାରେ କାହିଁରେ/ଯିବି ମୁହିଁ ତାହା ପାଶେ ଧାଇଁରେ । x x ମଣିଷର ଉଆସ ମୁଁ ରଚିବି ମୋ ଭିତରେ/ମଣିଷ ମୋ ବୁକୁ ତଳ ହୃତ୍‌ପିଣ୍ଡ ସତରେ/ମଣିଷ ହସିଲେ ମୋର ହସିଉଠେ ଦେହ ମନ/ପ୍ରତି ରେଣୁତଳରେ/ମଣିଷ ଜାଗିଲେ ମୋର ଜାଗିଉଠେ ସିଂହର ବଳରେ । x x x ମଣିଷଠୁଁ ଛିନ୍ନ ମୁଁ ହୋଇରେ/ପାରିବିନି ପାରିବିନି ପାରିବିନି ରହିରେ/ମଣିଷ ମଣିଷ ଖାଲି ମଣିଷ ମୋ ଜୀବନର ସମ୍ପଦ ପରମ ।

-ମାଟି ଓ ମଣିଷ-

୨୬.

ସେ ତ ସର୍ବହରା ସେ ତ ସର୍ବହରା/ତାର ଜୀବନ ଖାଲି ବ୍ୟଥା ବେଦନା ଭରା । -ସର୍ବହରା-

୨୭.

ମୂର୍ତ୍ତି ଓ ମନ୍ଦିର - ଜ୍ଞାନୀନ୍ଦ୍ର ବର୍ମା ।

୨୮.

ତେଣୁ ମୁଁ ତ ଭଗ୍ନଜାନୁ/ଖସିପଡ଼େ ମୋର ରାଇଫଲ/ଉଠାଇ ପାରେନା ଆଉ ଗାଣ୍ଡିବ ଯେ ହାତ ଥର ଥର/ହେ ମୋର ଶେଷ ଚିହ୍ନ/ସଂଗ୍ରାମର ଶୁଭ୍ର କ୍ଷତ ସବୁ/ତୁମେ ମୋତେ ଶାନ୍ତି ଦିଅ/ଦିଅ ନିଦ୍ରା/ଟାଣି ଦିଅ ତୁମ ମାୟା ତମ୍ବୁ ।

‘ସ୍ୱଗତ’ - ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ ୧ମ-ପୃ.୧୮୦

୨୯.

ଲମ୍ବିଆସୁ ଲକ୍ଷ ମେହେନତୀ ହାତ/ଅଗ୍ନି ଗର୍ଭ ଭାସ୍ୱର ଶପଥ/ଏକୀଭୂତ ହେଉ/ଏକ ହୋଇ ଯାଉ/ସହରେ ଶିବିରେ କ୍ଷେତେ ଅବା/ଯନ୍ତ୍ରଶାଳେ/ସହସ୍ର ଝଙ୍କାର ଉଠୁ/ମିନାରେ ମନ୍ଦିରେ ପୁଣି ଗୀର୍ଜା ଗୁରୁଦ୍ୱାରେ/ଆମର ଶାଣିତ ଐକ୍ୟ ତାରା ହୋଇ ଫୁଟୁ ।

ମିଳାଅ ହାତ (୧୯୫୩)-ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ ୧ମ-ପୃ ୪୯୮

୩୦.

ଯୁଗେ ଯୁଗେ ତୁମେ ପଠାଉଛ ଦୂତ କାରୁଣିକ ଭଗବାନ/ମାତର ଆମେତ ରହିଗଲୁ ସଇତାନ/ତୁମରି ମୁଖାରେ/ଆମେ ନର୍ତ୍ତକ ବାଇ/ତୁମ ନାମ ଗାଇ/ପଙ୍ଗପାଳ ଯେ/ବିଶ୍ୱଟା ଯାଉ ଖାଇ/ x x /ଯେତେ ଦେଖ ଆମ ମହାନ ଅନୁଷ୍ଠାନ/କଳା ମୁଦ୍ରାରେ ପୁଷ୍ଟ ସକଳ ପ୍ରାଣ/କଳା ମୁଦ୍ରାରେ/ଗୁଣୀ ହୋଇଯାଏ ଖୁଣି/ସହଜ ହତ୍ୟା ନାରୀ ଧର୍ଷଣ/ନୀତି କଥା ଓଠେ ଗୁଣି ।

-କଳ୍‌କି ଅବତାର-

୩୧.

‘ଷ୍ଟାଲିନ ଅଥବା ଚର୍ଚ୍ଚିଲ; ମାଓ କହିବକି/ଏତେ ଖାଲଢ଼ିପ କାହିଁପାଇଁ ?/ଜଗା ଦାସ ତା’ର ମନର ବେଦନା ସହିବ କି/ପୁଅ ତା’ର ବିଶି ହେଉନାହିଁ ।’

ଜଗା ଦାସ କହେ-

୩୨.

‘ବନ୍ଦ କର ଭକ୍ତ ଆଜି, ଶଙ୍ଖ ବଜାଅ ନାହିଁ/ଗୋଟିଏ ନୁହେଁ, କୋଟିଏ ଆଜି ଦେଉଳ ଅଛି ଦେଶେ/ସେଇ ଦୁଆରେ ବନ୍ଧୁ ତୁମେ ଭକ୍ତ ହୁଅ ଯାଇ/ସେଇ ପୀଡ଼ିତ ଆତ୍ମାଦେବ ଦେଖା ଦେବତାବେଶେ ।’

ଦେବପୂଜା-(୧୯୫୮)

୩୩.

ମୋତେ ତମେ ଚିହ୍ନ-ଚାହଁ-ଦେଖ-ନିରୀକ୍ଷଣ କର/ତମରି ସମ୍ମୁଖରେ/ବୃକ୍ଷ ପାଦପର ଶାଖା ପ୍ରଶାଖା କାଣ୍ଡ ପ୍ରକାଣ୍ଡରେ/କି କର୍କଶ ଶବ୍ଦ !/ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଛି/ମୋ ସ୍ପର୍ଶ ମାତ୍ରକେ ସମଗ୍ର ସୃଷ୍ଟି ! ଜଳେସ୍ଥଳେ ଆକାଶମଣ୍ଡଳରେ/ମୋର ସ୍ଥାନ ନାହିଁ/ମୁଁ ନିରାସନ, ପିପାସିତ, ନିରଶନ, ବୁଭୁକ୍ଷୁ/ମୋର ସ୍ନେହ ନାହିଁ, ମାୟା ନାହିଁ/ହୃଦୟହୀନ ନିର୍ମମ/ମାୟା ଓ ମମତାର ଧ୍ୱସ୍ତ ସ୍ତୂପାବଳୀହିଁ ମୋର ସ୍ମାରକ/ମୋତେ ଚିହ୍ନ-ଚାହଁ/ମୁଁ ମନୁଷ୍ୟର ମହାସମାଧି/ମହାନିର୍ବାଣ...ମୃତ୍ୟୁ ।

ମୁଁ ଏକ ଉତ୍କଟ ସୃଷ୍ଟି-

୩୪.

ଆଜି ଆସିଚି ଆହ୍ୱାନ ସମରେ/ଚାଲରେ ଶ୍ରମିକ ଚାଲ/ତୋ ଜୟ ରଥେ/ତୋ ଯାତ୍ରା ପଥେ/ପାତେ ସେ ଘୃଣିତ ଜାଳ/ସଞ୍ଚୟୀ ପାଜି ଦଲାଳ/ତାର ଲାଗି ତୋଳ ତଲବାର ।

-କୋଟି କଣ୍ଠେ-କବିତା ନଂ ୧୮

ନୁହେଁ ଏଇ ବାଟ/ବଜାରେ ଦଳିତ ବାଜା/ବୁକୁର ରକତେ ତୋ ନିଶାଣ ତୁହି ପଜା/ଜାଗରେ ସର୍ବହରା/ହରିବାକୁ ହେବ ବନ୍ଧନ ଫାଶ/ଜିଣିବାକୁ ହେବ ଧରା ।

ନୂଆ ଗପଟିଏ ଲେଖ-(୧୯୫୧)

୩୫.

ରକ୍ତ ସାଗରେ ମର୍ମ ଫୁଟେ-‘ଛାଇର ଛିଟା’-ପୃ. ୫୨

୩୬.

ଗଡ଼ନାୟକ ଗ୍ରନ୍ଥାବଳୀ (୧ମ ଭାଗ)-ପୃ. ୬୪୩

୩୭.

ମହାରାଜା, ଜମିଦାର, ପୁଞ୍ଜିପତି-ଏ ଦେଶ ତୁମରି/ସୁରକ୍ଷିତ ସିଂହାସନ, ଜମି, ପୁଞ୍ଜି, ମୁନାଫା ଫେକ୍‌ଟରୀ/ଶଳା କୁଲୀ ଆବେ ଚଷା ! ଅଧିକ ତୁ ଉତ୍ପାଦନ କର/ଆଉ ମର ; ଶାନ୍ତି ଆଉ ଅହିଂସାରେ ଫୁଲାଇ ଉଦର/ନିଅଣ୍ଟ, ନ ପୂରେ କାହିଁ ଜୀବନଟା ଅରଜି ଅରଜି/ଅଗଷ୍ଟ ପନ୍ଦର ସ୍ମୃତି ତାହା ମଧ୍ୟେ କେଣେ ଗଲା ହଜି ।

-ଅଗଷ୍ଟ ପନ୍ଦର-(୧୯୪୮)

୩୮.

ଝଙ୍କାର-ମେ ୧୯୭୫-୨୭ ବର୍ଷ/୨ୟ ସଂଖ୍ୟା

୩୯.

ସଂଗ୍ରାମେ ଆଜି/ବରି ନେଇଅଛି ପଥ/ବାମ ପଥେ ରଥ ଅଶ୍ୱ ଯାଇଛି ଚାଲି/ଦକ୍ଷିଣେ ଯେ ରକ୍ତଶୋଷକ ଦଳ/ସେ ସକଳେ ଦେବି ହତ୍ୟାର ଶର ଚାଳି/ x x x / ଅନୀତି ଦହନେ ତାଣ୍ଡବ ତାଳ ପାଇଁ/ମୋର ଗତି ସଦା ବାମପଥେ ଦେଉ ରଡ଼ି ।

-ବାମ ପଥ – ଝଙ୍କାର, ଜାନୁୟାରୀ ୧୯୫୭

୪୦.

ଆଶାର ସାଫଲ୍ୟ ପାଇଁ ତେଣୁ ଆଜି ବିପ୍ଳବ ନିଶ୍ଚିତ/ଶୋଷଣର ଶେଷ ପାଇଁ, ଶାନ୍ତିର ପ୍ରତିଷ୍ଠା ପାଇଁ ବିପ୍ଳବ ପ୍ରଧାନ ଆଜି/ଏ ବିପ୍ଳବ କେହି ଯଦି ବ୍ୟର୍ଥ କରେ/ମତେ ହତ୍ୟା କରେ ଆଉ ମାରି ପୋତି ଦିଏ/ମୁଁ ପୁଣି ଉଠିବି ବନ୍ଧୁ ମାଟିର ସମାଧି ତଳୁ/ସଙ୍ଗେ ଧରି ଶତାବ୍ଦୀର ଲକ୍ଷକୋଟି ଭୋକିଲା ମଣିଷ/ଅକାଳେ ଯେ ନ ଖାଇ ମରିଚି/ସେଇ ମଡ଼ା ମୁର୍ଦ୍ଦାରର କାନେ ବିପ୍ଳବର ଅଗ୍ନି-ମନ୍ତ୍ର ଫୁଙ୍କି/ଛିଡ଼ା କରାଇବି, ଆଉ ହାତେ ତା’ର ଟେକିଦେବି/ହାଡ଼ ମାଳ କଙ୍କାଳର ଅମୋଘ ବନ୍ଧୁକ/ଶୋଷକର ଲାଲ ରକ୍ତେ ସମାଜବାଦର ଏକ ନିର୍ଭୁଲ ସ୍ୱାକ୍ଷର ଲେଖି/ଆଣିବି ମୁଁ ଏକ ଅଗ୍ନି-ଯୁଗ ।

ଅଗ୍ନିଯୁଗ - ଖୋଲାଝର୍କା (୧୯୬୯)-ପୃ.୯୬

୪୧.

ଆଜିର ଏ ପ୍ରେତ ପିଶାଚଦଳରେ ନିର୍ମୂଳ କରି ରଣେ/ମୁର୍ଦାରେ ତାର ଗଢ଼ିବୁ ନୂତନ ଧରା/ଅମ୍ଳାନ ଯହିଁ ସୁନୀଳ ଗଗନେ ଦୀପ୍ତ ପ୍ରଗତି ତାରା ।

ଆଗାମୀ କାଲି (୧୯୪୭)-ପୃ ୧ ।

୪୨.

ଆମର ଜୀବନ ବହୁ ଲକ୍ଷ୍ୟର ପାଇଁ/ମିଲ୍‌ ବସ୍ତି ଓ ଗ୍ରାମ୍ୟଚାଷୀର କୁଳେ/କୋଟି ମଶାଲର ଆଲୋକ ନ ମିଳେ ଯହିଁ/ଆମ ଶପଥର ସ୍ୱାକ୍ଷର ତାହା ମୂଳେ ।

ଅଗ୍ରପଥିକ (୧୯୫୩)-ଡଗର ୧୭ଶ ବର୍ଷ/୨ୟ ସଂଖ୍ୟା

୪୩.

ରିକ୍‌ସାବାଲା-‘ବନ୍ଦନିକା’-ପୃ ୯

୪୪.

କୁଲି-ମରୀଚିକା-ପୃ ୧୮

୪୫.

ସଭ୍ୟ ଏ ଦେଶେ ଦେଶେ ନାହିଁ ଯଦି ବିଶ୍ୱାସ ପୀରତି/ବୁଦ୍ଧିର ଯୁଦ୍ଧରେ ଅବିରତ ଶଙ୍କିତ ଧରତୀ/ନିଷ୍ପ୍ରାଣ କାଠଘୋଡ଼ା ଜନଗଣେ ତୁମେ ହାୟ ଭୁଲାଇ/ବୁଦ୍ଧି ଓ ସ୍ୱାର୍ଥରେ ଆଜି ତା’ର ଶ୍ରମ ନେବ ମୂଲେଇ ?/ଅଭାବୀର ହସ କାହିଁ, ରସ କାହିଁ, କାହିଁ କହ ହରଷ/ତୁମ ପାଇଁ ତୋଳିବ ସେ ଇତିହାସ ଦେଶନାମେ/କୀଟସମ, କୋଟି କୋଟି ବରଷ ?

-କାଠଘୋଡ଼ା ପାଣିପି

୪୬.

ବିଚିତ୍ର ବର୍ଣ୍ଣା (୧୯୭୩)-ପୃ ୮୮ ।

୪୭.

ପୀଡ଼ିତ ଲେଖନୀ କୋଟି ମନେ ଯେବେ ନପାରେ ଫୁଟାଇ ତିଳେ/ନବ ପ୍ରଭାତର ରକ୍ତ-କରବୀ ଛବି/ଆଜିଠାରୁ ବହୁବର୍ଷ ପରେ ଅନାଗତ ଯୁଗ-କବି/ବନ୍ଦନା ତାର ଗାଇବ ଉଚ୍ଚେ ସଂଭ୍ରମେ ନଇଁ ମଥା ।

ଜଗନ୍ନାଥର ଦେଶେ-ବିଚିତ୍ର ବର୍ଣ୍ଣା । (୧୯୭୩)-ପୃ ୨୮

୪୮.

ଉଦୟ ପାଇଁ ତୁ କଣ୍ଠ ଫଟାଇ ଆହ୍ୱାନ ଦିଅ ଆଜି/ଦଳିତ ପୀଡ଼ିତ ଅବହେଳିତର ନିଦ୍ରା ଯାଉରେ ଭାଜି/ଅନ୍ଧାର ଯେତେ ହେଉଚି ଗଭୀର ରାତ୍ରୀ ହେଉଚି ଶେଷ/ପୂର୍ବଦିଗରୁ ଇଙ୍ଗିତ ମିଳେ ହେବ ଆଲୋକର ଦେଶ ।

ଇଙ୍ଗିତ - ଚା’କପ୍‌ରେ ଝଡ଼ (୧୯୫୩)

୪୯.

ପଙ୍ଗପାଳବଂଶ ନିର୍ମୂଳ କରିବାକୁ ପଡ଼ିବ/ନିର୍ମୂଳ କରିବାକୁ ପଡ଼ିବ ସବୁଜ ଶସ୍ୟର ଶତ୍ରୁକୁ/ଦେଶେ ଦେଶେ ଏ ବିଶ୍ୱର ବିପୁଳ ଆକାଶେ/ତେବେ ତ ଆସିବ ମୁକ୍ତି/ଧରଣୀର ଆଲୋକ ବତାସେ ମୁକ୍ତ ହେବ ମଣିଷ ଫସଲ/ବିକଶିତ ହେବ ସାରା ବିଶ୍ୱେ/ସୂର୍ଯ୍ୟମୁଖୀ ଜୀବନର ଫୁଲ ।

ପଙ୍ଗପାଳ-‘ନୂତନ ସ୍ୱାକ୍ଷର’ (୧୯୫୩)-ପୃ ୩୦ ।

୫୦.

ଏଇ ମୋର ଦେଶ-ନୂତନ ସ୍ୱାକ୍ଷର-ପୃ ୩୪

୫୧.

ଅଧରୁ ତୁମରି ନୟନୁ ତୁମରି ବିଶ୍ୱବିକାଶ ପାଇଁ/ଯେତେକ ରକ୍ତ ଯେତେକ ଅଶ୍ରୁକଲ୍ଲୋଳ ଆସୁ ଧାଇଁ/ପୋଛି ନେଇଯାଉ ଦୀନ ଦଳିତର ବକ୍ଷ ତଳର ଦାଗ/ନୂତନ କବିତା ଜୀବନର ଶଚୀ ସୁନ୍ଦରୀ ଜାଗ ।

ନୂତନ କବିତା-‘କବି ମୁଁ ରଙ୍ଗାଜୀବ’-ପୃ ୨୦

୫୨.

ଡାକେ ଆଜି ଆସ କୃଷକ ଶ୍ରମିକ କୁଲି/ପତିତ, ମଥିତ, ଦୀନ, ମଜୁରିଆ କବି/ନୂତନ ଦିବସେ ନେବାରେ ଶପଥ ଆମେ/ବିପ୍ଳବେ ଦେବା ସମାଜର ନୂଆଛବି ।

ନବବର୍ଷର ନୂତନ ଦିବସ ଆଜି-‘ଆଦ୍ୟରଶ୍ମୀ’-ପୃ ୨୩ ।

୫୩.

କି ଲାଭ ଆଜିରେ କୋରାଣ, ପୁରାଣ ପାଠେ/କି ଲାଭ କହ ଧର୍ମ ଚରଚା ମସ୍‌ଜିଦ୍‌ ଆଉ ମଠେ ?/କହିକି ପାରିବ ସନ୍ନ୍ୟାସୀ, ସାଧୁ ଯେତେ ପୟଗମ୍ବର/କେଉଁଠାରେ ତୁମ ମାନବ-ରକ୍ଷା ଧର୍ମର ତରବାର ?/ମସ୍‌ଜିଦ୍‌ ଆଜି କବରଖାନାରେ/ମନ୍ଦିରେ ପଚେ ମଡ଼ା/ପ୍ରତିଟି ମଣିଷ ରୁଧିରେ ରୁଧିରେ ଆତତାୟୀ ପଶୁଛିଡ଼ା/ବେଦାନ୍ତ ମନ୍ତ୍ର ସ୍ତବ୍‌ଧ ଯେ ବେଳେ, କ୍ଷତ, ବିକ୍ଷତ ଗୀତା/ପଶୁ ଯେତେବେଳେ ଚର୍ବଣ କରେ ମାନବବାଦର ମଥ/ହାୟ, ତୁମେ ସେବେ ମୂକ ଦର୍ଶକ, ଧର୍ମର ଅପଦାର୍ଥ/ଧର୍ମ ନୁହେଁରେ କାପୁରୁଷପଣ, ସାଂପ୍ରଦାୟିକ ସ୍ୱାର୍ଥ/ମଣିଷ ମାତ୍ରେ ଗୋଟାଏ ସଂପ୍ରଦାୟ/ଏଇ ସାଧାରଣ ସତ୍ୟ ଟିକକ ବୁଝିଲନି ତୁମେ ହାୟ ।

ଆବେଦନ-ଅପ୍ରୀତିକର କବିତା-(୧୯୬୬)-ପୃ ୧୯.

ଭଗବାନ ତୁମେ ଭଣ୍ଡର ନେତା/ମିଥ୍ୟାବାଦର ସଜୀବ ଦେବତା/ନୁହେଁ କି ଆଜି ?/ମାନବର ନାମେ ଏଇ ଧରାଧାମେ ସୃଷ୍ଟି କରିଛ ଏତିକି ପାଜି !

-ନବ ଅଭିଷେକ - ଅପ୍ରୀତିକର କବିତା-ପୃ ୫ ।

୫୪.

ହେ ଭୋର ଆକାଶ - କାବ୍ୟ (୧୯୭୨)-ପୃ ୭.

୫୫.

ସୃଷ୍ଟି-ଶସ୍ୟ କ୍ଷେତରୁ ହଟାଅ/ହଟାଅ ମରୁଡ଼ି/ଯେତେ ଜାଗ ମଙ୍ଗଳ/ଚଳାଅ ଲଙ୍ଗଳ/ସବୁଜ ସୃଷ୍ଟି କ୍ଷେତେ/ଆଜି ଏତେବେଳେ ଜାଗ ଭଗବାନ/ଜାଗ ସୁନ୍ଦର ହେ ଶିବ ମହାନ । ଜାଗ ଜାଗ ଜାଗ/ଦୁର୍ଦ୍ଦନ ଜାଗ/ପୋଛିଦିଅ ଅଛି ଯେତେ/କୁସୁମର ରାଗ ରଞ୍ଜିତ କର ଉଷାର ଅଧର ପଥେ ।

ଡାକରା-ଶିଥିଳ ବଲ୍‌ଗା (୧୯୭୧)-ପୃ ୩୭.

୫୬.

ନାଚ ମୁର୍ଦ୍ଦାର ପଥପ୍ରାନ୍ତର କବିତା (୧୯୭୦)

୫୭.

କୋଟିଏ ଦୀପାଳି ଜଳାଇ ଦେ-ମରୁଗୋଲାପ (୧୯୭୧)-ପୃ ୬୯

୫୮.

ନୂଆ ଦୁନିଆର ନୂତନ ଭାଷାରେ/ନୂଆ ମଣିଷର ନୂତନ କଥାରେ/ନୂଆ ଜୀବନର ନୂତନ ଗୀତାରେ/ନୂତନ ସୂର୍ଯ୍ୟ ଆସିବ ଉଠି/ନୂତନ ଗୋଲାପ ଉଠିବ ଫୁଟି/ଶାନ୍ତି ଗୀତିରେ/ନୂତନ ରୀତିରେ/ଜୀବନ ପ୍ରୀତିରେ/ହସି ଉଠିବ ଏ/ଧୂସର ମାଟି/ଚିରଦିନ ପାଇଁ/ଭାଜିବ ତୁମରି/ସମର ଘାଟିରେ/ମରଣ ଘାଟି ।

ଯୁଦ୍ଧଖୋରଙ୍କ ବିରୁଦ୍ଧରେ ଗୋଟିଏ କବିତା-ମରୁ ଗୋଲାପ-ପୃ ୪୭

୫୯.

ପାରିଷଦର ରାତ୍ରି-କେତେ ଦିନର (୧୯୬୨)-ପୃ ୧୨

୬୦.

ଜୀବନ କେବଳ ଉର୍ବର କ୍ଷେତ/ଜୁଆଳି ଯୋଚିଚି ଆଉ କିଏ/ଆମରି ଜାତିରେ ଫସଲ ଉଠାଇ/ଅନ୍ୟ କୋଠିକୁ ବୋହିନିଏ/ଜଡ଼ ଓ ଚେତନା ସକଳ ତେଜୁଛି/ଭୁଜଗ ସମାନ ନିର୍ମୋକ ।

ଘଣ୍ଟା-କେତେ ଦିନର-ପୃ ୧୬ ।

୬୧.

କ୍ଷୁଧାର ଜ୍ୱଳନ୍ତ ଶିଖା ପୁରା ଗଦ୍ୟମୟ/ହୁଏତ ସଂଗ୍ରାମର ପୂର୍ବାଭାଷ/ସଂଗ୍ରାମ ଆଜି ଅପରିହାର୍ଯ୍ୟ/ଗଣ ଚେତନାର ଶୀର୍ଣ୍ଣ ଦେବାଳୟ ଆଜି ମୁଖରିତ/ଚିତ୍କାର କ୍ରନ୍ଦନ, ଅଟ୍ଟହାସ୍ୟ, ଭୋଗ, ଐଶ୍ୱର୍ଯ୍ୟ-ଏମାନଙ୍କ ଭିତରେ ଯୁଦ୍ଧ ଲାଗିବ/ଆଉ କିଛି ନାହିଁର ଭେଦ ଆଉ କେତେ ଦିନ ?/ମାଟିର ବେଶ୍‌ ଅଶାନ୍ତିର ସଂଳାପ/ଯଦି ଶେଷ ନହୁଏ-ଗଣ ମୁକ୍ତିର ଚୈତକ/ଯଦି କ୍ଷିପ୍ରତର ନହୁଏ/ପୃଥିବୀ ଯଦି ତା’ର ସମସ୍ତ ସନ୍ତାନମାନଙ୍କୁ ସମାନ କରି ନ ପାରେ/ତାହା ହେଲେ ଏଇ ସୃଷ୍ଟି ଅର୍ଥହୀନ/ଏସୃଷ୍ଟି ଅବସାନ ଘଟୁ ।

ଗତାୟୁ ପୃଥିବୀ-ଯନ୍ତ୍ରଣାର କାବ୍ୟ (୧୯୭୪)-ପୃ ୪୪/୪୫

୬୨.

ମୁଖଶାଳାଲିପି-ଦିପ୍ତି ଓ ଦ୍ୟୁତି (୧୯୬୩)-ପୃ ୯ ।

୬୩.

ଏ ଧରିତ୍ରୀ ଅନ୍ଧାରି ବୁକୁରେ/କେତେ ମାଟି, କେତେ ବାଲି ଆଉ ପଥର ତଳେ/ମୁଁ ଗୋଟେ ଲାଭାର ସ୍ରୋତ/ଉତ୍ତପ୍ତ, ଅସ୍ଥିର ଆଉ ଉତ୍ସୁକ ବ୍ୟଥିତ/ଖୋଜି ବୁଲେ ପଥ ମୋର ବିପ୍ଳବୀର/ଭାଙ୍ଗିବାକୁ /ପୋଡ଼ିବାକୁ/ଜାଳିବାକୁ/ଯେତେ ଯାହା ସ୍ଥବିର ଅଚଳ/ସ୍ଥିର ଅଚଞ୍ଚଳ/ଜଡ଼, ଅଥର୍ବ ଜୀବନେ/ଆଣିବାକୁ ଟିକେ ସଂଦୀପନ/ନୀରବ ମଶାଣି ବୁକେ/ଜୀବନ ମନ୍ତ୍ର ଉଚ୍ଚାରଣ/ମାଟିର ଅନ୍ଧାରି ବୁକେ/ପଥ ଖୋଜେ ମୁଁ ଗୋଟେ ଜ୍ୱଳନ ।

ମୁଁ ଓ ଅନ୍ଧାର-ଦୀପ୍ତି ଓ ଦ୍ୟୁତି (୧୯୬୩)-ପୃ ୮୯

୬୪.

ଗୋରୁ ମେଣ୍ଢାପଲ ପ୍ରଜା କେବେ ପାଟିଫିଟେ ନାହିଁ/ସବୁଥିରେ ମୁଣ୍ଡ ହଲା, ସବୁଥିରେ ଯାହା ହୋଇପାରେ ।

ଆରଦୃଶ୍ୟ-ପୃ ୨୭

୬୫.

ପଶ୍ଚିମକୁ ବ୍ୟାପିଲାଣି ଆକାଶର ରଙ୍ଗ/ତମ୍ବା ହାତ ଝାଳର ପାଞ୍ଚଣ/ବଜାଇଲା ପଖାଳ କଂସାରେ/ମୁକ୍ତିର ମୃଦଙ୍ଗ/ଆତ୍ମା ତାର ହାତ ଯୋଡ଼ି/ପୂର୍ବ ଦିଗେ କଲା ପ୍ରଣିପାତ/ପୂର୍ବହିଁ ଦେଇଛି ତାକୁ ଜୀବନ ସଂଗ୍ରାମ ।

ସକାଳ-‘ଅଗ୍ନିଯୁଗ’ (୧୯୮୦)-ପୃ ୧୦

୬୬.

ଲୋ ମା’ ତୋର କିଆଁ ଜୁଆରକୁ ଭୟ/ଦେଖିନେ ତୋ ତାରୁଣ୍ୟର ଲୀଳା ଅନୁପମ/ତୋର ପରମ ସୂର୍ଯ୍ୟର ଶିଶୁ/ଲୋମ କୂପେ ପୋଡ଼ା ବାରୁଦର ଉତ୍ତପ୍ତ ମଧ୍ୟାହ୍ନ/ଓଠରେ ଅମ୍ଲାନ ସତେଜ ରକ୍ତ ଗୋଲାପ/ଝାଉଁଳିବା ନୁହେଁ ତା’ର ଜନ୍ମ ।

ତାର କିଆଁ ଜୁଆରକୁ ଭୟ-‘ଅଗ୍ନିଯୁଗ’-ପୃ ୩୧ ।

୬୭.

ଲୋ ଭାରତମାତା/ତୋର ସେଇ/ସୀମାହୀନ ଅସୀମ କ୍ଷେତ ବାଡ଼ିରୁ/ଚହଟି ଆସେ ଯେଉଁ ସବୁଜିମାର ବାସ୍ନା ତାହାରି ଭିତରେ ନିଦ୍ରା ଭାଙ୍ଗି ଉଠେ ଆହତ ଶସ୍ୟ/ଛିଣ୍ଡାଇ ପାରେନା ବୁଭୁକ୍ଷୁ ପବନର ହାତ/ହାୟ ମୋର ସ୍ୱର୍ଣ୍ଣପ୍ରସୂ ଦେଶ/ବିକଳାଙ୍ଗ ରୁଗ୍‌ଣ ଶିଶୁ/ଅନାହାରୀ ପ୍ରସୂତୀ ନାରୀର/ଓଠରେ ଦେଇ ପାରେନାହିଁ ପେଟଭରା ଭାତ ।

ରକ୍ତପଥ (୧୯୮୨)-ପୃ ୬୦ ।

୬୮.

ମୂଲିଆଣୀର ପିଠିର ଝାଳରେ ଝୁଲେ/ଖରାର ତଲୁଆର/ମୂଲତାର ସାଆଁଣ ହୁଏ ଗେଣ୍ଡାର ଆଁ ରେ/ଖସିପଡ଼େ ଭିକାରୀର ଥାଳ/ପ୍ରକମ୍ପିତ କରିଉଠେ କ୍ଷୁଧାର ଲୋହିତ ପାତାଳ/ବିଲର ଫାଟରେ ଦୋହଲେ ଶୁଖିଲା ନଡ଼ାର ଶାବଳ/ଝିଣ୍ଟିକାର କଙ୍କାଳରେ ଗଡ଼ିଯାଏ ବେଳ ।

ଦଉଡ଼ିଚାଲ - ‘ସାପ ଗାତରେ ସକାଳ’ (୧୯୮୨)-ପୃ ୧୨ ।

୬୯.

ଗରଜ ବଢ଼େ ମୋ ଦିନ ସରେନାରେ/ମଉଜ କଥାରେ ମନ ବଳେନାରେ/ଯାହାମିଳେ ନିତି ଦେହକୁ ମିଳେ ନି କନା/ଛୁଆ ମୋ ଅନାଥ ଭିକରେ ମିଳେନି ଦାନା/କୋଇଲା ଖଣିର ଦିନ ମଜୁରିଆ/ଭାଇ ମୋ ପିଅନ ବାବୁଙ୍କ ବେଠିଆ/କିଏ ଖାଏ ଏଠି ଅମାଲୁ ଜମାଲୁ/ପେଟେ ଓଦା କନା ଦିଏ/କହି ଯଦି ଓଠେ ମୋ ଓଜରା କଥା/ଗୁଳିରେ ଜବାବ ପାଏ ।

ମଳୟ ସନ୍ତ୍ରାସ (୧୯୭୨)-ପୃ ୧୭/୧୮

୭୦.

ମାଟିର ଅଧରେ ଅଧର ଲେପି ମୁଁ/ଦେହର ବେଦୀରେ ଦେହ ମିଶାଇ ମୁଁ/ଜୀବନ ଖାତାରେ ଜୀବନ ଲେଖି ମୁଁ/ସଂଗ୍ରାମ ବେଳାରେ ଯୁଦ୍ଧ ଡାକି ମୁଁ/ମୋତେ ଯଦି ମିଳେ ମୁକ୍ତି ଆଲୋକ ଲୁହ/ବରିନେବି ତାକୁ ଶଙ୍ଖ ବଜାଇ/ଅସ୍ତ୍ର ଚଳାଇ ଶୋଣିତ ବୁହାଇ/ଖାଦନ ବସ୍ତିରେ, କଲୋନି ଦୁଆରେ ଯାଇଁ/ବାସ୍ତୁ ହରାଇ ସ୍ଫୁଲିଙ୍ଗ ଫଗୁରେ/ମାଟିକୁ ହସାଇ ରଙ୍ଗେ ରଙ୍ଗାଇ/ରସରେ ରସାଇ ବରିବି ଜୀବନ ଦେଇ/ଶ୍ରମିକ ଗଢ଼ା ଧରଣୀ ଉପରେ ଥାଇ/ଶୁଣିବି ଯଦି ମୁଁ ପତିତର କଥା/ଶୋଣିତର ଖୋଲାଭାଷା/ଜାଣିବି ଆସିଛି ଉଷା/ x x x ମୁକ୍ତିର କଥା କହ ଆହେ ସାଥୀ/ମୁକ୍ତିର କଥା କହ ।

ମୁକ୍ତିର କଥା କୁହ-ମଳୟ ସନ୍ତ୍ରାସ-ପୃ ୧୮/୧୯

୭୧.

ଡାକେ ଦୁର୍ମୁଖ (୧୯୮୩)-ପୃ ୪୭

୭୨.

ଦରିଦ୍ରର ଆଖିତଳେ ଯମରାଜା ନାଚେ ଥେଇ ଥେଇ/ଚିତ୍ରଗୁପ୍ତ ଗଢ଼ୁଅଛି ପାପପୁଣ୍ୟ ପାଞ୍ଜିକୁ ଫିଟାଇ/ମରୁଡ଼ିର ମହାକାଳ ସେ ପାଖରେ ଝୁଣୁଛି କଲିଜା/ଏପାଖରେ ବାଜିଉଠେ ଘରେ ଘରେ ମରଣର ବାଜା/ଅନ୍ୟଦିଗେ ଚାହିଁ ଦେଖ ଆହା/ଦୁଧ ଟୋପେ ପାଇନାହିଁ ମାଆ କୋଳେ ଝୁଲେ ମଲା ଛୁଆ ।

-ଡାକେ ଦୁର୍ମୁଖ-(୧୯୮୩)-ପୃ ୪୬

୭୩.

ଗୌଣଦେବତା-(୧୯୭୪)-ପୃ ୧୧/୧୨

୭୪.

ତଥାପି ମୁଁ ତୁମକୁ ମାନି ନିଏ/ହେ ମୋର ବିଶାଳ ଜନତା/ହେ ବିରାଟ ଗୋଷ୍ଠୀ ପରିବାର ଭଲପାଏ/ହୃଦୟେ ମୋ ଏକାକାର/ସୁବଳଗିରି ଓ ନୀଳଦୁର୍ବାଦଳ/ମାଟି ବୃକ୍ଷ ଅସୁର ।

ମଧୁରାଷ୍ଟକ ଜନ୍ମ ଓ ମୃତ୍ୟୁର - ଶଙ୍ଖନାଭି-(୧୯୭୩) ପୃ ୧୦୧

୭୫.

ଗୁଣୁ ଗୁଣୁ ଗୁଞ୍ଜନରେ ଭରିଯାଉ କ୍ଷେତ, ଖଳା, ଖାଦାନ ଓ ଗଳି ଉପଗଳି/ପାଗଳ କହୁଚି ପାଗଳକୁ ଯେ/ପେଟପୂରା ଦାନା ଗଣ୍ଡେ ପାଉଥାଉ ଖଣ୍ଡିଆ ଓ କୋଢ଼ି ।

ପାଗଳ କହୁଛି ପାଗଳକୁ ସେ-ଗୀତ ଗା’ନାରେ ପକ୍ଷୀ (୧୯୮୨-ପୃ ୪୦)

୭୬.

ବାଲିରେ ଲେଖୁଚିଗୀତା/ସାଙ୍ଗ କରି ତୋର ଜହ୍ନ/ଫୁଲଫଳ, ଉଷ୍ଟ୍ର ଋତୁଟିଏ/ଶିଶୁ ହୋଇ, ବୃଦ୍ଧ ହୋଇ ।

 

***

 

ପାଶ୍ଚାତ୍ୟ ଉପନ୍ୟାସର ଉତ୍ପତ୍ତି ଓ ଅଭିବ୍ୟକ୍ତି

ଡକ୍‌ଟର କୃଷ୍ଣଚନ୍ଦ୍ର ମିଶ୍ର

 

ପାଶ୍ଚାତ୍ୟ ସାହିତ୍ୟରେ ଆଧୁନିକ ଉପନ୍ୟାସର ଅଭ୍ୟୁଦୟ ହୁଏ ଅଷ୍ଟାଦଶ ଶତାବ୍ଦୀରେ । ମାତ୍ର ସେତେବେଳେ ଉପନ୍ୟାସ, ସାହିତ୍ୟର ଏକ ବିଶିଷ୍ଟ ବିଭାଗରୂପେ ସ୍ୱୀକୃତି ଲାଭ କରି ନଥିଲା-। ଏହି ନୂତନ ବିଭାଗ ‘‘ନଭେଲ’’ ବା ନୂତନ ନାମରେ ଅଭିହିତ ଥିଲା । ଅବଶ୍ୟ ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଯେ ଗଦ୍ୟ ରଚନା ନଥିଲା ତା ନୁହେଁ । ଉକ୍ତ ଗଦ୍ୟ କାବ୍ୟ ସବୁ ଅତିମାତ୍ରାରେ କଳ୍ପନାଶ୍ରୟୀ ଥିଲା ଏବଂ ସାମାଜିକ ଜୀବନର ପ୍ରତିଛବି ଏପରି ଗଦ୍ୟ ରଚନାରେ ପ୍ରାୟ ନଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

କିନ୍ତୁ ଅଷ୍ଟାଦଶ ଶତାବ୍ଦୀରେ ଇଂରାଜୀ ସାହିତ୍ୟ ଯେତେବେଳେ ସାମାଜିକ ଚେତନାକୁ ସାହିତ୍ୟର ପ୍ରଥମ ଓ ପ୍ରଧାନ ଅଙ୍ଗ ବୋଲି ଗ୍ରହଣ କରିନେଲା, ସେତେବେଳେ ଅତିମାତ୍ରାରେ କଳ୍ପନାଶ୍ରୟୀ ଗଦ୍ୟ ରଚନା କ୍ରମେ ବାସ୍ତବତା ଆଡ଼କୁ ମୁଁହ ଫେରାଇଲା । ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ସମଗ୍ର ୟୁରୋପୀୟ ସାହିତ୍ୟରେ ଏକ କ୍ରାନ୍ତି ସୃଷ୍ଟି କରିଥିଲା ସ୍ପେନୀୟ ଲେଖକ ସେରଭାନ୍‌ଟିସ୍‌ଙ୍କ ଡାଁ କିହୋଟି (Don Quixote) । ଏହି ଉପନ୍ୟାସର ଲେଖକ ଅତିମାତ୍ରାରେ କଳ୍ପନାଶ୍ରୟୀ ଗଦ୍ୟକାବ୍ୟର ଏକ ଲାଳିକା (Parody) ରଚନା କରିବାକୁ ଯାଇ ଲେଖିଲେ, ତାଙ୍କର ତତ୍କାଳୀନ ସାହିତ୍ୟ ଜଗତର କ୍ରାନ୍ତିକାରୀ ଏହି ଉପନ୍ୟାସ । ଏହି ଉପନ୍ୟାସରେ ପୂର୍ବବର୍ତ୍ତୀ କାଳର ଯୋଦ୍ଧା, ସୈନିକ, ରାଜକୁମାରୀ ଏବଂ ସେମାନଙ୍କର ଅବାସ୍ତବ କାଳ୍ପନିକ ଜଗତକୁ ପରିହାର କରାଯାଇ, ଏହି ଜଗତର ସାଧାରଣ ଚରିତ୍ର ଓ ଘଟଣା ପ୍ରବାହକୁ ବର୍ଣ୍ଣନା କରି ଏକ ନୂତନ ବା ‘‘ନଭେଲ’’ ଶୈଳୀର ପ୍ରବର୍ତ୍ତନ କରିଛନ୍ତି ସେରଭାନ୍‌ଟିସ । ଡାଁ କିହୋଟି ଉପନ୍ୟାସଟି, ଏଣୁ ପରମ୍ପରା ଓ ଅଭିନବତ୍ୱ ଅର୍ଥାତ୍‌ ପୂର୍ବର ପେରାଡ଼ି ଏବଂ ଏବର ନଭେଲ ଫର୍ମର ଏକ ନିଦର୍ଶନ ଯାହାକି ପରବର୍ତ୍ତୀ କାଳରେ ସମଗ୍ର ୟୁରୋପୀୟ ସାହିତ୍ୟରେ ଏକ ‘‘ନୂତନ’’ ବା ‘‘ନଭେଲ’’ର ଭିତ୍ତି ସ୍ଥାପନ କରିଅଛି । ଏହି ନୂତନ ଗଦ୍ୟ ଆଙ୍ଗୀକର ବିଶେଷତ୍ୱ ଏହି ଯେ ଲେଖକ ଏ ପ୍ରକାରର ରଚନାରେ ଅଧିକ ସ୍ୱାଧୀନ ଭାବରେ ନିଜର କଳ୍ପନାକୁ ବାସ୍ତବତାର ଅଭିମୁଖୀ କରାଇ ସମାଜର ଚିତ୍ର ଦେବାକୁ ସମର୍ଥ ହୋଇଥାନ୍ତି ।

 

ଅଷ୍ଟାଦଶ ଶତାବ୍ଦୀରେ ଜନ୍ମଲାଭ କରିଥିବା ଏହି ନୂତନ ଉପନ୍ୟାସ ଊନବିଂଶ ଶତାବ୍ଦୀରେ ଏକ ନିର୍ଦ୍ଦିଷ୍ଟ ଆଙ୍ଗିକ ବେଷ୍ଟନୀ ଗ୍ରହଣ କଲା । ନଭେଲ୍‌ ବା ଉପନ୍ୟାସ ଏହି ସମୟରେ ଜନ ମନୋରଞ୍ଜନର ଏକମାତ୍ର ସୁଲଭ ମାଧ୍ୟମ ହେଲା । ଏଥିରେ ସମାଜର ପ୍ରତିଛବି ରହିଲା, ତା’ ସଙ୍ଗେ ସଙ୍ଗେ ଏଥିରେ ଲେଖକ ବାସ୍ତବ ଜୀବନର ଅନୁକରଣରେ ଏକ କାଳ୍ପନିକ ଜଗତର ବର୍ଣ୍ଣନା ଦେଇ ପାରିଲେ ଯାହାକି ଅନୁଭବ୍ୟ ଜଗତର ଏକ ଅବିକଳ ପ୍ରତିଛବି ହୋଇପାରିଲା । ସେହି ସମୟରେ ଫ୍ରେଞ୍ଚ, ଋଷିୟାନ, ସ୍ପେନିସ୍‌ ଓ ଜର୍ମାନ୍‌ ଇତ୍ୟାଦି ଭାଷାରେ ମଧ୍ୟ ଏହି ଧରଣର ବାସ୍ତବତାବାଦୀ ଉପନ୍ୟାସର ଲୋକପ୍ରିୟତା ଏତେ ମାତ୍ରାରେ ବଢ଼ିଗଲା ଯେ ମନେ ହେଲା ସତେ ଯେମିତି ବାସ୍ତବତାବାଦୀ ଉପନ୍ୟାସରେ ଆଉ କୌଣସି ନୂତନତାର ସନ୍ଧାନ ମିଳିବା କଷ୍ଟକର । ଏଥିପାଇଁ ଇଂରେଜ କବି ଓ ସମାଲୋଚକ ଟି.ଏସ୍‌.ଏଲିଅଟ୍‌, ଜେମସ୍‌ ଜୟେସଙ୍କର Ulysses ଉପନ୍ୟାସର ଆଲୋଚନା କରି ଲେଖିଥିଲେ ଯେ ଉପନ୍ୟାସର ପରିସମାପ୍ତି ଘଟିଛି ଜେମ୍‌ସ ଓ ଫ୍ଳବର୍ଟଙ୍କଠାରେ ।

 

ଏଲିଅଟ୍‌ଙ୍କର ଏହି ମନ୍ତବ୍ୟ ପ୍ରକାଶ ପରେ ପରେ ପାଶ୍ଚାତ୍ୟ ସାହିତ୍ୟ ଜଗତରେ ଏକ ଆଲୋଡ଼ନ ସୃଷ୍ଟି ହେଲା । ସମାଲୋଚକ, ସାହିତ୍ୟିକ ତଥା ସାଧାରଣ ପାଠକଙ୍କ ମନରେ ଏକ ଧାରଣା ସୃଷ୍ଟି ହେଲା ଯେ, ମହାକାବ୍ୟ ପରି ଆଧୁନିକ ଯୁଗରେ, ଉପନ୍ୟାସ ମଧ୍ୟ ବର୍ତ୍ତମାନ ମରଣୋନ୍‌ମୁଖ । କେତେକ ସମାଲୋଚକ used-upness ବା Exhaustion ଅର୍ଥାତ୍‌ ଉପନ୍ୟାସର ନିଃଶେଷିତ ମୂର୍ଚ୍ଛିତ ଅବସ୍ଥା ନାମରେ ନାମିତ କଲେ । ମାତ୍ର ଏଲିଅଟ୍‌ଙ୍କ ମନ୍ତବ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ଅର୍ଥାତ୍‌ ବାସ୍ତବତାଧର୍ମୀ ଉପନ୍ୟାସ ପ୍ରତି ଉଦ୍ଦିଷ୍ଟ ଥିଲା ।

 

୧୯୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପାଶ୍ଚାତ୍ୟ ସାହିତ୍ୟ ଜଗତରେ, ତେଣୁ ପାଠକ ଓ ସମାଲୋଚକମାନେ ଉପନ୍ୟାସର ଭବିଷ୍ୟତ ସମ୍ପର୍କରେ କ୍ରମେ ନୈରାଶ୍ୟ ପ୍ରକାଶ କରିବାକୁ ଲାଗିଲେ । ମାତ୍ର ଠିକ୍‌ ଏହି ସମୟରେ ମୁଖ୍ୟତଃ ଆମେରିକାନ୍‌ ଏବଂ ଲାଟିନ୍‌-ଆମେରିକାନ୍‌ ସାହିତ୍ୟିକମାନେ ବର୍ତ୍ତମାନ ଯୁଗରେ ଉପନ୍ୟାସର ବିଲୟର/ଆଶଙ୍କାକୁ ସ୍ୱୀକାର କରି ପାରିଲେ ନାହିଁ । ସେମାନେ ଅନୁଭବ କରିଥିଲେ, ବିଂଶ ଶତାବ୍ଦୀରେ ସାମାଜିକ ତଥା ବୈଜ୍ଞାନିକ ପରିବର୍ତ୍ତନମାନ ଘଟି ଯାଇଛି । ସମାଜର ଏହି ପରିବର୍ତ୍ତିତ ପରିସ୍ଥିତିକୁ ସଫଳ ଭାବରେ ରୂପାୟନ କରିବାପାଇଁ ବାସ୍ତବତାଧର୍ମୀ ଉପନ୍ୟାସର ଭାଷା, ଭାବ ଓ ଶୈଳୀ ଅନୁପଯୁକ୍ତ । ପୁଣି ବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଜନ ମନୋରଞ୍ଜନର ନୂଆ ନୂଆ ବୈଜ୍ଞାନିକ ଉପକରଣ ଯଥା ରେଡ଼ିଓ, ସିନେମା ଓ ଟେଲିଭିଜନର ବହୁଳ ପ୍ରସାର ହେଲାଣି । ଏହି ପରିପ୍ରେକ୍ଷୀରେ ଊନବିଂଶ ଶତାବ୍ଦୀରେ ପ୍ରସିଦ୍ଧିଲାଭ କରିଥିବା ଉପନ୍ୟାସ ଆଉ ମନୋରଞ୍ଜନର ଏବଂ ଜ୍ଞାନ ଆହରଣର ଏକମାତ୍ର ମାଧ୍ୟମ ହୋଇନଥିଲା ।

 

ମାର୍ଶାଲ ମାକ୍‌ଲୁହାନ୍‌ ତାଙ୍କର The Guttenberg Galaxy ଏବଂ Understanding Media ନାମକ ପୁସ୍ତକ ଦ୍ୱୟରେ ଆଲୋଚନା କରି ପାଶ୍ଚାତ୍ୟ ଜନମାନସର ଏକ ଗୁହ୍ୟ ତତ୍ତ୍ୱ ଆବିଷ୍କାର କରି କହିଲେ ଯେ ପାଶ୍ଚାତ୍ୟ ମଣିଷ ଯାହା କେବଳ ଦେଖେ ବା ଶୁଣେ, ତାହା ଅପେକ୍ଷା ଯାହା ଦେଖିବା ସଙ୍ଗେ ସଙ୍ଗେ ଶୁଣିପାରେ ତା ଉପରେ ବେଶୀ ନିର୍ଭରଶୀଳ । ଉପନ୍ୟାସ ପ୍ରଥମେ ଦର୍ଶନୀୟ ଓ ପରେ ପଠନୀୟ ହୋଇ ଥିବାରୁ ଏହାର ଆବେଦନ ସୀମିତ, କାରଣ ଏଥିରେ ଶ୍ରବଣୀୟ କିଛି ନାହିଁ । ମୋଟ କଥା, ଏହା ରେଡ଼ିଓ, ସିନେମା, ଟେଲିଭିଜନ ବା ନାଟକ ପରି ଏକାଧାରରେ ଶ୍ରବଣୀୟ ନୁହେଁ ।

 

ଏହି ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେହି ସମୟର ଆମେରିକାନ୍‌ ସାହିତ୍ୟର ସମାଲୋଚକ ତଥା ଔପନ୍ୟାସିକମାନେ ସମୟର ଏହି ଆହ୍ୱାନକୁ ବଳିଷ୍ଠ ଭାବରେ ଗ୍ରହଣ କରି ତାର ସମୁଚିତ ମୁକାବିଲା କରିଥିଲେ । ଫଳତଃ ଏହି ଔପନ୍ୟାସିକମାନେ ନୂତନ ଉତ୍ସାହ ଓ ଉଦ୍ଦୀପନାର ସହ ମୃତପ୍ରାୟ ଗଣ୍ୟ ହେଉଥିବା ଉପନ୍ୟାସକୁ ପୁନର୍ଜୀବିତ କରି ସିନେମା, ରେଡ଼ିଓ ଏବଂ ଟେଲିଭିଜନ ଭଳି ଜନପ୍ରିୟ କରାଇବାର ଚେଷ୍ଟା କଲେ । ଏହି ନୂତନ ପ୍ରଚେଷ୍ଟାରେ ଫରାସୀ ଓ ଲାଟିନ୍‌-ଆମେରିକାନ୍‌ ସାହିତ୍ୟିକମାନେ ମଧ୍ୟ ଆଗ୍ରହ ପ୍ରକାଶ କଲେ । ଫଳରେ ଉପନ୍ୟାସ ପୁଣି ଏକ ନୂତନ କଳା ଭାବରେ ପୁନର୍ଜୀବନ ପାଇଲା । ମାତ୍ର ଏହି ନୂତନ ଉପନ୍ୟାସ କଳାରେ ଊନବିଂଶ ଶତାବ୍ଦୀର ବାସ୍ତବତାଧର୍ମୀ ଉପନ୍ୟାସର ଟେକ୍‌ନିକ୍‌ଗୁଡ଼ିକୁ ପରିହାର କରାଗଲା ଏବଂ ନୂତନ ନୂତନ ଶୈଳୀ ଓ ଟେକ୍‌ନିକ୍‌ର ପ୍ରଚଳନ କରାଗଲା । ଫଳରେ ଏକ ନୂତନ ଧାରାର ଉପନ୍ୟାସ ଅର୍ଥାତ୍‌ ପରୀକ୍ଷାମୂଳକ ଉପନ୍ୟାସର ଆବିର୍ଭାବ ହେଲା । ଅଷ୍ଟାଦଶ ଶତାବ୍ଦୀରେ ଯେପରି ସେରଭାଣ୍ଟିସ୍‌ଙ୍କ Don Quixote ର ପ୍ରଭାବରେ ଉପନ୍ୟାସ ଏକ ନୂତନ ସମ୍ଭାବନା ଖୋଜି ପାଇଥିଲା, ଏହି ନୂତନ ଔପନ୍ୟାସିକମାନଙ୍କ ପ୍ରଚେଷ୍ଟାରେ ସେହିପରି ଉପନ୍ୟାସର ଆଉ ଏକ ନୂତନ ଦିଗନ୍ତ ଉନ୍ମୋଚିତ ହୋଇଗଲା ।

 

ଏହି ସମୟରେ ଆମେରିକାର ବିଶିଷ୍ଟ ସମାଲୋଚକ ତଥା Commentary ନାମକ ସମାଲୋଚନାତ୍ମକ ପତ୍ରିକାର ସମ୍ପାଦକ ନରମାନ୍‌ ପୋଡ଼ୋରେଜ, ପାଠକମାନଙ୍କର ମତାମତର ସମୀକ୍ଷା କରି ମତ ଦେଲେ ଯେ ଅତ୍ୟଧିକ ମାତ୍ରାରେ କଳ୍ପନାଶ୍ରୟୀ ଉପନ୍ୟାସ ଜନମାନସକୁ ଆଉ ଆକୃଷ୍ଟ କରି ପାରିବା କଷ୍ଟକର-କାରଣ ସାଧାରଣ ପାଠକ ଟିକି ନିଖି ତଥ୍ୟ-ଭିତ୍ତିକ ବର୍ଣ୍ଣନା ଶୈଳୀ (Factual kind of narrative) ପ୍ରତି ବିଶେଷ ଆକୃଷ୍ଟ । ଏହି ପରିସ୍ଥିତିରେ ଆମେରିକାନ୍‌ ସାହିତ୍ୟର କେତେକ ବିଶିଷ୍ଟ ଔପନ୍ୟାସିକ, ଯଥା-ଟ୍ରୁମାନ କେପୋଟି ଏବଂ ନରମାନ୍‌ ମେଲର, ସାମ୍ବାଦିକତାର ଶୈଳୀକୁ ଆଧାର କରି, ଘଟଣାର ରିପୋର୍ଟିଙ୍ଗକୁ ପ୍ରାଧାନ୍ୟ ଦେଇ ଉପନ୍ୟାସ ରଚନା କଲେ । ଫଳରେ ସାମ୍ବାଦିକତାଧର୍ମୀ ଉପନ୍ୟାସର ସୃଷ୍ଟି ହେଲା ଏବଂ ବେଶ୍‌ ଲୋକପ୍ରିୟତା ହାସଲ କରି ପାରିଲା । ମେଲର୍‌ ତାଙ୍କ ଉପନ୍ୟାସକୁ ଏକ ନୂତନ ନାମ ଦେଲେ-“History as Novel and Novel as History” ଏବଂ କେପୋଟି ତାଙ୍କ ଉପନ୍ୟାସକୁ କହିଲେ “Non-fictional Novel” । ଏହିପରି ଭାବରେ ଉପନ୍ୟାସ ହେଲା “The Literature of Fact” ବା “Imagination of Fact”, ଯେଉଁଥିରେ କି କଳ୍ପନା ଓ ବାସ୍ତବତାର ସମ୍ମିଶ୍ରଣ ଥିଲେ ମଧ୍ୟ ବାସ୍ତବ ଘଟଣାର ପ୍ରାଧାନ୍ୟ ଅଧିକ ରହିଲା ।

 

ରିପୋର୍ଟିଙ୍ଗଧର୍ମୀ ଉପନ୍ୟାସ ସଙ୍ଗେ ସଙ୍ଗେ ଆଉ ଏକ ଭିନ୍ନ ସ୍ୱାଦର ଉପନ୍ୟାସର ଜନ୍ମଲାଭ ହେଲା ଏହି ସମୟରେ । ଫରାସୀ, ଲାଟିନ-ଆମେରିକା ଓ ଆମେରିକାନ୍‌ ସାହିତ୍ୟର ଔପନ୍ୟାସିକମାନେ ଉପନ୍ୟାସ କଳାର ପୁନର୍ଜୀବନ ପାଇଁ ନୂତନ ନୂତନ ପନ୍ଥାମାନ ବାହାର କଲେ-। ଆମେରିକାନ୍‌ ଔପନ୍ୟାସିକ ଜନ୍‌ ବାର୍ଥ ଗତାନୁଗତିକ ଉପନ୍ୟାସ ଶୈଳୀର ପରିବର୍ତ୍ତନ କରି ନୂତନ ଶୈଳୀ ବ୍ୟବହାର କଲେ ଉପନ୍ୟାସ ପୁନର୍ଜୀବନ ଲାଭ କରି ପାରିବ ବୋଲି ମତ ଦେଲେ । (୧) ତାଙ୍କ ମତରେ ଅନ୍ୟାନ୍ୟ କଳାରେ ନୂତନ ନୂତନ ଶୈଳୀ ଓ ପରମ୍ପରାକୁ ପ୍ରୋତ୍ସାହନ ଦିଆଯାଉଥିବା ଯୋଗୁଁ ତାହା ଜୀବନ୍ତ ରହିଥିବା ସ୍ଥଳେ, ଉପନ୍ୟାସରେ ସେହି ଗତାନୁଗତିକ ଶୈଳୀ ଅପରିବର୍ତ୍ତିତ ରହିଛି । ସେଥିପାଇଁ ଏହା କ୍ରମେ ଲୋକପ୍ରିୟତା ହରାଉଛି । ଏଣୁ ଆମେରିକାନ୍‌ ଔପନ୍ୟାସିକମାନେ ଉପନ୍ୟାସର ଅବବୋଧକୁ ବଦଳାଇ ଏକ ନୂତନ ଧରଣର ଉପନ୍ୟାସ ଲେଖିବାକୁ ଆରମ୍ଭ କଲେ । ଏହି ନୂତନ ଉପନ୍ୟାସରେ ଗତାନୁଗତିକ ଉପନ୍ୟାସର ଗଠନ, ରୀତି, ବର୍ଣ୍ଣନାଶୈଳୀ, ଚରିତ୍ର ଚିତ୍ରଣ ଏବଂ ସର୍ବୋପରି ସମୟ କ୍ରମକୁ ବ୍ୟତିକ୍ରମ କରି ଏକ ଅଭିନବ ଶୈଳୀର ଉପନ୍ୟାସ ରଚନା କଲେ । ସେହି ପରୀକ୍ଷାମୂଳକ ଔପନ୍ୟାସିକମାନଙ୍କ ମଧ୍ୟରେ ଜୋସେଫ୍‌ ହେଲର, କୁର୍ଟ ଭନେଗାଟ୍‌, ଟମାସ ପିଞ୍ଚନ, ଉଇଲିଅମ ବରୋଜ ଏବଂ ଡୋନାଲଡ ବାରଥେଲମିଙ୍କ ନାମ ଉଲ୍ଲେଖ ଯୋଗ୍ୟ । ଏମାନେ ଉପନ୍ୟାସର ଚରିତ୍ର, ପ୍ଲଟ ଓ ଘଟଣା ପ୍ରବାହର ବର୍ଣ୍ଣନାରେ ନୂତନତ୍ୱ ଆଣି ସାଂପ୍ରତିକ ଉପନ୍ୟାସକୁ ଯୁଗୋପଯୋଗୀ କରାଇଲେ । ଉଦାହରଣ ସ୍ୱରୂପ ଜୋସେଫ୍‌ ହେଲର ତାଙ୍କର ଉପନ୍ୟାସ Catch-22ରେ ଏତେ ସଂଖ୍ୟକ ଚରିତ୍ରର ଅବତାରଣା କରି ଅଛନ୍ତି ଯେ ଚରିତ୍ରମାନେ ଉପନ୍ୟାସରେ ଗୌଣ-ଏହା ପ୍ରତିପାଦିତ ହୋଇଗଲା । ପୁଣି ଘଟଣା ପ୍ରବାହର ବର୍ଣ୍ଣନା ଏପରି ଭାବରେ ଦିଆଗଲା, ଯାହାର କି ସମୟର ଗତି ସହ କୌଣସି ସମ୍ପର୍କ ରହିଲା ନାହିଁ । ଗୋଟିଏ ଉଦାହରଣ ଦେଇ କହିଲେ କୁହାଯିବ, ଏହା ହୋଇଗଲା, ଅତୀତ ଓ ବର୍ତ୍ତମାନ କାଳର ଏକ ବିଚିତ୍ର ମୋଜାଇକ୍‌ । ବର୍ତ୍ତମାନ କାଳର ବର୍ଣ୍ଣନା ଭିତରକୁ ହଠାତ୍‌ ଆସିଗଲା ଅତୀତର ରୋମନ୍ଥନ ଏବଂ କେଉଁଠି କେଉଁଠି ଅତୀତର ରୋମନ୍ଥନ ଭିତରକୁ ଆସିଗଲା ଜୀବନ୍ତ ବର୍ତ୍ତମାନର ଗତିଶୀଳତା । ଏଥିରେ ଚିରାଚରିତ ସମୟର ଐକ୍ୟ ବା Unity of time ରହିଲା ନାହିଁ । ସେହିପରି ଟମାସ ପିଞ୍ଚନ, ତାଙ୍କର The Gravity’s Rainbow ଉପନ୍ୟାସରେ ବିଭିନ୍ନ ପ୍ରକାରର ବର୍ଣ୍ଣନା ଶୈଳୀର ଅବତାରଣା କଲେ । ପୁଣି ଏହି ଉପନ୍ୟାସରେ ସେ ଗୋଇନ୍ଦା-କାହାଣୀର ପ୍ଲଟ ଛାୟାରେ ଉପନ୍ୟାସର ପ୍ଲଟ ଗଠନ କଲେ ଏକ ନୂତନ ଭଙ୍ଗୀରେ-। ଗୋଇନ୍ଦା-ଉପନ୍ୟାସ ଓ ବିଜ୍ଞାନ-ଉପନ୍ୟାସର ମିଶ୍ରଣରେ ତାଙ୍କ ଉପନ୍ୟାସର ପ୍ଲଟ ଏକ ଭିନ୍ନ ରୂପ ଧାରଣ କଲା । କୁର୍ଟ ଭନେଗାଟ୍‌ ତାଙ୍କ ଉପନ୍ୟାସରେ ବିଜ୍ଞାନ-ଉପନ୍ୟାସର ଶୈଳୀ ଅବଲମ୍ବନ କରି ଆଧୁନିକ ସମାଜର ଚିତ୍ର ଦେଲେ Slaughterhouse-Five ଏବଂ Breakfast of Champion ଉପନ୍ୟାସରେ । ଉଇଲିଅମ ବରୋଜ ତାଙ୍କର ପ୍ରସିଦ୍ଧ ଉପନ୍ୟାସ Naked Lunchରେ ସିନେମାର ମଣ୍ଟାଜ ଓ କଟ୍‌ଅପ୍‌ ଟେକ୍‌ନିକ ବ୍ୟବହାର କଲେ-। ବାର୍ଥଲେମି ନିଜ Snow whiteରେ ଉପନ୍ୟାସର ଶୈଳୀ ଉପରେ ଆବଦ୍ଧ ରଖିଛନ୍ତି ନିଜର ପୂରା ଉପନ୍ୟାସର ପ୍ଲଟକୁ । ଉପନ୍ୟାସର ଶୈଳୀ ଉପରେ ପର୍ଯ୍ୟବସିତ ଉପନ୍ୟାସ ଆଜି Meta fiction ନାମରେ ପାଶ୍ଚାତ୍ୟ ସାହିତ୍ୟ ଜଗତରେ ପରିଚିତ । ମେଟା ଫିକସନ୍‌ରେ ଘଟଣା ହେଲା ଫିକ୍‌ସନ ବା ଉପନ୍ୟାସର ଶୈଳୀ ଓ ଏହାର ଆବର୍ତ୍ତନ ଏବଂ ବିବର୍ତ୍ତନ ।

 

ଆମେରିକାନ୍‌ ସାହିତ୍ୟରେ ଏହିପରି ପରୀକ୍ଷା-ନିରୀକ୍ଷା ଚାଲିଥିବା ସମୟରେ, ଫରାସୀ ଔପନ୍ୟାସିକମାନେ ମଧ୍ୟ ଉପନ୍ୟାସର ନୂତନ ଦିଗନ୍ତ ଅନ୍ୱେଷଣ କରିବାକୁ ଲାଗିଲେ । Nouveau Roman ବା ନୂତନ ଉପନ୍ୟାସର ପରିକଳ୍ପନା କରନ୍ତି ମାଇକେଲ ବୁଟର୍‌, ନାଥାଲି ସେରୁଟ୍‌ ଏବଂ ଆଲେନ୍‌ ରୋବ୍‌ଗ୍ରିଏ । ରୋବ୍‌ଗ୍ରୀଏଙ୍କ ଉପନ୍ୟାସରେ ଆମେ ପାଇଥାଉଁ ଘଟଣାବଳୀର Fragmentation ବା ଚୂର୍ଣ୍ଣୀକରଣ ଓ ଚରିତ୍ରର ସଂଖ୍ୟାଧିକତା । ପୁଣି ତାଙ୍କ ଉପନ୍ୟାସରେ ବିଭିନ୍ନ ପ୍ରକାର ଉପନ୍ୟାସର ସମ୍ମିଶ୍ରଣ ସଂଘଟିତ ହୋଇଛି । ଉଦାହରଣ ସ୍ୱରୂପ, ତାଙ୍କର (The Erasers) ଉପନ୍ୟାସ ଏକ କ୍ରାଇମଷ୍ଟୋରି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଏହି କ୍ରାଇମଷ୍ଟୋରି ମାଧ୍ୟମରେ ସେ ଆଧୁନିକ ମଣିଷର ଅବଚେତନରେ ନିମଜ୍ଜିତ ଥିବା ଅପରାଧ ପ୍ରବୃତ୍ତିକୁ ନିଖୁଣ ଭାବରେ ଚିତ୍ରଣ କରି ପାରିଛନ୍ତି ।

 

ସାଂପ୍ରତିକ ପାଶ୍ଚାତ୍ୟ ଉପନ୍ୟାସର ନବଜାଗରଣରେ ଲାଟିନ୍‌-ଆମେରିକାନ୍‌ ଔପନ୍ୟାସିକମାନଙ୍କର ଅବଦାନ କିଛି କମ ନୁହେଁ । ଜୁଲିଓ କୋଟାଜାର୍‌, ଜର୍ଜ ଲୁଇ ବୋରିଜ୍‌ ଏବଂ ଗାବ୍ରିଏଲ ଗାର୍ସିଆମାର୍କ୍ୱେଜ ଏମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ । ସାଂପ୍ରତିକ ସମାଜର କାଳ୍ପନିକତା ଓ ବାସ୍ତବତାକୁ ଏକ ସଙ୍ଗରେ ବର୍ଣ୍ଣନା କରି ସେମାନେ ସାଂପ୍ରତିକ ସମାଜର ଛବି ଦେଇଛନ୍ତି । ଆଧୁନିକ ପାଶ୍ଚାତ୍ୟ ସମାଜର ବାସ୍ତବତା ଯେକୌଣସି କାଳ୍ପନିକତାକୁ ବଳି ଯାଇଅଛି, ଏହି ସତ୍ୟକୁ ରୂପାୟିତ କରିବାପାଇଁ ଲାଟିନ-ଆମେରିକାର ଔପନ୍ୟାସିକମାନେ ଯେପରି ସଫଳ ହୋଇ ପାରିଛନ୍ତି, ତାର ପ୍ରଭାବ ସାଂପ୍ରତିକ ଆମେରିକାନ ତଥା ୟୁରୋପୀୟ ସାହିତ୍ୟରେ ପଡ଼ିଅଛି-। ଏହିପରି ଭାବରେ ସାଂପ୍ରତିକ ପାଶ୍ଚାତ୍ୟ ଉପନ୍ୟାସ Form ବା ଆଙ୍ଗୀକର ଏକ ମିଶାମିଶି ଫେଣ୍ଟାଫେଣ୍ଟି ରୂପ ନେଇ ଅଛି । ଏଥିରେ କେବଳ ଶୈଳୀଗତ ପରିବର୍ତ୍ତନ ହୋଇନାହିଁ, Thematic ବା ଭାବଗତ ପରିବର୍ତ୍ତନ ମଧ୍ୟ ଯଥେଷ୍ଟ ପରିମାଣରେ ସାଧିତ ହୋଇଅଛି । ଏହି ନୂତନ ଉପନ୍ୟାସର ଅଭ୍ୟୁଦୟ ସଙ୍ଗେ ସଙ୍ଗେ ଗତାନୁଗତିକ ଉପନ୍ୟାସ ଯେ ମୃତ-ଏ ଧାରଣା ଭ୍ରମାତ୍ମକ । ସୁତରାଂ ଆଧୁନିକ ପାଶ୍ଚାତ୍ୟ ଉପନ୍ୟାସ ଜଗତରେ ଦୁଇଟି ରୀତିର ଉପନ୍ୟାସ ବର୍ତ୍ତମାନ ପ୍ରଚଳିତ ଅଛି । ମାତ୍ର ପରୀକ୍ଷାମୂଳକ ଉପନ୍ୟାସ ଯେ କ୍ରମେ ଅଧିକ ଲୋକପ୍ରିୟତା ହାସଲ କରୁଅଛି ଏହା କହିବା ନିଷ୍ପ୍ରୟୋଜନ ।

 

ମାତ୍ର ଇଂଲଣ୍ଡର ଉପନ୍ୟାସ ଏହି ପରୀକ୍ଷାମୂଳକ ଉପନ୍ୟାସ ଦ୍ୱାରା ଏତେ ମାତ୍ରାରେ ପ୍ରଭାବିତ ହୋଇନାହିଁ । ପ୍ରଧାନତଃ, ଇଂରେଜମାନଙ୍କ ରକ୍ଷଣଶୀଳତା ତାଙ୍କ ଉପନ୍ୟାସକୁ ସେହିପରି ରକ୍ଷଣଶୀଳ କରି ରଖିଅଛି । କିନ୍ତୁ ଆଣ୍ଟୋନି ବର୍ଜେସ, ଆଇରିସ୍‌ ମର୍ଡୋକ ଏବଂ ମାର୍ଟନ ଏମିସ୍‌ଙ୍କ ଉପନ୍ୟାସରେ ଏହି ଭାବଗତ ଓ ଶୈଳୀଗତ ପରୀକ୍ଷା-ନିରୀକ୍ଷାର ସୂଚନା ପାଇଥାଉଁ ।

 

ସମାଜ ସ୍ଥାଣୁ ନୁହେଁ, ଏହା ଗତିଶୀଳ । ବିଜ୍ଞାନର ଅଗ୍ରଗତି ଏବଂ ନୂତନ ନୂତନ ଚିନ୍ତାଧାରାର ପ୍ରବର୍ତ୍ତନ ଯୋଗୁଁ ସାମାଜିକ ପରିବର୍ତ୍ତନ ହୋଇଥାଏ । ସାମାଜିକ ମୂଲ୍ୟବୋଧର ପରିବର୍ତ୍ତନ ସହ ତାଳ ମିଳାଇ ସାହିତ୍ୟରେ ମଧ୍ୟ ପରିବର୍ତ୍ତନ କାଳେ କାଳେ ହୋଇ ଆସିଅଛି । ସାହିତ୍ୟର କୌଣସି Form ବା ଆଙ୍ଗିକ ଶାଶ୍ୱତ ନୁହେଁ । ସମୟର ପରିବର୍ତ୍ତନ ସହିତ ସାହିତ୍ୟର ମଧ୍ୟ ପରିବର୍ତ୍ତନ ଆସିଥାଏ । ସେହିପରି ପାଶ୍ଚାତ୍ୟ ଉପନ୍ୟାସର ଉତ୍ପତ୍ତି ଓ ଅଭିବ୍ୟକ୍ତିକୁ ଅନୁଶୀଳନ କଲେ ଜଣାଯାଏ ଯେ ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହାର ମଧ୍ୟ ପରିବର୍ତ୍ତନ ଓ ଅଭିବୃଦ୍ଧି ହୋଇ ଆସିଅଛି । କେବଳ ଶୈଳୀଗତ ପରିବର୍ତ୍ତନ ହିଁ ସାହିତ୍ୟର କୌଣସି Form ବା ଆଙ୍ଗିକକୁ ଯୁଗୋପଯୋଗୀ କରାଇବାକୁ ସମର୍ଥ ହୋଇପାରେ ନାହିଁ । ଉଭୟ ଶୈଳୀ ଓ ଭାବଗତ ପରିବର୍ତ୍ତନର ସମନ୍ୱୟରେ ସାହିତ୍ୟର ବିଭିନ୍ନ ଆଙ୍ଗିକ ଅଭିବୃଦ୍ଧି ହୋଇପାରେ, ତାହା ପାଶ୍ଚାତ୍ୟ ଉପନ୍ୟାସ ସାହିତ୍ୟରେ ହୋଇଥିବା ସଫଳ ପରୀକ୍ଷା-ନିରୀକ୍ଷାରୁ ଶିକ୍ଷା କରିବାର ଆବଶ୍ୟକତା ରହିଛି ।

 

ଦ୍ରଷ୍ଟବ୍ୟ

 

1.

John Barth, “The Literature of Exhaustion” in The American Novel Since World War II, ed., Marcus Klein (Greenwich, Conn. : Fawcett Publication, 1969). Barth writes : “In any case, to be technically out of date is likely to be a genuine defect : Beethoven’s Sixth Symphony or the charters Cathedral if executed today would be merely embarrassing”.

2.

Raymond Federman, ed., Surfiction : Fiction Now and Tomorrow (Chicago : The Swallow Press, 1975). Federman writes : “And so, for me, the only fiction still means something to say is that kind of fiction that tries to explore the possibilities of fiction; the kind of fiction that constantly renews our faith man’s imagination and not in man’s distorted vision of reality-that reveals man’s irrationality rather than man’s rationality.

3.

Anais Nin, The Novel of the Future (New York : The Macmillon Company, 1968). Nin writes : “It is a curious anomaly that we listen to jazz, we look at modern painting, we live in modern houses of modern design, we travel in jet planes, yet we continue to read novels written in a tempo and style which is not of our time and not related to any of these influences.

4.

Alain Robbe-Grillet, For a New Novel : Essays on Fiction (Freeport, New York : Books for Libraries Press, 1965/1970)

5.

Bernard Bergonzi, The Situation of the Novel (Harmondsworth : Penguin Book Ltd. 1970/1972).

***

 

Unknown

ଆଧୁନିକ ଓଡ଼ିଆ କାବ୍ୟ-ଚେତନାରେ ସ୍ୱପ୍ନ ଓ ସଂଗ୍ରାମ

ଇନ୍ଦୁ ମିଶ୍ର

 

      ସ୍ୱପ୍ନ ଓ ସଂଗ୍ରାମ ଆପାତତଃ ଦୁଇଟି ପରସ୍ପର ବିପରୀତଧର୍ମୀ କ୍ରିୟା । ସ୍ୱପ୍ନ-ବିଳାସ ବ୍ୟକ୍ତି-ମାନସକୁ ଜୀବନର ବାସ୍ତବ ପରିସରଠାରୁ ବିଚ୍ଛିନ୍ନ କରାଏ । ଏ ବାସ୍ତବ ପରିସର, ଏକ ନିରବଚ୍ଛିନ୍ନ ସଂଗ୍ରାମର କ୍ଷେତ୍ର । ଅନ୍ନ, ବସ୍ତ୍ର ଓ ବାସଗୃହ ସଙ୍ଗେ ସଙ୍ଗେ ବ୍ୟକ୍ତିସତ୍ତାର ପ୍ରତିଷ୍ଠା ପାଇଁ ସେ ସଂଗ୍ରାମ କରେ । ପ୍ରଚଳିତ ସାମାଜିକ ବିଧି ବ୍ୟବସ୍ଥାର ବିପର୍ଯ୍ୟୟ ବିରୋଧରେ ଆହ୍ୱାନର ସ୍ୱର ତୋଳେ । ରାଜନୀତିକ ତଥା ସାଂସ୍କୃତିକ ଅବକ୍ଷୟ ପ୍ରତି ଶାଣିତ ଅଙ୍ଗୁଳି ନିର୍ଦ୍ଦେଶ କରେ । ସଂଗ୍ରାମୀ କବିଚେତନା କାବ୍ୟଧାରାକୁ ସ୍ୱପ୍ନମେଦୁର ଚାରୁ-ଚନ୍ଦ୍ରିକା ମନ୍ଦିର ତେଜି ଜଞ୍ଜାଳ-ଧୂସର ନଗର ପଥରେ ଯାତ୍ରା କରିବା ପାଇଁ ବାର୍ତ୍ତା ଦିଏ-

 

‘‘ଚାରୁ ଚନ୍ଦ୍ରିକା ମନ୍ଦିର ତେଜି

 

ଆସ ଜଞ୍ଜାଳ-ଧୂସର ନଗରପଥେ

ଫିଙ୍ଗିଦିଅ ଗୋ ରତ୍ନ ମୁକୁଟ

 

ରକ୍ତ ବାଦଲ ବାସ

 

ଲୋଡ଼ା ନାହିଁ ଆଉ ନାହିଁ

ଇନ୍ଦ୍ରଧନୁର ତୋରଣ ପଡ଼ିଚି ଭାଜି

ମଖମଲ୍ଲୀ ସୁନା ସପନ ସମାଧି ପରେ ।’’ (୧)

 

 

‘ଚାରୁଚନ୍ଦ୍ରିକା ମନ୍ଦିର’, ‘ରତ୍ନ ମୁକୁଟ’, ‘ଇନ୍ଦ୍ରଧନୁର ତୋରଣ’ ଓ ‘ମଖମଲ୍ଲୀ ସୁନା ସ୍ୱପ୍ନ’ ବାସ୍ତବ ଜୀବନ-ସଂଗ୍ରାମ-ବିମୁଖ ସ୍ୱପ୍ନବିଳାସର ପ୍ରତୀକ । କବିତା କିନ୍ତୁ ମୁଗ୍‌ଧା ରାଜଜେମା ଭଳି ସ୍ୱପ୍ନର ସାମ୍ରାଜ୍ୟରେ ବିଭୋର ନହେଉ । ସେ ହେଉ ମାଟିର ଅଶ୍ରୁ, ମାଟିର ମର୍ମ ବୀଣା- ‘‘ପୁଷ୍ପ ପରାଗ/ସ୍ୱପ୍ନେ ବିହରି/କେବେ ଥିଲ/ରାଜଜେମା/ଏବେ ଗୋ ହୋଇଚ/ମାଟିର ଅଶ୍ରୁ/ମାଟିର ମର୍ମବୀଣା” । (୨)

 

(୧)

ହେ ମୋର କବିତା-କୁଞ୍ଜବିହାରୀ ସଞ୍ଚୟନ, ପୃ ୬୫

(୨)

ତତ୍ରୈବ ପୃ ୬୮

 

କିନ୍ତୁ କବି ମାଟିସହ ଆକାଶର କଥା କହେ । ଅବକ୍ଷୟୀ ସମୟ ଚେତନା ମଧ୍ୟରେ ସମୃଦ୍ଧ ଜୀବନର ସ୍ୱପ୍ନ ଦେଖେ । କଳ୍ପନାର କୋଣାର୍କ ଗଢ଼େ । ‘ଯୁଜେଷ୍ଟିଙ୍କ ରଥ’ ଭଳି ସେ ମଧ୍ୟ ସମୟର ପଥକୁ ଅତିକ୍ରମ କରୁଥିବାବେଳେ ଭୂଇଁଠୁ ଆଙ୍ଗୁଳେ ଛାଡ଼ି ଗତି କରୁଥାଏ-

 

‘‘ମୁଁ କବି ଧରିତ୍ରୀର, ମାଟିର ଓ ମଣିଷର

ଗାଇବା ମୋ ଧର୍ମ ମଣେ ଏ ପୃଥିବୀ, ଏ ଆକାଶ କଥା

ତଥାପି ମୁଁ ମୁକ୍ତ ପକ୍ଷୀ, ଅବା ମୁଁ କି ଯୁଜେଷ୍ଟିଙ୍କ ରଥ

ଭୂଇଁଠୁ ଆଙ୍ଗୁଳେ ଛାଡ଼ି ଗତି କରେ ସମୟର ପଥ ।’’ (୩)

 

‘ଭୂଇଁ’ ଏଠାରେ ବାସ୍ତବ ଜୀବନବୋଧକୁ ପ୍ରତୀକାୟିତ କରୁଥିବାଭଳି ମନେହୁଏ । ସମୟ ସମୟରେ କବିର ରୋମାଣ୍ଟିକ ବ୍ୟକ୍ତିସତ୍ତା ବାସ୍ତବ ଜୀବନବୋଧର ଊର୍ଦ୍ଧ୍ୱରେ ଥିବା କଳ୍ପଲୋକର ସ୍ୱପ୍ନରେ ଅଧୀର ହୁଏ । ଏ ସ୍ୱପ୍ନ ଚେତନା ସର୍ବତ୍ର ବାସ୍ତବ ଜୀବନ-ସଂଗ୍ରାମର ପରିପନ୍ଥୀ ନୁହେଁ, ଅନୁପନ୍ଥୀ ମଧ୍ୟ । ବସ୍ତୁତଃ ବ୍ୟକ୍ତି ଜୀବନ, ଉଭୟ ସ୍ୱପ୍ନ ଓ ସଂଗ୍ରାମର ଏକ ସମନ୍ୱିତ ସ୍ୱରଲିପି । ଜୀବନର ଏ ସମନ୍ୱିତ ସ୍ୱରଲିପି ଅନେକ ସମୟରେ କାବ୍ୟ-ଚେତନାରେ ଏକ ପଟ୍ଟଭୂମିରେ ଯୁଗପତ୍‌ ଅବତରଣ କରେ ।

 

ମଧ୍ୟଯୁଗୀୟ ଓଡ଼ିଆ, କାବ୍ୟ-ପରଂପରାରେ ନାୟକ-ନାୟିକାଙ୍କ ସ୍ୱପ୍ନବିଳାସ କାବ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ । ରାଜପ୍ରାସାଦର ବିଳାସ ବ୍ୟସନ ମଧ୍ୟରେ ଜୀବନ-ସଂଗ୍ରାମ ସେଠାରେ ଅନାବଶ୍ୟକ । ସୁତରାଂ ସ୍ୱପ୍ନ ମଧ୍ୟ ସ୍ୱାଭାବିକ ଭାବେ ସଂଗ୍ରାମ ଓ ସଂଘର୍ଷସଙ୍କୁଳ ବାସ୍ତବ ଜୀବନଧାରାଠାରୁ ବିଚ୍ଛିନ୍ନ । ନାୟକ-ନାୟିକାଙ୍କ ମିଳନ ମାଧ୍ୟମରେ ଶୃଙ୍ଗାର ରସର ବିନ୍ୟାସ ହିଁ ଏ ସ୍ୱପ୍ନର ଉପଜୀବ୍ୟ । ପୁଣି ସ୍ୱପ୍ନଭଙ୍ଗ ପରେ ନାୟିକାର ‘ଦିବ୍ୟ ତରୁଣ’ ଅନୁସନ୍ଧାନ କାବ୍ୟ-ଆତ୍ମାକୁ ବିପ୍ରଲମ୍ଭ ଶୃଙ୍ଗାରରେ ଉଦୀପ୍ତ କରେ ସତ କିନ୍ତୁ ବାସ୍ତବଧର୍ମୀ ଆବେଗ ସୃଷ୍ଟି କରିପାରେ ନାହିଁ ।

 

ବୈଷ୍ଣବ କାବ୍ୟରେ ମଧ୍ୟ ସେଇ ମିଳନ ସ୍ୱପ୍ନ ତଥା ସ୍ୱପ୍ନଭଙ୍ଗର ବେଦନାବୋଧ । ‘ଲାବଣ୍ୟବତୀ’ରେ ଯୋଗିନୀର ସହାୟତାରେ ଲାବଣ୍ୟବତୀ ଓ ଚନ୍ଦ୍ରଭାନୁଙ୍କ ଭଳି (୪) ଯୋଗମାୟାଙ୍କ ମାୟାରେ ‘ବିଦଗ୍‌ଧ ଚିନ୍ତାମଣି’ର ରାଧା-କୃଷ୍ଣ, ସ୍ୱପ୍ନରେ ମିଳିତ ହୁଅନ୍ତି । ପୁଣି ସ୍ୱପ୍ନଭଙ୍ଗ ପରେ ବିରହର ବେଦନାରେ ବିଳାପ କରନ୍ତି-
 

‘‘ପୁଣି ସେ ଯୁବତୀ ବୋଲେ ନିଦ୍ରାବତୀ କେଉଁ ଅପରାଧ କଲି

ନୟନୁ ଅନ୍ତର ହୋଇଲେ କାତର-ଦଶା-ନଦେ ଭାସିଗଲି ।

କଲ କଲବଲତ । କାନ୍ତ କାନ୍ତ ଭିନ୍ନ ମୃତ୍ୟୁସତ ।’’ (୫)

 

ରୀତି କାବ୍ୟ-ନାୟିକା ଜାଗ୍ରତ ହେବା ପରିବର୍ତ୍ତେ ନିଦ୍ରାର ସ୍ୱପ୍ନାବେଶରେ ବନ୍ଦିନୀ ହେବାକୁ ଶ୍ରେୟସ୍କର ମଣେ ।

 

(୩)

କବିତାର ଏକ ସଂଜ୍ଞା, ସଚ୍ଚି ରାଉତରାୟ ଗ୍ରନ୍ଥାବଳୀ, ପୃ. ୫୧୨ ।

(୪)

ନିଦ୍ରାବଶରେ ସ୍ୱପନ      ଦେଖିଲେ ସତ ବିଧାନ

ଏକ ଯୋଗିନୀ ପ୍ରବେଶ କୁମାର ପାଶେ

କର ଧରି ନିଦ୍ରା ଭାଙ୍ଗିଲା      ଗଗନ ମାର୍ଗେ କୁମାରୀ ପୁରକୁ ନେଲା

(ଲାବଣ୍ୟବତୀ-୧୧/୮)

(୫)

ବିଦଗ୍‌ଧ ଚିନ୍ତାମଣି-୩୨/୩୦

 

ସବୁଜ କବି ଜାଗ୍ରତ ଅବସ୍ଥାରେ ଅନୁରୂପ ସ୍ୱପ୍ନର ଏକ ଆବେଶ ସୃଷ୍ଟି କରିବା ପାଇଁ ଉଦ୍ୟମ କରେ । ବାସ୍ତବ ଜୀବନ-ସଂଗ୍ରାମର ଆହ୍ୱାନକୁ ଏଡ଼ିଦେଇ, ପ୍ରଣୟିନୀ ସହ ସ୍ୱପ୍ନମେଦୁର କଳ୍ପନାଲୋକକୁ ଯାତ୍ରା କରିବାପାଇଁ ଉନ୍ମୁଖ ହୁଏ-‘‘ଯିବା ପଳାଇ/ଦୁରେ ସୁଦୂରେ/ସପନ ଲୋକ/ଗୋପନପାରେ/ଗ୍ରହ ତାରକା ଏଡ଼ାଇ/ଯୌବନର ଝରଣା କୂଳେ/ମଳୟ ନାହିଁ/ନିରତେ ବୁଲେ/କୁସୁମକେତୁ ଉଡ଼ାଇ ।’’ (୬)

 

(୬)

ଅନ୍ନଦାଶଙ୍କର ରାୟ-ସୃଜନ ସ୍ୱପ୍ନ ।

 

କବିର ଏ ସ୍ୱପ୍ନ-ଲୋକ, ବାସ୍ତବ ଜୀବନ ପରିସରର ସଂଘାତ ଓ ସଙ୍କଟର ବହୁ ଦୂରରେ । କୁସୁମକେତୁର ସାମ୍ରାଜ୍ୟହିଁ ତା’ର ସ୍ୱପ୍ନଲୋକ । ସୃଜନର ସ୍ୱପ୍ନ, ସେଠାରେ ସେଇ ସ୍ୱପ୍ନରେ ସମାଧି ଲଭେ ।

 

ବସ୍ତୁତଃ ସ୍ୱପ୍ନ ପ୍ରବଣତା, ରୋମାଣ୍ଟିକ ଚେତନା ସୃଷ୍ଟି କରୁଥିବାବେଳେ ସଂଗ୍ରାମୀ ଜୀବନବୋଧ, ବାସ୍ତବଧର୍ମୀ କାବ୍ୟାବବୋଧ ସୃଷ୍ଟି କରେ । ଆଧୁନିକ ଓଡ଼ିଆ କାବ୍ୟଧାରାରେ ଏଭଳି ବହୁ ଦୃଷ୍ଟାନ୍ତ ରହିଚି, ଯେଉଁଠାରେ ଉଭୟ ସ୍ୱପ୍ନ ଓ ସଂଗ୍ରାମ, ଏକ ସମତଳରେ ଯୁଗପତ୍‌ ସାକାର ହୋଇଚନ୍ତି । ଆଧୁନିକ ଓଡ଼ିଆ କାବ୍ୟ ଚେତନାରେ ଏହି ରୋମାଣ୍ଟିକ୍‌-ବାସ୍ତବତାର ଧାରାକୁ ଶଂସିତ ନିବନ୍ଧରେ ସୂଚାଇ ଦିଆଯାଇଚି ।

 

ଜୀବନରେ ଏ ସ୍ୱପ୍ନ ଓ ସଂଗ୍ରାମ କିଭଳି ସମାନୁପାତିକ ଭାବେ ପ୍ରକଟିତ ତା’ର ସୂଚନା ଦିଅନ୍ତି କବି ଗଡ଼ନାୟକ-

 

‘‘ସାଂପ୍ରତିକ ପୃଥିବୀ ଦୁଃଖବ୍ୟଥା, ବାଦବିସମ୍ବାଦ, ଭେଦାଭେଦ ଓ ନାନା ସମସ୍ୟାରେ ଭରା । ଜୀବନ ସହଜରେ ଶୁଷ୍କ ଓ ବିବର୍ଣ୍ଣ ହୋଇଯାଇଚି । ତଥାପି ଆଶାବାଦୀ ମଣିଷ ଦେଖୁଚି ତା’ର ସ୍ୱପ୍ନ-ଶ୍ୟାମଳ ସମାରୋହର ସ୍ୱପ୍ନ ।’’ (୭)

 

(୭) କିଞ୍ଚିତ୍‌ ଧୂସର ଭୂମିକା ପୃ. ୫୯୮, ଗଡ଼ନାୟକ ଗ୍ରନ୍ଥାବଳୀ ।

 

ସେଥିପାଇଁ ପୌଷର ପତ୍ରଝରା ଦିନାନ୍ତରେ କବି ଦେଖନ୍ତି ଆଷାଢ଼ର ସ୍ୱପ୍ନ, ଯେଉଁ ଆଷାଢ଼, ଧୂସର ଏଇ ଧରିତ୍ରୀରେ, ଶ୍ୟାମଳି ମା’ର ସ୍ୱପ୍ନକୁ ସଫଳ କରିବ-

 

‘‘ପୌଷର ଏଇ ପତ୍ରଝରା ଦିନାନ୍ତରେ

ମୁଁ ଦେଖୁଚି ଆଷାଢ଼ର ସ୍ୱପ୍ନ

ମୁଁ ଚାହୁଁଚି ମୌସୁମୀର ମେଘ ମହ୍ଲାର

ଧୂସର ଏଇ ଧରିତ୍ରୀରେ

ମୁଁ ଚାହୁଁଚି ଶ୍ୟାମଳ ସମାରୋହ ।’’ (୮)

 

(୮)

ମୁଁ ଦେଖୁଚି ଆଷାଢ଼ର ସ୍ୱପ୍ନ, ଗଡ଼ନାୟକ ଗ୍ରନ୍ଥାବଳୀ ପୃ. ୬୧୩ ।

 

କିନ୍ତୁ ସ୍ୱପ୍ନର ଆଷାଢ଼ ମଧ୍ୟ ପ୍ରଳୟର ପ୍ଲାବନ ସୃଷ୍ଟି କରେ । ଏ ପ୍ରଳୟ ପ୍ଲାବନର ଏକ ବ୍ୟଥାତୁର ପରିଣତି ହେଉଚି କୁଞ୍ଜ ବିହାରୀ ଦାଶଙ୍କ ‘କଙ୍କାଳର ଲୁହ’ । ଶୋଷକ ସାହୁକାରର ଚକ୍ରାନ୍ତରେ ପଲ୍ଲୀର ସାଧାରଣ ମଣିଷ ଅତିଷ୍ଠ । ଜୀବନ ଧାରଣ କରିବା ପାଇଁ ଦରିଦ୍ର ପଲ୍ଲୀବାସୀ ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରେ । କିନ୍ତୁ ବିନିମୟରେ ତା’ର ନ୍ୟାର୍ଯ୍ୟ ଦାବୀ ତାକୁ ମିଳେ ନାହିଁ । ଶୋଷକ ହୃଦୟରେ ତା’ର ବେଦନା ରେଖାପାତ କରିପାରେ ନାହିଁ-‘ସଂସାରେ / ଯେତେ / ଧନିକ / ବଣିକ / ସେଠ /ସାହୁ / ଜମିଦାର / ମଣିଷବେଦନା / ଖେଳେ ନାହିଁ କ୍ଷତ / ହୃଦେ କାଟେ ନାହିଁ ଗାର ।’’(୯)

 

(୯)

କଙ୍କାଳର ଲୁହ - କୁଞ୍ଜ ବିହାରୀ ସଞ୍ଚୟନ, ପୃ. ୭ ।

 

ମଣିଷ ଉପରେ ମଣିଷର ଅତ୍ୟାଚାର ସୀମା ଅତିକ୍ରମ କରିବା ବେଳେ, ପ୍ରକୃତିର ପ୍ରଳୟତାଣ୍ଡବ କଙ୍କାଳର ଲୁହକୁ ଅଧିକ ବେଦନା ବିଦଗ୍‌ଧ କରିଚି । ବାସ୍ତବବାଦୀ କବି, ଜୀବନର ଏ ଝଡ଼ ଝଞ୍ଜାକୁ କଙ୍କାଳସାର ମଣିଷର ଅଶ୍ରୁ ଲିପିରେ ଅଭିବ୍ୟକ୍ତ କରିଚି-

 

‘‘ଖାଲ ଖାଲ ଗାଲ ଦାଢ଼ୀ ତଳେ ଘୋର ଜରା କରିଲାଣି ଘର

କଳାଓଠ କହେ ଜୀବନ ଉପରେ ବହିଲାଣି କେତେ ଝଡ଼

ଲହୁହୀନ ଶେତା ପାଉଁଶିଆ ମୁହେଁ ହନୁହାଡ଼ ଉଠେ ବଢ଼ି

ପେଟର ଗର୍ତ୍ତେ ଚମ ନ ଦେଇକି ସେହିପରି ଅଛି ଗଢ଼ି ।’’ (୧୦)

 

(୧୦)

ତତ୍ରୈବ ପୃ. ୨୮ ।

 

ଜୀବନ ଧାରଣ ପାଇଁ ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରି ମଧ୍ୟ ମଣିଷ କିଭଳି ତା’ର ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ, ‘କଙ୍କାଳର ଲୁହ’ ତା’ର ଏକ ଦୁଃଖଦ ଚିତ୍ର । କିନ୍ତୁ ତହିଁରେ ମଧ୍ୟ ରୋମାଣ୍ଟିକ କବିର ସ୍ୱପ୍ନମେଦୁର କଳ୍ପନା-ପ୍ରବଣତା ପ୍ରତିଫଳିତ । କବିର କଳ୍ପନା, ମଳୟ ବୋଳା ସକାଳ ଆକାଶରେ ପାଗଳ ପକ୍ଷୀ ପ୍ରାୟ ଉଡ଼ିଯାଏ । ପ୍ରାଣରେ ଥାଏ ନୂତନ ଦେଶ ଆବିଷ୍କାରର ଉନ୍ମାଦନା । ଏ ଉନ୍ମାଦନା ମଧ୍ୟରେ, କବି, ସାଧବ ପୁଅ ଭଳି ବାଲିଦ୍ୱୀପକୁ ଯାତ୍ରା କରୁଥିବାର ସ୍ୱପ୍ନ ଦେଖେ । ସାଧବାଣୀର ବନ୍ଦାଣ, ହୁଳହୁଳି ପକ୍ଷୀର କାକଳି ମାଧ୍ୟମରେ ପ୍ରତିଧ୍ୱନିତ ହେଉଥାଏ-

 

‘‘କୋମଳ କିଶୋର ବୟସ ଆମର ତରଳ ଚପଳ ମନ

ଶତେକ ବିପଦ ଲଙ୍ଘି ଯିବାର ନବୀନ ଉନ୍ମାଦନ

x            x            x

କଳ୍ପନା ଉଡ଼ିଯାଏ

ମଳୟ ବୋଳିତ ସକାଳ ଆକାଶେ ପାଗଳ ପକ୍ଷୀପ୍ରାୟେ

x            x            x

ବୋଇତ ଚାଲିଚି ବାଲି ଦ୍ୱୀପେ ବୋଲି କଳପନା କରେ

ବନ୍ଦାଣ ହୁଳହୁଳି ସାଧବାଣୀ ଦିଅଇ ଚାତକ ଛଳେ ।’’ (୧୧)

(୧୧) କଙ୍କାଳର ଲୁହ-କୁଞ୍ଜ ବିହାରୀ ସଞ୍ଚୟନ ପୃ. ୪/୫ ।

 

କିନ୍ତୁ କବି, ତା’ର ସ୍ୱପ୍ନ ବିଳାସ ମଧ୍ୟରୁ ବାସ୍ତବ ଜଗତର ଧୂସର ଇଲାକାକୁ ଫେରି ଆସେ-। କାବ୍ୟ-ନାୟିକା ବିହରଣ କରୁଥାଏ ସ୍ୱପ୍ନ-ସାମ୍ରାଜ୍ୟରେ/ସେ ସ୍ୱପ୍ନ-ସାମ୍ରାଜ୍ଞୀକୁ ତା’ର ଅନୁନୟ-‘‘ବନ୍ଦିନୀ ପ୍ରିୟା/ଚକ୍ଷୁ ଖୋଲ ଗୋ/ଖୋଲ ଜୀବନର ଧାରା/ନାଚି ନାଚି/ଚଳୁ/ମୃତ୍ତିକାର କୋଳେ/ନବ ଜୀବନର ତାରା ।’’ (୧୨)

 

(୧୨)

ଲୋଡ଼ା ନାହିଁ - ଅନନ୍ତ ପଟ୍ଟନାୟକ ।

 

‘ମୃତ୍ତିକା’ ଏଠାରେ ବାସ୍ତବ ଜୀବନ ପରିସରର ପ୍ରତୀକ । କବିର ସ୍ୱପ୍ନ, ଏ ମୃତ୍ତିକାର ମାନବ-ସଭ୍ୟତା ପ୍ରାଣ-ପ୍ରାଚୁର୍ଯ୍ୟରେ ଦୀପ୍ତିମନ୍ତ ହେଉ । ସେଥିପାଇଁ କବି ଝଡ଼ ଝଞ୍ଜାର ପ୍ରଳୟ ମଧ୍ୟରେ ପ୍ରଣୟର ସଙ୍ଗୀତ ରଚନା କରେ-

 

‘‘ମୋ ସମ ତେବେରେ ସ୍ୱପ୍ନ ଦେଖୁଚି କିଏ ?

ଗାଉଚି କିଏ ସେ ପ୍ରଳୟେ ପ୍ରଣୟ ଗୀତି

x            x            x

ତରୁଣୀ ଅନାଏ ସୃଜନ ଆବେଶ ଭୋଳେ

ତରୁଣ ଅୟନେ ହାସ୍ୟ ପଡ଼ୁଚି ଝରି ।’’ (୧୩)

 

(୧୩)

ସ୍ୱପ୍ନ ଦେଖୁଚି - ଅନନ୍ତ ପଟ୍ଟନାୟକ

 

ବାସ୍ତବ ଜୀବନ-ପରିସର ମଧ୍ୟରେ ଭାଗ୍ୟ ଅଥବା ଭଗବାନ ନୁହେଁ, କାବ୍ୟ-ନାୟକ ଆତ୍ମଶକ୍ତିରେ ଦୀପ୍ତ । କିନ୍ତୁ ଏ ବାସ୍ତବ ଧର୍ମୀ ସଂଗ୍ରାମୀ ଚେତନା, ରୋମାଣ୍ଟିକ ପରିବେଶ ମଧ୍ୟରେ ପ୍ରକଟିତ-

 

‘‘ନିଜ ବନ୍ଦନା ପଢ଼େ ସଜନୀରେ

ନିଜ ବନ୍ଦନା ପଢ଼େ

ରଶ୍ମି ଲୁଳିତ ରସ ଉତ୍ସବେ

ଝୁମି ଝୁମି ଆଜି ପ୍ରୀତି-ସଞ୍ଜରେ

ନବ-ତୃଷ୍ଣାର ଝଡ଼େ ।’’ (୧୪)

 

(୧୪)

ନିଜ ବନ୍ଦନା ପଦେ-ଅନନ୍ତ ପଟ୍ଟନାୟକ

 

ନିଜ ବନ୍ଦନା ପଢ଼ିବା ମଧ୍ୟରେ କାବ୍ୟ-ନାୟକର ଆତ୍ମଶକ୍ତିରେ ବିଶ୍ୱାସବୋଧ ସୂଚିତ । ନିଜ ବନ୍ଦନା ପଢ଼ିବାର କାଳ ହେଉଚି ସଞ୍ଜ, ଯାହା ପ୍ରୀତି-ପ୍ରବଣତାରେ ରଞ୍ଜିତ । ତହିଁରେ ସୂର୍ଯ୍ୟ ରଶ୍ମିର ସଙ୍କେତ ଥିଲେ ମଧ୍ୟ, ଚେତନାର ରସୋଚ୍ଛ୍ୱାସରେ ତାହା ସ୍ନାତ । କିନ୍ତୁ ଏକ ସମ୍ଭାବ୍ୟ ନୂତନ ଝଡ଼ର ତୃଷ୍ଣାରେ କବି ଆକୁଳ । କବି ରାଉତରାୟଙ୍କ ‘ଝଡ଼’ ଭଳି ଏ ‘ଝଡ଼’ ମଧ୍ୟ ସାମାଜିକ ବିପ୍ଳବର ଝଡ଼ । ବିପ୍ଳବୀ କବି କାଳର ଦୁଃଖ, ଦୈନ୍ୟ ଓ ବେଦନାକୁ ଝଡ଼ର ଫୁତ୍‌କାରରେ ବିଲୀନ କରି ଦେବାକୁ ଚାହେଁ ।

 

ତା’ର ଜୀବନ ଚିର ଚଳମାନ । ତାହା କେବଳ ଫୁଲର ଫସଲ ନୁହେଁ, ସ୍ୱପ୍ନର ମୀନାର ନୁହେଁ । ଜୀବନର ଏକ ପାର୍ଶ୍ୱରେ ଶୋଷକର ଖଡ଼୍‌ଗାଘାତ । ଅନ୍ୟ ପାର୍ଶ୍ୱରେ ଶୋଷିତର ଅଶ୍ରୁଧାରା-। ପଛକୁ ଆଖି ଫେରାଇଲେ ମରୁଭୂମିର ମୃତ୍ୟୁ-ନାଚ । ସମ୍ମୁଖରେ ସମର ବିଧ୍ୱସ୍ତ ବିଶ୍ୱର ଘନ କୁହେଳିକା-

 

‘‘ତମେ କି ଜାଣୁଚ ସେ ପାଖେ ଖଡ଼୍‌ଗ

ଏ ପାଖେ ଅଶ୍ରୁଧାରା

ପଶ୍ଚାତେ ନାଚେ ମରୁ !

ସମ୍ମୁଖେ ଥରେ ଘନ-କୁଜ୍‌ଝଟି ରଣ

ଉଦ୍‌ଯାନ ତାରା ।’’ (୧୫)

 

(୧୫) ନିଜ ବନ୍ଦନା ପଦେ-ଅନନ୍ତ ପଟ୍ଟନାୟକ

 

‘ତମେ’ ଏଠାରେ ରୋମାଣ୍ଟିକ୍‌ କାବ୍ୟ ନାୟିକା, ଯାହାକୁ କାବ୍ୟ-ନାୟକ ଜୀବନ ସଚେତନ ହେବା ପାଇଁ ଆହ୍ୱାନ ଦିଏ । ଅବଶ୍ୟ କବି ଚେତନା ପାଇଁ ଉଭୟ ସ୍ୱପ୍ନ ଓ ସଂଗ୍ରାମ ଏକ ଏକ ଅନିବାର୍ଯ୍ୟ ଆବଶ୍ୟକତା । ଏ ସ୍ୱପ୍ନ ତାକୁ ବଞ୍ଚିବାର ଆଶା ଓ ବିଶ୍ୱାସ ଦିଏ । ସେ ଆଶା ଓ ବିଶ୍ୱାସର କୁସୁମରେ କବି ନୈରାଶ୍ୟଦଗ୍‌ଧ ଜନତାର ନୟନ ପଥରେ ଅର୍ଘ୍ୟ ଦିଏ । ପକ୍ଷାନ୍ତରେ ଜୀବନର କୋଣାର୍କ-ରଥ ହିମ-ଶୀତଳତାରେ ସ୍ଥବିର ହୋଇ ପଡ଼ିବା ବେଳେ ସେ ସୂର୍ଯ୍ୟର ରୋଷଣି ଜାଳେ-

 

‘‘ମୁଁ କି ଢାଳୁ ନାହିଁ କୁସୁମ ଅର୍ଘ୍ୟ

 

ଦଗ୍‌ଧ ନୟନ ପଥେ

ମୁଁ କି ଢାଳୁ ନାହିଁ ସୂର୍ଯ୍ୟ ରୋଷଣି

 

ହିମ କୋଣାର୍କ ରଥେ ।’’ (୧୬)

 

(୧୬)

ତତ୍ରୈବ

 

‘ସୂର୍ଯ୍ୟ ରୋଷଣି’ ଏଠାରେ ବାସ୍ତବ ଜୀବନ-ସଂଗ୍ରାମର ପ୍ରତୀକ ।

ଅନନ୍ତ ପଟ୍ଟନାୟକଙ୍କ କାବ୍ୟ-ନାୟିକା ଭଳି ବୈକୁଣ୍ଠନାଥଙ୍କ କାବ୍ୟ-ନାୟିକା ସ୍ୱପ୍ନମୟୀ ନୁହେଁ, ବାସ୍ତବ ଧର୍ମୀ । ତା’ର ଅଭୀପ୍‌ସା-ଜୀବନର ସକଳ ସ୍ୱପ୍ନ, ବାସ୍ତବତାର ଭିତ୍ତି ଭୂମିରେ ଅବତୀର୍ଣ୍ଣ ହେଉ । କାଳର ଅନ୍ଧକାରମୟ ସମୁଦ୍ର ମଧ୍ୟରୁ ଅମୂଲ୍ୟ ରତ୍ନର ଅନୁସନ୍ଧାନ ହେଉଚି ତା’ର ସ୍ୱପ୍ନ । ଏ ଅମୂଲ୍ୟ ରତ୍ନ ବାସ୍ତବ ଜୀବନ-ସତ୍ତାର ପ୍ରତୀକ । ନାୟିକାର କାମନା, ଜୀବନର ସମସ୍ତ ସଂଘର୍ଷ ଓ ସଂଘାତ ମଧ୍ୟରେ ତା’ର ସୀମନ୍ତ ସିନ୍ଦୂର ଅକ୍ଷୁର୍ଣ୍ଣ ରହୁ-

 

‘‘ବାସ୍ତବେ, ରଚିବା ବନ୍ଧୁ ଜୀବନର ସକଳ ସ୍ୱପନ

କାଳ-ସିନ୍ଧୁ ଅନ୍ଧକାରୁ ଖୋଜି ନେବା ଅମୂଲ୍ୟ ରତନ

ଚିର ଅଭିପ୍ରାୟ ତୁମ ଅନଭିଜ୍ଞା ବାଳିକା ବଧୂର,

ସଂଗ୍ରାମେ ଅକ୍ଷତ ସତେ ହେବ ମୋର ସୀମନ୍ତ ସିନ୍ଦୂର ।’’ (୧୭)

 

(୧୭)

ପ୍ରଣୟର ଆଦ୍ୟାଶଙ୍କା-ବୈକୁଣ୍ଠନାଥ ଗ୍ରନ୍ଥାବଳୀ (୧ମ ଭାଗ) ପୃ. ୪୩୬ ।

 

କବି ରାଉତରାୟଙ୍କ କାବ୍ୟ-ନାୟିକା, ନାୟକଙ୍କୁ ସ୍ୱପ୍ନ ଦେଖେ । ନାୟକ ପାଇଁ ରାଜଦ୍ରୋହ କରେ । ଦେଶ ପ୍ରତି ବିଶ୍ୱାସ ଘାତକତା କରେ । ପିତାର ଅମଙ୍ଗଳ କାମନା କରେ । କାବ୍ୟ-ନାୟକ କିନ୍ତୁ ନୈତିକତାର ମୂର୍ତ୍ତିମାନ ବିଗ୍ରହ । ସୁତରାଂ ପ୍ରଣୟ-ସ୍ୱପ୍ନରେ ଅଧୀର କାବ୍ୟ-ନାୟିକାର ସୁକୁମାର ଚେତନା ବାସ୍ତବ ଜୀବନ-ସଂଘର୍ଷର ଆଘାତରେ ଚୂର୍ଣ୍ଣ ବିଚୂର୍ଣ୍ଣ ହୁଏ-

 

‘‘କ୍ଷଣିକ ସପନଚୂରେ ବାସ୍ତବର ନିଠୁର ହୁଙ୍କାର

x            x            x

ଆଜିର ଏ ଶୀତସନ୍ଧ୍ୟା ବହି ଆଣେ କେତେ ଦୀର୍ଘଶ୍ୱାସ

ଚୂର୍ଣ୍ଣ-ସପନର ଫେନ ଫାଙ୍କେ ଫାଙ୍କେ ଲଭେ ତା’ ପ୍ରକାଶ ।’’ (୧୮)

 

(୧୮)

ଅସମାପିକା-ପାଣ୍ଡୁଲିପି - ସଚି ରାଉତରାୟ ଗ୍ରନ୍ଥାବଳୀ ପୃ. ୪୦ ।

 

‘କୃଷ୍ଣାନଦୀ ବୋହିଯାଏ ଧୀରେ’ରେ କାବ୍ୟ-ନାୟକ ବାସ୍ତବ ଜୀବନ-ସଂଗ୍ରାମର ଆହ୍ୱାନରେ ସ୍ୱପ୍ନମେଦୁର ଜୀବନଦୃଷ୍ଟିକୁ ପ୍ରତ୍ୟାଖ୍ୟାନ କରିଚି । ‘କୃଷ୍ଣାନଦୀ’ ଶଂସିତ କବିତାରେ ରୋମାଣ୍ଟିକ ଜୀବନ-ସ୍ୱପ୍ନର ପ୍ରତୀକ । ଜୀବନର ଆଦ୍ୟ ପାଦରେ ପ୍ରଣୟ ବିଧୂର କାବ୍ୟ ନାୟକ ପ୍ରଣୟ ସ୍ୱପ୍ନ ତୁଟି ଯିବାପରେ ଉଜ୍ଜୟିନୀ ପଥ ହୋଇ ସିପ୍ରାନଦୀ ଲହରୀ ପହଁରୀ, ରାମଗିରି ପାଦତଳେ ମଥା ନୋଇଁ ଫେରିଆସେ-

 

‘‘ପ୍ରଥମ ପ୍ରଣୟ ନିଶା ତୁଟିଚି ମୋ ମାଟିର ନିଃଶ୍ୱାସେ

ଫେରିଯିବା ଚାଲ ଯିବା ଫେରି

ଉଜ୍ଜୟିନୀ ପଥ ହୋଇ ସିପ୍ରା ନଦୀ ଲହରୀ ପହଁରି

ରାମଗିରି ପାଦେ ନୋଇଁ ମଥା ।’’ (୧୯)

 

(୧୯)

କୃଷ୍ଣା ନଦୀ ବୋହିଯାଏ ଧୀରେ - ସଚି ରାଉତରାୟ ଗ୍ରନ୍ଥାବଳୀ ପୃ. ୧୧୭ ।

 

ରାମଗିରି, କାଳିଦାସଙ୍କ ନିର୍ବାସିତ ବିରହୀ ଯକ୍ଷର ଆଶ୍ରୟସ୍ଥଳୀ । ପ୍ରଣୟମେଦୁର କାମନା କ୍ଷେତ୍ର ରାମଗିରି ପାଦ ତଳେ ମଥା ନୋଇଁବାରୁ ସ୍ପଷ୍ଟ ସୂଚିତ ହୁଏ, କାବ୍ୟ-ନାୟକର ସେ ରୋମାଣ୍ଟିକ୍‌ ଜୀବନ-ସ୍ୱପ୍ନ ପ୍ରତି ବିଶ୍ୱସ୍ତତା ରହିଚି ।

 

କିନ୍ତୁ ତା’ର ଲକ୍ଷ୍ୟସ୍ଥଳ ହେଉଚି ଇସ୍ପାତ୍‌ ନଗରୀ-‘‘ଫେରିଯିବା ଚାଲ ପ୍ରିୟା/ଶୁଣ, ଶୁଣ ବଡ଼ ରୁକ୍ଷ କଥା/ଫେରିଯିବା ଇସ୍ପାତ୍‌ ନଗରେ/ଲୁହାର ଆହ୍ୱାନ ଆସେ ମୋର ଏଇ ମାଂସପେଶୀ ତଳେ ।’’ (୨୦)

 

(୨୦)

ତତ୍ରୈବ ପୃ. ୧୧୭ ।

 

ମାଂସପେଶୀ ତଳେ ଲୁହାର ଆହ୍ୱାନ, ସଂଗ୍ରାମୀ ଜୀବନ-ଦର୍ଶନ ପ୍ରତି କାବ୍ୟ-ନାୟକର ସ୍ୱୀକୃତି ସୂଚାଏ । ସ୍ୱପ୍ନାତୁର ଆଷାଢ଼ର ସୀମା ଅତିକ୍ରମ କରି ସେ ବାସ୍ତବ ଜଗତର ଧୂସର ଦ୍ରାଘିମାକୁ ଛୁଏଁ-

 

‘‘ଆଘାତ ଓ ସଂଘର୍ଷ ଭିତରୁ ଜାତ ହେଉ

ବଞ୍ଚିବାର ନୂଆ ପଥ, ଜୀବନର ନୂଆ ନୂଆ ଛାଞ୍ଚ

ଚାହେଁନା ଆଳସ୍ୟ, ଶାନ୍ତି, କାବ୍ୟମୟ ସହଜ ରୋମାଞ୍ଚ ।’’ (୨୧)

 

(୨୧)

ଭାରସାମ୍ୟ - ପୃ. ୧୫୮

 

ଆଘାତ-ପ୍ରତ୍ୟାଘାତ, ସଂଘର୍ଷ-ସଙ୍କଟ ମଧ୍ୟରେ ସେ ଜୀବନର ନୂତନ ସ୍ୱରଲିପି ସୃଷ୍ଟି କରିବାକୁ ଉଦ୍ୟମ କରେ । ଆଳସ୍ୟ, ରୋମାଞ୍ଚ, ଏପରିକି ଶାନ୍ତି ମଧ୍ୟ ତା’ର କାମ୍ୟ ନୁହେଁ । ସେ ସଂଗ୍ରାମ ଚାହେଁ । ବିଦ୍ରୋହ ଓ ବିଦ୍ରୂପ ମାଧ୍ୟମରେ ସମାଜକୁ ଶୃଙ୍ଖଳିତ କରେ-

 

ପୂର୍ଣ୍ଣ କର ଶୂନ୍ୟ ମୋ ତୂଣୀ/ଦୁଇଟି ବିଷମ ବାଣେ/ବିଦ୍ରୋହ ଓ ବିଦ୍ରୂପରେ ପୁଣି/ସଂଗ୍ରାମ ମୋ ବୃତ୍ତି ହେଉ/ବିଦ୍ରୂପ ଉଜ୍ଜ୍ୱଳ କରୁ ମୋର/ଅବସର/ସେଥିରୁ ଗୋଟିଏ ଦିଅ/କିମ୍ବା ଦିଅ/ଏହି ଦୁଇ ଶର’’ (୨୨)

 

(୨୨)

ଭାରସାମ୍ୟ, - ପୃ. ୧୫୮-୫୯

 

କାବ୍ୟ-ନାୟକର ଜୀବନ-ଝରର ସ୍ୱପ୍ନଭଙ୍ଗ ହୁଏ । ତା’ର ଶୂନ୍ୟ-ସଞ୍ଚାରୀ ସ୍ୱପ୍ନ-ପ୍ରବଣ ମନ, ଭୂମିର ଉଷ୍ଣତା ଚାହେଁ-

 

‘‘ବର ମାଗେ ମୁଁ ତ

ଗୋଟିଏ କେବଳ-

ଦିଅ ଏକ ପାଦ ଭୂମି

ଢାଙ୍କିବାକୁ ଶୂନ୍ୟତା ମୋ ଉର୍ଦ୍ଧ୍ୱାୟିତ ଅପର ପାଦର ।’’ (୨୩)

 

(୨୩)

ତତ୍ରୈବ-ପୃ. ୧୫୯

କବି କେବଳ ସ୍ୱପ୍ନଚାରୀ ନୁହେଁ, ସେ ମଧ୍ୟ କ୍ରାନ୍ତିଦର୍ଶୀ । ସାମାଜିକ ଜୀବନର ବୈଷମ୍ୟ ବିରୋଧରେ ସେ ସ୍ୱର ଉତ୍ତୋଳନ କରେ । ଯୁଗ ଯୁଗ ଧରି ରାଜନୀତିକ ନେତୃବୃନ୍ଦ ଜନତାର ଆଖିରେ ଯେଉଁ ସୁବର୍ଣ୍ଣ ସ୍ୱପ୍ନର ଅଞ୍ଜନ ଲେପି ଦେଇଥିଲେ, କବି ସେ ସ୍ୱପ୍ନ-ଅଞ୍ଜନକୁ ପୋଛି ଦେବା ପାଇଁ ସଂଗ୍ରାମ କରେ । ନିରନ୍ନ ଜନତା ପାଇଁ ସୁନାର ସ୍ୱପ୍ନ ନିରର୍ଥକ ବୋଲି ଘୋଷଣା କରେ-

 

‘‘ସୁନାର ଫସଲ ଦେଶେ ଦୈନ୍ୟରେ ଶୋଷିତ ଯା’ ରକତ

ମୁକ୍ତି କି ମହନୀୟ ବୁଝିବ ସେ ହେବ ତା’ର ଭକତ

ହୁଏତ ବା ନିର୍ଜୀବ ପାଉଥିବ ସୁନାର ସେ ସ୍ୱାପ୍ନିକ ପରଶ

ଅଭାବୀର ହସ କାହିଁ, ରସ କାହିଁ, କାହିଁ କହ ହରଷ ?’’ (୨୪)

 

(୨୪)

କାଠଘୋଡ଼ା ପାଣି ପି’ - ପିଙ୍ଗଳାର ସୂର୍ଯ୍ୟ - ବେଣୁଧର ରାଉତ, ପୃ.୩୮

 

ବୁଭୁକ୍ଷୁ ଜନସାଧାରଣଙ୍କ ପାଇଁ ମୁକ୍ତିର ସଂଜ୍ଞା ନିରର୍ଥକ । ତା’ର ଚେତନା, ପ୍ରାଣ ସ୍ପନ୍ଦନହୀନ । ତେଣୁ ସୁବିଧାବାଦୀ ଗୋଷ୍ଠୀର ସମୃଦ୍ଧ, ସମ୍ଭାବ୍ୟ ସ୍ୱପ୍ନ ତା’ ପାଇଁ ଅନାବଶ୍ୟକ ।

 

କବି ବେଣୁଧର ରାଉତଙ୍କ ‘କାଠଘୋଡ଼ା ପାଣି ପି’ର ‘କାଠଘୋଡ଼ା’, ଏହି ପ୍ରାଣସ୍ପନ୍ଦନହୀନ ସାଧାରଣ ଜନତା । ଏ କାଠଘୋଡ଼ା, ନେତୃବର୍ଗଙ୍କ ପ୍ରତାରଣାର ଜାଲକୁ ପ୍ରତିହତ କରିପାରେ ନାହିଁ-। ସୁବିଧାବାଦୀ ନେତୃବର୍ଗ ତାକୁ ଯେଉଁ ଭୂସ୍ୱର୍ଗର ସୂଚନା ଦିଅନ୍ତି, ସେ ଭୂସ୍ୱର୍ଗକୁ ବାସ୍ତବ ଜୀବନ-ପରିଧି ମଧ୍ୟରେ ସେ କେବେ ହାସଲ କରିପାରେ ନାହିଁ । ପାଣି ପି’ ପାରୁନଥିବା କାଠଘୋଡ଼ାକୁ ଏକ ଲୋଭନୀୟ ପୁଷ୍କରିଣୀ ତୀରରେ ଠିଆ କରାଇଦେଲେ ବି, ସେ ତା’ର ସ୍ଥାଣୁତ୍ୱରୁ ମୁକ୍ତି ପାଏ ନାହିଁ-

 

‘‘କାଠଘୋଡ଼ା ପାଣି ପି’ରେ ପାଣି ପି’

ରାଜାଘର ପୋଖରୀ ଏ ଜାଣି ପି’

ସକାଳ ଓ ସଞ୍ଜର ପରଶରେ ସ୍ୱର୍ଣ୍ଣ

ଖେଳିଯାଏ ତୋଳି ଏଠି ସପନର ବର୍ଣ୍ଣ ।’’ (୨୫)

 

(୨୫)

କାଠ ଘୋଡ଼ା ପାଣି ପି’ -ପିଙ୍ଗଳାର ସୂର୍ଯ୍ୟ-ବେଣୁଧର ରାଉତ ପୃ. ୩୯

 

‘ରାଜାଘର ପୋଖରୀ’ ଏଠାରେ ଐଶ୍ୱର୍ଯ୍ୟ ଓ ବିଳାସର ପ୍ରତୀକ । ‘ପୋଖରୀ’ରେ ସକାଳ ଓ ସଞ୍ଜରେ ସୂର୍ଯ୍ୟର ସ୍ପର୍ଶ ଏକ ସ୍ୱପ୍ନିଳ ବର୍ଣ୍ଣବିଭା ସୃଷ୍ଟି କରେ । ରାତିରେ ଚନ୍ଦ୍ରାଲୋକର ବିଳାସ ମଧ୍ୟରେ ସେ ନିଶାଗ୍ରସ୍ତ ହୁଏ । କିନ୍ତୁ ନିଷ୍ପ୍ରାଣ ଜନଗଣ ପାଇଁ ଏ ସରସୀ ଜଳ, ଜଳ ନୁହେଁ, ମରୁଭୂମିର ମରୀଚିକା ମାତ୍ର । ତେଣୁ ବିଳାସୀ ନେତୃବର୍ଗଙ୍କ ସ୍ୱପ୍ନମେଦୁର ଜୀବନ-ଜଳ ସେ ପାନ କରିପାରେ ନାହିଁ । କବି, ସେଇ ନିଷ୍ପ୍ରାଣ ଜନସାଧାରଣକୁ ଉତ୍ତିଷ୍ଠିତ, ଜାଗ୍ରତର ବାର୍ତ୍ତାଦିଏ । ଯୁଗ ଯୁଗର ନିପୀଡ଼ିତ ପ୍ରାଣରେ ସଂଗ୍ରାମର ବହ୍ନି ସଂଯୋଗ କରେ ।

 

କବି ସୀତାକାନ୍ତ ମହାପାତ୍ରଙ୍କ ଭାଷାରେ କବିତା ଏକ ଫେନୋଦ୍‌ଗାରୀ ଜଳପ୍ରପାତ ନୁହେଁ ସହର ତଳିର, ରାସ୍ତାକଡ଼ର ପାଣି କଳ । ପ୍ରାତ୍ୟହିକ ଜୀବନ ଯୁଦ୍ଧ ସହ ଜଡ଼ିତ-

 

‘‘ତମେ ଗର୍ଜମାନ ଫେନୋଦ୍‌ଗାରୀ

 

ଜଳ ପ୍ରପାତ ନୁହେଁ

ତମେ ସହର ତଳି ରାସ୍ତାକଡ଼ର

 

ପାଣି କଳ ।’’ (୨୬)

 

ସେ ପାଣି କଳର ଚତୁପାର୍ଶ୍ୱରେ ‘ହାଣ୍ଡି/ମାଠିଆ/ବାଲ୍‌ଟି/ଗରା/ଠିଆ/ଧାଡ଼ି/ମାରି’ । ପ୍ରାତ୍ୟହିକ ଜୀବନର ଏ ଗତାନୁଗତିକ ଧାରା ଭିତରେ କବି ସ୍ୱପ୍ନିଳ ଇନ୍ଦ୍ରଧନୁର ଆଭାସ ପାଏ-‘ବାଲ୍‌‌ଟିରେ ପାଣି ଝରେ/ଧୀରେ/ଅତି ଧୀରେ/ଟପ୍‌/ଟପ୍‌/ଟପ୍‌/ମୃଦୁ ତାନ/ବାଲ୍‌ଟି/ଉଠୁଚି/ପୂରି/ପାଣିର ଫୋଟକା ଫାଟେ/ତା’ ଉପରେ/ଇନ୍ଦ୍ରଧନୁ ।’’ (୨୬)

 

(୨୬)

ଅଶ୍ରୁ ଓ ସ୍ୱାଦ-ଦୀପ୍ତି ଓ ଦ୍ୟୁତି, ସୀତାକାନ୍ତ ମହାପାତ୍ର ପୃ. ୧ ।

 

ବସ୍ତୁତଃ ଜୀବନ-ସଂଗ୍ରାମ ଭିତରେ ଯେଉଁ ସ୍ୱପ୍ନମୟ ଛନ୍ଦ ରହିଚି, ତାହା ପାଣି ଝରିବାର ମୃଦୁ ତାନ ମଧ୍ୟରେ ସୂଚିତ । କବିତା ଜୀବନର ଅଶ୍ରୁର ସ୍ୱରଲିପି ରଚନା କରେ ସତ, କିନ୍ତୁ ସେ ଅଶ୍ରୁର ମଧ୍ୟ ଏକ ନିଜଶ୍ୱ ସ୍ୱାଦ ରହିଚି, ସ୍ୱପ୍ନ ରହିଚି, ଆହ୍ଲାଦ ରହିଚି-

 

‘‘ତମେ କିଞ୍ଚିତ୍‌ ସ୍ୱପ୍ନ

ଟିକିଏ ସ୍ୱାଦ

ଟୋପାଏ ଅଶ୍ରୁ

ଚେନାଏ ଆହ୍ଲାଦ ।’’ (୨୭)

 

(୨୭)

ତତ୍ରୈବ, ପୃ. ୨

 

ଜୀବନର କୁରୁକ୍ଷେତ୍ରରେ ସଂଗ୍ରାମ ଏକ ଅନିବାର୍ଯ୍ୟ ପରିଣତି । କିନ୍ତୁ ଏ ସଂଗ୍ରାମ, ସତ୍ୟ ଓ ଶାନ୍ତିର ସଂସ୍ଥାପନା ପାଇଁ । ସୁତରାଂ ସଂଗ୍ରାମୀ-ଜୀବନବୋଧ ନଥିଲେ ଶାନ୍ତିର ସ୍ୱପ୍ନ ଅର୍ଥହୀନ । ଶାନ୍ତିର ସ୍ୱପ୍ନ ନଥିଲେ ସଂଗ୍ରାମୀ ଜୀବନବୋଧ ନିରର୍ଥକ । ଅନ୍ୟ କଥାରେ କହିଲେ ଜୀବନ କେବଳ ସଂଗ୍ରାମ କଣ୍ଟକିତ ନୁହେଁ, ସ୍ୱପ୍ନର ଆବେଗରେ କୁସୁମିତ ମଧ୍ୟ-

 

‘‘ସଂଗ୍ରାମ ଓ ସପନର କୁସୁମିତ କୋଳାହଳେ

ଟିକେ କାନ ଡେରି ଶୁଣ

ଯନ୍ତ୍ରଣା ଓ ଲୋତକର

ଏ ଆଦିମ ମହାନ୍‌ ସଙ୍ଗୀତ ।’’ (୨୮)

 

(୨୮)

ଶର ଶଯ୍ୟା - ଶବଦର ଆକାଶ, ସୀତାକାନ୍ତ ମହାପାତ୍ର ପୃ. ୪୬

 

ଜୀବନର କଣ୍ଟକିତ ଶରଶଯ୍ୟାରେ ଶାୟିତ ବ୍ୟକ୍ତିସତ୍ତା, ଯନ୍ତ୍ରଣାଦଗ୍‌ଧ, ଲୋତକସ୍ନାତ ଚେତନାରେ ମଧ୍ୟ, ଜୀବନ ସ୍ୱପ୍ନର ସଙ୍ଗୀତ ଶୁଣାଇପାରେ ।

 

କାବ୍ୟ-ପୃଥିବୀ ତଥା କାବ୍ୟାନୁଭବ କିଭଳି ସ୍ୱପ୍ନ ଓ ସଂଗ୍ରାମର ମିଶ୍ରିତ ସ୍ୱର, ତା’ର ସୂଚନା ମଧ୍ୟ ଦେଇଚନ୍ତି ସୀତାକାନ୍ତ ମାହାପାତ୍ର ତାଙ୍କର ‘ସାଇରନ ଓ ବଂଶୀ’ ଶୀର୍ଷକ ନିବନ୍ଧରେ-

 

‘‘କାବ୍ୟ ପୃଥିବୀ ଓ କାବ୍ୟ ଅନୁଭବ ସେଇଠି ସମ୍ଭବ, ଯେଉଁଠି ବସ୍ତୁ ସହିତ ସମ୍ପର୍କ ପ୍ରତ୍ୟକ୍ଷ, ମଣିଷ ସମ୍ପୂର୍ଣ୍ଣ ଆତ୍ମସଚେତନ ଓ ନିଜକୁ ନିଜର ଆବେଗ, ଚିନ୍ତା ଓ କର୍ମର କେନ୍ଦ୍ର ରୂପେ ଦେଖେ । .....x..... x..... ସେଥିପାଇଁ ଖାଲି କୋଠାବାଡ଼ି, ଉଆସ, ନଅର, କଂକ୍ରିଟ୍‌, ଇସ୍ପାତ୍‌ ଲୋଡ଼ା ନୁହେଁ । ସେଥିପାଇଁ ମଧ୍ୟ ବେଶୀ ଦରକାର ପନି କଣ୍ଠି, କାଠିମାଳି, ସଢ଼େଇ ଖେଳ ଓ ସ୍ୱପ୍ନର ପୃଥିବୀ-।’’-(୨୯)

 

(୨୯)

ସାଇରନ୍‌ ଓ ବଂଶୀ-ଭିନ୍ନ ଆକାଶ ଭିନ୍ନ ଦୀପ୍ତି, ସୀତାକାନ୍ତ ମହାପାତ୍ର ପୃ ୬୧

 

କୋଠାବାଡ଼ି, ଉଆସ, ନଅର, କଂକ୍ରିଟ୍‌, ଇସ୍ପାତୀ ସଭ୍ୟତା ମଧ୍ୟରେ ମଣିଷ ଜୀବନ ପାଇଁ ଅହରହ ଅଣନିଃଶ୍ୱାସୀ ଭାବେ ସଂଗ୍ରାମ କରୁଥାଏ । କିନ୍ତୁ ସଂଗ୍ରାମର ଏ ଜଳନିରୁଦ୍ଧ କୋଠରୀ ମଧ୍ୟରେ ମଣିଷର ଏକ ସ୍ୱାଭାବିକ, ଆବେଗମୟ ସତ୍ତା ରହିଚି । ସେ ଆବେଗ ମଧ୍ୟରେ ପନି କଣ୍ଠି, କାଚମାଳି ଓ ସଢ଼େଇ ଖେଳର ଶୈଶବ ଚେତନାକୁ ସ୍ମରଣ କରେ । ସ୍ୱପ୍ନମୟ ପୃଥିବୀର ପରିଧିରେ ପ୍ରାଣସତ୍ତାର ଅନ୍ୱେଷଣ କରେ ।

 

କବି ଚେତନାରେ ଅରଣ୍ୟ-ଆକାଶ-ସିନ୍ଧୁ ର ଆଦିଗନ୍ତ ନୀଳିମାର ବ୍ୟାପକ ବିସ୍ତାର । ସତେ ଅବା ଏ ନୀଳିମା, ସ୍ୱପ୍ନର ଏକ ନୀଳଶିଖା । ସ୍ୱପ୍ନମେଦୁର ଏ ସମୟ ହେଉଚି ରାତ୍ରି । ଆକାଶରେ ଜହ୍ନ ଓ ତାରାର ଉତ୍ସବ । କବି ମାଧବୀ ନିଶିର ସ୍ୱପ୍ନରେ ମଗ୍ନ-

 

‘‘ଅରଣ୍ୟ-ଆକାଶ-ସିନ୍ଧୁ ଆଦିଗନ୍ତ ମୋହର ନୀଳିମା

ପରିବ୍ୟାପ୍ତ ଅଧଃ ଊର୍ଦ୍ଧ୍ୱେ-ନୀଳଶିଖା ସତେ ବା ସ୍ୱପ୍ନର

ଜହ୍ନ ତାରା ଉତ୍ସବରେ ମିଶିଥିଲା ମୋ କଣ୍ଠର ଗୀତି

ଆହ୍ଲାଦେ ମୁଁ ଦେଖୁଥିଲି ସ୍ୱପ୍ନ ଏକ ମାଧବୀ ନିଶିର ।’’ (୩୦)

 

(୩୦)

ନିଷ୍ଫଳ ଅନ୍ତର ମୋର - ତୃତୀୟ ଚକ୍ଷୁ, ଚିନ୍ତାମଣି ବେହେରା ପୃ. ୫୯

 

କିନ୍ତୁ ଦିନର ଆଲୋକରେ ଜୀବନ-ସଂଗ୍ରାମ ପିଷ୍ଟ ନାୟକର ଅସ୍ତିତ୍ୱ ବଡ଼ କରୁଣ, ମ୍ଳାନ ଓ ଅସହାୟ । ରାତ୍ରିର ସ୍ୱାଦ୍ୟ, ସୁନ୍ଦର, ସ୍ୱପ୍ନ ଅସ୍ତମିତ-‘‘ଦିନର ଆଲୋକେ ଯେବେ/ମୁଁ ଦେଖିଲି ଆଇନାରେ ମୁହଁ/ମୋ ଆଖିରେ ମୁଁ ଦିଶିଲି/କି କରୁଣ/ଅସହାୟ ସତେ/ନିର୍ମମ ମୁହୂର୍ତ୍ତ/ ଏକ/ଶୋଷିନେଲା/ ସବୁ/ନୀଳସୁରା/ ଶୀର୍ଣ୍ଣହେଲା/ ଶ୍ୟାମଶିରୀ/ ନିଜ ତାପେ/ନିଜେ ଦୁର୍ବିସହ-।’’-(୩୧)

(୩୧)

ତତ୍ରୈବ

 

ନାୟକର ଅଶ୍ରୁ ଓ ଶୋକ ବର୍ହିମୁଖୀ ଜୀବନ-ସଂଗ୍ରାମ ପ୍ରସୂତ ନୁହେଁ, ଅନ୍ତର୍ମୁଖୀ ଚେତନା ସହ ସଂଘର୍ଷରୁ ସୃଷ୍ଟ । କିନ୍ତୁ ସେହି ଅଶ୍ରୁ ଓ ଶୋକକୁ ଜୀବନର ଶେଷ ସତ୍ୟ ରୂପେ ସେ ସ୍ୱୀକାର କରେନାହିଁ । ପକ୍ଷାନ୍ତରେ ତାହାକୁ ଅତିକ୍ରମ କରିବା ପାଇଁ ସଂଗ୍ରାମର ରୌଦ୍ର-ଗୀତି ଗାଏ ।

 

ଜୀବନ ଏକ ବୃକ୍ଷ । ‘ଭଗବତ୍‌ ଗୀତା’ର ବୃକ୍ଷଭଳି ରାଜେନ୍ଦ୍ର ପଣ୍ଡାଙ୍କ ‘ଶୈଳକଳ୍ପ’ର ଜୀବନ-ବୃକ୍ଷ, ଉର୍ଦ୍ଧ୍ୱମୂଳ ଓ ଅଧଃଶାଖ । ତା’ର ଚେର ଶୂନ୍ୟ-ସଂଚାରୀ ନୁହେଁ, ଆକାଶସ୍ପର୍ଶୀ । ତା’ର ଶାଖାପ୍ରଶାଖା ପାତାଳସ୍ପର୍ଶୀ । ସେ ସ୍ୱପ୍ନ-ମୁଗ୍‌ଧ ପୁଣି ସଂଗ୍ରାମ-ସଚେତନ । ଆକାଶପାୟୀ ପୁଣି ପାତାଳସ୍ପର୍ଶୀ । ଅବଶ୍ୟ କାବ୍ୟ-ନାୟକର ବେଳେବେଳେ ସ୍ୱପ୍ନଭଙ୍ଗ ହୁଏ । ପ୍ରତିଶ୍ରୁତି, ମିଥ୍ୟାରେ ପରିଣତ ହୁଏ । କୃତଘ୍ନତା ଓ ବିଶ୍ୱାସଘାତକତାର ବଳୟରେ ନାୟକ ବନ୍ଦୀହୁଏ-

 

‘‘ମୁକ୍ତି ନାହିଁ ସ୍ୱପ୍ନ ଆଉ ସ୍ୱପ୍ନଭଙ୍ଗରୁ

ମୁକ୍ତି ନାହିଁ ପ୍ରତିଶ୍ରୁତି ଦେବାରୁ ଆଉ ଭାଙ୍ଗି ଦେବାରୁ

କୃତଘ୍ନତାରୁ, ବିଶ୍ୱାସଘାତକତାରୁ ।’’ (୩୨)

 

(୩୨)

ଉପନଦୀ, ପ୍ରତିନଦୀ, ଶୈଳକଳ୍ପ, ପୃ. ୭୯

 

ନାୟକ ନଦୀ, ସମୁଦ୍ରକୁ ଯାତ୍ରା କରିବାବେଳେ, ନାୟିକା ଉପନଦୀକୁ ପ୍ରତିଶ୍ରୁତି ଦିଏ, ପୁଣି ଥରେ ଫେରିଆସିବା ପାଇଁ, ତା’ର ସିକତା ଶଯ୍ୟାକୁ । ‘ନଦୀ’ ଏଠାରେ ବ୍ୟକ୍ତିସତ୍ତାର ପ୍ରତୀକ, ଯାହାର ଲକ୍ଷ୍ୟ ସାଗର ସନ୍ଧାନ । କିନ୍ତୁ ସାଂସାରିକ ବନ୍ଧନ ମଧ୍ୟରେ ସେ ଲକ୍ଷ୍ୟଭ୍ରଷ୍ଟ ହୁଏ । ମହାଚେତନାର ଅନୁସନ୍ଧାନ ରୂପାନ୍ତରିତ ହୁଏ ଆତ୍ମାନୁସନ୍ଧାନରେ-‘‘ଅନୁକ୍ଷଣ/ଖୋଜିବାକୁ ଦିଅ/ଏ ଚେରକୁ/ତା’ ନିଜର ଚେର/ଏପରି ସନ୍ଧାନ କାହିଁ/ପ୍ରତ୍ୟକ୍ଷ/ବା ପରୋକ୍ଷରେ/ଯାହା ନୁହେଁ/ ନିଜକୁଇ/ସନ୍ଧାନ ନିଜର ?’’ (୩୩)

 

(୩୩)

ଆକାଶପାୟୀ, ପାତାଳସ୍ପର୍ଶୀ, ଶୈଳକଳ୍ପ ପୃ. ୪୯

 

କବିତା ତେଣୁ ସେଠାରେ କବି ରାଉତରାୟଙ୍କ ଭାଷାରେ ‘ନିଜରଇ ଆକୁଳ ସନ୍ଧାନ’ । କିନ୍ତୁ ସେ କବିତାରେ ଏ ସନ୍ଧାନ, ଆତ୍ମାନୁସନ୍ଧାନରେ ସୀମାବଦ୍ଧ ନ ରହି ସୃଷ୍ଟିର ଶୁଭ ସ୍ୱପ୍ନରେ ସଂଦୀପ୍ତ ହୁଏ । କବିର ସ୍ୱପ୍ନ ସେଥିପାଇଁ ଜୀବନ ବୃକ୍ଷ ଯଥା ସମୟରେ ପୁଷ୍ପିତ ହେଉ-

 

‘‘ଗୋଟିଏ ବୋଲି ଗୋଟିଏ ଫୁଲ

ଫୁଟିବ ବେଳ ଆଖର ହେଲେ ।’’ (୩୪)

 

(୩୪)

ଆକାଶପାୟୀ, ପାତାଳସ୍ପର୍ଶୀ, ଶୈଳକଳ୍ପ ପୃ. ୪୭

 

ସାରା ଜୀବନ ତମଃ ସଂସାରରେ ସଂଗ୍ରାମଦଗ୍‌ଧ ହେଲେ ମଧ୍ୟ ସେଇ ଗୋଟିଏ ଫୁଲର ସ୍ୱପ୍ନରେ କବି ଜୀବନଧାରଣ କରେ-

 

‘‘ସେ ଟିକକ ସ୍ୱପ୍ନ ପାଇଁ

ଜାଗରୂକ ଜଗନ୍ମୟ

ମୂଳସତ୍ତା ମୋର ।’’ (୩୫)

 

(୩୫) ତତ୍ରୈବ ପୃ. ୫୦

 

ରମାକାନ୍ତଙ୍କ କବିତାରେ ମୃତ୍ୟୁ ସହ ଜୀବନର ନିରବଚ୍ଛିନ୍ନ ସଂଗ୍ରାମ । ନାୟକର ଚେତନା ମୃତ୍ୟୁର ଆସନ୍ନ ପଦଧ୍ୱନିରେ ବିବର୍ଣ୍ଣ, ଶ୍ୱାସରୁଦ୍ଧ-‘‘ଏଣିକି/ନିଶ୍ୱାସ ମୋର/ଖୁବ୍‌ ଭାରି/ଅଟକୁଚି ଶ୍ୱାସନଳୀ/ଓ ନାକ ପୁଡ଼ାରେ/ମୁଁ ଫେରି ଆସିଛି/ମୋର ଆଶା ଶୂନ୍ୟ ଅନନ୍ତ କାଳର/ହିଂସ୍ରତାକୁ/ଓ ଅଣନିଃଶ୍ୱାସୀ/ହୃଦ୍‌ଯନ୍ତ୍ରର/ଅନ୍ତିମ ଦିନକୁ ।’’ (୩୬)

 

(୩୬)

ଆମେ ଦୁହେଁ - ସଚିତ୍ର ଅନ୍ଧାର, ପୃ. ୮୪ ।

 

କିନ୍ତୁ କବିର ସ୍ୱପ୍ନପ୍ରବଣ ଜୀବନଧାରା, ମୃତ୍ୟୁମୁଖୀ ଏ ସତ୍ତାଠାରୁ ସଂପୂର୍ଣ୍ଣ ଭିନ୍ନଧର୍ମୀ । ଜୀବନର ଫୁଲର ନାୟକ ଦିନେ ଅମରତ୍ୱର କାକର ଟୋପା ସିଞ୍ଚିଥିଲା-

 

‘‘ତମର ପାଖୁଡ଼ା ସବୁ ଛୁଇଁଚି ମୁଁ, ସେଥିରେ ଲଦିଚି

କେତେ ଯେ କାକର ଟୋପା ମୋ ଅମରତ୍ୱର’’ (୩୭)

 

(୩୭)

ତତ୍ରୈବ ପୃ. ୮୫

 

ଫୁଲର ରଙ୍ଗ ଓ ସୁବାସର ମୂଳକେନ୍ଦ୍ର ନ ଜାଣିଲେ ବି ଆପଣାର ରଙ୍ଗ ଓ ମହକରେ ସେଇ ଫୁଲର ସାମଞ୍ଜସ୍ୟ ନାୟକ ଲକ୍ଷ୍ୟ କରିଚି । କିନ୍ତୁ ଜୀବନର ବୃକ୍ଷ ଅଚାନକ ପତ୍ରଝଡ଼ା ଦେଇଚି । ଯଦିଓ ସେଥିରେ ଫୁଟିବାକୁ ବାକିଥିବା ଫୁଲର ବାସ୍ନା ମହକୁଚି, ନାୟକ କିନ୍ତୁ ଜୀବନ ସଂଗ୍ରାମରେ କ୍ଷତ ବିକ୍ଷତ ହୋଇ ଫେରି ଆସିଛି ବାର୍ଦ୍ଧକ୍ୟକୁ । ଜୀବନର ସଂଗ୍ରାମର ଏ ବେଦନାଦାୟକ ପରିଣତି ସଂପର୍କରେ ନାୟକ ସଚେତନ । କାରଣ ଜୀବନ ସହ ବିଚ୍ଛେଦ ଓ ଶେଷସ୍ଥିତି ବାର୍ଦ୍ଧକ୍ୟ, ପୂର୍ବ ନିରୂପିତ-

 

‘‘ପତ୍ର ଝଡ଼ିଯାଇଥିବା ଗଛଙ୍କର;

ଫୁଟିବାକୁ ବାକିଥିବା ଫୁଲମାନଙ୍କର ପ୍ରତିଜ୍ଞାର ବାସ୍ନା ଚମକୁଚି ।

ମୁଁ କ୍ଷତ ବିକ୍ଷତ ହୋଇ ପୂର୍ବ ନିରୂପିତ

ବିଚ୍ଛେଦ ଓ ବାର୍ଦ୍ଧକ୍ୟକୁ ଲେଉଟି ଆସିଚି ’’ (୩୭)

 

(୩୭)

ଆମେ ଦୁହେଁ - ସଚିତ୍ର ଅନ୍ଧକାର, ପୃ. ୮୬

 

ସୁତରାଂ ନାୟକ ତା’ର ଜୀବନ-ସ୍ୱପ୍ନରୁ ବିଚ୍ଛିନ୍ନ ହୋଇଚି-‘‘ମୁଁ ଆଉ ଚାଲୁନି/ମୋର/ ଆତ୍ମାର/ନିର୍ମଳ ରକ୍ତରେ ଚଞ୍ଚଳ/ସ୍ୱପ୍ନମାନଙ୍କ ସହିତ/ଛନ୍ଦି ଦେଇ/ବାହୁରେ/ବାହୁକୁ ।’’ (୩୮)

 

(୩୮)

ତତ୍ରୈବ ପୃ. ୮୪

 

କାବ୍ୟ-ନାୟକର ସ୍ୱପ୍ନ ସେଇ ସୁନ୍ଦର ଫୁଲ ଭଳି ନିର୍ମଳ, ନିଷ୍ପାପ । ତାହା ପୁଣି ଆତ୍ମା ସହ ସଂପୃକ୍ତ । ରକ୍ତ କଣିକା ସହ ଜଡ଼ିତ । କିନ୍ତୁ ସାଂପ୍ରତିକ ଜୀବନବୋଧ ଏହି ପୁଷ୍ପିତ ଆତ୍ମିକ ଚେତନା ପରିବର୍ତ୍ତେ ଅନ୍ତଃସାରଶୂନ୍ୟ ଭୌତିକ ଆସକ୍ତି ମଧ୍ୟରେ ସୀମାବଦ୍ଧ । ଜୀବନ ଏକ ଅର୍ଥବିହୀନ ଶବ୍ଦ ଭଳି ଫମ୍ପା । ଅର୍ଥ ବ୍ୟତିରେକେ/ମାଳ ମାଳ ଶବ୍ଦ/ଅସୁସ୍ଥତା ମଧ୍ୟରେ ଏହା ପ୍ରକଟିତ । ଏହି ଅନ୍ତଃସାରଶୂନା ଭୌତିକ ସଭ୍ୟତା ମଧ୍ୟରେ କାବ୍ୟ-ନାୟକ ଜୀବନ ସହ ସଂଗ୍ରାମ କରୁ କରୁ ତା’ର ଜୀବନ-ସତ୍ତା ଧୀରେ ଧୀରେ କ୍ଷୀଣ ହୋଇଆସେ । ‘ପବନ ନ ଥିବା କଣା ବେଲୁନ୍‌’ ଭଳି ଏକ ଦୃଶ୍ୟଧର୍ମୀ ରୂପକଳ୍ପ ମାଧ୍ୟମରେ ଏହା ସୂଚିତ-

 

‘‘ପବନ ନ ଥିବା କଣା ବେଲୁନ୍‌ ପରି ମୋ

ଦେହର ଅନିୟନ୍ତ୍ରିତ ଝୁଲିବା ଅବସ୍ଥା ।’’ (୩୯)

 

(୩୯)

ଆମେ ଦୁହେଁ - ସଚିତ୍ର ଅନ୍ଧାର, ପୃ. ୮୬ ।

 

ବସ୍ତୁତଃ ‘ଆମେ ଦୁହେଁ’ର ‘ଆମେ ଦୁହେଁ’ ମଧ୍ୟରୁ ଏକତମ ସତ୍ତା ହେଉଚି କାବ୍ୟନାୟକ । ଅନ୍ୟତମ ସତ୍ତାର ଦୁଇଟି ପାର୍ଶ୍ୱ ରହିଚି କେତେବେଳେ ତାହା ସ୍ୱପ୍ନ, କେତେବେଳେ ପୁଣି ତାହା ସଂଗ୍ରାମ । ନାୟକର ସ୍ୱପ୍ନ, ଏକ ଜୀବନଧର୍ମୀ ପୁଷ୍ପିତ ଆବେଗରେ ଦୀପ୍ତ, ଯାହା ସମୟର ବିବର୍ତ୍ତନ ଧାରା ସହ ସଂଗ୍ରାମ କରି କରି କ୍ରମଶଃ ମୃତ୍ୟୁମୁଖୀ ହୋଇଚି ।

 

ବସ୍ତୁତଃ ଜୀବନ ସ୍ୱପ୍ନ ଓ ସଂଗ୍ରାମର ଏକ ଧୂପଛାୟା । ପ୍ରତ୍ୟେକ ବ୍ୟକ୍ତିସତ୍ତାର ଅନ୍ତର୍ଲୋକରେ ଏକ ସ୍ୱପ୍ନ ଥାଏ । ସେହି ଅମୂର୍ତ୍ତ ସ୍ୱପ୍ନ ଚେତନାକୁ ବାସ୍ତବ ଜୀବନ ପରିଧିରେ ପ୍ରମୂର୍ତ୍ତ କରିବାପାଇଁ ସେ ସଂଗ୍ରାମ କରେ । କବିତା କେବଳ ଏକ ସ୍ୱପ୍ନ-ମାନସୀ ନୁହେଁ, ସେ ମଧ୍ୟ ଏକ ବିଦ୍ରୋହିଣୀ ବନିତା । ବାସ୍ତବ ଜୀବନ-ପରିଧିକୁ ସମୃଦ୍ଧ କରିବା ପାଇଁ ତହିଁରେ ସଂଗ୍ରାମର ବାର୍ତ୍ତା ରୁହେ । ସ୍ୱପ୍ନ ଓ ସଂଗ୍ରାମ ଯୁଗପତ୍‌ କାବ୍ୟ-ନାୟିକାକୁ ସମାନ୍ତରାଳ ଭାବେ ସଞ୍ଜିବୀତ କରନ୍ତି ।

 

***

 

ଓଡ଼ିଆ-କବିତା କ୍ଷେତ୍ରରେ ଅନ୍ନଦାଶଙ୍କର

ରାଧାମୋହନ ଗଡ଼ନାୟକ

 

ଫେବୃଆରୀ, ୨୩, ୧୯୮୬ର ଅପରାହ୍ନ ଶାନ୍ତିନିକେତନର ଉତ୍ତରାୟଣରେ ଏକ ସର୍ବଭାଷାର କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବରେ କବି ଶ୍ରୀ ଅନ୍ନଦା ଶଙ୍କର ରାୟ ତହିଁରେ ଯୋଗ ଦେଇଥିଲେ, ତାଙ୍କ ସାଥିରେ ଥିଲେ ତାଙ୍କର ସହଧର୍ମିଣୀ ଶ୍ରୀମତୀ ଲୀଳା ରାୟ ।

 

ସେଇ ସଭାରେ ସଭାପତିତ୍ୱ କରୁଥିଲି ମୁଁ । ମୋର ଅନୁରୋଧରେ କବି ଅନ୍ନଦା ରାୟ ତାଙ୍କର ‘‘ଯଉବନ ଥରେ ଗଲେ ଆଉ ଆସେନା’’ କବିତାଟି ପାଠ କରିଥିଲେ । ଶ୍ରୀମତୀ ରାୟ ଆବୃତ୍ତି କରିଥିଲେ ତାଙ୍କର ଗୋଟିଏ ଇଂରେଜୀ କବିତା ।

 

ସେ ସଭାରେ ଅସମିୟା, ବଙ୍ଗଳା, ହିନ୍ଦି, ଭୋଜପୁରୀ, ତେଲଗୁ, ତାମିଲ, ମହାରାଷ୍ଟ୍ରୀ, ଉର୍ଦ୍ଦୁ, ସାନ୍ତାଳୀ, ରସିୟାନ, ଇଟାଲିୟାନ, ଜର୍ମାନୀ, ଫ୍ରେଞ୍ଚ, ଚାଇନା, ତିବ୍‌ବତୀ ଓ ଇଂରେଜୀ ଭାଷାର ବହୁ କବି ଓ ଲେଖକ ନିଜ ନିଜର କବିତାପାଠ କରିଥିଲେ । ଆମ ଓଡ଼ିଶାରୁ ବେଶି ସଂଖ୍ୟାରେ କବି କବିତା ପାଠରେ ଯୋଗ ଦେଇଥିଲେ ।
 

ଶ୍ରୀ ରାୟ ଓଡ଼ିଆରେ ତାଙ୍କର ଭାଷଣ ଦେଇଥିଲେ । ଅତ୍ୟାଧୁନିକ କବିତାର ଆଭିମୁଖ୍ୟ ଉପରେ ମୁଁ ମୋର ଅଭିଭାଷଣ ଦେଇଥିଲି । ସେ ଦିନର ସେଇ ଅପୂର୍ବ ସମାବେଶ ଆମ ସମସ୍ତଙ୍କୁ ଏକ ଅନନୁଭୂତ ଆନନ୍ଦରେ ଅଭିଭୂତ କରିଥିଲା ।

 

ସେଇ ସୁଯୋଗରେ କବି ଶ୍ରୀ ରାୟ ଓ ଶ୍ରୀମତୀ ରାୟଙ୍କ ସହିତ ମୋର ପୁଣି ଭାବ ବିନିମୟର ସୁଯୋଗ ମିଳିଥିଲା ।

 

୩୦ ବର୍ଷ ତଳେ, ୧୯୫୬ରେ ସେଇ ଉଭୟଙ୍କ ସଙ୍ଗରେ ମୋର ପରିଚୟ ହୋଇଥିଲା ଶାନ୍ତିନିକେତନରେ । ସେତେବେଳକୁ ଶ୍ରୀ ରାୟ ଚାକିରୀ ଜୀବନରୁ ବିଦାୟ ନେଇ ସେଇଠି ରହୁଥିଲେ । ବିଶ୍ୱଭାରତୀ ବିଶ୍ୱ ବିଦ୍ୟାଳୟରେ ସେ କୌଣସି ଦାୟିତ୍ୱ ଗ୍ରହଣ କରିନଥିଲେ, କବୀନ୍ଦ୍ର ରବୀନ୍ଦ୍ରଙ୍କ ସାରସ୍ୱତ କ୍ଷେତ୍ରକୁ କାମ୍ୟ ମଣିଥିଲେ ତାଙ୍କର ସାରସ୍ୱତ ସାଧନା ପାଇଁ ।

 

ଅନ୍ନଦାଶଙ୍କରଙ୍କ ସହିତ ମୋର ସେତିକିବେଳେ ସେଇଠି ସାକ୍ଷାତ । ସଙ୍ଗରେ ଥିଲେ ଡକ୍ଟର କୁଞ୍ଜବିହାରୀ ଦାଶ । ସେ ସମୟରେ ସେ ସେଇଠି ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ । ଶ୍ରୀ ରାୟଙ୍କ ସହିତ ବେଶ୍‌ ଚମତ୍କାର କଥାବାର୍ତ୍ତା-ନାନା ପ୍ରସଙ୍ଗରେ ଆଲୋଚନା । ଯଦିଓ ମୁଁ ଅନୁମାନ କରିଥିଲି, ମୋର ଅନୁରୋଧ ରହି ପାରିବ ନାହିଁ ତଥାପି ସନ୍ତର୍ପଣରେ ଉପସ୍ଥାପିତ କଲି ମୋର ମନର ଅଭିପ୍ରାୟ-

‘କମଳବିଳାସୀ କବି ମାଗୁଛି ବିଦାୟ,

ଫେରିଲେ ଫେରିବ ଦିନେ ଉଦାସୀ ଅ. ରାୟ ।’

 

‘ଆପଣ ଟିକିଏ ଓଡ଼ିଆ ସାହିତ୍ୟକୁ ଫେରନ୍ତୁ ।’

 

ପଦ୍ମଭୁକ୍‌ ଜୀବନରୁ ବିଦାୟ ନେବା, ନିଶ୍ଚିତ ଭାବରେ ବଙ୍ଗଳା-ସାହିତ୍ୟରୁ ଓଡ଼ିଆ ସାହିତ୍ୟକୁ ନୁହେଁ । ତା’ ଭିତରେ ମୁଁ ଯେଉଁ ଅନୁରଣନ ଶୁଣିବାକୁ ପାଇଥିଲି, ବର୍ତ୍ତମାନ ପ୍ରକାଶ କଲି ଆପଣଙ୍କ ପାଖରେ । ବର୍ତ୍ତମାନ ଆପଣ ତ ବଙ୍ଗଳା-ସାହିତ୍ୟରେ ଦିଗ୍‌ପାଳ, ଯେଉଁ ଓଡ଼ିଆରେ ଆପଣ ପ୍ରାଥମିକ ସାହିତ୍ୟ ସାଧନା କରୁଥିଲେ, ସେଥିରେ ବର୍ତ୍ତମାନ ପୁଣି କିଛି ଲେଖନ୍ତୁ । ଆମେମାନେ ଆପଣଙ୍କୁ ପୁନର୍ବାର ପାଇବାର ସୁଯୋଗ ପାଉଁ ।’’

 

ଡକ୍ଟର ଦାଶଙ୍କ ଆଡ଼କୁ ସେ ଟିକିଏ ଅନେଇଲେ, ମୋ ଅନୁରୋଧର ଉତ୍ତର ଦେଲେ-

 

‘‘ମୁଁ ତ ବହୁଦିନୁ ଗୋତ୍ରାନ୍ତରିତ ହୋଇ ଯାଇଛି । ବର୍ତ୍ତମାନ ପୁଣି କଅଣ ସମ୍ଭବ ?’’

ଗୋତ୍ରାନ୍ତରିତ କହିବାର ତାତ୍ପର୍ଯ୍ୟ-୧୯୩୩ରେ ଗଞ୍ଜାମର ବ୍ରହ୍ମପୁରଠାରେ ଅନୁଷ୍ଠିତ କବି ସମ୍ମିଳନୀ ପାଇଁ ମୁଁ ଏକ ‘‘କବି ସମ୍ଭାଷଣ’’ ଲେଖିଥିଲି । ତହିଁରେ ଅନ୍ନଦାଶଙ୍କରଙ୍କ ପାଇଁ କେତୋଟି ଧାଡ଼ି ଥିଲା-

 

‘‘ଆସ ହେ ଆସ ଆଇ. ସି. ଏସ୍‌.

ଆସ ହେ ଆସ ଅ. ରାୟ

ତୁମେ ଯେ ଏବେ ବଙ୍ଗଭାଷୀ !

ସ୍ୱାଗତ ମୋର ହାୟରେ ହାୟ ।

କେଉଁ କୁଞ୍ଜର କୋଇଲି ତୁମେ,

କୁଆର କୋଳେ ଯତନେ ବଢ଼ି,

ଗିଆନ-ଧନ ପାଇଲା କ୍ଷଣି

ଗୋତ୍ର ସ୍ମରି ଯାଇଚ ଉଡ଼ି ।’’ (କ)

 

(କ)

ସାପ୍ତାହିକ ନବୀନ, ୧୯୩୩, ବ୍ରହ୍ମପୁର

 

ସେଇ କେତୋଟି ଧାଡ଼ି ବନ୍ଧୁ କୁଞ୍ଜବିହାରୀ ବୋଧହୁଏ କେତେବେଳେ ତାଙ୍କୁ ଶୁଣାଇଥିଲେ । ତେଣୁ ଅନ୍ନଦାଶଙ୍କର ସୁଯୋଗ ପାଇ ଗୋତ୍ରାନ୍ତରିତ ହେବା କଥା ମୋତେ କହିବାରେ, ମୁଁ ମନେକଲି ତାହା ତାଙ୍କର ଏକ ମୃଦୁ ପରିହାସ ।

 

ବିସ୍ମିତ ହେବାର କିଛି ନଥିଲା, ସସ୍ମିତରେ ପୁଣି କଥାବାର୍ତ୍ତା-ମୁଁ କହିଲି ‘‘ତଥାପି For old time's shake’’

 

ଅନ୍ନଦାଶଙ୍କର କହିଲେ-‘‘ଢେଙ୍କାନାଳର ଅନେକ ସ୍ମୃତି ମନରେ ସବୁଜ ଓ ସତେଜ ରହିଛି, ପାହାଡ଼ୀ ନାମରେ ତହିଁରୁ କିଛି ଲେଖିବି ତେବେ ।’’

 

ତାଙ୍କର ‘‘ଆଗୁନ୍‌ ନିୟେ ଖେଲା’’ ବଙ୍ଗଳା ଉପନ୍ୟାସଟି ସେ ମୋତେ ପ୍ରୀତି-ଉପହାର ଦେଲେ - ତହିଁରେ ସେ ଓଡ଼ିଆରେ ଲେଖି ମୋତେ ବଢ଼ାଇ ଦେଇଥିଲେ, ମୁଁ ହାର୍ଦ୍ଦିକ ସାଧୁବାଦ ଜଣାଇଥିଲି ।

 

ଅନେକ ଦିନ ପରେ ହଠାତ୍‌ ଦେଖିବାକୁ ପାଇଲି କୌଣସି ଏକ ବଙ୍ଗଳା-ପତ୍ରିକାରେ ପ୍ରକାଶିତ ହୋଇଥିଲା-‘‘ପାହାଡ଼ୀ’’ ପୁଣି ପୁସ୍ତକାକାରରେ ମଧ୍ୟ ୧୯୪୭ରେ । ବୋଧହୁଏ ତାହା ସେ ଓଡ଼ିଆରେ ଅନୁବାଦ କରି ପ୍ରକାଶ କରିଥା’ନ୍ତେ; ପଢ଼ିଲି, ମାତ୍ର କିଞ୍ଚିତ୍‌ମାତ୍ର ଭାବିଲି ନାହିଁ ।

 

ଢେଙ୍କାନାଳ ଓ ପାହାଡ଼ର ଖୁବ୍‌ ସମ୍ପର୍କ, ତେଣୁ ଅନ୍ନଦାଶଙ୍କର ‘ଢେଙ୍କାନାଳର ସ୍ମୃତି ପାହାଡ଼ୀ’ ଶୀର୍ଷକରେ ଲେଖିବାକୁ ମୋତେ କହିଥିଲେ ।

 

୧୯୦୪ର ମାର୍ଚ୍ଚ ୧୫ ତାରିଖରେ ଢେଙ୍କାନାଳରେ ଅନ୍ନଦାଶଙ୍କରଙ୍କର ଜନ୍ମ । ପିତା ଶ୍ରୀ ନିମାଇଁ ଚରଣ ରାୟ, ମାତା ଶ୍ରୀମତୀ ହେମନଳିନୀ ଦେବୀ । ତାଙ୍କର ଆଉ ଦୁଇଭାଇ, ଅଭୟାଶଙ୍କର ଓ ଅଜୟାଶଙ୍କର, ଦୁଇ ଭଉଣୀ ମଧ୍ୟ ରାଜରାଜେଶ୍ୱରୀ ଓ ବ୍ରଜେନ୍ଦ୍ର ମୋହିନୀ ।

 

କିଛି ଦିନ ଢେଙ୍କାନାଳ ହାଇସ୍କୁଲରେ, କିଛିଦିନ ପୁରୀ ହାଇସ୍କୁଲରେ ସେ ବିଦ୍ୟା ଶିକ୍ଷା କରିଥିଲେ । କଟକର ରେଭେନ୍‌ସା କଲେଜରେ ଅଧ୍ୟୟନ କରି ଆଇ.ଏ.ରେ ପ୍ରଥମଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ । ବିହାର ଓ ଓଡ଼ିଶାର ରାଜଧାନୀ ପାଟନା ଗଲେ, ବି: ଏ: ପଢ଼ିବାକୁ । ସେଇଠି ମଧ୍ୟ ବି. ଏ. ପରୀକ୍ଷାରେ ସେ ହେଲେ ପ୍ରଥମଶ୍ରେଣୀରେ ପ୍ରଥମ ।

 

ଆଇ. ସି. ଏସ୍‌. ପରୀକ୍ଷା ଦେଲେ, ସେଥିରେ ସେ ଭାରତବର୍ଷରେ ପ୍ରଥମସ୍ଥାନ ଅଧିକାର କରିଥିଲେ । ଆଇ. ସି. ଏସ୍‌. ଟ୍ରେନିଂ ପାଇଁ ସେ ବିଲାତ ଯାତ୍ରା କଲେ । ଜୀବନ ଭରି ସେ ଥିଲେ ମେଧାବୀ ଛାତ୍ର; ଅଦ୍ୱିତୀୟ ।

 

ସିଆଡ଼ୁ ଫେରି ସେ ନିଯୁକ୍ତି ପାଇଲେ, ବଙ୍ଗଳା ପ୍ରଦେଶରେ । ଏସ୍‌. ଡ଼ି. ଓ. ହଲେ, ଡି. ଏମ୍‌. ହେଲେ । ପରବର୍ତ୍ତୀ ଜୀବନରେ ପୋଲିସ୍‌ ବିଭାଗ ସହିତ ତାଙ୍କର ବିରୋଧିତା ହେଲା । ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍‌ ପଦରୁ ଜଜ୍‌ ପଦକୁ ଗଲେ । ତା’ ପରେ ୪୫ ବର୍ଷ ବୟସରେ ଜୁଡ଼ିସିଏଲ ସେକ୍ରେଟେରୀ ପଦରେ କଲିକତାରେ ଅବସ୍ଥାନ କରୁଥିଲେ । ଦିନେ ପ୍ରଭାତ ସମୟରେ ତାଙ୍କ ମନକୁ କଅଣ ଆସିଲା, ସହଧର୍ମିଣୀଙ୍କ ହାତରେ ଗୋଟିଏ ଅଧୁଲି ଦେଇ କହିଲେ-‘‘Toss କର ତ-! ଯଦି ରାଜାର ମୁଣ୍ଡ ଉପରକୁ ରହେ, ତାହା ହେଲେ ଚାକିରି ଇସ୍ତଫା ଦେଇଦେବି ।’’ ରାଜା ମୁଣ୍ଡ ଉପରକୁ ରହିଲା । ସେଇ ଦିନ ସେ ଇସ୍ତଫାପତ୍ର ଦେଇଦେଲେ; ମାତ୍ର ଦେଢ଼ବର୍ଷ ପରେ ସେ କାର୍ଯ୍ୟରୁ ଅବ୍ୟାହତି ପାଇଥିଲେ ।

 

ବର୍ତ୍ତମାନ ସାହିତ୍ୟ ସାଧନା କରିବା ପାଇଁ ତାଙ୍କ ହାତରେ ଅଖଣ୍ଡ ସମୟ ଓ ଅଖଣ୍ଡ ଅବସର । ତା’ର ଉପଯୋଗ କରି ବହୁ ଉପନ୍ୟାସ ଗଳ୍ପ, ଆଲୋଚନା ଓ ଭ୍ରମଣକାହାଣୀ ଲେଖି ସେ ବଙ୍ଗଳା-ସାହିତ୍ୟକୁ ଋଦ୍ଧିମନ୍ତ କରି ଆସୁଛନ୍ତି । ଓଡ଼ିଆରେ ଆଉ ଲେଖୁ ନାହାନ୍ତି ।

 

ବର୍ତ୍ତମାନ ତାଙ୍କର ସହଧର୍ମିଣୀ ଲୀଳା ରାୟଙ୍କ ସଂପର୍କରେ ଦୁଇପଦ କହିବା ନିତାନ୍ତ କାମ୍ୟ ବୋଧହୁଏ । ସେ ଦିନ ସେ ମୋ’ ସହିତ ବଙ୍ଗଳାରେ କଥାବାର୍ତ୍ତା କରି ଆତିଥ୍ୟରେ ଆପ୍ୟାୟିତ କରିଥିଲେ । ସେ ବଙ୍ଗାଳୀଘରର ଝିଅ ନୁହନ୍ତି, ସ୍କଟିସ୍‌ ଝିଅ । ନାମ ଥିଲା, ଏଲିସ ଭର୍ଜିନିୟା ଅର୍ନଡର୍ଫ ।

 

ଅନ୍ନଦାଶଙ୍କର ଯେତେବେଳେ ବଙ୍ଗଳାର ବରହମପୁରରେ ଚାକିରୀ କ୍ଷେତ୍ରରେ ରହୁଥିଲେ, ସେତେବେଳେ ତାଙ୍କ ସହିତ ତାଙ୍କର ପରିଚୟର ସୁଯୋଗ ଘଟିଥିଲା । କୁମାରୀ ଭର୍ଜିନିୟା ଭାରତୀୟ ସଙ୍ଗୀତରେ ଗବେଷଣା କରିବାକୁ ଭାରତବର୍ଷକୁ ଆସିଥିଲେ । ଲଣ୍ଡନରେ ଶ୍ରୀ ଭବାନୀ ଭଟ୍ଟାଚାର୍ଯ୍ୟଙ୍କ ସହିତ ତାଙ୍କର ସାକ୍ଷାତ ହେଲା, ପରିଚୟ ହେଲା । ଭାରତବର୍ଷରେ କେଉଁ କେଉଁ ବ୍ୟକ୍ତିଙ୍କ ସାଙ୍ଗରେ ସେ ଦେଖା କରିବେ ବୋଲି ସେ ତାଙ୍କୁ ପଚାରିଥିଲେ । ଶ୍ରୀ ଭଟ୍ଟାଚାର୍ଯ୍ୟ ଅନ୍ନଦାଶଙ୍କରଙ୍କର ନାମ ଓ ଠିକଣା ଦେଲେ । ତାଙ୍କଠାରୁ ପତ୍ର ପାଇ ଅନ୍ନଦାଶଙ୍କର ତାଙ୍କୁ ବରହମପୁରକୁ ନିମନ୍ତ୍ରଣ କଲେ । ଉଭୟଙ୍କର ସାକ୍ଷାତ ଗଭୀର-ସମ୍ପର୍କରେ ପରିଣତ ହେଲା । ଦୁଇମାସ ପରେ ବିବାହ ହେଲା; ରାଞ୍ଚିରେ । ବିବାହ ପରେ ଭର୍ଜିନିୟା ଭାରତୀୟ ନାଗରିକତ୍ୱ ଓ ଲୀଳା ରାୟ ନୂତନ ନାମ ଗ୍ରହଣ କରିଥିଲେ ।

 

ତାଙ୍କର ଜନ୍ମ ୧୯୧୦ର ଅଗଷ୍ଟ ମାସରେ, ଯୁକ୍ତରାଷ୍ଟ୍ରର ଟେକ୍‌ସସ୍‌ ସହରରେ । ପିତା ଗୋଡର୍ଫ (Gaudorff) ସେଠାରେ ବ୍ୟାଙ୍କ ପ୍ରେସିଡେଣ୍ଟ, ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟ ସହିତ ଜଡ଼ିତ ଥିଲେ । ମାତା ଏଲିସ୍‌ ଡେଭିସ୍‌ (Alice Davis) । ସେ ଥିଲେ, ଇ. ଆଇ. ପାଶୋ (E. I. Paso)ଙ୍କର କନ୍ୟା । ସେଠାରେ ପ୍ରଥମ ଲେଡ଼ି ଗ୍ରାଜୁଏଟ୍‌ । ବିବାହ ପୂର୍ବରୁ ସେ ଥିଲେ ଶିକ୍ଷୟିତ୍ରୀ, ଲେଖାଲେଖି କରୁଥିଲେ, ଚିତ୍ର ଆଙ୍କୁଥିଲେ, ବଜାବଜି କରୁଥିଲେ ମଧ୍ୟ । ତାଙ୍କର ଘରେ ଥିଲା, ଗୋଟାଏ ମସ୍ତବଡ଼ ଲାଇବ୍ରେରୀ । ତେଣୁ ପଢ଼ାପଢ଼ି କରିବାର ଖୁବ୍‌ ସୁଯୋଗ ଥିଲା ।

 

ଲୀଳା ରାୟ ସବୁଦିଗରୁ ଅନ୍ନଦାଶଙ୍କରଙ୍କର ଉପଯୁକ୍ତ ସହଧର୍ମିଣୀ ହୋଇପାରିଛନ୍ତି । ସେ ସ୍ୱାମୀଙ୍କର ଗଳ୍ପ ଇଂରେଜୀରେ ଅନୁବାଦ କରିଦେଉଛନ୍ତି । ପୁସ୍ତକମାନଙ୍କ ପ୍ରଚ୍ଛଦପଟର ଚିତ୍ର ଆଙ୍କିଦେଉଛନ୍ତି । ଅନ୍ୟ ଦିଗରେ ଦୁଇ ଆର୍ଟିଷ୍ଟଙ୍କର ମିଳନ - ପ୍ରାଣର ମିଳନ, ପ୍ରାଚୀ ଓ ପ୍ରତୀଚୀର ମିଳନ ।

ଆଜକୁ ୬୫ ବର୍ଷ ତଳେ ଅନ୍ନଦାଶଙ୍କର ଥିଲେ କଟକ ରେଭେନ୍‌ସା କଲେଜର ଛାତ୍ର । ସେତିକିବେଳେ ତାଙ୍କର ତରୁଣ ବୟସରେ ଓଡ଼ିଆ-ସାହିତ୍ୟକୁ ସେ ଯେଉଁ ଦାନ ଓ ଅବଦାନ ଦେଇଥିଲେ, ତା’ ମଧ୍ୟରୁ କବିତା ବିଭାଗହିଁ ଆମର ଆଲୋଚ୍ୟ ବିଷୟ ।

 

୧୯୨୧ ମସିହା, କଟକରେ ଓଡ଼ିଶାର ଏକମାତ୍ର ସରକାରୀ କଲେଜ-ରେଭେନ୍‌ସା କଲେଜ । ଆଇ. ଏ. ଶ୍ରେଣୀରେ ପାଠ୍ୟ ଥିଲା, ଇଂରେଜ କବି ଉଇଲିୟମ କାଉପରଙ୍କ ପତ୍ରାବଳୀ । ତହିଁରେ ନନ୍‌ସେନ୍‌ସ କ୍ଳବ ନାମରେ ଗୋଟିଏ କ୍ଳବର ଉଲ୍ଲେଖ ଥିଲା । ସେଇ ଶ୍ରେଣୀର ପାଞ୍ଚଜଣ ଛାତ୍ର, ତଦ୍ରୂପ ଗୋଟିଏ ନନ୍‌ସେନ୍‌ସ କ୍ଳବ୍‌ ଗଢ଼ିଥିଲେ-ସେମାନେ ହେଲେ, ସର୍ବଶ୍ରୀ ଅନ୍ନଦାଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ, କାଳିନ୍ଦୀଚରଣ ପାଣିଗ୍ରାହୀ, ଶରତଚନ୍ଦ୍ର ମୁଖାର୍ଜୀ ଓ ହରିହର ମହାପାତ୍ର ।

 

ସେଇ କ୍ଳବରୁ ଖଣ୍ଡିଏ ହସ୍ତଲିଖିତ ପତ୍ରିକା ବାହାର କରିବାର ପ୍ରସ୍ତାବ ହେଲା । ନାମକରଣର ଦାୟିତ୍ୱ ନେଲେ ଶ୍ରୀ ହରିହର ମହାପାତ୍ର । ନିଜ ନାମଟି ଛାଡ଼ିଦେଇ ସଖା ଚତୁଷ୍ଟୟଙ୍କ ନାମର ପ୍ରଥମ ବର୍ଣ୍ଣ ପ୍ରଥମରେ ରଖି ନାମଦେଲେ ‘‘ଅବକାଶ’’ - ଅ- ଅନ୍ନଦାଶଙ୍କର, ବ- ବଇକୁଣ୍ଠନାଥ, କା- କାଳିନ୍ଦୀଚରଣ ଓ ଶ- ଶରତଚନ୍ଦ୍ର ।
 

 

‘ଅବକାଶ’ର ସମ୍ପାଦକ ହେଲେ, ଶ୍ରୀ ଅନ୍ନଦାଶଙ୍କର । ତିନୋଟି ଭାଷାର ଲେଖା ତହିଁରେ ସ୍ଥାନ ପାଉଥିଲା-ଓଡ଼ିଆ, ବଙ୍ଗଳା ଓ ଇଂରେଜୀର ।

 

ବଙ୍ଗଳାର କଲ୍ଲୋଳଯୁଗରେ ଶ୍ରୀ ପ୍ରମଥନାଥ ରାୟଚୌଧୁରୀଙ୍କ ସମ୍ପାଦନାରେ ସବୁଜପତ୍ରର ଆତ୍ମପ୍ରକାଶ-କାନ୍ତି ଓ କ୍ରାନ୍ତିର ପ୍ରତୀକ । ଯେଉଁପରି ବର୍ଣ୍ଣିଳ, ସେଇପରି ସ୍ୱପ୍ନିଳ ମଧ୍ୟ । ତାହାକୁ ଲକ୍ଷ୍ୟ କରି କବୀନ୍ଦ୍ର ରବୀନ୍ଦ୍ରନାଥ ଆବେଗର ସହିତ ଉଦ୍‌ବୋଧନର ସ୍ୱର ତୋଳିଥିଲେ-

 

‘‘ଓରେ ସବୁଜ, ଓରେ ଅବୁଝ,

ଓରେ କାଁଚା,

ଆଧମରାଦେର ଘା ମେରେ

ତୁଇ ବାଁଚା ।’’

 

ଆମ ଓଡ଼ିଶାରେ ଉକ୍ତ ପଞ୍ଚସଖା ସବୁଜ ଦଳ ଗଢ଼ି ଆତ୍ମପ୍ରକାଶ କରିଥିଲେ । ତା’ମଧ୍ୟରୁ ଜନୈକ ସଖା ବୈକୁଣ୍ଠନାଥ ତାଙ୍କର ‘‘ସବୁଜ ବନ୍ଧୁ ପ୍ରତି’’ କବିତାରେ ଅନୁରୂପ ଭାବର ଉଚ୍ଛ୍ୱାସ ରୂପାୟିତ କରିଥିଲେ-

 

‘‘ନବୀନ ତୁହି, ତରୁଣ ତୁହି,

ଆଲୋକ ତୋର ସାଥି,

ଦୁର୍ଦ୍ଦିନେ ଥରେ ବିଜୟୋଲ୍ଲାସେ

ଉଠିବୁ କିରେ ମାତି ?

ସକଳ ଜୀର୍ଣ୍ଣ, ସକଳ ଜରା

କାହିଁକି ଚାହୁଁ ପଛେ ?

ଅର୍ଦ୍ଧମୃତ କେବେ କି କାହିଁ

ସବୁଜ ସୃଷ୍ଟି ରଚେ ?

ରୋଧେ ଯେ ପଥେ, ଧରେ ଯେ ଟାଣି,

ନିର୍ବିକାରେ ଯାଅରେ ହାଣି ।

କହ ନିର୍ଭୀକ ଯାଏ ମୁଁ ଯାତ୍ରୀ ।

ସତ୍ୟ ଗୀତ ଗାଇ,

ଯୌବନକୁ ଦଳରେ କିଏ

ଏସନ ଶକ୍ତି କାହିଁ ?’’ (ଖ)

 

(ଖ)

ଉତ୍କଳ ସାହିତ୍ୟ ୧୩୩୨, ୨୯ଶ ଭାଗ, ୩ୟ ସଂଖ୍ୟା

 

ସବୁଜଦଳର ନୂତନ ପ୍ରତିଭା ଲକ୍ଷ୍ୟ କରି ‘ସହକାର’ର ସମ୍ପାଦକ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଓ ‘ଉତ୍କଳ ସାହିତ୍ୟ’ର ସମ୍ପାଦକ ଶ୍ରୀ ବିଶ୍ୱନାଥ କର ସେମାନଙ୍କୁ ସ୍ନେହ-ଚକ୍ଷୁରେ ଦେଖୁଥିଲେ । ତେଣୁ ସେମାନେ ଉଭୟ ପତ୍ରିକାରେ ନିଜ ନିଜ ଲେଖା ପ୍ରକାଶ କରିବାକୁ ସୁଯୋଗ ପାଇ ପାରିଥିଲେ । ତା ମଧ୍ୟରେ ଅନ୍ନଦାଶଙ୍କର ଥିଲେ ଅଗ୍ରଣୀ ।

 

ବଙ୍ଗୋତ୍କଳ, ଶ୍ରୀ ସବୁଜ, ହରିତ ଓ ଆଲୋକ କୁମାର ନାମରେ ଅନ୍ନଦାଶଙ୍କର ଗଦ୍ୟ ଲେଖା ଲେଖୁଥିଲେ, ମାତ୍ର କବିତା ଲେଖୁଥିଲେ ଅ. ରାୟ ନାମରେ । ସେଇଥି ପାଇଁ ସେ ତାଙ୍କର ‘‘କମଳ ବିଳାସୀର ବିଦାୟ’’ କବିତାର ଶେଷରେ ନିଜର ସେଇ ସଂକ୍ଷେପିତ ନାମ ଚତୁର ଓ ଚଟୁଳ ଭାବରେ ସଂଯୋଗ କରିବାକୁ ଛାଡ଼ି ନଥିଲେ-

 

କମଳ ବିଳାସୀ କବି ମାଗୁଛି ବିଦାୟ

ଫେରିଲେ ଫେରିବ ଦିନେ ଉଦାସୀ

ଅ. ରାୟ ।

 

କିନ୍ତୁ କେଜାଣି କାହିଁକି ସବୁଜ-ସାହିତ୍ୟ ସମିତିର ‘ସବୁଜ କବିତା’ ସଙ୍କଳନରେ ଓ କବିଙ୍କ ଦ୍ୱାରା ସଙ୍କଳିତ ‘ସବୁଜ ଅକ୍ଷର’ ସଞ୍ଚୟନରେ ‘ଉଦାସୀ ଅ. ରାୟ’ ସ୍ଥଳରେ ଆମେ ଦେଖିବାକୁ ପାଉଚୁ-

 

‘‘ଉଦାସୀ ପରାୟ’’

 

ଓଡ଼ିଶାର ସାରସ୍ଵତ କ୍ଷେତ୍ରରେ ଅନ୍ନଦାଶଙ୍କରଙ୍କ ଲେଖନୀର ଆୟୁଷ ଜମା ପାଞ୍ଚ-ଛଅ ବର୍ଷ । ୧୯୨୨ରୁ ୧୯୨୮ ପର୍ଯ୍ୟନ୍ତ । ସେଇ ସମୟ ଭିତରେ ସେ ଆମ ସାହିତ୍ୟକୁ ଦେଇ ଯାଇଛନ୍ତି, ୧୫ ଗୋଟି କବିତା, କେତୋଟି ଆଲୋଚନା, କେତୋଟି ପ୍ରବନ୍ଧ, କେତୋଟି ଚିଠି ଓ ବାସନ୍ତୀ ଉପନ୍ୟାସର କେତୋଟି ପରିଚ୍ଛେଦ ।

 

ଶ୍ରୀ ବିଶ୍ୱନାଥ କର ଅନ୍ନଦାଶଙ୍କରଙ୍କୁ ଖୁବ୍‌ ସ୍ନେହ କରୁଥିଲେ । ତାଙ୍କ ଲେଖାକୁ ତେଣୁ ସେ ସ୍ଥାନ ଦେଉଥିଲେ, ଉତ୍କଳ ସାହିତ୍ୟର ପ୍ରାରମ୍ଭରେ ଓ ପ୍ରଥମରେ । ତେଣୁ ଉଭୟଙ୍କ ମଧ୍ୟରେ ସାମୟିକ ସାକ୍ଷାତ ଓ ପତ୍ର ବିନିମୟ ହେଉଥିଲା । ଅନ୍ନଦାଶଙ୍କରଙ୍କର ବନ୍ଧୁ ଚତୁଷ୍ଟୟ କଅଣ ଥିଲେ, କଅଣ ହେବେ, ତାହା ସେ ଶ୍ରୀ କରଙ୍କ ନିକଟକୁ ୪।୯।୨୮ରେ ଖଣ୍ଡିଏ ପତ୍ର ଲେଖିଥିଲେ, ଯାହା ପରେ ପ୍ରକାଶିତ ହୋଇଚି ।

 

‘‘ମୋର ବନ୍ଧୁ କାଳିନ୍ଦୀଙ୍କୁ ଆପଣ ଚିହ୍ନନ୍ତି, କିନ୍ତୁ ଜାଣି ନାହାନ୍ତି, ସେ କେଡ଼େ ମୂଲ୍ୟବାନ ରତ୍ନଟିଏ । ମୋର ବନ୍ଧୁ ଶରତର ଲେଖା ଏବାର ପ୍ରକାଶ କରିଛନ୍ତି-‘‘ଇଂଲଣ୍ଡର ପଲ୍ଲୀ ଜୀବନ’’ । କିନ୍ତୁ ଜାଣି ନାହାନ୍ତି, ନବ୍ୟ ଉତ୍କଳର ସେ ଗୋଟିଏ coming man । ସେ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ମୋ ସାଙ୍ଗରେ ପାଶ୍ କରିଥିଲା । ଚାରୋଟି ଯୁବକଙ୍କ ମଧ୍ୟରୁ ତିନୋଟିଙ୍କୁ ଜାଣିଲେ । ବାକି ରହିଲେ, ମୋର ବନ୍ଧୁ ବୈକୁଣ୍ଠ ନାଥ ପଟ୍ଟନାୟକ । ଆତ୍ମନିର୍ଭର, ସ୍ୱାଧୀନତାକାମୀ, ଅତ୍ୟନ୍ତ ସାହସୀ, ଖାଣ୍ଟି କବି, ବୈକୁଣ୍ଠଙ୍କୁ ଆପଣ ଚିହ୍ନି ନାହାନ୍ତି । ସେ ତା’ର ଲେଖା ଗୋପନ ରଖିଛି । ତା’ର ଲେଖା ଯେ ଉତ୍କଳ କାବ୍ୟ-ରାଜ୍ୟରେ ନବଯୁଗର ସୂଚନା କରୁଛି, ତାହା ଆପଣଙ୍କ ପରି Sympathetic critic ଗୁଣଗ୍ରାହୀ ବ୍ୟକ୍ତି ସହଜରେ ବୁଝି ପାରିବେ । ଦେଖିବେ, ତା’ର ଛନ୍ଦ କେଡ଼େ ନୂତନ ଅଥଚ କେଡ଼େ ଦୋଷଶୂନ୍ୟ । ସାଧାରଣ ଲେଖକ ପରି ସେ ପଦ୍ୟ ଲେଖେ ନାହିଁ । ଖାଣ୍ଟି କବିତା ଲେଖେ, କିନ୍ତୁ ଟିକିଏ accentic ଓ ବଡ଼ imaginative । କାଳିନ୍ଦୀ ଯେପରି ଭାବ-ପ୍ରବଣ ସେ ସେପରି କଳ୍ପନା-ପ୍ରବଣ । ଜଣେ feeling ଉପରେ ଜୋର ଦିଅନ୍ତି । ଆଉ ଜଣେ imagination ଉପରେ ଜୋର ଦିଅନ୍ତି । ମୋର ତ ବିଶ୍ୱାସ ଏ ଦୁଇଜଣ ଓଡ଼ିଶାର ଶ୍ରେଷ୍ଠ lyricist (ଏମାନେ ମହାକାବ୍ୟ ଲେଖନ୍ତି ନାହିଁ, ଖଣ୍ଡକାବ୍ୟ ଲେଖନ୍ତି, ପୂରା ରବୀନ୍ଦ୍ର-ଭକ୍ତ) ଏକ ସମୟର ହେବେ ।’’

 

ଶ୍ରୀଯୁକ୍ତ କରଙ୍କ ନିକଟକୁ ସୁପାରିଶ କରିଥିଲେ ମଧ୍ୟ ଆପଣ ଏମାନଙ୍କୁ ଉତ୍ସାହ ଦିଅନ୍ତୁ । ତରୁଣ ଉତ୍କଳକୁ ତୁଚ୍ଛ କରିବେ ନାହିଁ ।

 

୧୯୨୬ରେ ଅନ୍ନଦାଶଙ୍କର ସିଦ୍ଧାନ୍ତ ନେଇଥିଲେ ତେଣିକି ସେ ବଙ୍ଗଳାରେ ଲେଖିବେ । ସେଇ କଥା କହୁଁ କହୁଁ କାଳିନ୍ଦୀଚରଣଙ୍କ ସମ୍ପର୍କରେ ଆଉ ଦୁଇ ପଦ କହିଥିଲେ-

 

‘‘କାରଣ ଓଡ଼ିଆ ସାହିତ୍ୟକୁ ଫେରିଯିବାର ରାସ୍ତା ମୁଁ ଖୋଲା ରଖି ନ ଥିଲି । ଏ ଭୀଷଣ ସଂକଳ୍ପ ମୂଳରେ ସୁଦୃଢ଼ ଆତ୍ମ-ବିଶ୍ୱାସ ଥିଲା । ତା’ଛଡ଼ା ଆହୁରି ଏକ କାରଣ ଥିଲା, ବଡ଼ ହାସ୍ୟଜନକ-ମୋ ବନ୍ଧୁ କାଳିନ୍ଦୀର ଲେଖା ମୋତେ ଖୁବ୍‌ ଭଲ ଲାଗୁଥିଲା । ମୁଁ ଧରି ନେଇଥିଲି, ଓଡ଼ିଆ ସାହିତ୍ୟରେ ମୁଁ କେବେହେଲେ କାଳିନ୍ଦୀକୁ ଅତିକ୍ରମ କରି ପାରନ୍ତି ନାହିଁ । ଆଉ ଚିରକାଳ ଦ୍ୱିତୀୟ ସ୍ଥାନରେ ରହିବି- ଏ କଥା ମୁଁ କେବେ ଭାବି ପାରୁ ନଥିଲି । ଏ ଅବଶ୍ୟ ମୋର ଦୁର୍ବଳତା ।’’

 

ମୋର ଧାରଣା, କାଳିନ୍ଦୀଙ୍କ ସମ୍ପର୍କରେ ତାଙ୍କର ସେ ମନ୍ତବ୍ୟ ଦୁର୍ବଳତା ନୁହେଁ, ବନ୍ଧୁତାର ମୋହ ।

 

ଅନ୍ନଦାଶଙ୍କର ପୁଣି ଲେଖିଛନ୍ତି- ‘‘୧୯୨୯ ରେ ମୁଁ ବିଲାତରୁ ଫେରି ଆସିଲି । ଦେଖିଲି, ମୋ ବନ୍ଧୁମାନେ ‘ସବୁଜ ସାହିତ୍ୟ ସମିତି’ ସ୍ଥାପନ କରିଛନ୍ତି । ପ୍ରଧାନ ପ୍ରବର୍ତ୍ତକ ଶରତଚନ୍ଦ୍ର ମୁଖାର୍ଜୀ-। ଏମାନଙ୍କ ଉଦ୍‌ଯୋଗରେ ଆମ କେତେଜଣଙ୍କର ପୂର୍ବ କବିତା ‘ସବୁଜ କବିତା’ ନାଆଁରେ ଗ୍ରଥିତ ହେଲା ।’’

‘ସବୁଜ କବିତା’ର ସଂକଳୟିତା କାଳିନ୍ଦୀଚରଣ ପାଣିଗ୍ରାହୀ ଅନ୍ନଦାଙ୍କ ନାମ ପ୍ରଥମ ପର୍ଯ୍ୟାୟରେ ରଖି ନିଜ ନାମକୁ ରଖିଛନ୍ତି ଶେଷ ପର୍ଯ୍ୟାୟରେ-

 

‘‘ଅନ୍ନଦା-ବୈକୁଣ୍ଠ-ହରିହର-ଶରତ-କାଳିନ୍ଦୀ ।’’

 

ଅନ୍ନଦା ପୂର୍ବେ ଉତ୍କଳ ସାହିତ୍ୟରେ ‘ଯୁଗ ବୀଣା’ ଶୀର୍ଷକରେ ବିଶ୍ୱ ସାହିତ୍ୟର ଚର୍ଚ୍ଚା କରୁଥିଲେ । ସେଇ ‘ଯୁଗବୀଣା’ ରଖି ସବୁଜ ସମିତି ‘ଯୁଗବୀଣା’ ପତ୍ର ଆରମ୍ଭ କରିଥିଲେ । ତା’ର ସମ୍ପାଦକ ହେଲେ ଶ୍ରୀ ହରିହର ମହାପାତ୍ର ।

 

ଅବତରଣିକାର ଆବଶ୍ୟକତାକୁ ଅସ୍ୱୀକାର କରି ହେବ ନାହିଁ । ତଥାପି ଟିକିଏ ଦୀର୍ଘ ହୋଇ ଯାଇଚି । ବର୍ତ୍ତମାନ ପ୍ରସଙ୍ଗକୁ ଆସେ । ମୋର ଶୀର୍ଷକ ଅନୁସାରେ କବି ଅନ୍ନଦାଶଙ୍କରଙ୍କ କବିତା ମୋର ଆଲୋଚନାର ପ୍ରସଙ୍ଗ ।

 

୧୯୬୬ ରେ ‘‘ସବୁଜ ଅକ୍ଷର’’ ସ୍ୱୟଂ ଅନ୍ନଦାଶଙ୍କରଙ୍କ ଦ୍ୱାରା ସଂକଳିତ । ମାତ୍ର ତହିଁରେ ଅଛି; ୧୨ଟି କବିତା । ଆଉ ଚେରୋଟି କବିତା ‘ସହକାର’ ଓ ‘ଉତ୍କଳ ସାହିତ୍ୟ’ରୁ ମୁଁ ସଂଗ୍ରହ କରି ତା ସହିତ ଆଲୋଚନା କରୁଚି ।

 

ମାନବ ଜୀବନରେ ‘ଯୌବନ’ ବସନ୍ତ ଋତୁ ବୋଲି ମନେହୁଏ । ସେଇ ସମୟରେ ଜୀବନରେ ଥାଏ ସ୍ୱପ୍ନ, ତେଜ ଓ କ୍ରାନ୍ତି । ଜୀବନରେ ଦିଓଟି ବିଭାବର ଉଦ୍ଭବ ଓ ଉନ୍ମେଷ । ଗୋଟିଏ ବିପ୍ଳବ, ଆଉ ଗୋଟିଏ ପ୍ରଣୟ, ଗୋଟିଏ ଅଭିଯାନ ହେଲେ ଆରଟି ଅଭିସାର । ଅନ୍ନଦାଶଙ୍କରଙ୍କର କବିତାଗୁଡ଼ିକ ଉଭୟ ଭୂମିକାରୁ ଭୂମିଷ୍ଠ ।

 

ଉଦ୍ଭିନ୍ନ ଯୌବନ ତାଙ୍କ ଦେହ ଓ ମନରେ ଆଣି ଦେଇଚି ଏକ ଅଭିନବ ଶିହରଣ-ତେଣୁ ତାହା ତାଙ୍କ କବିତାରେ ଏକ ସହଜ ବିସ୍ମୟ-

 

‘‘ଆଜି ମୋର ଦେହେ ମନେ ଏକି ଯୁଗାନ୍ତର

ଆଜି ମୋର କରୁଣ ଅନ୍ତର,

ଜୀବନର ଏ ପ୍ରଭାତେ

ଯୌବନର ରଶ୍ମିପାତେ

ଶତବର୍ଣ୍ଣେ ଫୁଟିଲା ସତେ କି ?

ବସନ୍ତର ମଳୟ ଚଞ୍ଚଳ

କୁସୁମ ଅଞ୍ଚଳ

ଛୁଇଁଲା ମତେ କି ?’’

ଉଦ୍ଭିନ୍ନ ଯୌବନ (ଗ)

 

(ଗ) ଉଦ୍ଭିନ୍ନ ଯୌବନ, ଉତ୍କଳ ସାହିତ୍ୟ ୧୩୩୧, ୨୮ଶ ଭାଗ, ଚତୁର୍ଥ ସଂଖ୍ୟା, ଶ୍ରାବଣ ।

 

ମାନବ ଜୀବନରେ ଯୌବନର ଆବିର୍ଭାବ ଏକାନ୍ତ କାନ୍ତ ଓ କମନୀୟ ପୁଷ୍ପ ପରି ବିକଚ ଓ ମନୋଜ୍ଞ । ତେଣୁ ସେଇ ‘‘ଯୌବନ ଫୁଲ’’ହିଁ ହୋଇଚି ତାଙ୍କର କବିତା-

 

‘‘ଯଉବନ ଫୁଲ ମଉଳିବ ଆଜି

ସନ୍ଧ୍ୟାରେ,

ଶେଷ ବାସ ତା’ର ମିଶିଯିବ ଘନ

ଅନ୍ଧାରେ ।

ଯେତେ ପାର ସଖି, ତୋଳ ତୋଳ

ଭରାଅ, ପୂରାଅ ଅଞ୍ଚଳ;

ଗୋଲାପ ତୋଳ ଗୋ, ଅଶୋକ ତୋଳ ଗୋ

ତୋଳ ଚମ୍ପକ, ମନ୍ଦାରେ

ଯଉବନ ଫୁଲ ମଉଳିବ ପରା

ସନ୍ଧ୍ୟାରେ ।

 

ବେଳ ନାହିଁ ଆଉ ବେଳ ନାହିଁ, ବେଶି

ବେଳ ନାହିଁ,

କଉତୁକମୟୀ, କଉତୁକ ଖେଳ

ଖେଳ ନାହିଁ ।

 

ଯଉବନ ମୋର ଯିବ ଦୂରେ

ନ ଜାଣେ କେଉଁ ଅଜଣା ପୁରେ ।

ସଙ୍ଗତେ ତାର କି ଘେନିଯିବ ସେ

ଚୁମ୍ବନଟିଏ ଦେଲ ନାହିଁ,

ଏ ମଧୁ ପ୍ରଭାତ ଯିବ, ଯିବ ସଖି,

ବେଳ ନାହିଁ ।’’ (ଘ)

 

(ଘ)

ଯୌବନ ଫୁଲ, ଉତ୍କଳ ସାହିତ୍ୟ ୧୩୩୨, ୨୮ଶ ଭାଗ, ୧୨ଶ ସଂଖ୍ୟା

 

ସେଇ ସମୟରେ ନାରୀକବି କୁନ୍ତଳା କୁମାରୀଙ୍କର ଯୌବନ କବିତା ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଚି । ତାହା ପାଠ କରି ତରୁଣ କବି ‘‘ଖୋଲାଚିଠି’’ରେ ଲେଖିଛନ୍ତି-

 

‘‘ଯୌବନହିଁ କାବ୍ୟ ଲେଖିବାର ଓ ଉପଭୋଗ କରିବାର କାଳ । କିନ୍ତୁ କୁନ୍ତଳା କୁମାରୀ ସାବତ ମହାଶୟାଙ୍କ ମତରେ-

 

‘‘ଦୁଇଦିନ ପାଇଁ କିମ୍ପା ଉସତ ?

ବନ୍ଧୁ ନୁହେଁ ଏତ ବଇରୀ ସତ ।’’

 

ଯୌବନକୁ ସେ ପଳାସ ଫୁଲ ସଙ୍ଗେ ତୁଳନା କରି ଏହି ମାୟାବାଦ-ପ୍ରପୀଡ଼ିତ ଦେଶରେ ନବତର ମାୟାବାଦ ପ୍ରଚାର କରିଛନ୍ତି-

 

ଯୌବନ ସମ୍ପର୍କରେ ଏ ବର୍ଷ ବହୁ ସଂଖ୍ୟକ ପଦ୍ୟ ବାହାରିଛି । କୁନ୍ତଳା ଦେବୀଙ୍କ ‘ଯୌବନ’ରେ ଯେପରି ବୈରାଗ୍ୟର ପରିଚୟ ମିଳିଛି, ଅନ୍ୟାନ୍ୟ ଯୌବନ କବିତାରେ ସେହିପରି ଅନୁରାଗର ଲକ୍ଷଣ ଦେଖାଯାଏ । ତେବେ, କ’ଣ ଓଡ଼ିଶାରେ ଯୌବନ ଆଲୋଚନାର ଦିନ ଆସିଲାଣି ? ଫେରି ଆସୁ, ଫେରି ଆସୁ ସେଦିନ । ଯୌବନ ତ ସୃଷ୍ଟିର ସମୟ । ଦେଶର ଯୌବନ, ଜାତିର ଯୌବନ ଫେରି ଆସୁ । ‘ଦୁଇ ଦିନ’ ପାଇଁ ସୁଦ୍ଧା ଯଦି ଦେଶ ‘ଉସତ’ ହୁଏ, ତେବେ ଦୁଇ ଶତାବ୍ଦୀ କାଳ ତାଙ୍କୁ ଆନନ୍ଦ ଦେଉଥିବ; ଏହି ଦୁଇ ଦିନର ଯୌବନର ସୃଷ୍ଟି ।’’

 

ଅନ୍ନଦାଶଙ୍କର ଯେଉଁ ଯୌବନ କଥା ତାଙ୍କ ଖୋଲା ଚିଠିରେ ଉଲ୍ଲେଖ କରିଛନ୍ତି, ତା’ରି ଭିତରେ ତାଙ୍କର ବନ୍ଧୁ ବୈକୁଣ୍ଠନାଥଙ୍କ ନବ ଯୌବନ କବିତା ଆସୁଚି ନିଶ୍ଚୟ-

 

‘‘ମୁଁ ଗୋ ଆସିଅଛି ନବ ଯୌବନ

 

ନବ ଯୌବନ,

ମୁଁ ଗୋ ମଧୁ ସହଚର ଆସିଚି ଭାସି

 

ଭରିଅଛି କରେ କୁସୁମ ରାଶି ।

ମୁଁ ଗୋ ମଧୁ ତୁଲେ ନିତି ହସଇ ରସଇ

ସ୍ୱପ୍ନେ ଭାସଇ

ସ୍ୱପ୍ନେ ଲସଇ

ସ୍ୱପ୍ନକୁ କରେ ଚୁମ୍ବନ,

 

ମୁଁ ଗୋ ଯୌବନ, ନବ ଯୌବନ ।’’

 

ସେଇ ଯୌବନ ଥରେ ଚାଲିଗଲେ ଆଉ ଆସେ ନାହିଁ । ତେଣୁ କବି ସେଇ ଭାବର ଅବତାରଣା କରିଛନ୍ତି, ତାଙ୍କରି କବିତାରେ-

 

‘‘ଯଉବନ ଥରେ ଗଲେ ଆଉ ଆସେନା ।’’

 

‘‘ଯଉବନ ଥରେ ଗଲେ ଆଉ ଆସେ ନା’’ କବିତା ସମ୍ପର୍କରେ ଡକ୍ଟର କୁଞ୍ଜ ବିହାରୀ କହିଛନ୍ତି-‘‘ସେ କାଳର ଗୋଟିଏ ଶ୍ରେଷ୍ଠ ଗୀତି କବିତା, ଏହା ଯେପରି କରୁଣ, ସେହିପରି ମଧୁର, ହରାଇବାର କାରୁଣ୍ୟ, ପ୍ରାପ୍ତିର ମାଧୁରୀକି ଶତଗୁଣିତ କରିଅଛି, ଯେପରି କୋମଳ କାନ୍ତ ପଦ-ଯୋଜନା ସେହିପରି ଭାବକୁ ଘେନିଲା ଭଳି ଲଳିତ ମଧୁର ଛନ୍ଦ ।

 

ଯେପରି ଯୌବନ ଓ ପ୍ରଣୟର ଚେତନା

ସେହିପରି ମର୍ମଭେଦୀ ବିଚ୍ଛେଦ ଓ ମୃତ୍ୟୁର ଯାତନା ।

ଏହି କବିତାଟି କେହି ଥରେ ପଢ଼ି ତୃପ୍ତ ହୁଏ ନାହିଁ ।

ଥରେ ପଢ଼ିଲେ ଜୀବନରେ କେବେ ବିସ୍ମୃତ ହୋଇଯାଏ ନାହିଁ ।

 

ଅନ୍ନଦାଙ୍କ ଓଡ଼ିଆ କବିତା ମଧ୍ୟରେ ଏଇଟି ସର୍ବଶ୍ରେଷ୍ଠ । ଯାହାକୁ କାଳ କଳଙ୍କିତ କରିପାରି ନାହିଁ । ଶିଶିରସ୍ନାତ ସଜଫୁଲ ପରି ଏହା ଏବେ ଝଟକୁଛି ।’’

 

ଡକ୍ଟର ଦାଶଙ୍କର ମୈଗ୍‌ଧ୍ୟ ଓ ଲୌବ୍‌ଧ୍ୟ ବହିରଙ୍ଗକୁ ଦେଖି, ଅନ୍ତରଙ୍ଗଙ୍କୁ ଦେଖିବାକୁ ଚେଷ୍ଟା କରି ନାହାନ୍ତି ।’’

 

ଯେଉଁ ଉଇଲିୟମ କାଉପରଙ୍କ ଠାରୁ ତାଙ୍କର ସବୁଜଦଳ ନନ୍‌ସେନ୍‌ସ କ୍ଳବର ସ୍ୱରୂପ ଗ୍ରହଣ କରିଥିଲେ, ଅନ୍ନଦାଙ୍କ ସେ କବିତାଟି ସେଇ କାଉପରଙ୍କର ଗୋଟିଏ କବିତାର ଅବଲମ୍ବନ ଓ ଅନୁକରଣ-ସେ କବିତାଟି ‘‘On shortness of human life.’’

 

ସେ କବିତାଟି ସମ୍ପୂର୍ଣ୍ଣ ଭାବରେ ଉଦ୍ଧାର କରୁଚି-

“Suns that set and the moon that wane

Rise and all restored again

Stars that Orient day subdues

Night at her return renews.

Herbs, Hora, the beautious birth

of the genial womb of earth.

Suffer but a transient death

From winter’s Cruel breath,

speak, screner skies

Warm the globe and they arise.

We alas ! earth’s haughty kings

We that promise mighty things

Losong soon life’s happy prime

Drop and fade in little time.

Spring returns but not our floom

Still it is winter in the womb.

W. Cowper.

 

W. Cowper ଙ୍କ ‘‘On shortness of human life କବିତାଟି ଡକ୍ଟର ଯୋଷ୍ଟିନ୍‌ (Jostin)ଙ୍କର ଲାଟିନ କବିତାରୁ ଅନୂଦିତ । ୧୭୮୪ର ଜାନୁଆରୀ ୨୫ ତାରିଖରେ W. Cowper ନିଉଟନଙ୍କ ନିକଟକୁ ପଠାଇ ଥିଲେ ଯୋଷ୍ଟିନଙ୍କର କବିତା ଓ ତାଙ୍କର ଇଂରେଜୀ କବିତା-ଟିକିଏ ସୂଚନା ସହିତ-

 

The Late Doctor Jostin

had a good fortune.

To Write these verses

Upon tombs and heresays

Which I, being jinglish

Have done into English.

 

ଉଇଲିୟମ କାଉପୁର ଇଂରେଜୀ ସାହିତ୍ୟରେ ସେପରି କିଛି ଉଚ୍ଚ ଆସନର ଅଧିକାରୀ ନ ଥିଲେ, ମାତ୍ର ସେତେବେଳେ ଆମର ପରାଧୀନ ଭାରତ ପାଇଁ ତାଙ୍କର ସମ୍ବେଦନଶୀଳତା ଅବିସ୍ମରଣୀୟ - କବି ଭାରତର ସ୍ୱାଧୀନତା ଲାଭ କରିବାର ସମ୍ବାଦ ଶୁଣିବାକୁ କିପରି ଆଗ୍ରହାନ୍ୱିତ ହୋଇଥିଲେ, ତାହା ତାଙ୍କର Taskରେ ଆତ୍ମ ପ୍ରକାଶ କରିଚି - ଡାକ ପିଅନ ଭାରତର କି ଖବର ଆଣିଚି ?

 

‘‘Is India free and does she wear her plumed and jewelled turban with a smile of peace or do we grind her still’’

 

ତାଙ୍କର କବିତା ଆମ ଭାଷାକୁ ଆଣିବା ଆମର ଲୋଭ । ଅନ୍ନଦା ଶଙ୍କର ‘‘ଯଉବନ ଥରେ ଗଲେ ଆଉ ଆସେନା’’ ଆମ ଓଡ଼ିଆକୁ ଆଣିବାରେ ମୁଁ ତାଙ୍କୁ ସ୍ୱାଗତ କରୁଚି-

 

ଆହା ଯଉବନ ଥରେ ଗଲେ ଆଉ ଆସେନା,

ବୃଥା ବିଧୁର ପରାଣ ପୁରେ ଝୁରେ ବାସନା ।

ଫୁଲ ଫୁଟେ, ଫୁଲ ଝଡ଼େ, ପୁଣି ଫୁଟେ ସେ

ପୂରନିମା ଶଶୀ ବୁଡ଼େ, ପୁଣି ଉଠେ ସେ,

ବରଷକେ ଆସେ ପୁଣି ମଧୁ ଚଇତ

ବିରହିଣୀ ଧରଣୀର ପ୍ରାଣ-ଦୟିତ ।

 

ମାତର ନ ଆସେ ଆଉ ଯଉବନ ଗୋ

ବାହୁଡ଼ଇ ନାହିଁ ଗୋପେ ଗୋପଧନ ଗୋ ।

ନ ଫେରଇ ଥର ଥର ଚୋରାଚାହାଣୀ

ନ ଫେରଇ ଛନ ଛନ ମନ କାହାଣୀ ।

 

ପରଥମ ପ୍ରଣୟ ଗୋ ସରମରଙ୍ଗା,

ବିରହ ଦୀରଘ ଶ୍ୱାସ ମରମ-ଭଙ୍ଗା

ସୁଖର ବେଦନା ମୋର ନୀରବପ୍ରୀତି,

ନ ଫେରିବ କଣ୍ଠେ ଗୋ ତା ମଧୁଗୀତି ।

 

ଅଧର ଅଳକ ଆଖି ଆଉ ହସେନା ।

ଆହା ଯୌବନ ଥରେ ଗଲେ ଆଉ ଆସେନା ।

ଛୋଟ ଏ ଜୀବନ ବୋଲି ଦୁଃଖ ନାହିଁ ତ

ଯଉବନ ବିହୁନେ ମୋ ସୁଖ ନାହିଁତ ।

 

ହିମ ନ ହେଉଣୁ ଗାଲେ ତପତ ଚୂମ

ବାସି ନ ହେଉଣୁ ଗଳେ ସଜ କୁସୁମ ।

ଯଉବନ ସାଥେ ଯାଉ ଜୀବନ ମୋର

ଜରା ଚୋର ସାଥେ ଆସୁ ଜୀବନ ଚୋର ।

 

ଫୁଲ ଝଡ଼େ ଫୁଲ ଫୁଟେ କାନ୍ଦେନା ବନ

ଶଶୀ ବୁଡ଼େ ଶଶୀ ଉଠେ ସହେ ଗଗନ ।

ମଧୁଋତୁ ଯାଏ ଆସେ-ଲୁଚି ନ ରହେ

ଅବନୀ ଉଦାସୀ ହେବ କାହାବିରହେ ?

 

ଲୁଚୁକାଳି ଖେଳେ ଭବେ ସବୁ ସୁଷମା

ହୋଇ ହାତ ଧରାଧରି ନାଚେ ଆଲୋକ ଅମା ।

ଜଗତେ ହଜେନା କିଛି ହଜେ ଜୀବନେ,

କାହାରେ ବେଦନା ନାହିଁ ବେଦନା ମନେ ।

 

ବୃଥା ବିଧୁର ପରାଣ ପୁରେ ଝୁରେ ବାସନା

ଆହା ଯଉବନ ଥରେ ଗଲେ ଆଉ ଆସେନା । (ଚ)

 

(ଚ)

‘‘ଯଉବନ ଥରେ ଗଲେ ଆଉ ଆସେନା’’

ଉତ୍କଳ ସାହିତ୍ୟ, ୧୩୩୨, ୨୮ଶ ଭାଗ, ଦଶମ ସଂଖ୍ୟା

 

ଅବଶ୍ୟ ଅନ୍ନଦାଶଙ୍କର ମୂଳ ଭାବକୁ ପଲ୍ଲବିତ, ପୁଷ୍ପିତ କରି ଉପସ୍ଥାପିତ କରିଛନ୍ତି ମାତ୍ର ଅନ୍ତର୍ପ୍ରବାହର ଧ୍ୱନି ଅକ୍ଷୁଣ୍ଣ ରଖିଛନ୍ତି ।

 

ପରୀମହଲ :

ପ୍ରଥମରେ ପୂରବୀ, ସନ୍ଧ୍ୟା ସମୟର ରାଗିଣୀ ନୁହେଁ, ପୂର୍ବରୁ ପୂରବୀ । ଶେଷଟି ଉତ୍ତରା । ମଝିରେ ପାଞ୍ଚ ଜଣ ପରୀଙ୍କ ପାଇଁ ସ୍ୱାଗତିକା ।

 

ପୂରବୀରେ ରୂପାୟିତ ହୋଇଚି ଫାଲ୍‌ଗୁନୀ ଜୋଛନା-ଜୋଛନାର ରାତ୍ରି ତାହାର ଆବେଶରେ ସ୍ୱପ୍ନାଳୁ ତରୁଣ ବିହ୍ୱଳ । ସେ ଚାହୁଁଛନ୍ତି, ଗାତ୍ରରେ ଆଶ୍ଲେଷ, ଓଠରେ ଚୂମ୍ବନ ଓ ପାତ୍ରରେ କନକ ସିରାଜୀ, ଦିବସର ସମସ୍ତ କ୍ଲାନ୍ତି ଭୁଲିଯିବାକୁ ।

 

‘‘ଆସ, ନିଶିସଙ୍ଗିନୀ ସ୍ୱପ୍ନେ ମୁଁ ବିହଳ

ଦୂରେ ଆଉ ସଂସାର ଚହଳ,

ମାୟାମୟୀ ଅବନୀ ଏ ଛାୟାମୟୀ ରଜନୀ,

ନେତ୍ରେ ବିଭାସୁ ପରୀମହଲ ।

x      x      x

ପରୀମାନେ, ଆସ ମୋର ଆସ ଗୋ ।’’ (ଛ)

 

(ଛ)

ପରୀମହଲ, ଉତ୍କଳ ସାହିତ୍ୟ, ୧୩୩୩ ବୈଶାଖ,

 

ପରୀ ସ୍ୱପ୍ନ ଦେଖିବାରେ, ପରୀମାନଙ୍କୁ ଆହ୍ୱାନ କରିବାରେ ଅନ୍ନଦାଶଙ୍କର ରାୟ ବଙ୍ଗଳାର ଛାନ୍ଦସିକ କବି ସତ୍ୟେନ୍ଦ୍ରନାଥ ଦତ୍ତଙ୍କଠାରୁ ଅନୁପ୍ରେରଣା ପାଇଛନ୍ତି । ଦତ୍ତଙ୍କର ପରୀ ସଂଖ୍ୟାରେ ପାଞ୍ଚ ଜଣ ।

 

୧.

ଜର୍ଦ୍ଦାପରୀ

୨.

ସବୁଜପରୀ

୩.

ଲାଲପରୀ

୪.

ନୀଳପରୀ

 

ମାତ୍ର ରାୟଙ୍କର ଲେଖନୀରେ ଜର୍ଦ୍ଦା ପରି ହୋଇଛନ୍ତି କନକ ପରୀ, ଲାଲ ପରୀ ବନିଛନ୍ତି ଗୋଲାପ ପରୀ ଓ ନୀଳ ପରୀ ହୋଇଛନ୍ତି ଆସମାନୀ ପରୀ । ସବୁଜ ପରୀ ସେଇ ସବୁଜ ପରୀ ହୋଇ ରହିଛନ୍ତି ।

 

ୟା’ ବ୍ୟତୀତ ଅନ୍ନଦାଶଙ୍କର ଆଉ ଏକ ନୂତନ ପରୀ ସର୍ଜନା କରିଛନ୍ତି-ଶ୍ୱେତ ପରୀ । ଆହ୍ୱାନ ଜଣାଇଛନ୍ତି କୁନ୍ଦକୁମୁଦ କୁସୁମରେ ନୂପୁର ରଚି କଳା କୁନ୍ତଳରେ ମଲ୍ଲୀମାଳ ଖଞ୍ଜି ସାଥିରେ ଫୁଲ ଶେଫାଳୀ ଆଣି, ମୁଖରେ କିଆଫୁଲର ରେଣୁ ବୋଳି କାନରେ ଧଳା କରବୀ ଖଞ୍ଜି, ହାତରେ ହେନା ମୁକୁଳ ଘେନି ଆସିବା ପାଇଁ ।

 

‘‘ଶ୍ୱେତ ପରୀ ଗୋ ଶ୍ୱେତ ପରୀ ଗୋ

ତ୍ରସ୍ତ ଚରଣେ ଆସ

 

ଥରି ଥରି ଗୋ ।

କୁନ୍ଦ କୁମୁଦେ ଆସ

ନୂପୁର ରଚି

 

ମଲ୍ଲିକା ମାଳେ କଳା

କବରୀ ଖଚି,

 

 

ଆଗୋ ସରଗ-ଶଚୀ ।

ଆସ, ଫୁଲ୍ଲ ଶେଫାଳୀ ସାଥେ

 

ମଉନ ଶିଶିର ପାତେ

ଶିରି ଶିରି ସମୀରଣେ

 

ଝରି ଝରି ଗୋ

 

 

ଶ୍ୱେତ ପରୀଗୋ ।’’ (ଜ)

 

(ଜ)

ପରୀମହଲ, ଉତ୍କଳ ସାହିତ୍ୟ

 

କବି ତାଙ୍କର ପରୀକୁ ଡାକିବାରେ ପରିକଳ୍ପନାରେ, ଭାଷା ସର୍ଜନାରେ ଯାହା କିଛି ପ୍ରୟୋଜନ, ତା’ର କାମ୍ୟ ଆୟୋଜନ କରିଛନ୍ତି । ତା’ପରେ କନକ ପରୀ-

 

ତା’ର ଅଙ୍ଗରେ ଚମ୍ପାଫୁଲର ସୌରଭ । କନିଅର ଫୁଲର କାନ୍ତିରେ ତା’ର ପୀତାମ୍ବର ବିଜୁଳିର ଆଭାରେ ତନୁ ନିର୍ମିତ, ଜ୍ୟୋତ୍ସ୍ନାର ଆଭାରେ ମୁଖମଣ୍ଡିତ । ପ୍ରାଚୀ ଗଗନର ଉଷାରେ ପ୍ରତ୍ୟହ ସେ ମୁଖ ଦେଖାଇ ଚପଳା ପରି ଲୁଚିଯାଏ, ପୁଣି ତା’ ସୁବର୍ଣ୍ଣ ତରୀ ସାନ୍ଧ୍ୟ ବାଦଲରେ ଭାସିଉଠେ । ବର୍ଷାରେ, ଝଡ଼ରେ ତା’ର ନୂପୁର ରଣିତ ହୋଇଉଠେ-ସେ ହୁଏ ଅଭିସାରିକା । କବି ତା’ର ସ୍ୱାଗତିକା ଗାଇ ଉଠନ୍ତି-

 

‘‘ଆସ ଅଭିସାରିକା ପଥେ ନାହିଁ ବାଧା ଗୋ,

ନବ ନୀଳା କୁଞ୍ଜେ ଆସ ମୋର ରାଧା ଗୋ ।

ଗୃହ ବିସରି

କନକ ପରୀ ।’’ (ଝ)

 

(ଝ)

ତତ୍ରୈବ

 

ସତ୍ୟେନ୍ଦ୍ର ଦତ୍ତ ତାଙ୍କ ଜର୍ଦ୍ଦା ପରୀର ଯେଉଁ ସ୍ୱରୂପ ଓ ସ୍ୱର ବାଢ଼ିଛନ୍ତି, ତାହା ସଂଳାପଧର୍ମୀ-

 

‘‘ଜର୍ଦ୍ଦାପରୀ, ଜର୍ଦ୍ଦାପରୀ

ଜମାଟ ଜରୀର ବୋର୍ଖାଗାୟ

ଚୌଦ୍ରେ ଏବଂ ବିଦ୍ୟୁତେ ଦୁଇ

ପାଖ୍‌ନା ମେଲେ ଯାଓ କୋଥାୟ ?’’

 

‘‘ଯାଇ କୋଥାୟ

ହାୟରେ ହାୟ,

ଦରଦ୍‌ ଦିୟେ ବୁଝତେ ଦରଦ

ଗରଦ୍‌ ଗୁଟିର ଦରଦ୍‌ ଦାୟ ।’’ (ଞ)

 

(ଞ)

ସତ୍ୟେନ୍ଦ୍ର ନାଥ ଦତ୍ତ

 

ମାତ୍ର ଅନ୍ନଦାଶଙ୍କର ତା’ର ଅନୁସରଣ ନକରି ସୌମ୍ୟ ସମ୍ଭାଷରେ ନିଜର ମୌଳିକତା ଦେଖାଇଛନ୍ତି ।

 

ସବୁଜ ପରୀକୁ ସତ୍ୟେନ୍ଦ୍ର ଦତ୍ତ ଆହ୍ୱାନ କରିଛନ୍ତି-

 

‘‘ଘାସେର ଶୀଷେ ସବୁଜ କରେ

ଶିସ୍‌ ଦିୟେଚ୍ଛ ସୁନ୍ଦରୀ

ତାଇ ଉଜ୍ଜ୍‌ଲେ ହରିତ ସୋହାଗ

କୁଞ୍ଜ ବନେର ବୁକ୍‌ ଭରି ।

 

ଯୌବନେର ଯୌବରାଜ୍ୟ

ଦେଓୟା ତୋର ନିତ୍ୟ କାର୍ଯ୍ୟ

 

ପାଖା ତୋମାର ଶ୍ୟାମଲ ପତ୍ର

ନିଶାଣ ତୃଣ-ମଞ୍ଜରୀ ।

ସବୁଜ ପରୀ, ସବୁଜ ପରୀ

ନୂତନ ସୁରେର ଉଦ୍‌ଗାତା,

ଗାଁଥ ତୁମି ଜୀବନ ବୀଣାୟ

ଯୌବନେରି ଜୟଗାଥା ।’’ (ଟ)

 

(ଟ)

ସତ୍ୟେନ୍ଦ୍ରନାଥ ଦତ୍ତ

 

ଅନ୍ନଦା ଶଙ୍କର ସ୍ୱାଗତିକା ଗାନ କରିଛନ୍ତି-

 

‘‘ସବୁଜ ପରୀ, ଆସ

ପତ୍ର ରହେ କାନ ଡେରି

ଊର୍ଦ୍ଧ୍ୱେ ଚାହେଁ ଘାସ ।

ସବୁଜ ପରୀ ଆସ

ଯୌବନର ମନ୍ତ୍ରେ ସଖି ଜୀର୍ଣ୍ଣ ଜରା ନାଶ ।

ସବୁଜ ପରୀ ଆସ,

ପଲ୍ଲବାଅ ତରୁ ବୀଥି

ମୁଖିରାଅ ଘାସ ।’’ (ଠ)

 

(ଠ)

ପରୀମହଲ

 

ସତ୍ୟେନ୍ଦ୍ର ଦତ୍ତ ତାଙ୍କ ଲାଲ ପରୀକୁ କହିଛନ୍ତି-

 

‘‘ନାଇଁ ଅଜନା କିଛୁ ମୋର

ଚୂମୁ ଗୋଲାପ ପାଗ୍‌ଡ଼ି ତୋର,

x      x      x

ଆବିର ବିନା ଅଶୋକ ଫୁଲ

ତୋମାର ବରେ ହୟ ଅତୁଲ ।’’ (ଡ)

 

(ଡ) ସତ୍ୟେନ୍ଦ୍ରନାଥ ଦତ୍ତ

 

କିନ୍ତୁ ଅନ୍ନଦାଶଙ୍କର ରାୟ ଗୋଲାପୀ ପରୀ ଆଗରେ ମନ-କାହାଣୀ କହିଛନ୍ତି-

 

‘‘ଗୋଲାପୀ ପରୀ ଗୋ ବାରେ ଚାହାନି

ତୋ ଆଗେ କହିବି ମନ-କାହାଣୀ !

x      x      x

ଗୋଲାପୀ ପରୀ ଗୋ ବାରେ ହସନି,

ଅଶୋକ ମୁକୁଳ ରଙ୍ଗା-ଦଶନୀ ।

 

ବଧୁଲି ଅଧରେ ତୋର ବଧୁ ଗୋ

ସଞ୍ଚିତ ଯଉବନ ମଧୁ ଗୋ

ସେ ମଧୁ ଆଶେ ମୁଁ ଝୁରେ ଚାତକ

ବ୍ୟର୍ଥ ସିନା ମୋ ଦିନ ରଜନୀ ।’’ (ଢ)

 

(ଢ)

ପରୀମହଲ

 

ତେଣୁ କବି ଶେଷରେ ଉତ୍କଣ୍ଠାର ସହିତ ପଚାରିଛନ୍ତି-

 

‘‘ଗୋଲାପୀ ପରୀ ଗୋ ବାରେ କହନି !

ମଉନେ ଥିବି ଗୋ ମୋର ଦଇନି !’

କେତେ ଏ ନୀରବ ହିଆ ବେଦନା

ଗୋପନ ପରାଣେ କେତେ ସାଧନା ।

କହିନି କାହାକୁ ସହି, ସରମେ,

ଗୋଲାପୀ ବ୍ୟଥାଟି ମୋର କହିନି !’’ (ଣ)

 

(ଣ)

ପରୀମହଲ

 

ଗୋଲାପୀ ପରୀ ଆଗରେ ଆପଣାର ଗୋଲାପୀ-ବ୍ୟଥା ମନୋଜ୍ଞ ହୋଇପାରିଛି ।

 

ଏ ସବୁ ଆସ୍‌ମାନୀ କଥା-ତେଣୁ ଆସ୍‌ମାନୀ ପରୀ ଆସିବା ସ୍ୱାଭାବିକ ।

 

‘‘ଆସ୍‌ମାନୀ ପରୀ, ତା’ର

 

ଆସ୍‌ମାନୀ ଅଙ୍ଗ

ଚରଣ ଘେରିଛି ତା’ର

 

ସାଗର ତରଙ୍ଗ

ଚିକୁର ଲୋଟଇ ତା’ର

 

ବନଗିରି ଶିଖରେ

ରୂପ ନିରେଖଇ ସେ ତ

 

ଝରଣାର ମୁକୁରେ,

ଅପରାଜିତାର ଟିପା

 

ଶୋହେ ତା’ର ଭାଲେ ଗୋ

ଉଷା ନୀଳ ଆଭା ତା’ର

 

ଝଲସଇ ଗାଲେ ଗୋ ।’’ (ତ)

(ତ)

ତତ୍ରୈବ

 

ସତ୍ୟେନ୍ଦ୍ର ଦତ୍ତ ତାଙ୍କର ନୀଳ ପରୀକୁ ବରଣ କରିଛନ୍ତି-

 

‘‘କାନେ ସୁନୀଲ ଅପରାଜିତା

ପାପ୍‌ଡ଼ି ଚୂଲେ ଜାଫ୍‌ରାନେର

ପାୟେ ଜଡ଼ାୟ ନୂପୁର ହୟେ

ଶେଷ ବାସରେର୍‌ ରେସ୍‌ ଗାନେର । (ଥ)

ନୀଲ ସାଗରେ ନିଚୋଲ ତୋମାର

ଗଗନ ନୀଲେ ଉତ୍ତରୀ,

ନୀଲ ପରୀ ଗୋ ନୀଲ ପରୀ ।

 

(ଥ)

ସତ୍ୟେନ୍ଦ୍ରନାଥ ଦତ୍ତ

 

ଆଦ୍ୟ ସୃଷ୍ଟି ସତ୍ୟେନ୍ଦ୍ରଙ୍କର ହେଲେ ଅନ୍ନଦାଶଙ୍କରଙ୍କର ପୁଷ୍ଟି ଲକ୍ଷ୍ୟ କରିବାର କଥା ।

 

ମାଧବୀ ନିଶୀଥରେ କବି ପରୀମାନଙ୍କୁ ଆହ୍ୱାନ କରିଛନ୍ତି, ଏକ ସ୍ୱପ୍ନିଳ ପରିବେଶ ସଜିବାକୁ ।

 

‘‘ଫୁଟିଅଛି ଯଉବନ ଫୁଲ ମୋର ଅଙ୍ଗେ,

 

କେଉଁ ଫୁଲ ସରି ଏହା ସଙ୍ଗେ ?

ପରୀମାନେ ଆସ, ଆସ ବୁଲ ଏଇ ଫୁଲେ ଗୋ

ମଉଳିବ ଫୁଲ ମୋର ନିମିଷକ ଭୁଲେ ଗୋ

 

ପରୀମାନେ ବୁଲ ଆଜି ରଙ୍ଗେ ।

ଯୁଗେ ଯୁଗେ ମଞ୍ଜୁଳା ହେବ ଏଇ ଧରଣୀ

 

ଯଉବନ ମନୋହର-ବରଣୀ,

ସୁନ୍ଦରୀ ଧରା ଭୁଜ ବନ୍ଧନ ତୁଟି ବି

 

ସୁଦୂର ତାରକା ବନେ ଫୁଟିବି ମୁଁ ଫୁଟିବି,

 

ଘେନି ଯାଅ ତହିଁ ପରୀ ତରୁଣୀ । (ଦ)

 

(ଦ)

ପରୀମହଲ

 

Elener Freeman ଅକାଳରେ ୨୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଜଣେ ଇଂରେଜ କବି ତାଙ୍କ ସମ୍ପର୍କରେ ଯାହା ଲେଖିଥିଲେ, ଏଇ ଅବକାଶରେ ତାହା ମନେ ପଡ଼ିଯାଉଅଛି ।

 

‘‘Let not death boast his conqusing power,

She shall rise a star that fell a flower.’’

 

ଅନ୍ନଦାଶଙ୍କର ବିଦ୍ୟା ଶିକ୍ଷା ପାଇଁ ପୁରୀରେ କେତେ ଦିନ ରହିବାର ସୁଯୋଗ ପାଇଥିଲେ; ତେଣୁ ସାଗର ଦର୍ଶନ ତାଙ୍କର ନିତ୍ୟ କର୍ମ ଥିଲା । ତେଣୁ ସେ ଉଚ୍ଛ୍ୱସିତ ହୋଇ କହିଛନ୍ତି-

 

‘‘ହେ ସାଗର, ବନ୍ଧୁ ମୋର

ଏ ନୁହେଁ ପ୍ରଥମ ଥର

 

ବେନିଙ୍କର ଦେଖା

କେତେ ନିଶି ମନ ଭୋଳେ

ନିରେଖିଛି ତୋର କୂଳେ

 

ନୀଳବାରି ରେଖା ।’’ (ଧ)

 

(ଧ)

ସାଗର ପ୍ରତି, ଉତ୍କଳ ସାହିତ୍ୟ ୧୩୩୧, ୨୮ଶ ଭାଗ ଚତୁର୍ଥ ସଂଖ୍ୟା ।

 

ତାଙ୍କର ତରୁଣ ମନ ସେଇ ସାଗର ଭିତରେ ଏକ ମାୟା-ମହଲ ଆବିଷ୍କାର କରି ପାରିଥିଲା-

 

‘‘କ୍ଷଣେ ଗୁରୁ ଗରଜନ

କ୍ଷଣେ ମୃଦୁ କଳସ୍ପନ

 

ଭୈରବ ଲଳିତ

ଶ୍ରବଣେ ବରଷୁ ସୁଧା

ହରୁ ସର୍ବାଙ୍ଗର କ୍ଷୁଧା

 

ସେ ସ୍ପର୍ଶ ସଙ୍ଗୀତ !

ଭୀମ ଆବର୍ତ୍ତେ ଘୂରାଅ

ଭସାଅ ଅବା ବୁଡ଼ାଅ

 

ଘେନିଯାଅ ଦୂରେ

ଅତଳ ପାତାଳ ତଳେ

ଯହିଁ ମଣିଦୀପ ଜଳେ

 

ମାୟାମୟ ପୁରେ ।

ଯହିଁ ବରୁଣ ଲଳନା

ରଚି ପ୍ରବାଳ ଖେଳନା

 

କ୍ରୀଡ଼ନ୍ତି କୌତୁକେ; (ନ)

ସବୁଜ ବାସେ ଆବରି

ମେଘ ବରଣ କବରୀ

 

ଲୀଳାସ୍ମିତ ମୁଖେ ।

ଚିର ଶ୍ୟାମ ତରୁ ଘେରା

ଶତରଙ୍ଗା-ଫୁଲେ ତୋରା

 

ସେ ମାୟା ମହଲେ

ମୁକୁତା ଶେଯ ଉପରି

ଶୁଆଅ ଯତନ କରି

 

ବିଜନେ, ବିରଳେ ।’’

‘‘ସ୍ୱପନ ଆବେଗ ବୋଳା,

ଅଳସ ମୋ ବେନି ଡୋଳା

 

ମୁଦି ଯାଉ ଧୀରେ

ସ୍ତବ୍‌ଧ କରି କ୍ଲାନ୍ତ ବୁକୁ

ବନ୍ଦ ହେଉ ଧୁକୁ ଧୁକୁ

 

ଅବଶ ଶରୀରେ ।’’ (ପ)

 

ସେଠି ଶୋଇବାର ସୁଯୋଗ ପାଇଲା ପରେ ସ୍ୱପ୍ନିଳ କବି କଳ୍ପନା କରୁଛନ୍ତି-

 

(ନ)

ତତ୍ରୈବ

(ପ)

ସାଗର ପ୍ରତି

 

ପକ୍ଷାନ୍ତରରେ ତରୁଣର ମନ ଉତ୍ତେଜନାରେ, ଉଦ୍ଦୀପନାରେ ଭରା, ବିପ୍ଳବ କରେ, ବିଦ୍ରୋହ କରେ, ଅଭିଯାନ କରେ । ସ୍ୱୟଂ ଉଦ୍‌ବୁଦ୍ଧ, ସ୍ୱୟଂ ଜାଗ୍ରତ, ଅନ୍ୟକୁ ଉଦ୍‌ବୁଦ୍ଧ କରିବାକୁ ବାହାରିପଡ଼େ ।

 

୧୩୩୦ ଭାରତରେ ଜାଗରଣର ଯୁଗ, ତେଣୁ ଅନ୍ନଦାଶଙ୍କରଙ୍କ ପ୍ରାଣରେ ବାଜି ଉଠିଥିଲା ଜାଗୃତିର ଝଂକୃତି-ଉଦ୍‌ବୋଧନ ହୋଇ ତାହା ନିସୃତ ହୋଇ ପଡ଼ିଥିଲା ।

 

‘‘ଉତ୍କଳ ଭୂମି ସନ୍ତାନ କୁଳ

 

ସୁପ୍ତ କି ଆଜି ସରବେ ?

ସାର୍ଥକ ପ୍ରାଣ ଜନ୍ମଭୂମିର

 

ଗତ ଗୌରବ-ଗରବେ ।

ଜଗତର ମହା ପରିବର୍ତ୍ତନ

 

ଆଣେ ନାହିଁ ପ୍ରାଣେ ଚେତନା

ବହୁ ଯୁଗାନ୍ତେ ନବ ଉତ୍କଳେ

 

କର୍ମ ତୁମର ଦ୍ୟୋତନା ।

ଜନ୍ମାଏ ନାହିଁ ନବ ଉତ୍ସାହ

 

ସୁପ୍ତିର ଶେଷ ନାହିଁକି ?

ବିଂଶ ଶତକେ ଉତ୍କଳୀୟର

 

ନିଦ୍ରା କି ଶ୍ରେୟ ? କାହିଁକି ? (ଫ)

 

(ଫ)

ଉଦ୍‌ବୋଧନ - ସହକାର ୧୩୩୦, ଦ୍ୱିତୀୟ ଭାଗ, ଭାଦ୍ର, ପଞ୍ଚମ ସଂଖ୍ୟା ।

 

ତା’ର ୬/୭ ମାସ ପରେ ଅନ୍ନଦାଶଙ୍କର ଗୋଟିଏ କବିତା ରଚନା କରିଥିଲେ-ତା’ର ଶୀର୍ଷକ ସବିତା ।

 

‘‘ନୟନ ଫେଡ଼ି ଦେଖରେ ଚାହିଁ

ତିମିର ନିଶି ନାହିଁରେ ନାହିଁ

ସୁପାତି ଶେଯ ତେଜରେ ତେଜ

ତରୁଣ,

ଗଗନ ଦେଶେ କି ନବ ବେଶେ

ଉଇଁଛି ଆଜି ଯାମିନୀ ଶେଷେ

ଉଇଁଛି ଆଜି କି ସାଜେ ସାଜି

ଅରୁଣ ।

 

ନୀଳ ଦୁକୂଳେ କନକ ରେଖା

ପରାଚୀ ପଟେ କିରଣ ଲେଖା

କି ଅପରୂପ କି ଅଭିନବ

ଛବି ରେ,

 

ନିଶୀଥିନୀର କୁହୁକ ଭୋଳେ

ରହନା ଶୋଇ ସ୍ୱପନ ଭୋଳେ

ଆଜି ଉଷାରେ ଉଠ ତୁ ବାରେ

କବି ରେ ।

 

ଯାଆ ପାଶୋରି ପୂରୁବ ଗୀତି

ଗାଆ ତୁ ଆଜି ଜାଗର ଗୀତି

କହ ସରବେ ଜୀମୂତ ରବେ

‘‘ଜାଗ ରେ

 

ଜାଗ’ରେ ଜାଗ ଉତ୍କଳର

ତରୁଣ ସୁତାସୁତ ନିକର

ନବ ଜଗତେ ଜାଗରେ ନବ

ଯୁଗରେ ।’’ (ବ)

 

(ବ)

ସବିତା, ୧୩୩୦ ବୈଶାଖ

 

ଶେଷରେ କବି ପୁଣି କବିଙ୍କି ଆହ୍ୱାନ କରିଛନ୍ତି-

 

‘‘କବି ରେ ତୋର ଆଲୋକ ବୀଣେ

ବଜାଅ ଆଜି ଜାଗର ଦିନେ

ନିଖିଳ ମନ ଉନ୍ମାଦନ-

କବିତା

ତାମସ ଘନ ଏ ଦୀନ ଦେଶେ

ଉଇଁଛି ଆଜି କି ନବ ବେଶେ

ସୁପ୍ତିନାଶୀ ଦୀପ୍ତିରାଶି

ସବିତା ।’’ (ଭ)

 

(ଭ)

ତତ୍ରୈବ

 

କବି ଯେଉଁ ଦେଶରେ ଜନ୍ମଲାଭ କରିଥିଲେ ତା’ରି ଦୁଃଖ, ଦୈନ୍ୟ ଓ ନୈଶ୍ଚନ୍ତ୍ୟ ଦେଖି ଅଭିଭୂତ ହୋଇ ପଡ଼ିଥିଲେ । ତେଣୁ ସେ ଦେଶର ଉଦ୍‌ବୋଧନ ପାଇ ଜାଗରଣ ଗୀତି ଗାଇଥିଲେ-। ବର୍ତ୍ତମାନ ତାଙ୍କର ସାମ୍ନାରେ ଦେଖିଲେ-ମଣିଷ ସମାଜର ଦୁର୍ଗତି-

 

‘‘ଯେତେ ପାପ ଯେତେ ମିଥ୍ୟା

 

ଯେତେ ମୋହ ଯେତେ ପ୍ରବଞ୍ଚନା

ଧର୍ମ ନାମେ ନୀତି ନାମେ

 

ଜାତି ନାମେ ଯେତେ ଆବର୍ଜନା ।

ବୈଶମ୍ୟର ଭେଦରେଖା

 

ଭଣ୍ଡତାର ଯେତେ ଆଚ୍ଛାଦନ

ଦୁର୍ବଳର ହା ହା କାର

 

ପୀଡ଼ିତର ମରମ ବେଦନ ।’’ (ମ)

 

(ମ)

ପ୍ରଳୟ ପ୍ରେରଣା, ଉତ୍କଳ ସାହିତ୍ୟ ୧୩୩୨, ୨୮ଶ ଭାଗ ଷଷ୍ଠସଂଖ୍ୟା

 

ତେଣୁ କବି ହୋଇଛନ୍ତି ବିପ୍ଳବୀ, ବିଦ୍ରୋହୀ-ତାଙ୍କର ପ୍ରାଣରୁ ବାଜି ଉଠିଅଛି ବିପ୍ଳବର ସ୍ୱର, ବିଦ୍ରୋହର କବିତା-

 

‘‘ଅଗ୍ନିକଣା ଅଗ୍ନିକଣା

 

ଦେହ ଦୀପେ ଜାଳ ଦୀପ୍ତଶିଖା

ତୀବ୍ର ତେଜେ ଦହିବି ମୁଁ

 

ଜଡ଼ତାର ଅନ୍ଧ କୁଝହଟିକା ।

ଶକ୍ତିମଦେ କ୍ଷିପ୍ତ କର-

 

ଶକ୍ତିପାଇଁ ସର୍ବାଙ୍ଗ ଅଧୀର

ଆଲୋକ ଆସବ ଦେଇ

 

କର ମୋତେ ଉନ୍ମାଦ ମନ୍ଦର ।

ଝଞ୍ଜାବାୟୁ, ଝଞ୍ଜାବାୟୁ,

 

ଡାକ ମତେ ପ୍ରଳୟ ଆହବେ

ମୂଢ଼ ମୂକ ଧରାବକ୍ଷେ

 

ମାତିବି ମୁଁ ସୋଲ୍ଲାସ ତାଣ୍ଡବେ ।’’ (ଯ)

 

(ଯ)

ତତ୍ରୈବ

 

ଇଂରେଜୀ କବି ସେଲି West Windକୁ ଆତ୍ମାର ବାଣୀ ଜଣାଇଥିଲେ-‘‘Make me thy lyre’’ ଅନ୍ନଦାଶଙ୍କର ତାଙ୍କରି ସ୍ୱର ସହିତ ସ୍ୱର ମିଳାଇ ଝଞ୍ଜାବାୟୁ ଆଗରେ ଆତ୍ମପ୍ରକାଶ କରିଛନ୍ତି-

 

‘‘ମୋତେ କର ବଂଶୀ ତବ

 

ବଜାଇବି ଭୈରବ ରାଗିଣୀ ।’’ (ର)

 

(ର)

ପ୍ରଳୟ ପ୍ରେରଣା

 

ଦୃପ୍ତ କଣ୍ଠରେ ସେ ଉଗ୍ର ରାଗିଣୀ ତୋଳିଛନ୍ତି-

 

‘‘ଝଟିକା ମୁଁ ବହିଯିବି

 

ଦେଶପରେ ଯୁଗର ଉପରେ

ଅନଳ ମୁଁ ଦହିଯିବି

 

ନିର୍ଜୀବେ ସ୍ଥବିରେ ଅକାତରେ ।

ଛିନ୍ନ କରି ଜୀର୍ଣ୍ଣ କରି

 

ଯେତେ ବାଧା ଯେତକ ବନ୍ଧନ

ମାନବ କଳଙ୍କ ଭାରେ

 

ରଚିବି ମୁଁ ପ୍ରଳୟ ଇନ୍ଧନ ।

ଏହି ଭସ୍ମ ଅବଶେଷ

 

ଉପରେ ମୁଁ ରଚିବି ନନ୍ଦନ,

ମର୍ତ୍ତ୍ୟରେ ଅମରାବତୀ

 

ଜଡ଼ ଦେହେ ଜୀବନ ସ୍ପନ୍ଦନ ।’’ (ର)

 

(ର)

ପ୍ରଳୟ ପ୍ରେରଣା

 

‘‘ବାଗର୍ଥାଦିବ ସଂପୃକ୍ତୌ’’ ସମାଜରେ ନର ଓ ନାରୀର ସମ୍ପର୍କ କିନ୍ତୁ ନର ଓ ନାରୀ ମଧ୍ୟରେ କି ବୈଷମ୍ୟ, କି ଅବିଚାର ସେଇ ସବୁ ଦୂର କରିବାକୁ କବିଙ୍କର ଆହ୍ୱାନ-ଅଗ୍ନିଗର୍ଭ ବାଣୀ-

 

‘‘ଜଗତରେ ନରନାରୀ

 

ଶୁଣ ମୋର ଅଗ୍ନି ଗର୍ଭଧ୍ୱନି,

ମୁକ୍ତ ହୁଅ,

 

ମୁକ୍ତ ହୁଅ,

 

 

ଗର୍ଜେ ଆଜି ପ୍ରଳୟ ଅଶନି ।’’ (ଳ)

 

(ଳ)

ତତ୍ରୈବ

 

ପ୍ରଳୟ ପ୍ରେରଣା ପରେ ସୃଜନ ସ୍ୱପ୍ନ-ଉଭୟ ମଧ୍ୟରେ ଅଦ୍ଭୁତ Paradox-

 

‘‘ଶୁଣିବ ଯଦି ଶୁଣ ଗୋ ରାଣୀ

ସେ ନୁହେ ମୋର ମରମ ବାଣୀ,

ସେ ନୁହେ ମନ କଥା ଗୋ ।

ଯେ ଗୀତ ଦେଲି ସେଦିନ ଗାଇ

ସେ ଗୀତେ ମୋର ହୃଦୟ ନାହିଁ,

ନାହିଁ ସେ ଗୀତେ ବ୍ୟଥା ଗୋ ।

କହୁଚି ସତ, ଶୁଣଗୋ ମିତ,

ଧ୍ୱଂସେ ମୋର ମନ ନାହିଁତ,

ସେ ନୁହେଁ ମୋର ବ୍ୟସନ,

ପ୍ରଳୟ ଧୂମକେତୁ ମୁଁ ନୁହେଁ,

ନୁହଇ ଭୂମିକମ୍ପ ମୁଁ ହେ,

ସୃଷ୍ଟି ସ୍ଥିତି ନାଶନ ।

ଗୋପନ କରି କି ହେବ ପ୍ରିୟା,

ନୁହେଁ ମୁଁ ଝଡ଼, ନୁହେଁ ମୁଁ ନିଆଁ

ନୁହେଁ ମୁଁ ଶମଶାନ ଗୋ,

ଅନଳ ଆଶେ ଅଦମ ତୃଷା,

ସେ ସିନା ମୋର ଛଦମ ଭୂଷା,

ମୋ ତୃଷା, ଭୂଷା ଆନ ଗୋ ।’’ (ବ)

 

(ବ) ସୃଜନ ସ୍ୱପ୍ନ, ଉତ୍କଳ ସାହିତ୍ୟ ୧୩୩୨, ୨୮ ଭାଗ, ୭ମ ସଂଖ୍ୟା

 

ପ୍ରଳୟ ପ୍ରେରଣାରେ କବିଙ୍କର ପୌରୁଷବନ୍ତ ସ୍ୱର କିପରି ‘ଅଦମ’ ‘ଛଦମ’ ହୋଇଯାଇଚି ତାହା ଲକ୍ଷ୍ୟ କରିବାର କଥା । ପ୍ରିୟାଙ୍କ ସଙ୍ଗରେ ସେ ଚାହିଁଛନ୍ତି ନିଭୃତ ଅଭିସାର-ଅଭିଯାନରୁ ହଠାତ୍‌ ଏକ ଅଭିସାର-

 

‘‘ଯିବି ପଳାଇ ଦୂରେ ସୁଦୂରେ

ସପନ ଲୋକେ ଗୋପନ ପୁରେ,

ଗ୍ରହ ତାରକା ଏଡ଼ାଇ,

ଯୌବନର ଝରଣାକୂଳେ

ମଳୟ ଯହିଁ ନିୟତ ବୁଲେ

କୁସୁମ କେତୁ ଉଡ଼ାଇ । (ଶ)

 

ଚାଲ ସେ ଲୋକେ ଯିବା ଗୋ ପ୍ରିୟେ !

ଏ ମର ମରୁ ସହିବ କିଏ,

ମରୀଚିମୟ ଭବ ଏ,

ନିରମି ନୀଡ଼ ସେ ଅମରାରେ

ନିତ୍ୟ ନବ ସୁଖାଭିସାରେ

ଯାପିବା ଦିନ ଉଭୟେ ।’’

 

(ଶ)

ସୃଜନ ସ୍ୱପ୍ନ

 

‘‘ମାନସୀ ଓ ମୁଁ’’ ଭିତରେ କବି ଦେଖିନାହାନ୍ତି କୌଣସି ଭେଦ ବା ବ୍ୟବଧାନ । ନିଜ ଭିତରେ ନର ଓ ନାରୀ, ପ୍ରିୟ ଓ ପ୍ରିୟା ଉଭୟ ବିଦ୍ୟମାନ ରହିଛନ୍ତି-

 

‘‘ମୋହରି ଅନ୍‌ତରେ

ଯୁଗଳ ନାରୀ ନରେ,

ନୀରବେ ନିରଜନେ

ନିୟତ ବିରାଜିତ ।’’

 

ପରିଚ୍ଛନ୍ନ ଭାବରେ ପୁଣି ସେ କହିଛନ୍ତି-

 

ନୁହଁଇ ଏକା ମୁହିଁ

ଅଟେ ମୁଁ ଅଟେ ଦୁଇ,

ଅଟେ ମୁଁ ରମଣୀ ଗୋ

ଅଟେ ମୁଁ ପୁରୁଷ ବି ।’’ (ଷ)

 

(ଷ)

ମାନସୀ ଓ ମୁଁ - ଉତ୍କଳ ସାହିତ୍ୟ, ୧୩୩୨, ୨୮ଶ ଭାଗ ଷଷ୍ଠ ସଂଖ୍ୟା

 

ଆମ ଭାରତୀୟ ସଂସ୍କୃତିରେ, ପରମ୍ପରାରେ ଏହି ପରିକଳ୍ପନା ଅତ୍ୟନ୍ତ ଆତ୍ମିକ ବୋଲି ସୁପରିଚିତ । ଚିତ୍ତ ପଟରେ ଜାଗିଉଠେ ଗୌରୀଶଙ୍କରଙ୍କ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ।।

 

ଏ କବିତାରେ ମଧ୍ୟ ଅନ୍ନଦାଶଙ୍କର ‘ପ୍ରଳୟ ପ୍ରେରଣା’ କବିତାର ପ୍ରତିକ୍ରିୟା କରିଛନ୍ତି-

 

‘‘ଦିନେ ମୁଁ କି ଆବେଗେ

ନାଚିଲି ନିଆଁ-ବେଗେ,

ମାତିଲି ଅଶନିର

ପ୍ରଳୟ ଘନ ଘୋଷେ,

କହିଲି ‘‘ଝଟିକା ଗୋ

ମୋ ଦେହେ ଜାଗ, ଜାଗ ।’’

କହିଲି-‘‘ଅନଳ ଗୋ,

ମୋ ଦେହେ ଜ୍ୱଳ ରୋଷେ ।’’

ମୁଁ ଦେବି ଜୀବନ ଗୋ

ରଚିବି ସ୍ୱପନ ଗୋ

ମୋ ସୁଖ ନାହିଁ ନାହିଁ,

ବିଜୟେ, ବିନାଶନେ ।’’ (ସ)

 

(ସ)

ମାନସୀ ଓ ମୁଁ, ଉ. ସା, ୧୩୩୨, ୨୮ଶ ଭାଗ, ୯ମ ସଂଖ୍ୟା

 

ଏ ପ୍ରକାର ଆତ୍ମଦ୍ୱନ୍ଦ ଦେଖି Walt Whitman ଙ୍କର କେତୋଟି ପଂକ୍ତି ଉଦ୍ଧାର କଲେ ଅପ୍ରାସଙ୍ଗିକ ହେବ ନାହିଁ ।

‘‘Do I contradict myself ?

Yes, I do,

For I am large, l contain multitude ।’’

 

କବି ତାଙ୍କର ‘ପ୍ରଳୟ ପ୍ରେରଣା’ରେ ଆଗ କହିଛନ୍ତି ନର ଓ ନାରୀର ଦୁରବସ୍ଥା ଓ ଦୁର୍ଗତି, ତେଣୁ ବଜ୍ର କଣ୍ଠରେ ଉଭୟଙ୍କର ସ୍ୱତ୍ୱ ଓ ସ୍ୱାଧିକାର ବାଢ଼ି ଦେଇଛନ୍ତି-

 

ନର ତୁମେ ଭୁଲିଯାଅ

 

ଅତୀତର ଦୁଃସ୍ୱପ୍ନ ଯେତିକି

ଭାବୀ କାଳ ଅଭିମୁଖେ

 

ନବ ପଥେ ହୁଅ ହେ ପଥିକ ।

ନାରୀ ତୁମ୍ଭେ ଆସ ଆସ

 

ଧର ହାତ, ହୁଅ ସହଚରୀ

ସେବା ସ୍ନେହ, ସମବ୍ୟଥା

 

ବିନା ନର ବଞ୍ଚିବ କିପରି ?

ଜନନୀ ଭଗିନୀ କନ୍ୟା

 

ପ୍ରାଣପ୍ରିୟା ଜୀବନ-ସଙ୍ଗିନୀ

ଦାସୀ ନୁହଁ ଦାସୀ ନୁହଁ

 

ନୁହଁ ତୁମେ ରୁଦ୍ଧ ବିହଙ୍ଗିନୀ,

ଉଚ୍ଚ ସ୍ୱରେ କହିଉଠ-

 

‘‘ମୁକ୍ତ ମୁହିଁ, ମୁକ୍ତ ମୋ ଜୀବନ

ମୁକ୍ତ ମୋର ପ୍ରେମ ଆଜି

 

ତବ ପ୍ରେମେ ଲଭିବ ମିଳନ ।’’ (ହ)

 

(ହ)

ପ୍ରଳୟ ପ୍ରେରଣା ।

 

ସେଇଥିପାଇଁ ଅନ୍ନଦାଶଙ୍କର ଗାଇଛନ୍ତି-‘‘ଚିରନ୍ତନ ନର ଚାହେଁ ଚିରନ୍ତନ ନାରୀ ।’’

‘‘ମୋ ଦେହେ ବାନ୍ଧିଛି ଘର

ଚିରନ୍ତନ ଏକ ନର

 

ବୁକେ ତା’ର ଚିରନ୍ତନ କ୍ଷୂଧା

ସେ ଲୋଡ଼େ ତୁମରି ବକ୍ଷେ

ଲତାଇ ଅଳସ ସଖ୍ୟେ

 

ପରାଣର ପୀରତିର ସୁଧା

ତବ ପ୍ରାଣେ ଅଛି ପ୍ରିୟେ

ଚିରନ୍ତନ ନାରୀଟିଏ

 

ସେହି ନାରୀ ମୋହରି ମାନସୀ

ଚିରନ୍ତନ ପ୍ରେମ ମୋର

ଚିରନ୍ତନ ପ୍ରାଣେ ତୋର

 

ଯୁଗ ଯୁଗ ଖୋଜିଅଛି ବସି ।’’ (୧)

 

(୧)

ଚିରନ୍ତନ ନର ଚାହେଁ ଚିରନ୍ତନୀ ନାରୀ-ଉତ୍କଳ ସାହିତ୍ୟ ୧୩୩୩, ୨୮ଶ ଭାଗ ଷଷ୍ଠ ସଂଖ୍ୟା

 

କବି ପୁଣି ତାଙ୍କର ‘‘କୌଣସି ପ୍ରିୟା ପ୍ରତି କୌଣସି ପ୍ରିୟ’’ କବିତାରେ ‘‘ପ୍ରିୟା’’କୁ ଲକ୍ଷ୍ୟ କରିଛନ୍ତି-

 

‘‘ହେ ସୁନ୍ଦରୀ ବାଳା

କାହାକୁ ବରିଲୁ ଆହା, କି ଦେଖି ବରିଲୁ

ଯା କର ଧରିଲୁ

ସେ ନୁହେଁ ଦେବତା ସଖି, ସେ ନୁହେଁ ସୁନ୍ଦର

ଅପୂର୍ଣ୍ଣ ଆକାଙ୍‌କ୍ଷା ଘେନି ଅତୃପ୍ତ ଅନ୍ତର

କେତେ ତାର ବ୍ୟଥା ଆହା, କେତେ ତାର କ୍ଷୁଧା

କିଏ ଦେବ ସ୍ୱରଗର ସୁଧା ?

ଦମୟନ୍ତି । ବରିଅଛୁ ତୁ ଯେ

ସ୍ୱର୍ଗର ଦେବତା ତେଜି ମର୍ତ୍ତ୍ୟର ମନୁଜେ ।’’ (୨)

 

(୨)

କୌଣସି ପ୍ରିୟାପ୍ରତି କୌଣସି ପ୍ରିୟ-ଉତ୍କଳ ସାହିତ୍ୟ ୧୩୩୪, ୩୧ ଭାଗ ୨ୟ ସଂଖ୍ୟା

 

ତଥାପି ସେ ତାକୁ ପ୍ରାଣର ପ୍ରଣୟିନୀ କରି ପାରିଛନ୍ତି-ତେଣୁ ପ୍ରାଣର ବ୍ୟାପ୍ତି ଭିତରେ ତା’ର ପ୍ରାପ୍ତି ପାଇଛନ୍ତି-

 

‘‘ହେ କ୍ଷଣିକା, ହେ ମୋର ପ୍ରେୟସୀ

ତୋ ମଧ୍ୟେ ସୃଜିବି କେତେ

ଚିରନ୍ତନୀ ବିଶ୍ୱର ମାନସୀ ।’’ (୩)

 

(୩)

ତତ୍ରୈବ

 

ପ୍ରଣୟୀ କବିତାରେ ଅଛି-

ବସନ୍ତର ଚମ୍ପା ଭଳି ଫୁଟିଲା ସେଇ ତରୁଣୀଟି ଗନ୍ଧ ତା’ର ଛୁଟିଗଲା ଦିଗବିଦିଗକୁ । କେତେ ଭୃଙ୍ଗ ଆସି ଜୁଟିଗଲେ, କେତେ ଗୁଞ୍ଜରଣ ବାଜି ଉଠିଲା ତା’ର ଚତୁର୍ଦ୍ଦିଗରେ ।

 

କିଏ ତା’ର କଣ୍ଠରେ ଦେଲା ମାଳା, କିଏ ଦେଲା ଗଣ୍ଡରେ ଚୂମ୍ବନ, କିଏ ଦେଲା ଆଲିଙ୍ଗନ-। ଉଲ୍ଲାସରେ ଥରି ଉଠିଲା ତରୁଣୀଟି । ସେଇ ଆନନ୍ଦ ମେଳାରେ ସଂଧ୍ୟା ଆସିଲା । ତରୁଣୀ ପୁଷ୍ପମାଳା ଛିନ୍ନ କରି ପାଦରେ ଦଳିଦେଲା । ଚୁମ୍ବନର ଦାଗ ଅଶ୍ରୁରେ ଧୋଇଦେଲା । ଆଖିରେ ଅନୁତାପର ଲୁହ, ଭୂମି ଶୟନ ହିଁ ତା’ର ଆଶ୍ରୟ ।

 

ତାହାରି ଭିତରେ ତାର ପ୍ରଣୟୀର ସ୍ମୃତି । ଯା’ର ସ୍ପର୍ଶରେ ତା’ର ଦେହ, ହୃଦୟ ଚରମ ଆନନ୍ଦରେ ଉଚ୍ଛ୍ୱସିତ ହୁଅନ୍ତା ସେ କାହିଁ ? ବସନ୍ତର ସେଇ ଚମ୍ପା ଝୁରି ହେଲା ତାର ସେଇ ପ୍ରଣୟୀ ପାଇଁ ।

 

ସେଇ ସମୟରେ ତା’ର ପ୍ରଣୟୀର ଆସିବାର ନାହିଁ । ସେ ଆସିବ ବର୍ଷାରେ, ସେ ଆସିବ ଅନ୍ଧକାର ଭିତରେ । ତା’ର ଉତ୍ତରୀୟରେ ପୋଛିଦେବ ଅଶ୍ରୁ, ବସନ୍ତର ଚମ୍ପାକୁ କବି କହିଛନ୍ତି-

 

‘‘ବସନ୍ତର ଚମ୍ପା ଆଗୋ

 

ଜ୍ୟୋତ୍ସ୍ନା ଯାମୀ-ଲଳନା,

ବରଷାନିଶି-ବନ୍ଧୁଟିକୁ

 

ଛଳନା ସଖି, ଛଳନା

ଚାହେଁନା ସେତ ଚପଳ ହାସ

 

ଚଳ ନୟନେ ଛନ୍ଦ ବିଳାସ ।

କ୍ରନ୍ଦନର ସାଥିରେ ତବ

 

ଭୁଲନା ସଖି ଭୁଲନା ।

ବରଷା ନିଶି ବନ୍ଧୁଟିକୁ

 

ଛଳ ନା ସଖି ଛଳ ନା ।’’ (୪)

 

(୪)

ପ୍ରଣୟୀ ‘ଉତ୍କଳ ସାହିତ୍ୟ, ୩୧ଶ ଭାଗ, ଦ୍ୱିତୀୟ ସଂଖ୍ୟା

 

କବିତାଟି ପଢ଼ିସାରିଲା ପରେ ମନରେ ସ୍ୱତଃ ଜାଗି ଉଠେ ବାସବଦତ୍ତା ଓ ଉପଗୁପ୍ତର କଥା । ଅଭିସାରିକା ବାସବଦତ୍ତା ତା’ର ନୈଶ ଗତି ପଥରେ ଉପଗୁପ୍ତ ଶୋଇ ଥିବାର ଦେଖି ତାଙ୍କୁ ସାଦର ଆହ୍ୱାନ ଜଣାଇଚି ତା’ର ପୁରକୁ ଯିବାପାଇଁ, ମାତ୍ର ରୂପସୀର ଅନୁରୋଧ ଶୁଣି କହିଛନ୍ତି ‘‘ସମୟ ଆସିଲେ ଯିବି ।’’

 

ଫାଲ୍‌ଗୁନର ସନ୍ଧ୍ୟା ଆସିଚି । ମାତ୍ର ବାସବଦତ୍ତା ରୁଗ୍‌ଣା ହୋଇ ନଗର ବାହାର ଶ୍ମଶାନରେ ପରିତ୍ୟକ୍ତା ହୋଇ ପଡ଼ିଚି-ଉପଗୁପ୍ତ ତାହା ଶୁଣି ସେତିକିବେଳେ ସେଇଠି ଉପସ୍ଥିତ ହୋଇ ପ୍ରାଣର ଉଚ୍ଛ୍ୱାସ ଢାଳି ଦେଇଛନ୍ତି-

 

‘‘ଆଜ ରଜନୀ ତେ ହୟେଛି ସମୟ

ଏସେଛି ବାସବ ଦତ୍ତା’’

ରବୀନ୍ଦ୍ରନାଥ

 

ଅନ୍ନଦାଶଙ୍କର କହିଛନ୍ତି, ‘‘ତା’ର ପ୍ରଣୟୀ ଦୁଃଖର ବନ୍ଧୁ-

 

‘‘ଦୁଃଖ ଦିନ ବନ୍ଧୁ ତୋର

ଦୁଃଖିନୀର କାନ୍ତ

ଅଶ୍ରୁ ତୋର ପୋଛିଦିଏ ତା

ଉତ୍ତରୀୟ ପ୍ରାନ୍ତ ।’’ (୫)

 

(୫)

ପ୍ରଣୟୀ ଉତ୍କଳ ସାହିତ୍ୟ, ୩୧ଶ ଭାଗ, ଦ୍ୱିତୀୟ ସଂଖ୍ୟା

 

କବି ‘ପ୍ରଣୟୀ’ କବିତାରେ ତାଙ୍କର ବକ୍ତବ୍ୟକୁ ଉପସ୍ଥାପିତ କରିଛନ୍ତି ମଧୁର କୋମଳକାନ୍ତ ପଦାବଳୀରେ, ଅତି ଶୋଭନୀୟ ଓ ଲୋଭନୀୟ ଭାଷାରେ-

 

ବସନ୍ତର ଚମ୍ପାସମ

ତରୁଣୀ ଯେବେ ଫୁଟିଲା

ସୌରଭର ସୁରା ତାହାର

ଦିଗ୍‌ବିଦିଗେ ଛୁଟିଲା । (୬)

 

(୬)

ପ୍ରଣୟୀ ଉତ୍କଳ ସାହିତ୍ୟ, ୩୧ଶ ଭାଗ, ଦ୍ୱିତୀୟ ସଂଖ୍ୟା

 

ମାତ୍ର ତା’ର ପରିଣତିର ସୌରଭରେ ପାଠକ ମୁଗ୍‌ଧ ଓ ଲୁବ୍‌ଧ ।

 

‘‘ନୀରବ କବି’’ ଏତେଦିନ ନିଜକୁ ଏକ କମଳ ବିଳାସୀ ବୋଲି ମନେ କରିଥିଲେ । ଜୀବନରେ ବାସ୍ତବ ସଂଗ୍ରାମ ଆସି ପହଞ୍ଚିବାରେ ସେ ‘‘କମଳ ବିଳାସୀର ବିଦାୟ’ ସ୍ୱର ତୋଳିଛନ୍ତି-

 

‘‘ନିଷ୍ଠୁର ବାସ୍ତବ ରଣେ ଆସିଛି ଆହ୍ୱାନ

ଥାଅ ମୁଗ୍‌ଧା ପ୍ରଣୟିନୀ, ସ୍ୱପ୍ନାଳସା ବାଣ,

କମଳ ବିଳାସୀ କବି ମାଗଇ ମେଲାଣି

ଆଜି ମୁଁ ଭୁଲିବି ମୋତେ, ଢାଳିଦେବି ପ୍ରାଣ । (୭)

 

(୭)

କମଳ ବିଳାସୀର ବିଦାୟ, ଉତ୍କଳ ସାହିତ୍ୟ ୧୩୩୨, ୨୮ଶ ଭାଗ, ୩ୟ ସଂଖ୍ୟା

 

କମଳ ବିଳାସୀ କବିଙ୍କର କମଳ ବିଳାସର ଟିକିଏ ସୂଚନା ଦେଲେ ଅପ୍ରାସଙ୍ଗିକ ହେବ ନାହିଁ ।

 

ଟ୍ରୟ ଯୁଦ୍ଧ ପରେ ଇଉଲିସେସ୍‌ ସମୁଦ୍ର ପଥରେ ଜାହାଜରେ ଫେରିଲେ ନିଜ ଦେଶକୁ । ବାଟରେ ଝଡ଼ ତୋଫାନ ହେଲା, ତାଙ୍କର ଜାହାଜମାନ ଗନ୍ତବ୍ୟ ପଥରୁ ଅନେକ ଦୂର ଚାଲିଗଲା, ଇଉଲିସେସ୍‌ ଏଗାର ଦିନ ଝଡ଼ ସଙ୍ଗରେ ଯୁଦ୍ଧ କରି ସନ୍ଧ୍ୟାବେଳକୁ ଅନ୍ୟ ଏକ ଦେଶରେ ପହଞ୍ଚିଲେ-ସେ ଦେଶର ଜଳ, ସ୍ଥଳ, ଓ ଆକାଶରେ ଗୋଟିଏ ଆଳସ୍ୟର ଭାବ ବିଛେଇ ଯାଇଥିଲା, ସେଠି ଲୋକମାନେ କାର୍ଯ୍ୟ କରୁନଥିଲେ । ତେଣୁ ସେ ଦେଶରେ କଅଣ ଅଛି ଜାଣିବା ପାଇଁ ସେଠାକୁ ତିନିଜଣ ଲୋକ ପଠାଇଲେ-ସେଠାରେ ପହଞ୍ଚି ସେମାନେ ପଦ୍ମନାଳି ଓ ପଦ୍ମମଧୁ ଖାଇ ତନ୍ଦ୍ରାଳସ ହୋଇଗଲେ, ସ୍ୱପ୍ନରେ ବିଭୋର ହୋଇ ପଡ଼ିଲେ, ସ୍ୱସ୍ଥାନକୁ ଫେରିଲେ ନାହିଁ । ଇଉଲିସେସ୍‌ ତେଣୁ ସେଠାକୁ ଯାଇ ଯୋର୍‌ କରି ସେମାନଙ୍କୁ ଜାହାଜକୁ ନେଇ ଆସିଲେ । ସେ ଦ୍ୱୀପ ଲୋଟସ୍‌-ଆଇଲ୍ୟାଣ୍ଡ ବା ପଦ୍ମଦ୍ଵୀପ-ଯେଉଁମାନେ ପଦ୍ମନାଡ଼ ଓ ପଦ୍ମମଧୁ ଖାଇଥିଲେ, ସେମାନେ ଲୋଟସ୍‌ଇଟର୍‌ ବା ପଦ୍ମଭୁକ୍‌ । ବଙ୍ଗଳାର କବି ହେମଚନ୍ଦ୍ର ସେ ସମ୍ପର୍କରେ ଗୋଟିଏ କବିତା ଲେଖିଥିଲେ, ତା’ର ଶୀର୍ଷକ ‘‘କମଳ ବିଳାସୀ’’ ।

 

ଅନ୍ନଦାଶଙ୍କର ‘‘କମଳ ବିଳାସୀ’’ ଶବ୍ଦଟି ତାଙ୍କଠାରୁ ଗ୍ରହଣ କରିଛନ୍ତି - ବିଶ୍ୱର ଆହ୍ୱାନ ସେ ଶୁଣିଛନ୍ତି, କମଳ ବିଳାସୀ ହେବା ଆଉ ତାଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି-

 

‘‘ଶତ ସ୍ୱରେ ଡାକେ ବିଶ୍ୱ, ଡାକେ ଗ୍ରହ ତାରା

ଡାକେ ମତେ ଅନନ୍ତ ଜଳଧି କଳରୋଳ

କେମନ୍ତେ ରହିବି, କହ, ସ୍ନେହର ଏ କାରା-

କକ୍ଷେ ଅଳସ ସପନ ବକ୍ଷେ ହୋଇ ଭୋଳ ?

ଆଜି ମୁଁ ଜୀବନ ମୋହେ ଜ୍ୟୋତିଷ୍କ ପରାଏ

ଅନ୍ତରେ ପ୍ରଜ୍ଜ୍ୱାଳି ବହ୍ନି ପୋଡ଼ିବି, ଜଳିବି

ସେ ବହ୍ନିର ଆଭା ଅଙ୍ଗେ ଝଲସି ଝଳିବି

ଦିଅ ଛାଡ଼ି, ଦିଅ ଛାଡ଼ି, ସୁଦୂରେ ମୁଁ ଯାଏ

ଚାଲି, ବିଧୁରେ ମୁଁ ମରେ ପୋଡ଼ି, ବୀଣାପାଣି

କବିତା-କମଳବନୁ ଦିଅ ଗୋ ମେଲାଣି ।’’ (୮)

 

(୮)

କମଳ ବିଳାସୀର ବିଦାୟ

 

କବିତା କମଳ-ବନରୁ କବିଙ୍କର ବିଦାୟ ନେବା ସୁନିଶ୍ଚିତ, ତେଣୁ ସେ ଉତ୍କର୍ଣ୍ଣ ହୋଇ ଶୁଣୁଛନ୍ତି-କହୁଛନ୍ତି-

 

‘‘ଡାକେ ମତେ ବିଶ୍ୱର ଆକାଶ, ଡାକେ ମୋତେ

ସ୍ୱଦେଶର ପ୍ରତି ଧୂଳିକଣା, ପୃଥିବୀର

ପ୍ରତି ଗିରି ନଦୀ, ସୁଦୂର ଗଗନ ପଥେ

ରବି ଚନ୍ଦ୍ର ନିହାରିକା, ତାରକା ରୁଚିର ।

 

କିଏ ମତେ ପାରିବରେ ଧରି ? କିଏ ପାରେ

ଉନ୍ମନ, ଉଡ଼୍‌ଡ଼ୀନ ମନେ ନିରୋଧି ସୁଚିର

ସ୍ୱପ୍ନାଳସା କବିତାର ସ୍ନେହ କାରାଗାରେ ?

ମନ ମୋର ପକ୍ଷୀସମ ଝଟିକା ଅସ୍ଥିର

ନପାରେ କୁଳାୟେ ବସି, ଉନ୍ମତ୍ତ ସ୍ପନ୍ଦନେ

ବକ୍ଷ ମୋର ଉଠେ ପଡ଼େ ନାଚେ କ୍ଷଣେ କ୍ଷଣେ ।’’ (୯)

 

(୯)

କମଳ ବିଳାସୀର ବିଦାୟ

 

ଯେଉଁ ଉନ୍ମାଦନା କବିଙ୍କୁ ଅସ୍ଥିର, ଉନ୍ମତ୍ତ କରିଚି, ସେଇପରି ଉଦ୍‌ବେଗ, ଉଚ୍ଛ୍ଵାସ ରବୀନ୍ଦ୍ରନାଥଙ୍କର ବସୁନ୍ଧରା କବିତାରେ ଉଚ୍ଛ୍ୱସିତ ହୋଇଚି-

 

‘‘ଦିଗ୍‌ବିଦିକେ ଆପନାରେ ଦିଇ ବିସ୍ତାରିୟା

ବସନ୍ତେର ଆନନ୍ଦେର ମଣେ, ବିଦାରିୟା

ଏ ବକ୍ଷ ପଞ୍ଜର, ଟୁଟିୟା ପାଷାଣ ବନ୍ଧ

ସଂକୀର୍ଣ୍ଣ ପ୍ରାଚୀର, ଆପନାର ନିରାନନ୍ଦ

ଅନ୍ଧ କାରାଗାର, ହିଲ୍ଲୋଲିୟା, ମର୍ମରିୟା

କମ୍ପିୟା, ସଲିୟା, ବିକିରୟା, ବିଛୁରିୟା

ଶିହରିୟା ସରକିୟା ଆଲୋକେ ପୁଲକେ

ପ୍ରବାହିୟା ଚଲେ ଯାଇ ସମସ୍ତ ଭୂଲୋକେ

ପ୍ରାନ୍ତହତେ ପ୍ରାନ୍ତ ଭାଗେ, ଉତ୍ତରେ ଦକ୍ଷିଣେ

ପୂରବେ ପଶ୍ଚିମେ, ଶୈବାଲେ, ଶାଦ୍‌ବଲେ ତୃଣେ

ଶାଖାୟ ବଲ୍ଲଲେ ପତ୍ରେ ଉଠି ସରସିୟା

ନିଗୂଢ଼ ଜୀବନ ରସେ ।’’ (୧୦)

 

(୧୦)

ବିଚିତ୍ରା ରବୀନ୍ଦ୍ରନାଥ

 

ମାତ୍ର ଅନ୍ନଦାଶଙ୍କର ‘‘ବସନ୍ତେର ଆନନ୍ଦେର ମଣେ’’ ହୋଇ ନପାରି ଉତ୍ତରା ପବନରେ ଖେଳିଯିବାକୁ ମନ କରିଛନ୍ତି-

 

‘‘ଦିଅ ମତେ ଛାଡ଼ିଦିଅ ଉତ୍ତରାପବନେ

ଚରିଯାଏ ମାଡ଼ିଯାଏ ଧରଣୀର ଅଙ୍କେ,

ହିମାଳ ପରଶେ ମୋର ଶତ ସିଂହାସନେ

ଥରିଉଠୁ ଅତ୍ୟାଚାର ପାଣ୍ଡୁର ଆତଙ୍କେ,

ମୁମୂର୍ଷ ପଲ୍ଲବ ସମ, ଉତ୍ପୀଡ଼ନ ରୁଦ୍ଧ କଣ୍ଠେ

ସ୍ଫୁରି ଉଠୁ ଦୃପ୍ତ ବାଣୀ । ଧ୍ୱଂସର ହିଲ୍ଲୋଳେ

ବାତ୍ୟା ସମ ନାଚିବି ମୁଁ ଛନ୍ଦହୀନ ଛନ୍ଦେ । (୧୧)

ବିପ୍ଳବର ଅଭିଯାତ୍ରୀ କବି ‘‘ଆଉକି ଫେରିବେ ନାହିଁ ?’’

‘‘ପୁଣି ଯେବେ ଆସେ ଫେରି କେ ଜାଣି ସେ କେବେ ?

ଫେରିବି ବିଚିତ୍ର ଦେଶେ, ସର୍ବ ଦେହେ ମମ

କ୍ଷତ ଚିହ୍ନ ଶତ ଶତ ନିଷ୍ଠୁର ନିର୍ମମ

ବିଜୟୀର ପୁରସ୍କାର ସଂସାର ଆହବେ ।

X X X

କମଳ ବିଳାସୀ ଆଜି ମାଗୁଛି ବିଦାୟ

ଫେରିଲେ ଫେରିବ ଦିନେ ଉଦାସୀ ପରାୟ ।’’ (୧୨)

 

(୧୧)

କମଳ ବିଳାସୀର ବିଦାୟ

(୧୨)

ତତ୍ରୈବ

 

ଉତ୍କଳ ସାହିତ୍ୟରେ ପ୍ରକାଶିତ ହେଲାବେଳେ ଶେଷ ପଂକ୍ତିଟି ଥିଲା

 

‘‘ଫେରିଲେ ଫେରିବ ଦିନେ ଉଦାସୀ

 

ଅ. ରାୟ ।’’ (୧୩)

 

(୧୩)

ତତ୍ରୈବ

 

କବି ତାଙ୍କର ‘‘ସବୁଜ ଅକ୍ଷର’’ ନିଜେ ସଂକଳନ କରିଛନ୍ତି, ତହିଁରେ କିପରି ବା କାହିଁକି ‘‘ଉଦାସୀ ଅ. ରାୟ’’ ସ୍ଥାନରେ ‘‘ଉଦାସୀ ପରାୟ’’ କରାହୋଇଚି । ‘‘ସବୁଜ କବିତା’’ରେ ମଧ୍ୟ ତଦ୍ରୂପ ହୋଇଥିଲା । ‘‘କମଳ ବିଳାସୀର ବିଦାୟ’’ କବିତାରେ କବି ଯେଉଁ ବୈପ୍ଳବିକ ସ୍ୱର ତୋଳିଛନ୍ତି, ତହିଁରେ ‘‘ଅ. ରାୟ’’ ରହିଥିବା ଅଧିକ ସମୀଚୀନ ମନେ ହେଉଚି ।

‘‘କମଳ ବିଳାସୀର ବିଦାୟ’’ କବିତାଟି ଓଡ଼ିଆ କବିତା କ୍ଷେତ୍ରରେ ନିଶ୍ଚିତ ଭାବରେ ସାର୍ଥକତାର ଏକ ପ୍ରତୀକ ବୋଲି ବାତାବରଣ ସୃଷ୍ଟି କରୁଚି ।

 

କବି ତା’ପରେ ନିଜକୁ ଜିଜ୍ଞାସା କରିଛନ୍ତି-‘‘ଏ ଜୀବନ ଦେଲା ମୋତେ କିଏ ?’’

 

‘‘ଏ ଜୀବନ ଦେଲା ମୋତେ କିଏ ? ଏ ସ୍ୱପନ

ଦେଲା ମତେ କିଏ ? ମୋ ଲୋଚନେ ଏ ଦୀପନ,

ମୋ’ ଅଧରେ ଏ ପିପାସା, ଇନ୍ଦ୍ରିୟେ ଇନ୍ଦ୍ରିୟେ

ଅତୀନ୍ଦ୍ରିୟ ଏ ଆବେଗ ଦେଲା ମୋତେ କିଏ ? (୧୪)

 

(୧୪)

ଏ ଜୀବନ ଦେଲା ମୋତେ କିଏ । ଉତ୍କଳ ସାହିତ୍ୟ ୧୩୩୩ ଜ୍ୟେଷ୍ଠ

 

ଏ ଜିଜ୍ଞାସା ଭିତରେ ମଧ୍ୟ କବି ଇଚ୍ଛା କରିଛନ୍ତି-

 

‘‘ଜୀବନ ଦାୟିନୀ, ମା’ ଗୋ ବିପୁଳା ଧରଣୀ

ଇଚ୍ଛା ହୁଏ ଭସାନ୍ତି ଏ ଜୀବନ ତରଣୀ

ତୋହରି ଅନନ୍ତ ସ୍ରୋତେ, ତୋ’ ବକ୍ଷ ନଦୀରେ

ଯେତେ ତଟ, ଯେତେ ଘାଟ ଅଛି ତୀରେ ତୀରେ

ସେ ସବୁରେ ଲଗାଇ ତରଣୀ ମହାସୁଖେ

ଦେଖନ୍ତି ତୋ’ ଚାରୁ ଶୋଭା ବିସ୍ମୟେ କୌତୁକେ

ପ୍ରାଣର ଝରଣା ତୋର ଶତ ମୁଖୋ ଧାଏଁ-

ପ୍ରତି ମୁଖେ ତରୀ ମୋର ଭସାନ୍ତି ମୁଁ । ମା, ଏ

ଜୀବନେ ବାସନା ମୋର ଜୀବନ ଆସ୍ୱାଦ । (୧୫)

 

(୧୫)

ତତ୍ରୈବ

 

ପୁଣି ସେଇ କବିତାରେ କହିଛନ୍ତି-

 

‘‘ବସୁନ୍ଧରା ଜନନୀ ଗୋ, ସନ୍ତାନର ତବ

ବାସନାର ଅନ୍ତ ନାହିଁ, ନିତ୍ୟ ନବ ତବ

ଜୀବନର ଅନୁଭୂତି ଅଭିଳାଷ ତା’ର

ନିତ୍ୟ ନବ ଅଭିନବ କ୍ଷୁଧାର ସଞ୍ଚାର

ନିତ୍ୟ ନବ ଅଭିନବ ସୁଧାର ଆସ୍ୱାଦ

ନିତ୍ୟ ନବ ଅଭିନବ ଶ୍ରାନ୍ତି ଅବସାଦ । (୧୬)

 

(୧୬)

ତତ୍ରୈବ

 

କବୀନ୍ଦ୍ର ରବୀନ୍ଦ୍ରନାଥଙ୍କ ‘ବସୁନ୍ଧରା’ କବିତାର ଭାବ ଓ ଧ୍ୱନି ଅ. ରାୟଙ୍କର ଏ କବିତାରେ ଆତ୍ମପ୍ରକାଶ କରିଚି ।

 

ଅନ୍ନଦା ଶଙ୍କରଙ୍କ କବିତା ମାନଙ୍କରେ ପୂର୍ବତନ କବିଙ୍କର ଛାୟା ପରିଲକ୍ଷିତ ହୁଏ, ତାହା ବରଂ ସ୍ୱାଭାବିକ । କବି ଓ ସମାଲୋଚକ T. S. Eliot ସେ ପ୍ରସଙ୍ଗରେ ଯଥାର୍ଥ ମତବ୍ୟକ୍ତ କରିଛନ୍ତି-

 

“No author can claim himself to be absolutely original. The past and present developments are bound to influence him when he sits down to write.”

 

ଓଡ଼ିଆ କବିତା କ୍ଷେତ୍ରରେ ଅନ୍ନଦାଶଙ୍କରଙ୍କର ମୋର ଆଲୋଚ୍ୟ ୧୪ଟି କବିତା ଭାବ ଓ ଭାଷାରେ ସାର୍ଥକ ଓ ମନୋଜ୍ଞ ।

***

 

ଯାତ୍ରା ପଥ ବିଭୀଷିକାମୟ.........

ଶ୍ରୀ ନରସିଂହ ସ୍ୱାଇଁ

 

(୧)

ଯହିଁ ଯାଏ ବହୁ ଭିଡ଼, ଯହିଁ ଚାହେଁ ବହୁ କୋଳାହଳ

ସ୍ୱାଭିମାନ, ଆସ୍ଥାହରା, ନତଜାନୁ ପଦସେବୀଦଳ,

କ୍ଷମତାର ସିଂହଦ୍ୱାରେ ସର୍ବେ ଠୁଳ ଭିକ୍ଷାଥାଳୀ କରେ

ଈର୍ଷା, ଦ୍ୱେଷ ଅସିଧାରେ ହତାହତ ପ୍ରଚ୍ଛନ୍ନ ସମରେ ।

ଏକମାତ୍ର ଧ୍ୟାନ ଅର୍ଥ, ରାଜକୀୟ ପ୍ରୀତି-ଉପାର୍ଜନ

ମୂଲ୍ୟହୀନ, ଲକ୍ଷ୍ୟହୀନ, ଗତିହୀନ ସଂକୀର୍ଣ୍ଣ ଜୀବନ

ରୁଦ୍ଧଶ୍ୱାସ ଇତିହାସ, ବକ୍ରଗାମୀ ବ୍ୟଥିତ ବିକଳ

ଯହିଁ ଯାଏ, ଯହି ଚାହେଁ ପଦଲେହୀ ଅପୁରୁଷ ଦଳ ।

(୨)

ପ୍ରଚାର ଡିଣ୍ଡିମ ନାଦେ, ହ୍ରେଷାରବେ ଅତିଷ୍ଠ ସମୟ

ଅକୁଣ୍ଠିତ ଆତ୍ମସ୍ତୁତି, ଅଯାଚିତ ଆତ୍ମ-ପରିଚୟ ;

ସର୍ବେ ଉଭା ରଙ୍ଗମଞ୍ଚେ, ସର୍ବେ ବ୍ୟସ୍ତ ରୂପ ପ୍ରଦର୍ଶନେ

ସୁଚତୁର ଅଭିନୟେ ଅଭିଭୂତ ସମବେତ ଜନେ ।

ଏକମାତ୍ର କର୍ମ ଆଜି ଅଭିନୟ, ବହୁରୂପୀ ରଙ୍ଗ,

ନୀରବ ସାଧନା, ଶ୍ରମ, ଏକନିଷ୍ଠ ମୌନ ବ୍ରତ ଭଙ୍ଗ ।

ବିଚଳିତ ତପୋବନ, ଆଶ୍ରମିକ ନୟନ ସଜଳ

ଯହିଁ ଯାଏ, ଯହିଁ ଚାହେଁ ଏ ଜୀବନ ବିଷନ୍ନ, ବିକଳ ।

(୩)

ବିସ୍ତାରିତ ମହାଦ୍ରୁମ, ଛାୟାଶ୍ରିତ ବହୁ ନିଶାଚର

ଧୂର୍ତ୍ତ, ହିଂସ୍ର, ଭୟଙ୍କର ଯେତେ ଜନ୍ତୁ, ଯେତେ ବିଷଧର ;

ଶଙ୍କାକୁଳ ମନ ପ୍ରାଣ, ଧୂମାୟିତ ଦୃଷ୍ଟ ଦିଗ୍‌ବଳୟ,

ବିଶ୍ୱାସ ତୁଷାରାବୃତ୍ତ, ଯାତ୍ରାପଥ ବିଭୀଷିକାମୟ ;

ଅବରୁଦ୍ଧ ଗତିପଥ, କାରାବଦ୍ଧ ପ୍ରୟାସୀ ଜୀବନ,

ପକ୍ଷାହତ ପକ୍ଷୀସମ ଅସହାୟ, ଭୂପତିତ ମନ ।

ଯିବାକୁ ହିଁ ହେବ ବନେ, ନାହିଁ ଯହିଁ ବିକଟ ଚହଳ,

ନାହିଁ ଯହିଁ ଭିକ୍ଷାଧାରୀ, ଚାଟୁକାରୀ ଅବାଞ୍ଛିତ ଦଳ ।

***

 

Unknown

ଆଜୀବକର ଅଟ୍ଟହାସ (୨)

(ପୂର୍ବ ପ୍ରକାଶିତ ଉତ୍ତାରୁ)

ସୁରେନ୍ଦ୍ର ମହାନ୍ତି

 

ବୈଶାଳୀ ମହାବନ ବିହାରର ସଂଘାରାମରେ ଭିକ୍ଷୁ ଉପନନ୍ଦ ଓ ଭିକ୍ଷୁଣୀ କ୍ଷେମାଙ୍କ ଶୀଳଚ୍ୟୁତି ଓ ନିଷିଦ୍ଧ ମିଳନର କଳଙ୍କ କାହାଣୀ କ୍ରମେ ଭିକ୍ଷୁମାନଙ୍କ କଣ୍ଠେ କଣ୍ଠେ, ବୌଦ୍ଧ ସଂଘାରାମମାନଙ୍କରେ ପ୍ରଚାରିତ ହୋଇପଡ଼ିଲା ! କୁଶୀନର ସଂଘାରାମରେ ଦିନେ ଅର୍ହତ ଉପାଳୀ ଏହି ସମ୍ବାଦ ଶୁଣି ବଜ୍ରାହତ ପରି ସ୍ତବ୍‌ଧ ହୋଇଗଲେ ! ଶୀଳ ଓ ସଂଯମ ଉପରେ ପ୍ରତିଷ୍ଠିତ ଧର୍ମ ଓ ସଂଘରେ ଏପରି ବିଚ୍ୟୁତି ଯେ ସମ୍ଭବ ହୋଇପାରିବ, ଏହା ସେ କେବେ କଳ୍ପନା ସୁଦ୍ଧା କରି ନ ଥିଲେ ! କେବଳ ବୈଶାଳୀ ସଂଘାରାମରେ ଯେ ଏପରି ବିଚ୍ୟୁତି ଦେଖା ଦେଲାଣି, ତାହା ନୁହେଁ । ଅନ୍ୟ ସଂଘାରାମମାନଙ୍କର ମଧ୍ୟ ସେହିପରି କଥାମାନ କ୍ରମେ ଶୁଣାଗଲାଣି ! ବୈଶାଳୀର ବଜୀପୁତ୍ତମାନେ ଅବଶ୍ୟ ଆରମ୍ଭରୁ କେତେକ ପରିମାଣରେ ଅନୁଶାସନହୀନ ସ୍ୱେଚ୍ଛାଚାରୀ ଥିଲେ । ତେଣୁ ବୈଶାଳୀ ସଂଘାରାମରେ ଉପନନ୍ଦଙ୍କର ଆଚରଣ ନିତାନ୍ତ ଅପ୍ରତ୍ୟାଶିତ ନ ଥିଲା !

 

ଉପାଳୀ ଗୌତମ ବୁଦ୍ଧଙ୍କର ଆଦିଶିଷ୍ୟମାନଙ୍କ ମଧ୍ୟରୁ ଥିଲେ ଅନ୍ୟତମ । ଗୌତମଙ୍କର ପ୍ରିୟ ଶିଷ୍ୟ ଆନନ୍ଦ ଓ ରେବତଙ୍କ ପରେ ବୌଦ୍ଧ ସଂଘରେ ଥିଲା ତାଙ୍କର ପ୍ରତିଷ୍ଠା ! ଆନନ୍ଦଙ୍କର ପରି-ନିର୍ବାଣ ପୂର୍ବରୁ ଉପାଳୀଙ୍କୁ ସେ ବାରମ୍ବାର କହିଯାଇଥିଲେ, ସଂଘରେ ବିନୟ ଓ ଧର୍ମ ପାଳନରେ ଯେପରି ତିଳେମାତ୍ର ବିଚ୍ୟୁତି ନ ଘଟେ । ଯେପରି ଦଶଶୀଳର ବିଧାନ ସବୁ କଡ଼ା କଡ଼ି ଭାବରେ ପ୍ରତିପାଳିତ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ତାଙ୍କର କର୍ତ୍ତବ୍ୟ ହେବ । ବସ୍ତୁତଃ ଏବେ ଉପାଳୀଙ୍କ ପରି ପ୍ରବୀଣ ଆଚାର୍ଯ୍ୟ ଓ ଅର୍ହତମାନଙ୍କ ଉପରେ ବୈଦ୍ଧ ଧର୍ମ ଓ ସଂଘର ଭବିଷ୍ୟତ ନିର୍ଭର କରୁଅଛି; କିନ୍ତୁ ସେମାନେ ବା କରିପାରିବେ କ’ଣ ? ତରୁଣ ଭିକ୍ଷୁମାନଙ୍କ ମଧ୍ୟରେ କ୍ରମେ ପ୍ରକାଶ ପାଇ ଆସୁଥିବା ଅନୁଶାସନହୀନତାର ତରଙ୍ଗକୁ ରୋଧିବେ ବା କିପରି ?

ଉପାଳୀଙ୍କ ପରି ପ୍ରବୀଣ ଅର୍ହତମାନେ ଦିନେ ବୌଦ୍ଧ ସଂଘରେ ପରମ ସମ୍ମାନିତ ଥିଲେ ସତ୍ୟ; ମାତ୍ର ଆଜି ସେମାନେ ବୃଦ୍ଧ ଶତାୟୁ ଓ କେହି କେହି ଶତୋତ୍ତର ସୁଦ୍ଧା ହେଲେଣି । ଇତିମଧ୍ୟରେ ବୌଦ୍ଧ ସଂଘ ଭିତରକୁ ଆସିଲେଣି, ବହୁ ତରୁଣ ଭିକ୍ଷୁ ଓ ଭିକ୍ଷୁଣୀ । ସଂଘାରାମର ନିର୍ଜଂଜାଳ, ବହୁ ସୁଲଭ ଭିକ୍ଷାନ୍ନର ଆକର୍ଷଣରେ; ବୌଦ୍ଧ ଧର୍ମ କ୍ରମେ ଲୋକ ସାଧାରଣରେ ଅଧିକରୁ ଅଧିକ ଆକର୍ଷଣୀୟ ହେଉଥିବାରୁ ଲୋକ ଚକ୍ଷୁରେ ବୌଦ୍ଧ ଭିକ୍ଷୁମାନେ ଅଧିକରୁ ଅଧିକ ସମ୍ମାନିତ ହୋଇଯାଉଛନ୍ତି ! କିନ୍ତୁ ନୂତନ ଯୁଗର ଏହି ନବାଗତ ତରୁଣ ଭିକ୍ଷୁମାନଙ୍କର ତନ୍ତୁରେ ତନ୍ତୁରେ ତାରୁଣ୍ୟର ଅନଳ ଶିଖା ! ସେମାନେ ଶୀଳ ଓ ସଂଯମର ନିଗଡ଼କୁ ମାନିନେଇ ପାରୁନାହାନ୍ତି !
 

ଉପାଳୀଙ୍କର ମନେ ପଡ଼ିଗଲା, ବୈଶାଳୀର ଭିକ୍ଷୁ ଶୁଭଦ କଥା । ଗୌତମ ବୁଦ୍ଧ କ୍ୱଚିତ୍‌ ନୂତନ ଭିକ୍ଷୁମାନଙ୍କୁ ନିଜେ ଉପସଂପଦା ବା ଦୀକ୍ଷା ଦେଇଥାନ୍ତି ! କିନ୍ତୁ ଶୁଭଦଠାରେ ତଥାଗତ ବୁଦ୍ଧ ସେଦିନ କି ଲକ୍ଷଣ ଦେଖିଥିଲେ କେଜାଣି, ତାକୁ ସେ ନିଜେ ଉପସଂପଦ ଦେଇଥିଲେ । ମାତ୍ର ସେହି ଶୁଭଦ ସେଦିନ କୁଶୀନର ସଂଘାରାମରେ, ଗୌତମ ବୁଦ୍ଧଙ୍କର ପରିନିର୍ବାଣରେ ସମ୍ବାଦ ପ୍ରଚାରିତ ହୋଇଯିବା ପରେ, ଆନନ୍ଦରେ ନାଚି ନାଚି ଭିକ୍ଷୁମାନଙ୍କ ମେଳରେ ପାଗଳ ପରି ଚିତ୍କାର କରି ବୁଲିଥିଲା, ‘‘ଗୌତମ ବୁଦ୍ଧ ଗଲେ, ଭଲ ହେଲା । ସେ ଆଉ ଥିବେ ନା ଆମକୁ ପଦେ ପଦେ ସବୁ କଥାରେ ବାରଣ କରିବେ, ଏଇଟା କରନାହିଁ, ସେଇଟା କରନାହିଁ ! ଆମେ ଏଣିକି ମୁକ୍ତ ! ନିଷ୍କଣ୍ଟକ-!’’

ଶୁଭଦ ଗୌତମ ବୁଦ୍ଧଙ୍କର ପରିନିର୍ବାଣରେ ଉନ୍ମତ୍ତ, ପାଗଳ ହୋଇଗଲା ବୋଲି, ସଂଘରେ ସେତେବେଳେ କେହି ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇ ନଥିଲେ । ମାତ୍ର, ଉପାଳୀ ସେତେବେଳେ ଠିକ୍ ଆଶଙ୍କା କରିଥିଲେ, ବିପର୍ଯ୍ୟୟର ଇଏ ଅୟମାରମ୍ଭ ମାତ୍ର । ଆଜି ସଂଘାରାମମାନଙ୍କରେ ବିଗତ ଦିନର ଶୁଭଦ ପରି ବହୁ ଉଚ୍ଛୃଙ୍ଖଳ ତରୁଣ ଭିକ୍ଷୁ ଓ ଭିକ୍ଷୁଣୀ ସଂଘର ସବୁ ଅନୁଶାସନ, ସବୁ ଶୃଙ୍ଖଳା ଓ ସବୁ ଶୀଳ ଭାଙ୍ଗି, କ୍ରମେ ସଂଘମାନଙ୍କରେ ମହା ବିପର୍ଯ୍ୟୟ ସୃଷ୍ଟି କଲେଣି !-ବୌଦ୍ଧ ସଂଘ ଓ ଧର୍ମକୁ କିପରି ଏହି ଗ୍ଲାନିରୁ ରକ୍ଷା କରାଯାଇ ପାରିବ, ତାହା ଚିନ୍ତାକରି ଉପାଳୀ ବିଷର୍ଣ୍ଣ ହୋଇଉଠିଲେ ।

ତରୁଣ ଭିକ୍ଷୁମାନଙ୍କ ମଧ୍ୟରୁ ଏବେ କେହି କେହି ଖୋଲା ଖୋଲି ପ୍ରଶ୍ନ କରିବା ଆରମ୍ଭ କଲେଣି, ‘‘ତଥାଗତ ବୁଦ୍ଧ ଏପରି କହିଥିଲେ, ସେପରି କହିଥିଲେ ବୋଲି, ଆପଣମାନେ ବାରମ୍ବାର କହୁଛନ୍ତି । ଆମେ ତାଙ୍କୁ ମାନି ଆସୁଛୁ । କିନ୍ତୁ ତା’ର ସତ୍ୟତାର ପ୍ରମାଣ କ’ଣ ?’’

କିନ୍ତୁ ପ୍ରକୃତରେ ସେସବୁର ପ୍ରମାଣ ବା କ’ଣ ଅଛି ? ତଥାଗତଙ୍କର ବାଣୀ ଓ ନିର୍ଦ୍ଦେଶିତ କେହି ପ୍ରାମାଣିକ ଭାବରେ ଲିପିବଦ୍ଧ କରି ନଥିଲେ ! ସେ ସବୁ ବୁଦ୍ଧଙ୍କର ଜୀବଦ୍ଦଶାରେ ପବିତ୍ର ଅନୁଶାସନ ଓ ବୁଦ୍ଧ ମୁଖ ନିସୃତ ବାଣୀ ରୂପେ, ସମସ୍ତଙ୍କ ଦ୍ୱାରା ବିନା ଦ୍ୱିଧାରେ ପାଳିତ ହେଉଥିଲା-! ତାହା ଥିଲା ସେମାନଙ୍କ ପକ୍ଷରେ ଆଧ୍ୟାତ୍ମିକ ଅନୁଶାସନ ! ମାତ୍ର ଏ ଯୁଗର ତରୁଣ ଭିକ୍ଷୁମାନେ, ସେ ଯୁଗର ଆଧ୍ୟାତ୍ମିକ ଅଭୀପ୍‌ସା ବୁଝି ପାରିବେ ବା କିପରି ? ଯେଉଁ ଉପଲବ୍‌ଧିରୁ ତଥାଗତ ବୃଦ୍ଧ ସେଦିନ ଧର୍ମପ୍ରଚାର କରିଥିଲେ, ସେ ଉପଲବ୍‌ଧି ଏମାନଙ୍କ ପକ୍ଷରେ ଆଚାର୍ଯ୍ୟ, ଉପାଧ୍ୟାୟ ଓ ଅର୍ହତମାନଙ୍କ ମୁହଁରୁ କେବଳ ଶୁଣା କଥା ଛଡ଼ା, ଆଉ ତ ଅନ୍ୟ କିଛି ନୁହେଁ ! ସେଥିପାଇଁ ଉପାଳୀ ତଥାଗତ ବୁଦ୍ଧଙ୍କର ୧୮ବର୍ଷ ପରେ ରାଜଗୃହଠାରେ ବୌଦ୍ଧ ଅର୍ହତ ଓ ଆଚାର୍ଯ୍ୟମାନଙ୍କର ଏକ ସମ୍ମିଳନୀର ଆୟୋଜନ କରିଥିଲେ ।

ସେହି ସମ୍ମିଳନୀରେ ବୃଦ୍ଧ ବୟୋଜ୍ୟେଷ୍ଠ ବୌଦ୍ଧ ଆଚାର୍ଯ୍ୟମାନେ, ତଥାଗତ ବୁଦ୍ଧଙ୍କର ମୁଖନିସୃତ ବାଣୀ ଓ ନିର୍ଦ୍ଦେଶ ଶୁଣିବାର ସୁଯୋଗ ଯେଉଁମାନଙ୍କୁ ମିଳିଥିଲା, ସେମାନେ ସେସବୁ ଆବୃତ୍ତି କରିଥିଲେ । ତାହା ପୁଣି ସଂଖ୍ୟାରେ ଥିଲା ୮୪ ହଜାର ! ତାହାହିଁ ଏଣିକି ମାନ୍ୟତାପ୍ରାପ୍ତ ହେବ, ବିନୟ ତ୍ରିପିଟକ, ନିକାୟା ବା ସୂତ୍ର ରୂପେ । ଉପାଳୀ ଏହାପରେ ନିଶ୍ଚିନ୍ତ ହୋଇଥିଲେ । ସେ ଭାବୁଥିଲେ, ଅନୁଶାସନ ସବୁ ଲିପିବଦ୍ଧ ହୋଇଯିବା ପରେ, ତାହାର ଆଉ ଲଙ୍ଘନ ହେବ ନାହିଁ ! ମାତ୍ର ବାଲିବନ୍ଧରେ କାଳର ବନ୍ୟା ସ୍ରୋତକୁ ବନ୍ଧାଇବା ପରି, ଏହା ଯେ ଥିଲା ଏକ ନିଷ୍ଫଳ ପ୍ରୟାସ; ଉପାଳୀ ସେତେବେଳେ ତାହା ଚିନ୍ତା କରିପାରି ନ ଥିଲେ !

‘ବିନୟ’ ଓ ‘ସୂତ୍ର’ ଆକାରରେ ସେସବୁ ଲିପିବଦ୍ଧ ହେଲା ସିନା; କିନ୍ତୁ ତରୁଣ ଭିକ୍ଷୁମାନେ କ୍ରମେ କହିବାକୁ ଆରମ୍ଭ କଲେ, ‘‘ବୃଦ୍ଧ ଭିକ୍ଷୁ, ଆଚାର୍ଯ୍ୟ ଓ ଥେରମାନେ ସେମାନଙ୍କର ଦୁର୍ବଳ ସ୍ମୃତିରୁ ଯାହା ମନେ ପକାଇ ପାରିଲେ ବା ଯାହା କଳ୍ପନା କରିଗଲେ, ସେସବୁକୁ ବିଳିବିଳେଇଲେ । ଆମେ ତାହାକୁ ତଥାଗତ ବୁଦ୍ଧଙ୍କର ମୁଖନିସୃତ ବାଣୀ ବୋଲି ଗ୍ରହଣ କରି ପାରିବୁ କିପରି ?’’

କିନ୍ତୁ ଏହାର ପ୍ରତିବିଧାନ କରାଯାଇ ପାରିବ ବା କିପରି ? ବୃଦ୍ଧ ଆଚାର୍ଯ୍ୟମାନେ ଏଥିକୁ ନାଚାର !

ଉପାଳୀ କ୍ରମେ ଲକ୍ଷ୍ୟ କରି ଆସୁଛନ୍ତି, ଭିକ୍ଷୁଣୀମାନେ ଯେବେଠାରୁ ଉପସମ୍ପଦା ପାଇ ସଂଘରେ ପ୍ରବେଶ କଲେଣି, ସେବେଠାରୁ ବୌଦ୍ଧ ସଂଘରେ କ୍ରମେ ବିକୃତିର ବିଲକ୍ଷଣମାନ ସବୁ ଗୋଟିକ ପରେ ଗୋଟିଏ ଫିଟି ଆସିଲାଣି ! ବୌଦ୍ଧ ନିବୃତ୍ତିମାର୍ଗ କ୍ରମେ ପ୍ରବୃତ୍ତିମାର୍ଗ ଧରିଲାଣି । ପ୍ରଭୁ ତଥାଗତ ଯଦି ପରମ କରୁଣାରେ ବୌଦ୍ଧ ସଂଘର ଶୁଚି, ଶୃଙ୍ଖଳା ଓ ପବିତ୍ରତାକୁ ରକ୍ଷା ନ କରନ୍ତି, ତାହାହେଲେ ଉପାଳୀଙ୍କ ପରି ବୃଦ୍ଧ ସ୍ଥବିରମାନେ ତାକୁ ରକ୍ଷା କରି ପାରିବେ ବା କିପରି ?

ଉପାଳୀଙ୍କର ସ୍ମୃତି ପଥରେ ଭାସି ଉଠିଲା, ତଥାଗତ ବୁଦ୍ଧ ଜୀବିତ ଥିବାବେଳେ ଗୋଟିଏ ଦିନର ଦୃଶ୍ୟ........!

ଗୌତମଙ୍କର ଲାଳୟୋତ୍ରୀ ଓ ପାଳୟୋତ୍ରୀ ବୃଦ୍ଧା ଗୌତମୀ ପ୍ରଜାବତୀ ସେଦିନ ତଥାଗତଙ୍କ ନିକଟକୁ ଆସିଥିଲେ, ଗୋଟିଏ ଭିକ୍ଷା, ଗୋଟିଏ ଆବେଦନ ଘେନି-‘‘ପୁତ୍ର ଶୈଶବରେ ତୋ’ର ଜନନୀଙ୍କ ମୃତ୍ୟୁ ପରଠାରୁ ତୋତେ ପୁତ୍ରଜ୍ଞାନରେ ଲାଳନ ପାଳନ କରି ଆସିଥିଲି ! ତୁ ଥିଲୁ, ମୋର ଜୀବନର ଏକମାତ୍ର ଆଶ୍ରୟ ! ତୁ ଏବେ ସଂସାର ତ୍ୟାଗୀ ହୋଇ, ଜଗତ ବିଖ୍ୟାତ ବୁଦ୍ଧ ବୋଲାଉଛୁ ! କିନ୍ତୁ ମୋର ଜୀବନରେ ବର୍ତ୍ତମାନ ଆଶ୍ରୟ ନାହିଁ, ଅବଲମ୍ବନ ନାହିଁ, ସାନ୍ତ୍ୱନା ନାହିଁ ! ମୋତେ ଏବେ ତୋ’ର ସଂଘରେ ଗ୍ରହଣ କରି, ଟିକିଏ ଶାନ୍ତି ଦେ, ସାନ୍ତ୍ୱନା ଦେ, ଯେପରି ମୋର ଜୀବନର ଅବଶିଷ୍ଟ ଦିନଗୁଡ଼ିକ ତୋ’ରି ପାଖେ ପାଖେ ତୋତେ ଚାହିଁ ଚାହିଁ କଟିଯାଏ ।’’ ଇଏ ଥିଲା ସନ୍ତାନ ବତ୍ସଳା ଏକ ଜନନୀ ପ୍ରାଣର ସ୍ୱାଭାବିକ ଆକୁଳତା !

ପରମ କାରୁଣିକ ବୁଦ୍ଧ କିନ୍ତୁ ଗୌତମୀ ପ୍ରଜାବତୀଙ୍କର ଏହି ବ୍ୟାକୁଳ ଅନୁରୋଧ ସେଦିନ ରକ୍ଷା କରି ନଥିଲେ । ଏହିପରି ଭାବରେ ଥର ଥର ହୋଇ ତିନିଥର ଅନୁରୋଧ କରିଥିଲେ, ଗୌତମୀ ପ୍ରଜାବତୀ । କିନ୍ତୁ ତିନି ତିନି ଥର ତଥାଗତ ବୁଦ୍ଧ ତାଙ୍କର ଅନୁରୋଧ ନିର୍ମମ ଭାବରେ ପ୍ରତ୍ୟାଖ୍ୟାନ କରିଦେଇଥିଲେ !

ପ୍ରିୟ ଶିଷ୍ୟ ଆନନ୍ଦଙ୍କ କଥା ବୁଦ୍ଧ ଏଡ଼ି ପାରିବେ ନାହିଁ । ଏହି ବିଶ୍ୱାସରେ ଅବଶେଷରେ ସଂଘରେ ଆଶ୍ରୟ ପାଇଁ, ଗୌତମୀ ପ୍ରଜାବତୀ ଧରିଥିଲେ, ବୁଦ୍ଧଙ୍କର ପ୍ରିୟତମ ଓ ବିଶ୍ୱସ୍ତତମ ଶିଷ୍ୟ ଆନନ୍ଦଙ୍କୁ ।

ଆନନ୍ଦ ଯେତେବେଳେ ଗୌତମୀ ପ୍ରଜାବତୀଙ୍କୁ ସଂଘରେ ଗ୍ରହଣ କରିବା ପାଇଁ ତଥାଗତ ବୁଦ୍ଧଙ୍କୁ ଅନୁରୋଧ ଜଣାଇଲେ; ଗୌତମ ବୁଦ୍ଧ ଗୋଟିଏ ଦୀର୍ଘଶ୍ୱାସ ପକାଇ କହିଥିଲେ, ‘‘ଆନନ୍ଦ ! ମୋର ମୃତ୍ୟୁର ଦିନ ଆଉ ବେଶୀ ବିଳମ୍ବ ନାହିଁ ! ଧର୍ମ, ସଂଘର ରକ୍ଷାହେବ ତା’ପରେ ତୁମର ଦାୟିତ୍ୱ । ତୁମେ ଯେତେବେଳେ ଗୌତମୀ ପ୍ରଜାବତୀଙ୍କୁ ସଂଘରେ ଗ୍ରହଣ କରିବା ପାଇଁ ଅନୁରୋଧ କରୁଛ, ମୁଁ ତାହା ଅସ୍ୱୀକାର କରିବି ବା କିପରି ?’’

ତା’ପରେ କିଛିକ୍ଷଣ ନୀରବ ରହି ଗୌତମ ବୁଦ୍ଧ କହିଥିଲେ, ‘‘କିନ୍ତୁ ମନେରଖ ଆନନ୍ଦ, ସ୍ୱେତାସ୍ତିକା କୀଟ ଯେପରି ଚାହୁଁ ଚାହୁଁ ଶସ୍ୟକ୍ଷେତ୍ରକୁ ଗ୍ରାସ କରିଯାଏ, ସେହିପରି ନାରୀମାନେ ସଂଘରେ ଥରେ ପ୍ରବେଶ କଲେ, ବୌଦ୍ଧ ସଂଘ ମଧ୍ୟ ଚାହୁଁ ଚାହୁଁ ବିନଷ୍ଟ ହୋଇଯିବ । ମୋର ପ୍ରଚାରିତ ଯେଉଁ ଧର୍ମ ୧୦,୦୦୦ ବର୍ଷ ଧରି ଏଇ ପୃଥିବୀରେ ରହିଥାନ୍ତା, ଏହାପରେ ଦେଖିବ ୧୦୦୦ ବର୍ଷ ପାଇଁ ସୁଦ୍ଧା ତାହା ତିଷ୍ଠି ରହିପାରିବ ନାହିଁ ।’’ ଉପାଳୀଙ୍କର ମନେ ହେଲା, ତଥାଗତ ବୁଦ୍ଧଙ୍କର ସେହି ଭବିଷ୍ୟତ ବାଣୀ ଏବେ ଯେପରି ଅତି ମର୍ମାନ୍ତକ ଭାବରେ ସତ୍ୟ ହେବାକୁ ଯାଉଛି । ୧୦୦୦ ବର୍ଷ କାହିଁକି, ମାତ୍ର ବର୍ଷ ୧୦୦ଟା ଏହା ସମ୍ଭାଳି ପାରିବ କି ନାହିଁ, ସନ୍ଦେହ !

କିନ୍ତୁ, ଏହାର ପ୍ରତିରୋଧର ଉପାୟ ବା କ’ଣ ? ସୂତ୍ର ଓ ବିନୟ ସହିତ ଏତେ ଆୟାସରେ ଲିପିବଦ୍ଧ କରାଗଲା । କିନ୍ତୁ ପ୍ରତ୍ୟହ ତାହାର ଲଂଘନର ଦୁଃସମ୍ବାଦ ସବୁ ଶୁଣି ଶୁଣି ଉପାଳୀ କ୍ଳାନ୍ତ ହୋଇ ଉଠିଲେଣି । ଏ ପରିସ୍ଥିତିରେ ଉପାୟ କ’ଣ ଚିନ୍ତା କରି ନପାରି ଉପାଳୀ ବିବ୍ରତ ହୋଇ ପଡ଼ିଲେ । ତାଙ୍କର ଧୈର୍ଯ୍ୟ ଆଉ ରହିଲା ନାହିଁ ।

 

ଏହି ସମୟରେ ସେଠାରେ ଆସି ପହଞ୍ଚିଲେ ପଲାଶ ଯଷ୍ଟିଧାରୀ ବୃଦ୍ଧ ଅର୍ହତ ଯଶ । ତ୍ରିଶରଣ ଉଚ୍ଚାରଣ କରିବା ପରେ ଯଶ ଉପାଳୀଙ୍କ ପାଖରେ ଖଣ୍ଡେ କୁଶାସନ ଉପରେ ବସି ବିନା ଉପକ୍ରମଣିକାରେ କହିଲେ, ‘‘ଧର୍ମ, ସଂଘ ବର୍ତ୍ତମାନ ରସାତଳକୁ ଗଲା ବୁଝନ୍ତୁ !’’

 

ଉପାଳୀ ଅବସନ୍ନ କଣ୍ଠରେ ପଚାରିଲେ,‘‘କାହିଁକି ଏପରି କହୁଛନ୍ତି ଆପଣ ?’’

 

ଯଶ ଉତ୍ତର ଦେଲେ, ‘‘ଅବନ୍ତୀ ବିହାରରେ କିଛିଦିନ ରହି ମୁଁ ସେଠାରେ ଯାହା ଲକ୍ଷ୍ୟ କଲି, ଭିକ୍ଷୁ-ଭିକ୍ଷୁଣୀମାନେ ପୂର୍ବର ଅନୁଶାସନ ଆଉ ମାନୁନାହାନ୍ତି ! ଏହିପରି ଅନେକ କଥା ଶୁଣିବା ପରେ ମୁଁ ଚମ୍ପା ବିହାରକୁ ଯାଇଥିଲି ଚକ୍ଷୁ, କର୍ଣ୍ଣର ବିବାଦ ଭଞ୍ଜନ ପାଇଁ ! ଆପଣ ବିଶ୍ୱାସ କରିବେ ଅର୍ହତ ଉପାଳୀ, ଅବନ୍ତୀ ଭିକ୍ଷୁମାନେ ଭିକ୍ଷାନ୍ନରେ ଏବେ ଲବଣ ସୁଦ୍ଧା ଗୋଳାଇ ଖାଇଲେଣି ! ଅଥଚ ଭିକ୍ଷାନ୍ନରେ ଲବଣ ମିଶାଇ ଖାଇଲେ ଭିକ୍ଷୁମାନେ ସ୍ୱାଦ-ପ୍ରବୃତ୍ତିର ବଶୀଭୂତ ହୋଇଯିବେ ବୋଲି ତଥାଗତ ବୁଦ୍ଧ ଲବଣ ନିଷେଧ କରିଥିଲେ । କିନ୍ତୁ ସର୍ବନାଶ ! ଭିକ୍ଷୁମାନେ ବର୍ତ୍ତମାନ୍‌ ନିଃସଙ୍କୋଚରେ ଗୃହସ୍ଥମାନଙ୍କର ଘରେ ଭିକ୍ଷାନ୍ନ ଭୋଜନ କଲାବେଳେ, ସେଥିରେ ଲବଣ ମିଶାଇ ବେଶି ବେଶି ଅନ୍ନ ବ୍ୟଞ୍ଜନ ଭୋଜନ କରିବା ଆରମ୍ଭ କରିଦେଲେଣି !’’

 

କଥାଟି ଅବଶ୍ୟ ସାମାନ୍ୟ । ଲବଣହୀନ ଅନ୍ନ ବ୍ୟଞ୍ଜନରେ ସ୍ୱାଦ ତ ନ ଥାଏ; କିନ୍ତୁ ବିନା ଲବଣରେ ଖାଦ୍ୟ ଖାଇବାରେ ଦିନେ କୌଣସି ଭିକ୍ଷୁର ଅରୁଚି ହେଲା ! ଏହାପରେ ସେ ନିଜ ଅର୍ନ୍ତବାସ ଭିତରେ ଗୋଟିଏ ଶିଙ୍ଗ ପାତ୍ରରେ ଟିକିଏ ଲୁଣ ଲୁଚାଇ ନେଇଥିଲା, ଭିକ୍ଷାନ୍ନ ଭୋଜନ କଲାବେଳେ ସେଥିରୁ ଟିକିଏ ମିଶାଇ ଖାଇବା ପାଇଁ । କିନ୍ତୁ ତାହା ଏବେ ମୁଁ ଲକ୍ଷ୍ୟକଲି, କ୍ରମେ ଭିକ୍ଷୁମାନଙ୍କର ଅଭ୍ୟାସ ଓ ଆଚରଣରେ ପରିଣତ ହୋଇଗଲାଣି ।

‘‘ଇଏ ସର୍ବନାଶର ଗୋଟିଏ ସୂଚନା ବ୍ୟତୀତ ଆଉ କ’ଣ ହୋଇପାରେ ?’’

ଉପାଳୀ ଉଦ୍‌ବିଗ୍ନ କଣ୍ଠରେ ପ୍ରଶ୍ନ କଲେ, ‘‘ଆଉ କ’ଣ ଲକ୍ଷ୍ୟ କଲ ?’’

ଯଶ ଅବନ୍ତୀରେ ତ ଲକ୍ଷ୍ୟକଲେ, ଅନେକ ଦୁର୍ଗତି, ଅନେକ ଅଧଃପତନ ! ନିଜ ଆଖିରେ ସେ ସବୁ ନ ଦେଖିଥିଲେ, କେବଳ ଶୁଣା କଥାରେ ସେ ନିଜେ ତ ସେସବୁ କଦାପି ବିଶ୍ୱାସ କରିପାରି ନଥାନ୍ତେ ! କିନ୍ତୁ ଗୋଟି ଗୋଟି କରି ସେସବୁ ଏହି ସାର୍ଧ୍ୟଶତ୍ତୋତ୍ତର ବୃଦ୍ଧ ଉପାଳୀଙ୍କ ନିକଟରେ ପ୍ରକାଶ କରିବା ପାଇଁ ତାଙ୍କୁ କୁଣ୍ଠିତ ଲାଗୁଥିଲା ! ସେ ସବୁ ଆଦୌପ୍ରାନ୍ତ ଶୁଣିଲେ, ଉପାଳୀଙ୍କ ପରି ନୈଷ୍ଠିକ ଅର୍ହତ ଯେପରି ଘୋର ମର୍ମାହତ ହେବେ, ଯଶ ତାହା ମନେ ମନେ ବେଶ ଅନୁମାନ କରିପାରୁଥିଲେ ।

ସେ କିପରି ବା କହିପାରିବେ, ବୈଶାଳୀ ମହାବନ ବିହାରରେ ସେଦିନ ଶ୍ରମଣ ଚନ୍ଦ୍ରକୀର୍ତ୍ତିର କଥା !

ସେଦିନ ଚନ୍ଦ୍ରକୀର୍ତ୍ତି ମଦ୍ୟପାନ କରି ଉନ୍ମତ୍ତ ଅବସ୍ଥାରେ, ଅନ୍ୟ କେତେଜଣ ଶ୍ରମଣଙ୍କୁ ମଦ୍ୟପାନରେ ଯୋଗଦେବା ପାଇଁ ଚିତ୍କାର କରି ଆମନ୍ତ୍ରଣ କରୁଥିଲା ।

ଜଣେ ଶ୍ରମଣ ପ୍ରତିବାଦ କଲା... ‘‘ଭିକ୍ଷୁମାନଙ୍କ ପକ୍ଷରେ ମଦ୍ୟପାନ ଯେ ନିଷିଦ୍ଧ !’’

ଚନ୍ଦ୍ରକୀର୍ତ୍ତି ସ୍ଖଳିତ କଣ୍ଠରେ ଉତ୍ତର ଦେଇଥିଲା, ‘‘ତଥାଗତ କେବେ ମଦ୍ୟପାନ କରି ନଥିଲେ ! କିନ୍ତୁ ଚାଖିଥିଲେ ମଦ୍ୟପାନକୁ କଦାପି ନିଷିଦ୍ଧ କରି ନ ଥାନ୍ତେ !’’

ତା’ପରେ ସେ ନିଜର ଅଶ୍ଳୀଳ ରସିକତାରେ ଅଟ୍ଟହାସ କରି ଉଠିଥିଲା ! ସେଠାରୁ ଅଦୂରରେ ଥାଇ ଯଶ ଚନ୍ଦ୍ରକୀର୍ତ୍ତିର ଏହି ପ୍ରଗଳଭତା ଶୁଣି ସ୍ତମ୍ଭୀଭୂତ ହୋଇଯାଇଥିଲେ । ବୈଶାଳୀ ମହାବନ ବିହାରରେ ଏପରି ଦୃଶ୍ୟ ନିଜ ଆଖିରେ ଦେଖି ସୁଦ୍ଧା ତାହାକୁ ସେ ବିଶ୍ୱାସ କରିପାରୁନଥିଲେ !

ଆଉ ଜଣେ ଭିକ୍ଷୁ କହିଲା, ‘‘କିନ୍ତୁ, ମଦ୍ୟପାନ, ଦଶଶୀଳର ଲଂଘନ କରୁଛି ।’’

ଚନ୍ଦ୍ରକୀର୍ତ୍ତି ସେହିପରି ସୁରାସ୍ଖଳିତ କଣ୍ଠରେ ପଚାରିଲା, ‘‘ଆଚ୍ଛା ଫଳରସ ପାନ କରିବାରେ କ’ଣ ଶୀଳଭଙ୍ଗ ହୁଏ?’’

କେତେଜଣ ଭିକ୍ଷୁ ଏକ ସଙ୍ଗରେ ଉତ୍ତର ଦେଲେ, ‘‘ନାଁ, କଦାପି ନୁହେଁ !’’

ଚନ୍ଦ୍ରକୀର୍ତ୍ତୀ ପଚାରିଲା, ‘‘ତା’ହେଲେ ଫଳରସ, ଆଉ ଖଜୁରୀ ଗଛର ରସ ଭିତରେ ତଫାତ୍ ବା କ’ଣ ? ଇଏ ତ ଏକ ପ୍ରକାର ସେହି ଫଳରସ ବ୍ୟତୀତ ଆଉ କିଛି ନୁହେଁ !’’

‘‘ଏହା କିନ୍ତୁ ପର୍ଯ୍ୟୁଷିତ !’’....ଆଉ ଜଣେ ଭିକ୍ଷୁ ଟିପ୍‌ପଣୀ କଲେ ।

ଚନ୍ଦ୍ରକୀର୍ତ୍ତି କହିଲା, ‘‘ଭିକ୍ଷୁମାନେ ଯେଉଁ ଦଧି ଏବେ ପିଇବା ପାଇଁ ଆରମ୍ଭ କରିଛନ୍ତି, ତାହା ତ କ୍ଷୀରର ପର୍ଯ୍ୟୁଷିତ ଅବସ୍ଥା ମାତ୍ର ! ପର୍ଯ୍ୟୁଷିତ କ୍ଷୀର ପିଇବାରେ ଯଦି ମୋକ୍ଷ ପ୍ରାପ୍ତିରେ ବାଧା ଜନ୍ମୁନାହିଁ, ତା’ହେଲେ ପର୍ଯ୍ୟୁଷିତ ଫଳରସ ପାନ କଲେ, ନିର୍ବାଣ ବିଗିଡ଼ି ଯିବ କିପରି ?’’

 

ଯେଉଁ କେତେଜଣ ଭିକ୍ଷୁ ଚନ୍ଦ୍ରକୀର୍ତ୍ତିର ମଦ୍ୟପତାର ପ୍ରତିବାଦ କରୁଥିଲେ, ସେମାନେ ଏବେ ନୀରବ ହୋଇଗଲେ । ଏପରି ଯୁକ୍ତିର ବା କି ଉତ୍ତର ଅଛି ? ତା’ପରେ ଗୋଟିଏ ମାଟି କଳସୀରୁ ଖଜୁରୀ ରସ ପିଇବା ପାଇଁ ସମବେତ ଭିକ୍ଷୁମାନଙ୍କ ଭିତରେ ଯେପରି ଛଡ଼ାଛଡ଼ି ଲାଗିଗଲା, ସେଥିରେ ମାଟି ପାତ୍ରଟି ଭାଙ୍ଗିଗଲା । ତା’ ଭିତରେ ରହିଥିବା ପର୍ଯ୍ୟୁଷିତ ଖଜୁରୀ ରସର ଉତ୍କଟ ଗନ୍ଧରେ ବାତାବରଣଟା ସୁଦ୍ଧା ଯେପରି ପର୍ଯ୍ୟୁଷିତ ହୋଇ ଉଠିଲା ।

 

ଆଚାର୍ଯ୍ୟ କାଶ୍ୟପ କୌଣସି ଅନ୍ତେବାସୀ ଶ୍ରମଣଠାରୁ ଏ ଦୁର୍ଘଟଣାର ସମ୍ବାଦ ପାଇ ସେଠାକୁ ବ୍ୟସ୍ତ, ବିବ୍ରତ ଭାବରେ ଆସୁଥିଲେ; ମାତ୍ର ଦୂରରୁ ତାଙ୍କୁ ଦେଖି, ତାଙ୍କ ପ୍ରତି ଏହି ମଦ୍ୟପମାନେ ଯେପରି ପରିହାସ କରିଉଠିଲେ ଓ ତାଙ୍କୁ ସୁଦ୍ଧା ମଦ୍ୟପାନ ପାଇଁ ଆମନ୍ତ୍ରଣ କଲେ, ସେଥିରେ ମ୍ରିୟମାଣ ହୋଇ କାଶ୍ୟପ ନିଜର ଗମ୍ଭୀରା ଭିତରକୁ ବାହୁଡ଼ି ଗଲେ । ସେ ଏବେ ନିରୁପାୟ !

 

ଏବେ ଯେପରି ବୌଦ୍ଧ ସଂଘରେ ବିକୃତି ସବୁ ଗୋଟିକ ପରେ ଗୋଟିଏ ଫିଟି ପଡ଼ୁଛି, ଧ୍ୟାନ, ଜ୍ଞାନ ଓ ତପସ୍ୟାରେ ଦୀକ୍ଷିତ ଭିକ୍ଷୁମାନେ ଦିନୁଦିନ ଯେପରି ସ୍ୱେଚ୍ଛାଚାରୀ ଅନୁଶାସନହୀନ ହୋଇପଡ଼ୁଛନ୍ତି, ତାହା ବନ୍ୟା ସ୍ରୋତ ପରି କ୍ରମେ ସଂଯମର ସବୁ ବନ୍ଧବାଡ଼ ଭସାଇ ନେଲାଣି ! ଇଏ ବୋଧହୁଏ ପରିବର୍ତ୍ତିତ କାଳର ସ୍ୱରୂପ ! ଆଚାର୍ଯ୍ୟ କାଶ୍ୟପ ବା ତାଙ୍କ ପରି ବୃଦ୍ଧ ଅର୍ହତ, ଆଚାର୍ଯ୍ୟ ଓ ଉପାଧ୍ୟାୟମାନେ ଏ ବନ୍ୟା ସ୍ରୋତକୁ ରୋକି ପାରିବେ ବା କିପରି ?

 

ସେଦିନ ସଂଧ୍ୟାରେ ବୈଶାଳୀ ମହାବନ ବିହାର କୂଟାଗାରରେ ଆଚାର୍ଯ୍ୟ କାଶ୍ୟପ ସମବେତ ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କୁ ପ୍ରବଚନ ଦେଇ କହୁଥିଲେ, ‘‘ଦଶଶୀଳ ପାଳନ କରିବାର ତାତ୍ପର୍ଯ୍ୟ । ଇନ୍ଦ୍ରିୟାଶକ୍ତି ଓ ମାରର ଆକର୍ଷଣ ତଥାଗତ ନିଜର ଦଶବଳରେ କିପରି ପ୍ରତିରୋଧ କରିଥିଲେ, ତାହା ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କୁ ସେ ବୁଝାଇ କହୁଥିଲେ ।’’

 

ବିହାରର ଅନ୍ତେବାସୀ ଭିକ୍ଷୁ-ଭିକ୍ଷୁଣୀମାନେ ଏସବୁ ଔପଚାରିକ ଭାବରେ ଶୁଣି ଯାଉଥିଲେ ମାତ୍ର ! କିନ୍ତୁ କାଶ୍ୟପଙ୍କର ପ୍ରବଚନ ସେମାନଙ୍କ ମନରେ ବା ଚିନ୍ତାରେ କୌଣସି ରେଖାପାତ କରିପାରୁ ନ ଥିଲା ।

 

ବରଂ ସେଦିନ, ଚନ୍ଦ୍ରକୀର୍ତ୍ତି ପରି କୌଣସି କୌଣସି ଭିକ୍ଷୁ ଅନ୍ୟ ଭିକ୍ଷୁମାନଙ୍କୁ କହୁଥିବା ଶୁଣାଯାଉଥିଲା, ‘‘ତଥାଗତ ବୁଦ୍ଧ ବୋଧିଲାଭ ପରେ ଶ୍ରେଷ୍ଠୀକନ୍ୟା ସୁଜାତାଠାରୁ ଯଦି ପାୟାସାନ୍ନ ଗ୍ରହଣ କରି ଭୋଜନ କଲେ, ତାହାହେଲେ ଆମେ ଟିକିଏ ଲବଣ ବା ଟୋପିଏ ଖର୍ଜ୍ଜୁରୀ ରସ ସେବନ କରିବାରେ ମୋକ୍ଷ ସାଧନାର ପ୍ରତ୍ୟବାୟ ହେଉଛି ବା କିପରି ?’’

 

ଅର୍ହତ ଯଶ କିନ୍ତୁ, ଉପାଳୀଙ୍କୁ ସେସବୁ କଥା ଫିଟାଇ କହିଲେ ନାହିଁ ।

 

ବହୁ କ୍ଷଣର ନୀରବତା ଭଙ୍ଗ କରି, ଉପାଳୀ ବିଷନ୍ନ କଣ୍ଠରେ କହିଲେ, ‘‘ତଥାଗତ କହିଥିଲେ, ଅନ୍ୟୂନ ହଜାରେ ବର୍ଷ ପାଇଁ ତାଙ୍କ ପ୍ରଚାରିତ ଧର୍ମ ଏ ଦେଶର ମାଟିରେ ତିଷ୍ଠିବ ! କିନ୍ତୁ, ମୋର ଆଶଙ୍କା ହେଉଛି, ଅବସ୍ଥା ବର୍ତ୍ତମାନ ଯେପରି ଗତି କଲାଣି, ସଂଘରେ ଯେଉଁସବୁ ବିତ୍ପାତ ଦେଖା ଦେଲାଣି, ସେଥିରେ ବୌଦ୍ଧ ଧର୍ମ ବର୍ଷ ଶହେଟା ସୁଦ୍ଧା ବଞ୍ଚିବା କଠିନ !’’

 

‘‘ଆପଣ ଜାଣନ୍ତି ଅର୍ହତ, ବୈଶାଳୀରେ ମୁଁ ଶୁଣିଲି, କେତେକ ପ୍ରବୀଣ ସୁଦ୍ଧା କହିଲେଣି, ତଥାଗତ ପରିନିର୍ବାଣ ପରେ କୁଆଡ଼େ ବ୍ରହ୍ମଲୋକକୁ ଯାଇନାହାନ୍ତି ! ସେ ଅଟକି ରହିଛନ୍ତି ମଧ୍ୟ ପଥରେ !’’....ଯଶ ଏ ନୂତନ ସମ୍ବାଦଟି ଅତି କୁଣ୍ଠିତ ଭାବରେ ଦେଲେ, ଅର୍ହତ ଉପାଳୀଙ୍କୁ ।

 

ଉପାଳୀଙ୍କ ମୁଣ୍ଡରେ ଏସବୁ କଥା କିଛି ପଶୁନଥିଲା ! ସେ ବୁଝି ପାରୁନଥିଲେ, ପ୍ରତ୍ୟେକ ବିକୃତିକୁ ତର୍କ ସମ୍ମତ କରିବା ପାଇଁ, ଏହିପରି ଗୋଟାଏ ଗୋଟାଏ ଭୂଇଁଫୋଡ଼୍‌ ତତ୍ତ୍ୱ ଠିଆ କରି ଦିଆଯାଇଥାଏ ! ଗୌତମ ବୁଦ୍ଧ ପରିନିର୍ବାଣ ପରେ ବ୍ରହ୍ମଲୋକକୁ ନ ଯାଇ, ତ୍ରିଶଙ୍କୁ ପରି ମଧ୍ୟ ପଥରେ ଅଟକି ରଖିଲେ ବା କାହିଁକି ? ସବୁ ତାଙ୍କୁ ଲାଗୁଥିଲା ଉଦ୍ଭଟ ପରି !

 

ଅର୍ହତ ଉପାଳୀ ପଚାରିଲେ, ‘‘କିନ୍ତୁ କାହିଁକି ? ତଥାଗତ କାହିଁକି ବ୍ରହ୍ମଲୋକକୁ ନ ଯାଇ ମଧ୍ୟପଥରେ ଅଟକି ପଡ଼ିଲେ ?’’

ଯଶ ଉତ୍ତର ଦେଲେ, ‘‘ମୁଁ ବା କ’ଣ ଜାଣିଛି ? ସେମାନେ କହୁଛନ୍ତି, ତଥାଗତ ବୁଦ୍ଧ ଏହି ଅର୍ହତ, ଆଚାର୍ଯ୍ୟମାନଙ୍କ ପରି ସ୍ୱାର୍ଥସେବୀ ନଥିଲେ !’’

ଉପାଳୀ ନିଜର ସବୁ ଶକ୍ତି କଣ୍ଠରେ ଫୁଟାଇ ପଚାରିଲେ, ‘‘ଆମେ ସବୁ ସ୍ୱାର୍ଥସେବୀ ? ଏଇଆ ସେମାନଙ୍କର, ଆମ ସମ୍ପର୍କରେ ଧାରଣା ?’’

ଯଶ ଉତ୍ତର ଦେଲେ, ‘‘ହଁ, ସେହିପରି ତ କହୁଛନ୍ତି ସେମାନେ । ଆମେ ସବୁ କୁଆଡ଼େ ନିଜର ମୋକ୍ଷପ୍ରାପ୍ତି ପାଇଁ, ନିଜର ସାଧନାରେ ଏତେ ନିମଜ୍ଜିତ ହୋଇପଡ଼ିଛୁ ଯେ, ସଂସାରର ପ୍ରାଣୀକୂଳ କିପରି ଉଦ୍ଧାର ପାଇବେ ସେ କଥା ଆଦୌ ଚିନ୍ତା କରୁନାହୁଁ ! ସେଥିପାଇଁ ପରମ କାରୁଣିକ ବୁଦ୍ଧ ମଧ୍ୟପଥରେ ରହି କୁଆଡ଼େ ବୋଧିସତ୍ତ୍ୱମାନଙ୍କୁ ଜଗତ ଉଦ୍ଧାର ପାଇଁ ଏବେ ଧରାଧାମକୁ ପଠାଉଅଛନ୍ତି ! ଏଣିକି ବୁଦ୍ଧ ରହିବେ, କେବଳ ଗମ୍ଭୀରା ଭିତରେ ! ବୋଧିସତ୍ତ୍ୱମାନେ ହେବେ, ବୌଦ୍ଧ ସଂଘମାନଙ୍କର ଧ୍ୟେୟ, ଶ୍ରେୟ ଓ ଉପାସ୍ୟ !’’

 

ଆଚାର୍ଯ୍ୟ ଉପାଳୀ, ଏ ସବୁର ବିନ୍ଦୁ ବିସର୍ଗ କିଛି ବୁଝିପାରୁ ନଥିଲେ ! ......

 

‘‘ତଥାଗତ କିନ୍ତୁ କହୁଥିଲେ, ପ୍ରତ୍ୟଗ ବୁଦ୍ଧଜାନର କଥା । ଏହାର ଅର୍ଥ ହେଲା, ପ୍ରତ୍ୟେକେ ନିଜ ନିଜର ସାଧନାରେ ଜଣେ ଜଣେ ଜୀବନ୍ମୁକ୍ତ ପ୍ରବୁଦ୍ଧ ବୁଦ୍ଧରେ ପରିଣତ ହୋଇ ପାରିବେ; ସେଥିପାଇଁ ବଡ଼ କଥା ଥିଲା, ଆତ୍ମ ସଂଯମ, ଇନ୍ଦ୍ରିୟ ନିଗ୍ରହ ଓ ସାଧନା । ସେ ଜଗତ ଉଦ୍ଧାର କରିବା କଥାତ କେବେ କହୁ ନଥିଲେ । ମନୁଷ୍ୟ ନିଜେ ନିଜର ଉଦ୍ଧାରକ ହେବ ବୋଲି, ସେ ପ୍ରଚାର କରୁଥିଲେ । ସେ ମଧ୍ୟପଥରେ ରହି, ଏହି ମର୍ତ୍ତ୍ୟଲୋକକୁ ବୋଧିସତ୍ୱମାନଙ୍କୁ ପଠାଇବେ ବା କାହିଁକି ?’’

 

ଯଶ ଉତ୍ତର ଦେଲେ, ‘‘ମୁଁ ମଧ୍ୟ ଏଇ ବୋଧିସତ୍ୱ କଥାଟି ଠିକ୍ ବୁଝିପାରୁ ନାହିଁ । ବୁଦ୍ଧ ଆତ୍ମା ଓ ପୁର୍ନଜନ୍ମରେ ତ ବିଶ୍ୱାସ କରୁ ନଥିଲେ; ତଥାପି ବିହାର ଓ ସଙ୍ଘାରାମମାନଙ୍କରେ ଜାତକ ଓ ଅବଦାନର ବିଚିତ୍ର କାହାଣୀ ସବୁ ଇତି ମଧ୍ୟରେ କ୍ରମେ ଜନ୍ମଲାଭ କଲାଣି, ଏହିପରି ଉଦ୍ଭଟ ଚିନ୍ତାରୁ-! ବୁଦ୍ଧ ପୂର୍ବଜନ୍ମମାନଙ୍କରେ କ’ଣ ହୋଇ କିପରି ପ୍ରାଣୀକୁଳଙ୍କର କଲ୍ୟାଣ କରିଥିଲେ, ଏଇ କାହାଣୀମାନଙ୍କରେ ବହୁ ପୁଟ ଦିଆଯାଇ, ସେସବୁ କ୍ରମେ ମଣ୍ଡନ କରାଗଲାଣି । ଶ୍ରମଣ ଓ ଶ୍ରାବକମାନେ ଏସବୁ ଗପକୁ ମଧ୍ୟ ଖୁବ୍‌ ପସନ୍ଦ କରୁଛନ୍ତି । ବୋଧିସତ୍ତ୍ୱ ସେହିପରି ଏକ କଳ୍ପନା !’’

 

ବୁଦ୍ଧଙ୍କର ପରିନିର୍ବାଣର ୧୦୦ ବର୍ଷ ମଧ୍ୟରେ ଅବସ୍ଥା ଏପରି ଗତି କରିବ ବୋଲି ଉପାଳୀ ତାଙ୍କର ବିଷର୍ଣ୍ଣତମ ଚିନ୍ତାରେ ସୁଦ୍ଧା କେବେ କଳ୍ପନା କରି ନଥିଲେ ! ପରିବର୍ତ୍ତିତ କାଳର ଗତି ବୌଦ୍ଧ ଶ୍ରମଣମାନଙ୍କ ଚିନ୍ତାରେ ଓ ଚେତନାରେ ଆଜି ସୃଷ୍ଟି କଲାଣି ବହୁ ବିକୃତି ! ଏସବୁ ଯଦି ଏପରି ଭାବରେ ଚାଲେ, ତାହା ହେଲେ ବୌଦ୍ଧ ସଂଘର ଉଚ୍ଛେଦ ଅବଶ୍ୟମ୍ଭାବି ! ସେଥିରେ ଉପାଳୀଙ୍କର କ୍ଷୀଣତମ ସନ୍ଦେହ ନଥିଲା !

 

ଯଶଙ୍କର ଏକଥା ସବୁ ଶୁଣି, ଉପାଳୀଙ୍କର ମନେ ହେଉଥିଲା; ଯେଉଁ ଇନ୍ଦ୍ରିୟାସକ୍ତ, ପ୍ରବୃତ୍ତି ପରାୟଣ ଚାର୍ବାକ୍‌ ପନ୍ଥୀମାନଙ୍କୁ ତଥାଗତ ବୁଦ୍ଧ ଦିନେ ଏହି ଭାରତ ଭୂମିରୁ ଉଚ୍ଛେଦ କରିଥିଲେ, ସେହି ଚାର୍ବାକ୍‍ପନ୍ଥୀମାନେ ନବଜନ୍ମ ନେଇ ଆଜି ଯେପରି ବୌଦ୍ଧସଂଘ ଉପରେ ପ୍ରତିଶୋଧ ନେଉଛନ୍ତି !

 

ଉପାଳୀ ପଚାରିଲେ, ‘‘କିନ୍ତୁ ଏହାର ପ୍ରତିକାର କ’ଣ ? ଆମେ ଏହାର ସମ୍ମୁଖୀନ ହୋଇପାରିବା କିପରି ?’’ ଯଶ ଉତ୍ତର ଦେଲେ, ଆମକୁ ବର୍ତ୍ତମାନ୍‌ ସକ୍ରିୟ ହେବାପାଇଁ ପଡ଼ିବ ! ଆଜକୁ ଅଶୀବର୍ଷ ତଳେ ତଥାଗତଙ୍କର ପରିନିର୍ବାଣ ପରେ ବୌଦ୍ଧ ଅନୁଶାସନ ଘେନି, ଯେତେବେଳେ ବୌଦ୍ଧ ସମ୍ପ୍ରଦାୟରେ ବହୁ ବିଭ୍ରାନ୍ତି ଦେଖାଦେଇଥିଲା, ସେତେବେଳେ ଆପଣଙ୍କର ମନେଥିବ, ରାଜଗୃହଠାରେ ଆମର ଯେଉଁ ପ୍ରଥମ ସମ୍ମେଳନ ହୋଇଥିଲା, ସେଥିରେ ପ୍ରଭୁ ଆନନ୍ଦଙ୍କ ଉପସ୍ଥିତିରେ ପ୍ରବୀଣ ଆଚାର୍ଯ୍ୟମାନେ ନିଜ ନିଜ ସ୍ମୃତିରୁ ସବୁ ବିଚାର ଓ ଆଚାର ଆବୃତ୍ତି କରିଥିଲେ । ତାହା ଥିଲା ବୌଦ୍ଧଧର୍ମ, ବିନୟ ଓ ସୂତ୍ରର ଭିତ୍ତି ! ମାତ୍ର ଏହାଭିତରେ ସେସବୁ ଓଲଟ ପାଲଟ ହୋଇଯିବା ପରି ମୋତେ ଲାଗୁଛି । ମୋର ମନେ ହେଉଛି, ରାଜଗୃହ ସମ୍ମେଳନରେ ସେତେବେଳେ ୭୦୦ ପର୍ଯ୍ୟନ୍ତ ବୌଦ୍ଧ ଶ୍ରମଣ ଉପସ୍ଥିତ ଥିଲେ । ମାତ୍ର ଏଥର ଆମକୁ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚତୁର୍ଦ୍ଦିଗରୁ ସବୁ ଭିକ୍ଷୁମାନଙ୍କୁ ଏକାଠି କରାଇ, ଏହି ବିଭେଦ ଓ ବିକୃତିର ଶେଷ ସମାଧାନ କରିବା ପାଇଁ ପଡ଼ିବ । ଆମେ କେବଳ କପାଳରେ ନିଷ୍ଫଳ କରାଘାତ କରି, ଆଉ ଲାଭ ନାହିଁ । ଆମକୁ ଏବେଠାରୁ ଅଧିକ ସକ୍ରିୟ ହେବାପାଇଁ ପଡ଼ିବ ।’’

 

ସେହିଦିନ, ସେହିଠାରେ ନିଷ୍ପତ୍ତି ହେଲା, ଯଶ ଓ ଅନ୍ୟ କେତେକ ବୟୋଜ୍ୟେଷ୍ଠ ଆଚାର୍ଯ୍ୟ, ଅର୍ହତ ଓ ଉପାଧ୍ୟାୟ କୋଶଳ, ଅବନ୍ତୀ ମଥୁରା, ମଗଧ ପ୍ରଭୃତି ଦେଶମାନଙ୍କୁ ଯାଇ ସବୁ ଭିକ୍ଷୁ ଓ ଆଚାର୍ଯ୍ୟମାନଙ୍କୁ ଏକାଠି ଏକ ମହାଧିବେଶନରେ ସମବେତ କରାଇବେ । ସେହିଠାରେ ହେବ, ଏହି ତରୁଣ ଭିକ୍ଷୁଗୋଷ୍ଠୀଙ୍କ ସହିତ ଶେଷ ମୁକାବିଲା ! ତାହାହିଁ ବର୍ତ୍ତମାନ ବୌଦ୍ଧଧର୍ମକୁ ଅଧଃପତନରୁ ରକ୍ଷା କରିବାର ଏକମାତ୍ର ପନ୍ଥା !

 

ଉପାଳୀ ପଚାରିଲେ, ‘‘କିନ୍ତୁ କେଉଁଠାରେ, ଏ ଅଧିବେଶନର ଆୟୋଜନ ହେବ ?’’

ଯଶ ଉତ୍ତର ଦେଲେ, ‘‘ସେ ପ୍ରଶ୍ନ ପରେ ବିଚାର୍ଯ୍ୟ !’’

ଉପାଳୀ ନୀରବ ରହିଲେ ।                              [ କ୍ରମଶ ]

***

 

ଓଡ଼ିଆ ସାହିତ୍ୟରେ ରଥଯାତ୍ରା

ଡଃ ହରିହର କାନୁନ୍‌ଗୋ

 

ପତିତପାବନ-ଦୀନାର୍ତ୍ତନାଶନ-ଜଗବନ୍ଧୁ ଜଗତର ନାଥ-ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା (୧) ମଧ୍ୟରୁ ରଥଯାତ୍ରା ସର୍ବ ପ୍ରଧାନ ଓ ପୃଥିବୀ ପ୍ରସିଦ୍ଧ (୨) । ଏହି ରଥଯାତ୍ରାରେ ଶ୍ରୀଜଗନ୍ନାଥ ନିଜ ସିଂହାସନ ଛାଡ଼ି ବାହାରକୁ ଆସି ସର୍ବଜନ ସମକ୍ଷରେ ଉଭା ହେଉଥିବାରୁ ଆମ୍ଭମାନଙ୍କର ପତିତପାବନ ହେଉଛନ୍ତି । ଯୁଗେ ଯୁଗେ ଭକ୍ତମାନଙ୍କ ମନରେ ଅଶେଷ କରୁଣାର ଭାବ ସଞ୍ଚାର କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ସାର୍ବଜନୀନ ଲୀଳା ସମ୍ପାଦନ କରି ଆସିଛନ୍ତି । ବିଶ୍ୱବ୍ୟାପୀ ମଣିଷ ସମାଜକୁ ଏକତ୍ର ବାନ୍ଧି ରଖିବାରେ ଏହି ଲୀଳାର ମହନୀୟତା ଅବିସମ୍ବାଦିତ ।

 

ହିନ୍ଦୁମାନଙ୍କ ମଧ୍ୟରେ ରଥର ବ୍ୟବହାର ବହୁ ପ୍ରାଚୀନ ବୈଦିକ କାଳରୁ ପ୍ରଚଳିତ (୩) । ସୂର୍ଯ୍ୟଙ୍କ ବୈଦିକ ମନ୍ତ୍ରରେ ତାହାଙ୍କ ସପ୍ତାଶ୍ୱ ରଥର ବର୍ଣ୍ଣନା ବହୁ ପ୍ରାଚୀନ ଶାସ୍ତ୍ରରେ ଉଲ୍ଲିଖିତ (୪) । ଓଡ଼ିଶାର ପ୍ରଚୀନ ଐତିହ୍ୟ କୋଣାର୍କ ମନ୍ଦିରଟି ସୂର୍ଯ୍ୟଙ୍କ ରଥ ଭଳି ନିର୍ମିତ । ପୁଣି ବିଜୟନଗରମ୍‌ ନିକଟବର୍ତ୍ତୀ ହାମ୍ଫିଠାରେ ରଥଭଳି ଏକ ମନ୍ଦିର ରହିଛି । ଇନ୍ଦ୍ରଙ୍କ ପୁଷ୍ପକ ବିମାନ ଓ ବିଷ୍ଣୁଙ୍କ ଗରୁଡ଼ଧ୍ୱଜ ରଥରେ ବିଜେ ହେବାର ଉଲ୍ଲେଖ ପୁରାଣ ଶାସ୍ତ୍ରରୁ ଜଣାପଡ଼େ । ଦେବତାମାନେ ରଥରେ ଯାତାୟାତ କଲାଭଳି ପ୍ରାଚୀନ ରାଜାମାନେ ମଧ୍ୟ ପୂର୍ବେ ରଥର ବ୍ୟବହାର କରୁଥିଲେ ।

 

ମାଘ ଶୁକ୍ଳ ପଞ୍ଚମୀରେ କୋଣାର୍କ ମନ୍ଦିରରେ ରଥଯାତ୍ରା ହେଉଥିବା ଭଳି ଚୈତ୍ର ଶୁକ୍ଳ ଅଷ୍ଟମୀରେ ଭୁବନେଶ୍ୱର ଲିଙ୍ଗରାଜଙ୍କର ରଥଯାତ୍ରା ହୁଏ । ଖଣ୍ଡଗିରିରେ ମଧ୍ୟ ଅନନ୍ତ ବାସୁଦେବ ଓ କିଶୋରୀଙ୍କ ବିଗ୍ରହଦ୍ୱୟ ଆଷାଢ଼ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ପର୍ଯ୍ୟନ୍ତ ରଥଯାତ୍ରାରେ ବିଜେ ହୁଅନ୍ତି (୫) । ଜୈନମାନେ ମଧ୍ୟ ରଥଯାତ୍ରା ଭଳି ଚୈତ୍ରଯାତ୍ରା ପାଳନ କରନ୍ତି । ଜୈନଧର୍ମାବଲମ୍ବୀ କଳିଙ୍ଗ ସମ୍ରାଟ ଖାରବେଳ ମହାଭାରତ ଯୁଗର କେତୁଭଦ୍ରଙ୍କର ତିକ୍ତକାଷ୍ଠ (ନିମ୍ବକାଠ)ରେ ମୂର୍ତ୍ତି ନିର୍ମାଣ କରାଇ ରଥଯାତ୍ରା କରାଇଥିଲେ ବୋଲି ହାତୀଗୁମ୍ଫା ଶିଳାଲିପିରେ ଉଲ୍ଲେଖ ଅଛି (୬) । ଏଥିରୁ ଖଣ୍ଡଗିରି ରଥଯାତ୍ରାର ପ୍ରାଚୀନତା ସହଜରେ ଅନୁମେୟ । ଆହୁରି ମଧ୍ୟ ଯାଜପୁର ବିରଜାଙ୍କ ଦଶହରା ସମୟର ରଥଯାତ୍ରା ପ୍ରାଚୀନତମ ବୋଲି ଗ୍ରହଣ କରାଯାଇପାରେ ।

 

ନେପାଳର କାଠମାଣ୍ଡୁରେ ବୈଶାଖ ମାସର ପ୍ରଥମ ଦୁଇଦିନରେ ଭୈରବ ଓ ଭୈରବୀଙ୍କୁ ଦୁଇ ରଥରେ ଏବଂ ଲିଙ୍ଗକୁ ଆଉ ଗୋଟିଏ ରଥରେ ବସାଇ ତ୍ରିରଥ ଟାଣିବା ପ୍ରସଙ୍ଗଟି ଭୈରବଯାତ୍ରା ଓ ଲିଙ୍ଗଯାତ୍ରା ଭାବରେ ଖ୍ୟାତ । ପୁଣି ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ ସେଠାରେ ନେତାଦେବୀଙ୍କର ରଥଯାତ୍ରା (ଦେବୀଯାତ୍ରା) ଏବଂ କୁମାରୀ ରଥଯାତ୍ରା (ଅଷ୍ଟମାତୃକାର ଅନ୍ୟତମ କୁମାରୀ) ଅନୁଷ୍ଠିତ ହୁଏ । ଚୈତ୍ରମାସରେ ବୌଦ୍ଧମାନଙ୍କର ମତ୍ସେନ୍ଦ୍ର ଯାତ୍ରା ରଥଯାତ୍ରା ଭଳି ପ୍ରାଚୀନତମ । ବୌଦ୍ଧ ଓ ହିନ୍ଦୁମାନଙ୍କ ଦ୍ୱାରା ଆଦୃତ ହୋଇଥିବା ନେପାଳର ବୌଦ୍ଧ ରଥଯାତ୍ରା ପୁରୀ ଜଗନ୍ନାଥଙ୍କ ରଥଯାତ୍ରାର ଅନୁକରଣ ବୋଲି ଉଲ୍ଲିଖିତ (୭) । ପୁଣି ବୌଦ୍ଧଧର୍ମାବଲମ୍ବୀ ଶବରମାନେ ବୌଦ୍ଧ ତ୍ରିରତ୍ନ ଅନୁକରଣରେ କାଷ୍ଠରେ ତ୍ରିମୂର୍ତ୍ତି ନିର୍ମାଣ କରି ବୌଦ୍ଧ ପ୍ରଥାନୁଯାୟୀ ରଥଯାତ୍ରା ଆରମ୍ଭ କରିଥିବା ସମ୍ଭବପର । ଭାରତ ଓ ଅନ୍ୟାନ୍ୟ ବହିର୍ଦେଶଗୁଡ଼ିକରେ ବୌଦ୍ଧାନୁଷ୍ଠାନ ବିଶେଷତଃ ପଞ୍ଚମ ଶତାବ୍ଦୀର ପାଟଳୀପୁତ୍ରର ରଥଯାତ୍ରା ବର୍ଣ୍ଣନା ଏବଂ ମଧ୍ୟ-ଏସିଆର ଖୋଟାନ ଅଞ୍ଚଳର ବୌଦ୍ଧ ତ୍ରିରତ୍ନର ଏକ ରଥଯାତ୍ରାର ଦୃଷ୍ଟାନ୍ତ (୮) ଚୀନ ପରିବ୍ରାଜକ ଫାହିଆନ୍‌ଙ୍କ ବିବରଣୀରୁ ମିଳେ । ସେଥିରେ ରଥ ଆଗରେ ରାଜା ଛେରାପହଁରା କରୁଥିବାର ଉଲ୍ଲେଖ ଅଛି (୯)-। ସିଂହଳର ପ୍ରସିଦ୍ଧ ବୁଦ୍ଧଙ୍କ ଦନ୍ତଯାତ୍ରା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସାଦୃଶ୍ୟ ଥିବା ଉଲ୍ଲିଖିତ (୧୦)-। ଖ୍ରୀଷ୍ଟୀୟ ଦ୍ୱିତୀୟ, ତୃତୀୟ ଶତାବ୍ଦୀରେ (୧୧) ବୁଦ୍ଧଦେବଙ୍କ ଜନ୍ମୋତ୍ସବ ସ୍ମୃତିରୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ସୃଷ୍ଟି ହୋଇଥିବା ସମ୍ଭବପର (୧୨) ।

 

ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଏହି ରଥଯାତ୍ରାର ବର୍ଣ୍ଣନା ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ପରିସ୍ଫୁଟ । ବହୁ କବି, ସାହିତ୍ୟିକ, ଗାଳ୍ପିକ, ନାଟ୍ୟକାର ସ୍ୱ ସ୍ୱ ମୌଳିକ କଳ୍ପନାଶକ୍ତି ଓ କବିତ୍ୱ ବଳରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବର୍ଣ୍ଣନାରେ ମୁଖରିତ । ଶ୍ରୀଜଗନ୍ନାଥଙ୍କ କରୁଣାମୈତ୍ରୀ ପ୍ରେମରେ ବାନ୍ଧି ହୋଇ ଭକ୍ତ, ଶିଷ୍ୟ, କବି ଓ ଭାବୁକ, ସନ୍ଥ ସାଧକ ଗୋଷ୍ଠୀ ତାହାଙ୍କ ପ୍ରସିଦ୍ଧ ରଥଯାତ୍ରାର ଚିତ୍ତାକର୍ଷକ ଦୃଶ୍ୟକୁ ଭୁଲିପାରି ନାହାଁନ୍ତି । ସ୍ୱତଃସ୍ଫୂର୍ତ୍ତ ଭାବରେ ସେହି ରଥଯାତ୍ରାକୁ କେନ୍ଦ୍ରକରି ଫୁଟି ଉଠିଛି ସେମାନଙ୍କ କଣ୍ଠରୁ ଅସଂଖ୍ୟ ଭଜନ, ଜଣାଣ ଓ କାବ୍ୟ କବିତା । ଯାହାକି ଯୁଗେ ଯୁଗେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଧର୍ମ ଓ ଦର୍ଶନକୁ ମହିମାନ୍ୱିତ କରିଛି ଓ କରୁଛି ମଧ୍ୟ ।

 

ଏହା ବହୁ ପ୍ରାଚୀନ କାଳରୁ ବିଧି ଅନୁସାରେ ଚଳି ଆସୁଥିବାରୁ ଓଡ଼ିଶାର ଲୋକମୁଖରେ ଅଦ୍ୟାବଧି ଏହି ଯାତ୍ରାର ପରମ୍ପରା ଓ ବୈଶିଷ୍ଟ୍ୟ ପ୍ରଚଳିତ । ବିଶେଷ କରି ପଶ୍ଚିମ ଓଡ଼ିଶାର ଲୋକଗୀତରେ ଆଷାଢ଼ ମାସର ରଥଯାତ୍ରାରେ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଗୋବିନ୍ଦ/ବିଜୟା ରଥରେ ଚଢ଼ି ଗୁଣ୍ଡିଚା ଘରକୁ ଯାତ୍ରା କରିବା ପ୍ରସଙ୍ଗ ଚମତ୍କାର ଭାବରେ ବର୍ଣ୍ଣିତ (୧୩) । ଡାଲଖାଇ ଗୀତରେ ମଧ୍ୟ ଶ୍ରୀଜଗନ୍ନାଥ ଆଷାଢ଼ ମାସର ଗୁଣ୍ଡିଚା ଯାତ୍ରା ପାଇଁ ରଥରେ ବିଜେ ହେବା ପ୍ରସଙ୍ଗରେ (୧୪) ଦେବୀ ସୁଭଦ୍ରାଙ୍କୁ ଦେବୀ ଭବାନୀ ରୂପରେ ଲୋକଗୀତର କବି କଳ୍ପନା କରିଛି । କାରଣ ପଶ୍ଚିମ ଓଡ଼ିଶାରେ ଶବରମାନଙ୍କ ଦ୍ୱାରା ପୂଜିତା ‘ସ୍ତମ୍ଭେଶ୍ୱରୀ’ ଭୁଷ୍ଟିକରଙ୍କ ସମୟରେ ଭଗବତୀ ରୂପେ ଅଭିହିତା ହୋଇ ସାରିଥିଲେ । ସେହି ଭଗବତୀହିଁ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିରେ ଭବାନୀ ରୂପେ ପରିଚିତ (୧୫) ।

 

‘‘ରଥେ ଦୁତୀୟା ଦିନେ ବିଜେ କଲିଆ, ଦେଖି ଯିମାରେ ଧୀରେ ଧୀରେ ଚାଲିଆ’’ ପ୍ରଶ୍ନୋତ୍ତର ପ୍ରସଙ୍ଗ ବା ଓଗାଳ ‘ଲୋକନୃତ୍ୟ’ ଘୁମୁରାର ଏକ ବିଶେଷ ଆକର୍ଷଣ । ଏହି ପ୍ରସଙ୍ଗରେ ରଥଯାତ୍ରାର ସୃଷ୍ଟି ରହସ୍ୟ ପ୍ରତିପାଦିତ (୧୬) । ରଥାରୂଢ଼ ତ୍ରିମୂର୍ତ୍ତି ବର୍ଣ୍ଣନା ସମୟରେ ଲୋକଗୀତରେ ଜଗନ୍ନାଥଙ୍କୁ ନନ୍ଦନନ୍ଦନ ରୂପେ ବର୍ଣ୍ଣନା କରାଯାଇଛି (୧୭) । ଶ୍ରୀକୃଷ୍ଣଙ୍କର ଗୋପଲୀଳା, ବୃନ୍ଦାବନ ଲୀଳା ଓ ମଥୁରାଲୀଳା ପାଇଁ ପଶ୍ଚିମ ଓଡ଼ିଶାର ବହୁ ଲୋକଗୀତରେ ରଥାରୂଢ଼ ଶ୍ରୀ ଜଗନ୍ନାଥଙ୍କୁ ଦାୟୀ କରାଯାଇ ଶ୍ରୀକୃଷ୍ଣ-ଶ୍ରୀ ଜଗନ୍ନାଥଙ୍କ ମଧ୍ୟରେ ଏକତ୍ୱ ସ୍ଥାପନ କରାଯାଇଛି (୧୮) । ପୁଣି ଗୁଣ୍ଡିଚାଯାତ୍ରାର ଶୋଭାବର୍ଣ୍ଣନା ଲୋକଙ୍କର ଦୃଷ୍ଟିରେ ବାରମ୍ବାର ଉଦ୍ଭାସିତ (୧୯) ।

 

ଶ୍ରୀମନ୍ଦିରରୁ ରଥକୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ (୨୦) ଓ ରଥରେ ପୁରୀ ଗଜପତି ରାଜା ଛେରା ପହଁରା କଲାଭଳି ଗାଁର ମୁଖିଆମାନେ ବା ଗଅଁଟିଆ (ଗୌନ୍ତିଆ) ଛେରା ପହଁରା କାର୍ଯ୍ୟ କରିଥାନ୍ତି । ପ୍ରତ୍ୟେକ ରଥଯାତ୍ରାରେ ତ ପୁରୀ ଗଜପତି ରାଜା ଉପସ୍ଥିତ ରହିବା ସମ୍ଭବପର ନୁହେଁ । ତେଣୁ ଗାଁର ଗଅଁଟିଆ (ଗୌନ୍ତିଆ) ତା’ର କାର୍ଯ୍ୟ ସମ୍ପନ୍ନ କରି ଜାତିବର୍ଣ୍ଣ ଧର୍ମର ଏକତା ପ୍ରତିପାଦନ କରେ (୨୧) । ଗାଁର ଉକ୍ତ ଦର୍ଶକମାନେ ରଥାରୂଢ଼ ଜଗନ୍ନାଥଙ୍କୁ ଗାଁ ରାସ୍ତାରେ ଟାଣି ନେଲାବେଳେ ସମସ୍ତେ ଭକ୍ତି ଭାବରେ ତନ୍ମୟ ହୋଇ ଆପଣାର ପାପ ପ୍ରକ୍ଷାଳନ କରିବା ପ୍ରସଙ୍ଗ ଲୋକଙ୍କର ଦୃଷ୍ଟିରେ ହୋଇଛି ଜୀବନ୍ତ (୨୨) । ପୁଣି ଶ୍ରୀଜଗନ୍ନାଥ ଗୁଣ୍ଡିଚା ଘରେ ନବଦିନ ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡ଼ି ଆସିବା ଦୃଶ୍ୟକୁ ଲୋକକବି ତା’ର ବଉଳକୁ ଅତ୍ୟନ୍ତ କବିତ୍ୱ ପୂର୍ଣ୍ଣ ଭାବାବେଗରେ ପ୍ରକାଶ କରିଛି (୨୩) ।

 

ବହୁ ପ୍ରାଚୀନକାଳରୁ ପ୍ରଚଳିତ ଓଡ଼ିଆ ଲୋକଗୀତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଅତ୍ୟନ୍ତ ଚମତ୍କାର ବର୍ଣ୍ଣନା ଭଳି ଓଡ଼ିଆ କବିର କାବ୍ୟ ସାହିତ୍ୟରେ ମଧ୍ୟ ତାହାର ଜୀବନ୍ତ ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ । ପଞ୍ଚଦଶ ଶତାବ୍ଦୀର କପିଳେନ୍ଦ୍ର ଦେବଙ୍କ ସମସାମୟିକ ମାଟିର ମହାକବି ଶୂଦ୍ରମୁନି ସାରଳା ଦାସ (୨୪)ଙ୍କର ମହାଭାରତରେ ଶ୍ରୀକୃଷ୍ଣ (ଶ୍ରୀଜଗନ୍ନାଥ) ନନ୍ଦିଘୋଷ ରଥରେ ବସି ଯାଉଥିବାର ବର୍ଣ୍ଣନା ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାର ବର୍ଣ୍ଣନା ସହିତ ସାମ୍ୟ ପରିଲ୍ଲକ୍ଷିତ (୨୫) ।

 

ପରବର୍ତ୍ତୀ ପଞ୍ଚଦଶ ଶତାବ୍ଦୀର ଶେଷଭାଗର କବି ଅର୍ଜ୍ଜୁନ ଦାସ (୨୬)ଙ୍କ କଳ୍ପଲତା (ଜ୍ୟେଷ୍ଠ ପୂର୍ଣ୍ଣମୀଠାରୁ ଆରମ୍ଭ ବାହୁଡ଼ା ଯାତ୍ରାରେ ଶେଷ) କାବ୍ୟରେ କବି ରଥାରୂଢ଼ ଶଙ୍ଖଚକ୍ର ଧାରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ତାଙ୍କର ନବ ଦିନ ଯାତ୍ରା ବା ଗୁଣ୍ଡିଚାଯାତ୍ରା ତଥା ବାହୁଡ଼ା ଯାତ୍ରାର ମହିମା ବର୍ଣ୍ଣନା କରିବା ପ୍ରସଙ୍ଗରେ ପ୍ରଭୁଙ୍କର ଅନୁଗାମୀ ହୋଇଛନ୍ତି (୨୭) ।

 

ସେହି ସମୟର ପଞ୍ଚସଖାଙ୍କ ମଧ୍ୟରୁ ଜ୍ୟେଷ୍ଠ କୃପାସିଦ୍ଧା ବଳରାମ ଦାସ (୨୮) ‘ଭାବସମୁଦ୍ର’ କାବ୍ୟ ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆବେଗ ପୂର୍ଣ୍ଣ ବର୍ଣ୍ଣନା ଦେଇଛନ୍ତି (୨୯)-। ସେଥିରେ କବିଙ୍କର ଭକ୍ତ ଜୀବନର କରୁଣ କାହାଣୀ ଆବେଗମୟ ଭାଷାରେ ବର୍ଣ୍ଣିତ । ପୁରୀର ରଥଯାତ୍ରାବେଳେ ବେଶ୍ୟାଗୃହରୁ ଯାତ୍ରାକାଳର ଜୟ ଧ୍ୱନିରେ ପ୍ରକୃତିସ୍ଥ ହୋଇ ଦଉଡ଼ିଆସିଲେ ରଥ ଦଉଡ଼ି ଟାଣିବାପାଇଁ । ଶ୍ରୀଜଗନ୍ନାଥଙ୍କର ରଥ ଉପରକୁ ଉଠିବାପାଇଁ ଚେଷ୍ଟା କଲାବେଳେ ସେବକମାନଙ୍କ ଦ୍ୱାରା ଲାଞ୍ଛିତ ଓ ବେତ୍ରାଘାତ ତଥା ରାଜାଙ୍କ ଦ୍ୱାରା ଅପମାନ ପାଇ (୩୦) ଫେରିଆସିଲେ ବାଙ୍କିମୁହାଣକୁ । ସେହି ନଦୀବାଲିରେ ତିନୋଟି ରଥ ଗଢ଼ି ଭକ୍ତି ଭାବରେ ପ୍ରାର୍ଥନା କଲେ ତିନି ଦେବତାଙ୍କୁ । କ୍ଷୋଭ, ଅଭିମାନ ଓ କ୍ରୋଧରେ ଜର୍ଜରିତ ଭକ୍ତ ବଳରାମ ବାଲିରେ ଗଢ଼ା ନନ୍ଦିଘୋଷ ରଥକୁ ଟାଣି ଧରିଲେ ଭକ୍ତି ଡୋରରେ । ତେଣେ ବଡ଼ଦାଣ୍ଡରେ ହଜାର ହଜାର ଲୋକ ରାଜାଙ୍କ ଆଦେଶରେ ରଥ ଜୋରରେ ଟାଣିଲେ ମଧ୍ୟ ପାଦେମାତ୍ର ଘୁଞ୍ଚିଲାନାହିଁ । କବି ଏ ପ୍ରସଙ୍ଗରେ ଆପଣାର ଅଭିମାନ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି (୩୧) । ଶ୍ରୀଜଗନ୍ନାଥଙ୍କଠାରୁ ସ୍ୱପ୍ନାବିଷ୍ଟ ହୋଇ ରାଜା ତାହାଙ୍କୁ କ୍ଷମାଭିକ୍ଷା କରିବା ଫଳରେ ବନ୍ଦ ହୋଇଥିବା ରଥ ପୁଣି ଚାଲିପାରିଥିଲା ।

 

ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସଖା ୧୪୮୭ ଖ୍ରୀଷ୍ଟାବ୍ଦର କବି ଜଗନ୍ନାଥ ଦାସ (୩୨)ଙ୍କ ‘ଗୁଣ୍ଡିଚାବିଜେ’-ଗ୍ରନ୍ଥରେ ଶ୍ରୀ ଜଗନ୍ନାଥଙ୍କର ବାହୁଡ଼ାଯାତ୍ରା ପରେ ମନ୍ଦିର ପ୍ରବେଶକାଳୀନ ଲୋକପ୍ରିୟ କାହାଣୀ ଆଲୋଚ୍ୟ । ଲକ୍ଷ୍ମୀନାରାୟଣଙ୍କ କଳି ଏହି କାବ୍ୟର ମୁଖ୍ୟ ବର୍ଣ୍ଣିତ ବିଷୟ । (୩୩)

 

ଶ୍ରୀଚୈତନ୍ୟଙ୍କ ସମସାମୟିକ ପୁରୀ ହରଚଣ୍ଡୀ ସାହି ନିବାସୀ କହ୍ନେଇ ଖୁଣ୍ଟିଆ (୧୫୪୫ ଖ୍ରୀ. ଅ) (୩୪) ଙ୍କର ‘ଶ୍ରୀ ମହାଭାବ ପ୍ରକାଶ’ କାବ୍ୟଗ୍ରନ୍ଥରେ ଶ୍ରୀଗୁଣ୍ଡିଚା ଯାତ୍ରା ପରମ୍ପରାର ବୈଶିଷ୍ଟ୍ୟ ଦେଖିବାକୁ ମିଳେ । ଶ୍ରୀ ଚୈତନ୍ୟ ଦାକ୍ଷିଣାତ୍ୟ ଭ୍ରମଣରୁ ଫେରି ପୁରୀରେ ଅବସ୍ଥାନ କରୁଥିବା ସମୟରେ ରଥଯାତ୍ରା ପହଣ୍ଡି ବିଜୟ ବେଳେ କବି ଦିଅଁଙ୍କର ସେବକ ଭାବରେ ରହି ପ୍ରତ୍ୟକ୍ଷଦର୍ଶୀ ହୋଇଛନ୍ତି (୩୫) । ସେଠାରେ ଶ୍ରୀ ଚୈତନ୍ୟଙ୍କର ଦର୍ଶନ ଲାଭ କରି ତାଙ୍କର ଜୀବନ ହୋଇଛି ଧନ୍ୟ । ଶ୍ରୀଚୈତନ୍ୟ ନିଜେ ମଧ୍ୟ ରଥାରୂଢ଼ ଜଗତପତି ଜଗନ୍ନାଥଙ୍କୁ ଦେଖିବାମାତ୍ରେ ତାଙ୍କର ହୃଦୟ ମହାଭାବରେ ଉଦ୍ଭାସିତ ହୋଇଉଠିଛି । ଫଳରେ ଶ୍ରୀଚୈତନ୍ୟଙ୍କ ସାନ୍ନିଧ୍ୟ ଓ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଲାଭ କରି କବି ସୃଷ୍ଟିକଲେ ମହାଭାବ ପ୍ରକାଶ କାବ୍ୟଗ୍ରନ୍ଥ ।

 

ପରବର୍ତ୍ତୀ ଭୂପତି ପଣ୍ଡିତଙ୍କର ‘ପ୍ରେମ ପଞ୍ଚାମୃତ’ କାବ୍ୟରେ ନୀଳାଚଳରେ ବସୁଦେବଙ୍କର ଅବସ୍ଥାନ କାଳରେ ଗୁଣ୍ଡିଚାଯାତ୍ରାନୁଷ୍ଠାନର ପରିକଳ୍ପନା ବର୍ଣ୍ଣିତ । ଏହି ଯାତ୍ରା ଉତ୍ସବ ଦର୍ଶନରେ ବସୁଦେବଙ୍କର ଜୀବନ ହୋଇଛି ଧନ୍ୟ (୩୬) । ବିଶ୍ୱର ପ୍ରତିକୋଣରୁ ଆସିଥିବା ଜନତା ‘‘ତ୍ରିଭୁବନ ଜନେ ଜୟ ଜଗନ୍ନାଥ’’ ରୋଳରେ ଆକାଶ ପବନ ପ୍ରକମ୍ପିତ କରି ରଥ ସମ୍ମୁଖରେ କୀର୍ତ୍ତନ କରୁଛନ୍ତି-। ସେଠାରେ ଉତ୍କଳର ଗଜପତି ରାଜା ନିଜର ଐଶ୍ୱର୍ଯ୍ୟ ଓ କ୍ଷମତାର ଅହଂକାର ଭୁଲି ଶ୍ରୀ ଜଗନ୍ନାଥଙ୍କର ଜଣେ ସେବକଭାବରେ ଦଣ୍ଡାୟମାନ । ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୂଦ୍ର ପ୍ରଭୃତି ସବୁ ବର୍ଣ୍ଣର ଲୋକେ ଏକ ମନ ଓ ଏକପ୍ରାଣ ହୋଇ ରଥ ଟାଣିବାରେ ବ୍ୟଗ୍ର । ସଙ୍ଗୀତ, ନୃତ୍ୟ, ବାଦ୍ୟ ବାଦନରେ ଉନ୍ମତ୍ତ ନରନାରୀ ଶ୍ରୀ ଗୁଣ୍ଡିଚା ଉତ୍ସବକୁ ଉପଭୋଗ କରି ପ୍ରଭୁଙ୍କ ମହିମାଗାନ କରିବାରେ ଉଦ୍‌ଗ୍ରୀବ (୩୭) ।

 

ଆଫଗାନ ସୁବେଦାର ଲାଲବେଗ ଓ ହିନ୍ଦୁ ବିଧବା ରମଣୀଙ୍କ ଗର୍ଭଜାତ ସନ୍ତାନ ଭକ୍ତ ସାଲବେଗ (ଖ୍ରୀ: ଅ ୧୫୯୨-୯୩) (୩୮) ଥିଲେ ଶ୍ରୀ ଜଗନ୍ନାଥଙ୍କର ପରମଭକ୍ତ । ମନ୍ଦିର ମଧ୍ୟକୁ ପ୍ରବେଶ ଅଧିକାର ନଥିଲେ ସୁଦ୍ଧା ରଥଯାତ୍ରା ଉତ୍ସବ ଦର୍ଶନ କରି ଅତ୍ୟନ୍ତ ଭାବାବେଗରେ ସୃଷ୍ଟି କରିଛନ୍ତି ଅସଂଖ୍ୟ ଭଜନ ଜଣାଣ । ଥରେ ଦୂରାରୋଗ୍ୟ କୁଷ୍ଠବ୍ୟାଧିରେ ଆକ୍ରାନ୍ତ ଥିବାବେଳେ ରଥରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଉତ୍କଣ୍ଠାର ସହ ସାତଶହ ପଚାଶ କୋଷ ଦୁର୍ଭେଦ ଦୁର୍ଗମପଥ ଅତିକ୍ରମ କରି ଚାଲିଛନ୍ତି । କି ଦୃଢ଼ ଭକ୍ତି ମନୋବଳ ତାଙ୍କର ? ତାଙ୍କ ଆଖି ଆଗରେ ନାଚିଉଠିଛି ନନ୍ଦିଘୋଷ ରଥରେ ଚକାଡୋଳାଙ୍କର ଶୋଭା (୩୯) । ଅଣସର ଘରୁ ଆଜି ଜଗବନ୍ଧୁ ତ୍ରିଭଙ୍ଗୀ ଭଙ୍ଗୀରେ (୪୦) ଭାଇ ଭଉଣୀଙ୍କ ସହ ସଜ୍ଜିତ ତିନିରଥରେ ହୀରା, ନୀଳା, ମୋତିମାଣିକ୍ୟ ପ୍ରଭୃତି ନାନା ଅଳଙ୍କାରରେ ବିଭୂଷିତ ହୋଇ (୪୧) ବଡ଼ଦାଣ୍ଡରେ ବିଜେ ହୋଇଛନ୍ତି ନଅକୋଟି ଲୋକଙ୍କର ପାପମୋଚନ କରିବା ପାଇଁ (୪୨) । ପୁଣି ଜଗତକୁ ଉଦ୍ଧାର କରିବା ପାଇଁ ଆନନ୍ଦ କୋଳାହଳ ଭିତରେ ପ୍ରଶିଷ୍ୟ ଭକ୍ତ ମଣ୍ଡଳୀଙ୍କ ମେଳରେ ଚାଲିଛନ୍ତି ବଡ଼ଦାଣ୍ଡରେ । ରଥାରୂଢ଼ ସେହି କାଳିଆଧନ ବଡ଼ଠାକୁର ଜଗତ୍‌ପତି ଜଗନ୍ନାଥଙ୍କର ମୋହରେ ଆବିଷ୍ଟ ହୋଇ ଭକ୍ତପ୍ରବର ସାଲବେଗ ଦର୍ଶନ କରି ନପାରି ଆପଣାର ଜୀବନକୁ ତାହାଙ୍କ ପାଦପଦ୍ମରେ ସମର୍ପଣ କରିଦେଇଛନ୍ତି (୪୩) ।

 

ଷୋଡ଼ଶ ଶତାବ୍ଦୀର ଶେଷ ପାଦର ଅନ୍ୟ ଏକ କବି ପ୍ରତାପ ରାୟଙ୍କ ଲୋକପ୍ରିୟ ‘ଶଶିସେଣା’ କାବ୍ୟର ଷଷ୍ଠ ଛାନ୍ଦରେ ନନ୍ଦିଘୋଷ ରଥରେ ବିଜେ କରିଥିବା ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆହ୍ୱାନ କରିଛନ୍ତି (୪୪) ।

 

ସପ୍ତଦଶ ଶତାବ୍ଦୀର ଆଦ୍ୟଭାଗର କବି ବନମାଳୀ ଦାସ ପୁରୀ ଜଗନ୍ନାଥ ମନ୍ଦିରର ‘ଛତିଶାନି ଯୋଗ’ ସେବକଙ୍କ ଭିତରେ ଜଣେ ସେବକ ହୋଇ ପୁରୀ ରାଜାଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟରେ ଖଟଣି ଖଟିବା ପ୍ରସଙ୍ଗ ଜଗନ୍ନାଥଙ୍କୁ ଜଣାଇ ବାରମାସରେ ତେରଯାତ୍ରା ପର୍ବ ଦେଖିବା ପାଇଁ ଆଶାପୋଷଣ (୪୫) କରିଛନ୍ତି ।

 

ଘୁମୁସର କୁଲାଡ଼ଗଡ଼ର କବିସମ୍ରାଟ ଉପେନ୍ଦ୍ରଭଞ୍ଜ (୧୬୭୦-୧୭୨୦) (୪୬) ରାମ ଓ ଜଗନ୍ନାଥଙ୍କୁ ଅଭିନ୍ନ ରୂପେ ପ୍ରତିପାଦନ କରି ରାମ ସୀତାଙ୍କ ବାହୁଡ଼ା ବିଜେକୁ ଜଗନ୍ନାଥଙ୍କ ବାହୁଡ଼ା ରଥଯାତ୍ରା ସହିତ ତୁଳନା କରିବା ସଙ୍ଗେ ସଙ୍ଗେ ଗୁଣ୍ଡିଚା ବାଡ଼ିକୁ ଜନକପୁର ଓ ବଡ଼ଦେଉଳକୁ ସାକେତପୁରୀ ବା ଅଯୋଧ୍ୟା ବୋଲି ବର୍ଣ୍ଣନା କରିଛନ୍ତି (୪୭) । ପୁଣି ଋଷ୍ୟଶୃଙ୍ଗକୁ ଜରତା ବେଶ୍ୟା ଓ ତାର ସଙ୍ଗିନୀମାନେ ଅଙ୍ଗଦେଶକୁ ଆଣିଲାବେଳେ ନଦୀଗର୍ଭରେ ନୌଯାତ୍ରାର ଦୃଶ୍ୟକୁ କବି ଉପେନ୍ଦ୍ର ଭଞ୍ଜ ଶ୍ରୀକ୍ଷେତ୍ରର ରଥଯାତ୍ରା ସହିତ ତୁଳନା କରିଛନ୍ତି (୪୮) । ସୁଭଦ୍ରାଙ୍କ ଦେବଦଳନ ରଥର ବର୍ଣ୍ଣନା କବି ଇନ୍ଦ୍ରଜିତ ଓ ଲକ୍ଷ୍ମଣଙ୍କ ଯୁଦ୍ଧ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି (୪୯) । ଶ୍ରୀରାମ ଲଙ୍କାରୁ ପୁଷ୍ପକ ବିମାନରେ ପତ୍ନୀ ଓ ଭ୍ରାତାଙ୍କ ସହିତ ଅଯୋଧ୍ୟା ଫେରିବା ସମୟରେ ରାଣୀମାନଙ୍କ ଦ୍ୱାରା ବନ୍ଦାପନା କାର୍ଯ୍ୟକୁ କବି ତ୍ରିମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା ଶେଷରେ ମନ୍ଦିର ପ୍ରବେଶର ଦୃଶ୍ୟଭଳି ପରିକଳ୍ପନା କରିଛନ୍ତି (୫୦) ।

 

ଗୁଣ୍ଡିଚାଯାତ୍ରା ସମୟରେ ବଡ଼ଦେଉଳରୁ ବଡ଼ଠାକୁର ବାହାର ହୋଇ ସର୍ବଜନ ସମକ୍ଷରେ ଉଭାହେଲା ବେଳେ କବି ସ୍ୱଚକ୍ଷୁରେ ଦେଖି ଆପଣାର ପାପ ପ୍ରକ୍ଷାଳନ କରିବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କ ପତିତପାବନ ନାମର ସାର୍ଥକତା ପ୍ରତିପାଦନ କରିଛନ୍ତି (୫୧) । ଏହି ରଥଯାତ୍ରାରେ ଶ୍ରୀଜଗନ୍ନାଥ ଲକ୍ଷ୍ମୀଙ୍କୁ ସଙ୍ଗରେ ନ ନେଇ ସୁଭଦ୍ରାଙ୍କୁ ନେଇଥିବାରୁ ମହାଲକ୍ଷ୍ମୀଙ୍କ ମନରେ ଗଭୀର ଖେଦ, କ୍ଷୋଭ ଓ ଅଭିମାନ ଦେଖାଦେଇଛି (୫୨) ।

 

ସେହି ରଥଯାତ୍ରା ସମୟରେ ଜଗନ୍ନାଥଙ୍କ ପତିତପାବନ ନାମର ସାର୍ଥକତା (୫୩) କବି ଦୀନକୃଷ୍ଣ ଦାସ (୫୪)ଙ୍କ ଜଗମୋହନ ଛାନ୍ଦରେ ପରିଦୃଷ୍ଟ । ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଋତୁରେ ଦ୍ୱାଦଶ ଯାତ୍ରାର ମାହାତ୍ମ୍ୟ ଉଲ୍ଲେଖ (୫୫) କରିବା ସଙ୍ଗେ ସଙ୍ଗେ ଗୁଣ୍ଡିଚା ଉତ୍ସବକୁ ମୁଖ୍ୟ ଭାବରେ ବର୍ଣ୍ଣନା କରି (୫୬) କବି ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାର ବର୍ଣ୍ଣନା ଚମତ୍କାର ଭାବରେ ପ୍ରଦାନ କରିଛନ୍ତି (୫୭) ।

 

ବାହୁଡ଼ା ଯାତ୍ରା ଶେଷରେ ମନ୍ଦିର ପ୍ରବେଶ ପରେ ରତ୍ନବେଦୀ ଉପରେ ଶ୍ରୀ ଜୀଉଙ୍କର ପ୍ରତିଷ୍ଠା, ବେଶ ଓ ଧୂପର ବିବରଣୀ ସୁନ୍ଦରଭାବରେ ପ୍ରକଟିତ (୫୮) । କବିଙ୍କର ଅନ୍ୟ ଏକ କୃଷ୍ଣକାବ୍ୟରେ ଗୁଣ୍ଡିଚା ଯାତ୍ରାର ସୂଚନା ସୁସ୍ପଷ୍ଟ (୫୯) । ଏହା କବିଙ୍କର ରସକଲ୍ଲୋଳ କାବ୍ୟର ଗୁଣ୍ଡିଚା ଯାତ୍ରାର ବର୍ଣ୍ଣନା ସହିତ ସାମ୍ୟ ପରିଲକ୍ଷିତ (୬୦) ।

 

ପୁରୀ ଗଜପତି ରାଜାଙ୍କ ଆଦେଶରେ ନିର୍ବାସିତ ହୋଇଥିବା କବି ଦୀନକୃଷ୍ଣ ଶ୍ରୀଗୁଣ୍ଡିଚା ଯାତ୍ରା ଦର୍ଶନ କରି ନପାରି ଶ୍ରୀଜଗନ୍ନାଥଙ୍କ ପ୍ରତି ଅଚଳା ଭକ୍ତି ପ୍ରଦର୍ଶନ ପୂର୍ବକ ଗୁଣ୍ଡିଚା ଯାତ୍ରାର ଭାବନା କରି ଦୁଃଖରେ ଦର୍ଶନ ଲାଳସୀ ହୋଇ ନିଜର ବନ୍ଧୁଙ୍କୁ ମନର କଥା ପ୍ରକାଶ କରିଛନ୍ତି । ସେହି ଜଗତର ନାଥଙ୍କ କ୍ଷଣକ ଲୀଳା ବଡ଼ଦାଣ୍ଡରେ ଦେଖିବା ପାଇଁ ସମୁଦ୍ର ଲହଡ଼ି ପ୍ରାୟ ଜନସମୁଦ୍ରର ସମାଗମ ଭିତରେ ସେହି ଭାଇଭଉଣୀ ତ୍ରିମୂର୍ତ୍ତି ଗଙ୍ଗାଯମୁନା ସରସ୍ୱତୀ ଭଳି ଏକ ସମାନ ଗତିରେ ରଥାରୋହଣ କଲାପରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ଓ ପଟୁଆର ଦୃଶ୍ୟ ଦେଖି ନ ପାରିବାରୁ କବିଙ୍କ ହୃଦୟରେ ଦାରୁଣ ଆଘାତ ଲାଗିଛି (୬୧) ।

 

ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କର ମନ୍ତ୍ରୀ ଶ୍ରୀଜଗନ୍ନାଥବିଦ୍ୟାଧର ମହାପାତ୍ରଙ୍କ ପୁତ୍ର ଲୋକନାଥ ବିଦ୍ୟାଧରଙ୍କ ‘ନୀଳାଦ୍ରି ମହୋତ୍ସବ’ କାବ୍ୟ କବିଙ୍କର ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ କାଳରେ ୧୬୯୯-୧୭୦୦ ଖ୍ରୀଷ୍ଟାବ୍ଦରେ ସମ୍ପୂର୍ଣ୍ଣ ହୋଇଥିଲା (୬୨) । ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରାର ବର୍ଣ୍ଣନା ଭିତରେ ଗୁଣ୍ଡିଚା ଯାତ୍ରାର ବର୍ଣ୍ଣନା ଶ୍ରେଷ୍ଠ (୬୩) । ଏହି କାବ୍ୟର ପଞ୍ଚମ ଛାନ୍ଦଠାରୁ ଦ୍ୱାଦଶ ଛାନ୍ଦ ମଧ୍ୟରେ ରଥଯାତ୍ରାର ଆୟୋଜନ, ପହଣ୍ଡିବିଜେ, ରଥ ବର୍ଣ୍ଣନା, ଛେରାପହଁରା, ଜନସମାବେଶ, ରଥଟଣା, ପ୍ରଭୁଙ୍କର ବଳଗଣ୍ଡି ନଦୀରେ ପ୍ରବେଶ, ସେଠାରେ ବିଶ୍ରାମ, ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବିଜେ ତଥା ମହାସ୍ନାନ ଓ ପଞ୍ଚଦଶ ଛାନ୍ଦରେ ତିନି ରଥର ବାହୁଡ଼ା ଉତ୍ସବ ପ୍ରଭୃତି ବର୍ଣ୍ଣିତ ।

 

ଶ୍ରୀ ଜୀଉଙ୍କର ରଥଯାତ୍ରା ପାଇଁ ନିର୍ମିତ ବେଦୀ ଉପରୁ ୨୩ ହାତ ଉଚ୍ଚତା ଓ ଷୋଳ ଚକ ବିଶିଷ୍ଟ ନନ୍ଦିଘୋଷ ରଥ, ୨୨ ହାତ ଉଚ୍ଚତା ଓ ଚଉଦ ଚକ ବିଶିଷ୍ଟ ତାଳଧ୍ୱଜ ରଥ ଏବଂ ୨୧ ହାତ ଉଚ୍ଚତା ବାର ଚକ ବିଶିଷ୍ଟ ଦେବଦଳନ ରଥ ଆଷାଢ଼ ଶୁକ୍ଳ ପୁଷ୍ୟା ନକ୍ଷତ୍ର ଦ୍ୱିତୀୟା ଦିନ ପ୍ରସ୍ତୁତି ଆରମ୍ଭ ହୁଏ (୬୪) । ରଥଗୁଡ଼ିକର ଚାରିଦିଗରେ ଚାରିଦ୍ୱାର ନିର୍ମିତ । ଦ୍ୱାର ପୀଢ଼ଗୁଡ଼ିକରେ କାରୁକାର୍ଯ୍ୟର ଉପମା ଅବର୍ଣ୍ଣନୀୟ । ଖଚିତ ହୋଇଥିବା ‘ଚାନ୍ଦିଦର୍ପଣ’ ସତେଯେପରି ଚନ୍ଦ୍ରମାର ଭ୍ରମ ସୃଷ୍ଟି କରେ । ଚାରିଗୋଟି ଦ୍ୱାରର ତୋରଣ, ଝାଲର ଓ ଚିନାଂଶୁକ ଗୁଡ଼ିକ ଜଣାପଡ଼େ ଯେପରି ଇନ୍ଦ୍ର କୋଦଣ୍ଡ ମଧ୍ୟରେ ଚନ୍ଦ୍ରତାରକା ବିରାଜମାନ କରୁଛନ୍ତି । ପୁଣି ବିଶ୍ୱକର୍ମାଙ୍କ ଦ୍ୱାରା ରଞ୍ଜିତ ‘ମହାରଜତ କଳସ’ ଓ କଳସ ଉପରେ ନକ୍ରନାଶୀଚକ୍ର, ଚକ୍ର ଉପରେ ପତାକା ସମସ୍ତ ଉପମାକୁ ନିନ୍ଦା କରୁଛି (୬୫) । ବିବିଧ ରତ୍ନରେ ବିମଣ୍ଡିତ ସୁସଞ୍ଚ ସିଂହାସନ ରଥର ମଧ୍ୟସ୍ଥଳରେ ବିରାଜମାନ । ଅଶ୍ୱସାରଥିଙ୍କ ବର୍ଣ୍ଣନା କବିଙ୍କ ଦୃଷ୍ଟିରେ ହୋଇଛି ପ୍ରତିଭାତ (୬୬) । ରଥର ଛାଇକୁ ଆଶ୍ରୟ କରି ଭକ୍ତ ଦର୍ଶକଙ୍କର ପାପ ବିନାଶ ହୋଇଥାଏ (୬୭) । ପହଣ୍ଡିବିଜେ ପରେ ଆରମ୍ଭ ହୁଏ ରଥଟଣା କାର୍ଯ୍ୟ । ବିଭିନ୍ନ ପ୍ରକାର ବାଦ୍ୟଧ୍ୱନି ତଥା ଭକ୍ତମଣ୍ଡଳିଙ୍କ ଜୟଜଗନ୍ନାଥ ଧ୍ୱନିରେ ଯାତ୍ରାସ୍ଥଳ ମୁଖରିତ ହେବା ବେଳେ ଏକମନ ଏକ ପ୍ରାଣରେ ଭକ୍ତମାନେ ରଥ ଟାଣିଥାନ୍ତି (୬୮) ।

 

ସେତେବେଳେ ରଥଗୁଡ଼ିକ ସତେଯେପରି ଜନସମୁଦ୍ରର ଲହରୀ ଭିତରେ ଆତଯାତ ହେଉଛନ୍ତି ଏବଂ ଭକ୍ତ ମଣ୍ଡଳିଙ୍କର ନୃତ୍ୟଗୀତ ମୟୂର ନୃତ୍ୟପରି ପ୍ରତୀୟମାନ (୬୯) ବଡ଼ଦାଣ୍ଡରେ ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିରଆଡ଼କୁ ଅଗ୍ରସର ହେବା ସମୟରେ ଭକ୍ତ ପ୍ରାଣରେ ସୃଷ୍ଟି ହୁଏ ଅପୂର୍ବ ଆହ୍ଲାଦ । ତିନିରଥ ସମଦ୍ରୂତ ଗତିରେ ଅଗ୍ରସର ହେଉଥିବା ଦୃଶ୍ୟକୁ କବି ରୀତିଯୁଗୀୟ ଆଳଙ୍କାରିକ ଆଦର୍ଶରେ ବର୍ଣ୍ଣନା କରିଛନ୍ତି । (୭୦) ସେହି ସମୟରେ କେତେକ ପଣ୍ଡା ହାତରେ ବେତଧରି ଯାତ୍ରୀମାନଙ୍କୁ ଆଘାତ କରି ଶୃଙ୍ଖଳିତ ଓ ସଂଯତ କରିଥାନ୍ତି । କେହି କେହି ପୁଣି କେତେକ ଯାତ୍ରୀଙ୍କୁ ରଥ ଉପରକୁ ଆହ୍ଲାଦରେ ଉଠାଇ ଦିଅନ୍ତି । (୭୧) ଏହି ପ୍ରସିଦ୍ଧ ରଥଯାତ୍ରାକୁ ବିଭିନ୍ନ ପ୍ରକାର ଯାନବାହନରେ ଆସି ଦେଖିବା ବିଷୟ ମଧ୍ୟ କବି ବର୍ଣ୍ଣନା କରିବାକୁ ଭୁଲି ନାହାଁନ୍ତି (୭୨) ।

 

ରଥଟଣା ସମୟରେ ଠାକୁରମାନଙ୍କର କ୍ଳେଶ ଦୂର କରିବା ପାଇଁ ଶୀତଳ ଜଳରେ (ପଞ୍ଚାମୃତ କର୍ପୂର ମିଶ୍ରିତ) ଅଭିଷେକ ହୋଇ ଶୀତଳ ଭୋଗ ହୁଏ । ସେତେବେଳେ ଶ୍ରୀ ଜଗନ୍ନାଥ ଯେଉଁ ଦର୍ପଣରେ ପ୍ରତିବିମ୍ବ ଜଳରେ ସ୍ନାନ କରନ୍ତି, ସେହି ଜଳ ଯାତ୍ରୀମାନେ ପାପନାଶନ ବା ପୁଣ୍ୟ ସକାଶେ ବ୍ୟବହାର କରିଥାନ୍ତି । (୭୩) ବଡ଼ଦାଣ୍ଡର ବଳଗଣ୍ଡିଠାରେ ଠାକୁରମାନଙ୍କର ରଥ ରହଣି ସମୟରେ ଅମୃତକୁଣ୍ଡ, କୋରା, ପଣସ, ପଇଡ଼, ସପୁରି ଇତ୍ୟାଦି ଶୀତଳ ଭୋଗର ବର୍ଣ୍ଣନା କବିଙ୍କ ଦୃଷ୍ଟିରେ ହୋଇଛି ମହାନ୍ (୭୪) । ସେଠାରୁ ଯଜ୍ଞବେଦି ଗୁଣ୍ଡିଚାଘର ସିଂହାସନଠାରେ ଠାକୁରଙ୍କ ମଣୋହି ନିମନ୍ତେ ସରପୁଳି, କାନ୍ତି, ସୁନାଡ଼ି, ଖେଚେଡ଼ି, ଡାଳିମ୍ବ, ଗଜା, ସରକାନ୍ତି, ଦଧି, ଓ କ୍ଷିରୀ ଇତ୍ୟାଦି ଭୋଗ ହୋଇଥାଏ (୭୫)।

 

ପରବର୍ତ୍ତୀ ଗୋପୀନାଥ ସିଂହଙ୍କ ତେଇଶି ଛାନ୍ଦ ବିଶିଷ୍ଟ ‘ନୀଳାଦ୍ରିବିହାର’ ନାମକ ‘ଶ୍ରୀ ଜଗନ୍ନାଥ ରସାମୃତ’ କାବ୍ୟରେ କବି ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବିଜେ, ରଥ ସମ୍ଭାର ଓ ହେରାପଞ୍ଚମୀ ଯାତ୍ରା, ବାହୁଡ଼ା ଯାତ୍ରା, ଓ ଲକ୍ଷ୍ମୀନାରାୟଣ ଭେଟ ପ୍ରଭୃତିର ଚମତ୍କାର ବର୍ଣ୍ଣନା ଦେଇଛନ୍ତି (୭୬) । ନୀଳାଦ୍ରିବିହାର ଭଳି ରଥଯାତ୍ରା ସମ୍ବନ୍ଧୀୟ ପୁରୁଷୋତ୍ତମ ଦାସଙ୍କ ଗୁଣ୍ଡିଚା ବିଜୟ, ଯୁଧିଷ୍ଠିର ଦାସଙ୍କ ‘ଗୁଣ୍ଡିଚାଯାତ୍ରା’ ପ୍ରଭୃତି ଉପାଦେୟ କାବ୍ୟଗ୍ରନ୍ଥ କବିତ୍ୱ ଶକ୍ତିରେ ମୁଖରିତ ।

 

ଗଜପତି ଦିବ୍ୟସିଂହ ଦେବ (୧୬୮୮-୧୭୧୬)ଙ୍କ ସମସାମୟିକ ମହାଦେବ ଦାସ (୭୭)ଙ୍କ ନୀଳାଦ୍ରି ମହୋଦୟ କାବ୍ୟର ଅଷ୍ଟାବିଂଶଠାରୁ ଦ୍ୱାତ୍ରିଂଶ ଅଧ୍ୟାୟ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାଦି ଉତ୍ସବ ଓ ଭକ୍ତମାନଙ୍କ ଦ୍ୱାରା ଗୁଣ୍ଡିଚା ବ୍ରତ ପାଳନ ଇତ୍ୟାଦି ପ୍ରସଙ୍ଗର ଅବତାରଣା କରାଯାଇଛି (୭୮) ।

 

ସପ୍ତଦଶ ଶତାବ୍ଦୀର ଶେଷ ଭାଗର କବି ନୀଳାମ୍ବର ଦାସଙ୍କ ପଦ୍ମପୁରାଣରେ ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରାର ବର୍ଣ୍ଣନା ସ୍ପଷ୍ଟ । ଗୁଣ୍ଡିଚା ଯାତ୍ରା ବେଳେ ଯିଏ ଜଗନ୍ନାଥଙ୍କୁ ଦର୍ଶନ କରେ ତା’ର ବୈକୁଣ୍ଠପ୍ରାପ୍ତି ହୁଏ । ବଳଭଦ୍ରଙ୍କୁ ଦର୍ଶନ କଲେ ଅପୁତ୍ରିକ ପୁତ୍ରଲାଭ କରେ । ବିଶେଷତଃ ତିନିଦିଅଁଙ୍କୁ ଗୁଣ୍ଡିଚା ମଣ୍ଡପରେ ଦର୍ଶନ କଲେ ସକଳ ରୋଗରୁ ମୁକ୍ତି ମିଳେ ବୋଲି କବିଙ୍କର ବିଶ୍ୱାସ (୭୯) ।

 

କବି ବ୍ରଜନାଥ ବଡ଼ଜେନା (୧୭୩୦-୧୮୦୦) (୮୦) ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ (୨ୟ)ଙ୍କ ପରେ ‘ଗୁଣ୍ଡିଚା ବିଜେ’ ନାମକ ହିନ୍ଦୀ କାବ୍ୟ ରଚନା କରିଛନ୍ତି । ଏଥିରେ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାର ପ୍ରତ୍ୟକ୍ଷ ବର୍ଣ୍ଣନା ଲିପିବଦ୍ଧ । ଆଷାଢ଼ ମାସର ଦ୍ୱିତୀୟା ତିଥିରେ ଅନୁଷ୍ଠିତ ଗୁଣ୍ଡିଚା ଯାତ୍ରା ଦିନ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡିବିଜେ, ରଥାରୋହଣ, ରଥ ଉପରେ ମନୋଜ୍ଞ ମଞ୍ଜୁଳ ବେଶ, ଛେରାପହଁରା, ରଥଟଣା ବେଳେ ନାନା ବାଦ୍ୟ ସମ୍ଭାର, ଭକ୍ତ ଓ ଯାତ୍ରୀମାନଙ୍କର ଭାବବିହ୍ୱଳତା, ସଂକୀର୍ତ୍ତନ ଗାନ, ବାଦ୍ୟବାଦନ, ଚାମର ଚାଳନ, ସେବକମାନଙ୍କର ସେବା, ବିଭିନ୍ନ ଭୋଗ ଅର୍ପଣ, ଆଳତି ଓ ଭକ୍ତି ଅର୍ପଣ ପ୍ରଭୃତି ପ୍ରସଂଗ ମଧ୍ୟଯୁଗୀୟ କାବ୍ୟ ଶୈଳୀରେ ଉଲ୍ଲିଖିତ (୮୧) ।

 

ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କର ମଙ୍ଗଳ ଆଳତି ବଢ଼ିବାପରେ ରଥକୁ ବିଜେ ହୁଅନ୍ତି । ତା’ପରେ ପୁରୀର ଠାକୁର ରାଜା ଭୃତ୍ୟପରି ବେଶ ହୋଇ ନୀଳଗହଳ ଗିରି କ୍ରୋଡ଼ରୁ ଶ୍ୟାମଳ ସିଂହ ନିର୍ଗତ ହେଲାପରି ତଥା ପାତକୀ ପାତକଙ୍କୁ ତାରିବା ପାଇଁ ଉପସ୍ଥିତ ହୋଇଥିବା ପ୍ରଭୁଙ୍କ ପାଖରେ ସେବା କରନ୍ତି । ରଥଟଣା ସମୟରେ ଘିଡ଼ିଘିଡ଼ି ଶବ୍ଦ, ଘୁଁ ଘୁଁ ନାଦ, ହୁଳହୁଳି, ହରିବୋଲ ତଥା ଘଣ୍ଟମର୍ଦ୍ଦଳ ଶଙ୍ଖ ଧ୍ୱନିରେ ବଡ଼ଦାଣ୍ଡ କମ୍ପି ଉଠେ । ଦର୍ଶକ, ଭକ୍ତ ମଣ୍ଡଳୀଙ୍କ ମନରେ ଜାଗି ଉଠେ ଭାବୋନ୍ମାଦନା । ବିଭିନ୍ନ ଭଙ୍ଗୀରେ ଗୀତ ବାଦ୍ୟ ନୃତ୍ୟ କରି ଜଗତ୍‌ପତି ଜଗନ୍ନାଥଙ୍କର କରୁଣା ଲାଭ କରିବାପାଇଁ ବଡ଼ ଦାଣ୍ଡରେ ଜନଗହଳି ଭିତରେ ଉଭା ହୋଇଥାନ୍ତି (୮୨) । ରଥଟଣା ସମୟର ଡାହୁକ ଗୀତର ବର୍ଣ୍ଣନାରେ କବି ପ୍ରତ୍ୟକ୍ଷ ଓ ବାସ୍ତବ ଚିତ୍ର ପ୍ରଦାନ କରି ଦର୍ଶକମାନଙ୍କର ମନକୁ ଆକୃଷ୍ଟ କରିଛନ୍ତି (୮୩) । କବି ବଡ଼ଜେନା ଏହି ଭଳି ଗୁଣ୍ଡିଚା ଯାତ୍ରା ଦର୍ଶନ କରିବାର ସୁଯୋଗ ପାଇଥିବାରୁ ବିଭିନ୍ନ ରାଜ୍ୟମାନଙ୍କରୁ ଆଗତ ଯାତ୍ରୀମାନଙ୍କର ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି । ପୁଣି ତାଳଧ୍ୱଜ ରଥାରୂଢ଼ କାଦମ୍ବରୀ ପ୍ରମତ୍ତ ରେବତୀ ପତିଙ୍କର ଶୋଭା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ନନ୍ଦିଘୋଷ ରଥରେ ବିଜେ କରିଥିବା ନୀଳମେଘକାନ୍ତି କଳାଶ୍ରୀ ମୁଖ ଶ୍ରୀଜଗନ୍ନାଥଙ୍କ ଜ୍ୟୋତିରୂପ ପ୍ରକାଶରେ ମୁଖରିତ ହୋଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି (୮୪) । ଏହି ରଥଯାତ୍ରା ଉତ୍ସବ ଦେଖିବାପାଇଁ ବିଭିନ୍ନ ଦେଶରୁ ବହୁଯାତ୍ରୀମାନଙ୍କ ସମାଗମ ଭଳି ଦେବତାମାନେ ମଧ୍ୟ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଦେଖିବାପାଇଁ ଉପସ୍ଥିତ ଥାନ୍ତି (୮୫) । ଗୁଣ୍ଡିଚା ମନ୍ଦିରରେ ପ୍ରଭୁ ବିଜେ କଲାବେଳେ ଦେବତାମାନଙ୍କର ଊପସ୍ଥିତି କବିଙ୍କ ବର୍ଣ୍ଣନାରେ ହୋଇଛି ରୁଦ୍ଧିମନ୍ତ (୮୬) ।

 

ସେହି ରଥଯାତ୍ରାକୁ ଉପଜୀବ୍ୟ କରି ଅଷ୍ଟାଦଶ ଶତାବ୍ଦୀର କବି ଯଦୁମଣିଙ୍କ ସମସାମୟିକ ବକ୍ରବାକ ଚକ୍ରପାଣି ପଟ୍ଟନାୟକଙ୍କ ସଂସ୍କୃତ ‘‘ଗୁଣ୍ଡିଚା ଚମ୍ପୂ’’ ରଚିତ (୮୭) ।

 

ତାହାଙ୍କ ପରବର୍ତ୍ତୀ କବି ଭକ୍ତଚରଣ ଦାସ (୧୭୪୩-୧୮୨୮) (*) ମଥୁରାମଙ୍ଗଳ କାବ୍ୟରେ ରାମକୃଷ୍ଣଙ୍କ ମଥୁରା ଗମନ ପ୍ରସଙ୍ଗରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସହିତ ତୁଳନା କରିଛନ୍ତି (୮୮) ।

 

ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତ ସିଂହାର (୧୭୫୭-୧୮୦୬) (୮୯) ବିଦଗ୍‌ଧ ଚିନ୍ତାମଣି କାବ୍ୟରେ ରାଧାକୃଷ୍ଣଙ୍କ ମାନଭଞ୍ଜନ ଲୀଳା ବର୍ଣ୍ଣନା କରିବା ପ୍ରସଙ୍ଗରେ ଜଗନ୍ନାଥଙ୍କ ରଥଯାତ୍ରାବେଳେ ଗୁଣ୍ଡିଚାବାଡ଼ିରେ ଥିବା ରଥକୁ ହେରା ପଞ୍ଚମୀ ଦିନ ଯାଇ ଲକ୍ଷ୍ମୀ ରଥରୁ ଅନୁରାଗ ଜନିତ ପ୍ରକୋପରେ ଖଣ୍ଡେ କାଠ ଭାଙ୍ଗିଆଣିବା ପ୍ରସଙ୍ଗର ଅବତାରଣା କରିଛନ୍ତି (୯୦) । ନୀଳାଦ୍ରିବିହାରୀଙ୍କର ଗୁଣ୍ଡିଚାଯାତ୍ରାର ବର୍ଣ୍ଣନା କରି କବି ନନ୍ଦିଘୋଷ ରଥରେ ଆସୀନ ଅନ୍ତର୍ଯ୍ୟାମୀ, ଦୁଃଖୀଜନବନ୍ଧୁ ଜଗନ୍ନାଥଙ୍କୁ ଦୁଃଖ ଜଣାଇ ବାରମ୍ବାର ପ୍ରାର୍ଥନା କରିଛନ୍ତି (୯୧) ।

 

୧୭୭୨ ଖ୍ରୀଷ୍ଟାବ୍ଦରେ କବି ହାଡ଼ିଦାସ (୯୨) କଳାଶ୍ରୀମୁଖ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଦେଖି ନପାରି ଦୁଃଖରେ (୯୩) ଯାତ୍ରା ଉତ୍ସବର ମହିମା ପ୍ରକଟନ କରିଛନ୍ତି (୯୪) ।

 

ପୁରୀ ଗଜପତି ରାଜା ଦ୍ୱିତୀୟ ଦିବ୍ୟସିଂହ ଦେବ (ଖ୍ରୀ. ୧୭୭୯-୧୭୯୮) ସମସାମୟିକ ବିଚିତ୍ର ରାମାୟଣର କବି ବିଶ୍ୱନାଥ ଖୁଣ୍ଟିଆ (୯୫) ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଗୁଣ୍ଡିଚାଯାତ୍ରାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଏହି ଯାତ୍ରାର ଦର୍ଶନରେ ସକଳ ଲୋକଙ୍କର ପାପମୋଚନ ପ୍ରସଙ୍ଗ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ (୯୬) ସେତେବେଳେ ସେହି ଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଥିବା ରତ୍ନ ମୁକୁଟ, କର୍ଣ୍ଣରେ ରତ୍ନ କୁଣ୍ଡଳ, ବକ୍ଷ ସ୍ଥଳରେ ବ୍ୟାଘ୍ରନଖର ପଦକ, କଣ୍ଠରେ ମାଳ ଓ ମାଳି, ଶ୍ରୀଭୁଜରେ ସୁବର୍ଣ୍ଣର ଧନୁର୍ବାଣ ପ୍ରଭୃତି ଅତ୍ୟନ୍ତ ଶୋଭାଦାୟକ ବୋଲି ବର୍ଣ୍ଣନା କରିଛନ୍ତି (୯୭) ।

 

‘କାଞ୍ଚି କାବେରୀ’ ଚରିତରେ କବି ପୁରୁଷୋତ୍ତମ ଦାସ ପହଣ୍ଡି ବିଜେ ପରେ ଓଡ଼ିଶାର ରାଜା ତ୍ରିରଥରେ ଛେରାପହଁରା କରିବାର ଦୃଶ୍ୟ ଉପସ୍ଥାପିତ କରିଛନ୍ତି (୯୮) ।

 

ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର (୧୭୮୧-୧୮୬୬) (୯୯)ଙ୍କ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଗ୍ରନ୍ଥରେ କୃଷ୍ଣଙ୍କୁ ଜଗନ୍ନାଥ ବୋଲି ସମ୍ପୂର୍ଣ୍ଣ ବିଶ୍ୱାସ କରି ଘୋଷଯାତ୍ରାରେ ତିନି ରଥର ଯେଉଁ ୪୨ ଚକ ତାହା ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ଉଭୟରେ ମିଶି ୮୪ ଚକ ହେଉଥିବାରୁ ତା’ର ଧ୍ୱନିକୁ ତତ୍ତ୍ୱଜ୍ଞାନରେ ଚଉରାଶି ଚକ୍ରର ଉତ୍ସବ ବୋଲି ବର୍ଣ୍ଣନା କରିଛନ୍ତି (୧୦୦) । ଚଉରାଶି ଚକ୍ରର ଧ୍ୱନି ସମଗ୍ର ବିଶ୍ୱକୁ ପ୍ରତିଧ୍ୱନିତ କରୁଛି ବୋଲି କବିଙ୍କର ବିଶ୍ୱାସ । ତେଣୁ କବିଙ୍କ ଲେଖନୀରେ ଜଗନ୍ନାଥ ମୂର୍ତ୍ତି ଏବଂ ରଥ ତିଆରିର ଆନୁଷ୍ଠାନିକ ମାପ ସଂଖ୍ୟା ମଧ୍ୟରେ ଶରୀରତତ୍ତ୍ୱର ସମ୍ପର୍କ ନିହିତ । ନୀଳଗିରି ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥର ଷୋଳଚକଗୁଡ଼ିକର ରଡ଼ିରେ ନିଃସଙ୍ଗ ଅସହାୟମାନଙ୍କର ପାପକୁ ନିବାରଣ କରିଥାନ୍ତି (୧୦୧) । ପୁଣି ଶଗଡ଼ର ଚକଭଳି ଚକାଆଖି ଏବଂ ଦଣ୍ଡାଭଳି ବାହୁ ଦୁଇଟି ଥିବା ପ୍ରଭୁ ଜଗନ୍ନାଥ ଲକ୍ଷ୍ମୀଙ୍କ ସହିତ ମଧୁର ଲୀଳାରେ କାଳଯାପନ ନକରି ନୀଚ ଅଧମ ଲୋକଙ୍କ ସଂସର୍ଗ ନିମନ୍ତେ ବଡ଼ଦାଣ୍ଡରେ ଖରା ବର୍ଷାରେ ବନ୍ଧାରହି ଅଖିଳଜନ ପ୍ରୀତିଲାଭ କରିଥାନ୍ତି (୧୦୨) । ଏହି ପାପୀମାନଙ୍କୁ ମୁକ୍ତି ଦେବାପାଇଁ ସ୍ୱତଃ ଇଚ୍ଛା କରି ମିଥୁନ ମାସରେ ରଥାରୋହଣ ପୂର୍ବକ ବଡ଼ଦାଣ୍ଡରେ ଗମନ କରନ୍ତି (୧୦୩) । ଗୁଣ୍ଡିଚା ମଣ୍ଡପ, ସ୍ନାନବେଦୀ, ରତ୍ନବେଦୀରେ ପ୍ରଭୁଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା ଥିବାରୁ ବାମ ପାଖରେ ଶୋଭା ପାଏ ସୁଦର୍ଶନ ଚକ୍ର । କିନ୍ତୁ ଭକ୍ତ ଦର୍ଶକମାନଙ୍କର ଜନ୍ମାର୍ଜିତ ପାପ ସମୂହକୁ ବିନାଶ କରିବା ପାଇଁ ଭୋଜ୍ୟଅନ୍ନକୁ ବର୍ଜନ କରି ଦକ୍ଷିଣ ହସ୍ତରେ ସୁଦର୍ଶନ ଧାରଣ ପୂର୍ବକ ରଥଯାତ୍ରାରେ ବାହାରି ପଡ଼ନ୍ତି (୧୦୪) । ସେଇଥି ପାଇଁ ରଥଯାତ୍ରା ସମୟରେ ତାଳଧ୍ୱଜ ରଥର ଦକ୍ଷିଣ ପାର୍ଶ୍ୱରେ ସୁଦର୍ଶନ ବିଜେ ହୁଅନ୍ତି । ତିନି ରଥରେ ବିଜେ କରିଥିବା ଚତୁର୍ଦ୍ଧାମୂର୍ତ୍ତି ହୀରକତୁଲ୍ୟ ବଳରାମ, ନୀଳମଣି ପରି ଜଗନ୍ନାଥ, ସୁବର୍ଣ୍ଣ ଭଳି ସୁଭଦ୍ରା ଓ ପୋହଳା ସମ ସୁଦର୍ଶନ ଆଷାଢ଼ ମାସରେ ମିଳିତ ହୋଇ ଦରିଦ୍ରର ଦୁଃଖ ମୋଚନ କରୁଥିବାରୁ କବିଙ୍କର ଦୁଃଖ ଦୂର ପାଇଁ ସେ ଆଶାୟୀ ହୋଇଛନ୍ତି (୧୦୫) । ବାହୁଡ଼ା ଯାତ୍ରାରେ ରଥ ସିଂହଦ୍ୱାର ସାମ୍ନାକୁ ଆସିଲା ପରେ ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣଙ୍କର ଭେଟ ଉତ୍ସବକୁ କବି ଭୁଲି ପାରିନାହାଁନ୍ତି (୧୦୬) ।

 

କବି ଆର୍ତ୍ତ ଦାସ (ଖ୍ରୀ: ୧୮୦୦) (୧୦୭) ଆଷାଢ଼ ମାସର ଗୁଣ୍ଡିଚା ଯାତ୍ରାର ବର୍ଣ୍ଣନା ପ୍ରସଙ୍ଗରେ ଭାଇଭଉଣୀଙ୍କ ସହ ରଥରେ ଯାତ୍ରା କରୁଥିବା ନୀଳାଦ୍ରିବିହାରୀ ଜଗନ୍ନାଥଙ୍କର ରଥଯାତ୍ରାକୁ ଦେଖିଯିବା ପାଇଁ ସେ ଆପଣାର ସଙ୍ଗାତକୁ ଆହ୍ୱାନ (୧୦୮) କରିବା ସଙ୍ଗେ ସଙ୍ଗେ ପତିତଜନଙ୍କୁ ଉଦ୍ଧାର କରିବା ନିମନ୍ତେ ପତିତପାବନ ବାନା ଉଡ଼ାଇ ଘୋଷଯାତ୍ରାରେ ପ୍ରଭୁ ଗମନ କରିବା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି (୧୦୯) ।

 

ଅଷ୍ଟାଦଶ ଶତାବ୍ଦୀର କୃଷ୍ଣ ଦାସ (୧୧୦)ଙ୍କ ଦେଉଳ ତୋଳା କାବ୍ୟ ଅବଲମ୍ବନରେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜଗନ୍ନାଥଙ୍କୁ ମାଗିଥିବା ଚାରିଗୋଟି ବର ମଧ୍ୟରୁ ଦିଅଁଙ୍କୁ ବେଶ ଲାଗି କରାଇ ବର୍ଷକରେ ଥରେ ରଥଯାତ୍ରାକୁ ଆଣିବା ଥିଲା ମୁଖ୍ୟ । ଇନ୍ଦ୍ରଦ୍ୟୁମ୍ନ ନିଜ ପାଇଁ ବର ପ୍ରାର୍ଥନା କରିବା ନିମନ୍ତେ ଜଗନ୍ନାଥ ପ୍ରଶ୍ନ କରିବାରୁ ସେ ଉତ୍ତର ଦିଅନ୍ତି, ନିଜ ବଂଶରେ କେହି ନ ରହୁ ଏବଂ ଯୁଗ ଯୁଗ ଧରି ବୁଢ଼ା ବଢ଼େଇର ସନ୍ତାନମାନେ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନୋଟି ରଥ ବର୍ଷକୁ ନିର୍ମାଣ କରନ୍ତୁ (୧୧୧) । ପରମ୍ପରା ଅନୁସାରେ ବର୍ଷକରେ ଥରେ ତିନିରଥ ନିର୍ମିତ ହୋଇ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି ।

 

ଭକ୍ତକବି ଗୌରଚରଣ ଅଧିକାରୀ (ଖ୍ରୀ:୧୮୧୪-୧୮୯୦) (୧୧୨) ମହାପ୍ରଭୁ ନୀଳାଦ୍ରି ସିଂହଙ୍କ ଅଣସର ନୀତି ପରେ ନବଯୌବନ ଦର୍ଶନ ଓ ପତିତମାନଙ୍କ ଉଦ୍ଧାର ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଲୀଳାର ମହତ୍ତ୍ୱ ଉଲ୍ଲେଖ (୧୧୩) କରିଛନ୍ତି । ସିଂହଦ୍ୱାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଘୋଷଯାତ୍ରା ପାଇଁ ତିନିରଥ ପ୍ରସ୍ତୁତି ଚାଲିଥିଲାବେଳେ ପ୍ରତୀକ୍ଷମାଣ ଜନତା ଅଧିର, ଅସ୍ଥିର ଓ ଚଞ୍ଚଳ ହୋଇପଡ଼ିଛନ୍ତି । ସେହି ଦର୍ଶକମଣ୍ଡଳୀଙ୍କ ମଧ୍ୟରେ ଥାଇ କବି କଳାଶ୍ରୀମୁଖ କାଳିଆ କାହ୍ନୁକୁ ଆଉ ବିଳମ୍ବ ନ କରି ରଥାରୋହଣ ପୂର୍ବକ ପତିତମାନଙ୍କୁ ତାରିବା ପାଇଁ ଅନୁରୋଧ କରିଛନ୍ତି (୧୧୪) । ତ୍ରିମୂର୍ତ୍ତିଙ୍କ ତ୍ରିରଥରେ ଉଡ଼ୁଥିବା ତିନୋଟି ବାନାକୁ ଦେଖି କବିଙ୍କ ଦୃଷ୍ଟି ଲାଖି ରହିଛି ।

 

ପୁଣି ଡାହାଣ ପଟରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ବାମରେ ତ୍ରିପଣ୍ଡ କାଳିଆସୁନା ଜଗନ୍ନାଥଙ୍କର ନନ୍ଦିଘୋଷ ଏବଂ ଦୁଇଭାଇଙ୍କ ମଝିରେ ହଳଦୀବର୍ଣ୍ଣା ଚନ୍ଦ୍ରମୁଖୀ ସୁଭଦ୍ରାଙ୍କର ଦେବଦଳନ ରଥରେ ଗମନ ଦୃଶ୍ୟ କବିଙ୍କୁ ଆକର୍ଷଣ କରିଛି (୧୧୫) । ବାସୁକୀ ଫଣା ସଦୃଶ ଲମ୍ବା ଲମ୍ବା ରଥ ଦଉଡ଼ିକୁ ଦେବତାମାନଙ୍କ ସହିତ ଭକ୍ତମାନେ ଘିଡ଼ି ଘିଡ଼ି କରି ବଡ଼ଦାଣ୍ଡରେ ଟାଣି ନେବାବେଳେ ଧରଣୀ କମ୍ପିଉଠେ (୧୧୬) । ସେହି ଜନତାର ଦେବତା ଭାବରେ କଳାସିଂହ ଶ୍ରୀମନ୍ଦିରରେ ବ୍ରହ୍ମାଙ୍କର ବେଦଧ୍ୱନି ନ ଶୁଣି ଡାହୁକର ଢଗଢମାଳି ଆଦି ତାଙ୍କୁ ସୁଖପ୍ରଦ ହେବାରୁ ଶ୍ରୀନୀଳକନ୍ଦରରୁ ବାହାରି ଆସି ଭାଇଭଉଣୀଙ୍କ ସହ ଗୁଣ୍ଡିଚା ବାଡ଼ିରେ ଅବସ୍ଥାନ କରିଛନ୍ତି (୧୧୭)-

 

କବି ଭରତ ଦାସ ରଥଯାତ୍ରା ଉତ୍ସବ ଦେଖି ତାହାଙ୍କ ମହିମା ଗାନ କରିବାକୁ ଭୁଲି ଯାଇନାହାଁନ୍ତି (୧୧୮) ।

 

କବି ଦ୍ୱିଜନାରାୟଣ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖି ଯାଇପାରୁ ନ ଥିବାରୁ ଅବଶୋଷ ଓ ଅନୁତାପରେ ଜର୍ଜରିତ ହୋଇ ଆପଣାର କଳ୍ପନା ଚକ୍ଷୁରେ ରଥଯାତ୍ରାର ଦୃଶ୍ୟ ଉପଲବ୍‌ଧି କରିଛନ୍ତି (୧୧୯) । ପୁଣି କବି ଭାଗୀରଥୀ ସ୍ୱଚକ୍ଷୁରେ ରଥଯାତ୍ରା ଉତ୍ସବ ଦର୍ଶନ କରିବାର ସୌଭାଗ୍ୟ ଲାଭ କରି ଅତ୍ୟନ୍ତ ଆହ୍ଲାଦିତ ହୋଇଛନ୍ତି (୧୨୦) । ରାଜକବି ଶ୍ୟାମସୁନ୍ଦର ଭଞ୍ଜଙ୍କ କଳ୍ପନା ଚକ୍ଷୁରେ ଉଦ୍ଭାସିତ ହୋଇଉଠିଛି ରଥଯାତ୍ରାର ବିଭିନ୍ନ ଦୃଶ୍ୟ ଓ କର୍ଣ୍ଣରେ ପ୍ରତିଧ୍ୱନିତ ହୋଇଛି ବଡ଼ଦାଣ୍ଡର ବାଦ୍ୟ ସଙ୍ଗୀତ ଧ୍ୱନି (୧୨୧) । କବି ମୁରାରି ନନ୍ଦିଘୋଷ ରଥରେ କାଳିଆ ଠାକୁରଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇ କବିତ୍ୱ ଛଟାରେ ଆପଣାର ସଖୀ ନିକଟରେ ଉଲ୍ଲେଖ କରିଛନ୍ତି (୧୨୨)-

 

ବିଂଶ ଶତାବ୍ଦୀର କବି-ବୈଷ୍ଣବ ପାଣି ଭାବୋଦ୍‌ବେଳିତ ହୋଇ ଶରଧାବାଲି ଉପରେ ତିନି ରଥରେ ତିନି ଧ୍ୱଜାକୁ ଦେଖି ପତିତମାନଙ୍କୁ ତାରିବା ପାଇଁ ବଡ଼ଦାଣ୍ଡରେ ସ୍ୱୟଂ ଉଭାହେବା ପ୍ରସଙ୍ଗ ଉଲ୍ଲେଖ କରି (୧୨୩) ଗୁଣ୍ଡିଚା ରାଣୀଙ୍କର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି (୧୨୪) ।

 

ବିଂଶ ଶତାବ୍ଦୀର ଅନ୍ୟତମ କବି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଜଗବନ୍ଧୁ ତୁଳିତଳ୍ପ ତ୍ୟାଗକରି ପତିତପାବନ ବାନା ଉଡ଼ାଇ ସଜ୍ଜିତ ନବବେଶରେ ନନ୍ଦିଘୋଷ ରଥରେ ବିଜେହେବା ଫଳରେ ତାହାଙ୍କ ନାମ ଭଜନରେ କୋଟି କୋଟି ନରନାରୀମାନଙ୍କର ଦୁଃଖନାଶନ ହେବା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି (୧୨୫) ।

 

ବିଂଶ ଶତାବ୍ଦୀର କବି ବାଞ୍ଛାନିଧି ଦାସ କୃପାମୟ ଚକାଆଖିଙ୍କର ପହଣ୍ଡିବିଜେ ସମୟରେ କୋଟି କୋଟି ଭକ୍ତଙ୍କର ଆଖି ଲାଖିଯିବା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ଜନସମୁଦ୍ରର ଚହଳ ଭିତରେ କୋଳାହଳ ହୋଇଉଠେ ବଡ଼ଦାଣ୍ଡ । ଜଣାପଡ଼େ, ସତେ ଯେପରି ସମୁଦ୍ର ମାଡ଼ିଆସୁଛି । ଚାରିଆଡ଼େ ଦିଶେ ଖାଲି ମୁଣ୍ଡମାଳ । ତା’ ଭିତରେ ଶଙ୍ଖ, କାହାଳୀ ଓ ବିଭିନ୍ନ ବାଦ୍ୟଧ୍ୱନି ଚତୁର୍ଦ୍ଦିଗ ପ୍ରକମ୍ପିତ କରିଦିଏ । ପୁଣି ଶବରୀ ହାତରୁ ଅଇଁଠାଫଳଖିଆ ଭକ୍ତ ସରାଗରେ ଭୋଳା ଚକାଡୋଳାଙ୍କ ଛେରାପହଁରା କବିଙ୍କ ଦୃଷ୍ଟିରେ ଚମତ୍କାର (୧୨୬) ।

 

ବିଂଶ ଶତାବ୍ଦୀର କବି ଗୋକୁଳାନନ୍ଦ ମହାନ୍ତି ମଧ୍ୟ ଅଚ୍ଛବ ହୀନଜନମାନଙ୍କର କଲ୍ୟାଣ ପାଇଁ ଜଗନ୍ନାଥ ବଡ଼ଦାଣ୍ଡରେ ଉଭାହୋଇ ଇନ୍ଦ୍ରଦ୍ୟୁମ୍ନଙ୍କ ପାଟରାଣୀ ଗୁଣ୍ଡିଚାଦେବୀଙ୍କ ସ୍ମରଣାର୍ଥେ ଗୁଣ୍ଡିଚାଯାତ୍ରା ସୃଷ୍ଟି କରିବା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି (୧୨୭) । ଓଡ଼ିଆ ଜାତିର ଗର୍ବ ଓ ଗୌରବ, ନିଖିଳ ଜଗତ ଜନର ଭେଦାଭେଦ ବିନାଶକାରୀ ଅନାଥର ନାଥ ପ୍ରଭୁ ଜଗନ୍ନାଥ ମାତଙ୍ଗ ଭଳି ବଡ଼ଦାଣ୍ଡରେ ମଦନମୋହନଙ୍କ ସହିତ, ଦୀନଦୁଃଖୀମାନଙ୍କୁ ଅଭୟବର ପ୍ରଦାନ କରୁଥିବା ଅଗ୍ରଜ ପ୍ରଭୁ ବଳଭଦ୍ର ଓ ଧନଜନ ତଥା ଅଭିମାନକୁ ତ୍ୟାଗକରି ଭଗ୍ନୀରତ୍ନ ସୁଭଦ୍ରା ମଝିରେ ବିଜେହୋଇ ରଥରେ ଯାତ୍ରାକରିବା ପ୍ରସଙ୍ଗ କବିଙ୍କ ଦୃଷ୍ଟିରେ ଉଦ୍ଭାସିତ (୧୨୮) । ଆଖି ପୁରାଇ ସେହି ଯାତ୍ରା ଦେଖି ଜୟ ଜଗନ୍ନାଥ ପ୍ରେମରେ ଆତ୍ମହରା ହୋଇ ବିଂଶ ଶତାବ୍ଦୀର କବି ନରହରି ଉପାଧ୍ୟାୟଙ୍କ ସୃଷ୍ଟିର ଜନ୍ମବେଦୀରେ ତାହାଙ୍କ ନବଦିନ ଯାତ୍ରାର ଆଡ଼ମ୍ବରପୂର୍ଣ୍ଣ କୋଳାହଳ ମୁଖରିତ (୧୨୯) ।

 

ସେହି ଜଳଜଳ କାନ୍ତି ସଦୃଶ ଝଲକ ସୃଷ୍ଟି କରୁଥିବା ଏବଂ ଭୁବନରେ ସମକକ୍ଷ ନଥିବା ଲୋଭାପୂର୍ଣ୍ଣ କଳାଶ୍ରୀମୁଖ କାଳିଆ, ଜଗା ଦୁଇ ଭାଇଭଉଣୀଙ୍କ ସହିତ ତିନିରଥରେ ଘଣ୍ଟ ମାଦଳର ଝମକ ଧ୍ୱନି ଭିତରେ ଘିଡ଼ିଘିଡ଼ି ହୋଇ ଚାଲିବା ଦୃଶ୍ୟକୁ କବି ଗୋଲକ ଚନ୍ଦ୍ର ମହାନ୍ତି ଭୁଲିପାରି ନାହାନ୍ତି । ତେଣୁ କବି ନୀଳାଚଳରେ ଏଭଳି ଦୃଶ୍ୟ ଦେଖି ପାପୀ, ତାପୀ ଓ ତପୀମାନଙ୍କୁ ଆହ୍ୱାନ କରିଛନ୍ତି ରଥାରୂଢ଼ ଚକାନୟନକୁ ଅବଲୋକନ କରି ମୁକ୍ତିଲାଭ କରିବା ପାଇଁ (୧୩୦) ।

 

ପୁଣ୍ୟଧାମରେ ବିଦିତ ସାରା ପୃଥିବୀର ନାଥ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚଯାତ୍ରା ବିଜେ ଉତ୍ସବକୁ ଦେଖି କବିୟତ୍ରୀ ଶ୍ରୀମତୀ ସୁନ୍ଦରମଣି ପଟ୍ଟନାୟକ ଆତ୍ମହରା ହୋଇଛନ୍ତି (୧୩୧) । ଏହି ଉତ୍ସବ ବିଳମ୍ବ ହେବାର ଦେଖି ଧୈର୍ଯ୍ୟହରା କବି ଶଙ୍କର୍ଷଣ ମଙ୍ଗରାଜ ଟାହିଆ ଚୂଳିଆ ଚକାଆଖିଆ କାଳିଆ ଠାକୁରଙ୍କୁ ଇନ୍ଦ୍ର ଓ ବ୍ରହ୍ମାଙ୍କ ଗୁହାରି, ଲୋତକାପ୍ଲୁତ ନୟନରେ ବିନମ୍ର ଗଜପତି ରାଜା ତଥା ଅସଂଖ୍ୟ ଭକ୍ତଙ୍କର ମିନତି ଓ ହତାଶାଭାବକୁ ଏଡ଼ାଇ ନ ଦେଇ ଛେଚାକଚା ଖାଇ ରଥରେ ଚାର ଉପରକୁ ଉଠିବା ପାଇଁ ସେ ନିବେଦନ କରିଛନ୍ତି (୧୩୨) । କେବଳ ଭକ୍ତମଣ୍ଡଳୀଙ୍କ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସଙ୍ଗ ସୀମିତ ନରହି ସାଂପ୍ରତିକ ସାହିତ୍ୟିକଙ୍କ ଦୃଷ୍ଟିରେ ମଧ୍ୟ ଉଦ୍‌ଭାସିତ ହୋଇଉଠିଛି । କବି ସଚ୍ଚି ରାଉତରାୟ ମଧ୍ୟ ମଣିଷର ଚଲାପଥରେ ଆଜି ରଥାରୂଢ଼ ହୋଇ ଗୂଢ଼ ଗୋଷ୍ଠୀର ଇଚ୍ଛା ପୂରଣ ପାଇଁ ଅନାର୍ଯ୍ୟର ଅରଣ୍ୟରୁ ଆର୍ଯ୍ୟଜାତି ମଧ୍ୟରେ ପୂଜା ପାଉଥିବା ରହସ୍ୟମୟ ଜଗତର ନାଥଙ୍କୁ ଜୟଯାତ୍ରା କରିବା ପାଇଁ ପ୍ରାର୍ଥନା କରିଛନ୍ତି (୧୩୩) ।

 

ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ‘ନୀଳଶୈଳ’ ଉପନ୍ୟାସରେ ଜଗନ୍ନାଥ ପତିତପାବନ ହେବାପରେ ଖୋର୍ଦ୍ଧାର ରାଜା ଜାତିହାରି ଯବନ ରାମଚନ୍ଦ୍ର ଦେବଙ୍କ ସମୟରେ ଯେଉଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା, ତାହାର ଏକ ପ୍ରାଞ୍ଜଳ, ପ୍ରତ୍ୟକ୍ଷଦର୍ଶୀ ବର୍ଣ୍ଣନା ଦିଆଯାଇଛି । ସେଥିରେ ଔପନ୍ୟାସିକ ଶ୍ରୀଜଗନ୍ନାଥଙ୍କ ପହଣ୍ଡିବିଜେ, ରାଜାଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ସମାପନ ହେବାପରେ ତକୀଖାଁ ନାଏବ ରାଜା ଅମିଚାନ୍ଦର ଷଡ଼ଯନ୍ତ୍ର ପଣ୍ଡ ହୋଇଯିବା, ରଥଦାଣ୍ଡରେ ଯାତ୍ରୀମାନଙ୍କ ଦ୍ୱାରା ରଥଟଣା, ଗୁଣ୍ଡିଚାମନ୍ଦିର ପ୍ରବେଶ (*1) ଓ ନଅଦିନ ପରେ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ (*2) ଦୃଶ୍ୟକୁ ଆପଣାର ମୌଳିକ ନିଜସ୍ୱ ଶୈଳୀରେ ହୃଦୟସ୍ପର୍ଶୀ ବର୍ଣ୍ଣନା ଦେଇଛନ୍ତି । ଏଥିରେ ରାଜା ରାମଚନ୍ଦ୍ର ଦେବଙ୍କର ବ୍ୟକ୍ତିତ୍ୱ, ନେତୃତ୍ୱ ଓ ମହାନତା ପ୍ରତିଫଳିତ । ପୁଣି ରଥଟଣା ଦୃଶ୍ୟକୁ ଲେଖକ ନନ୍ଦିଘୋଷ ରଥଯାତ୍ରା ରୂପେ ବର୍ଣ୍ଣନା ନକରି ଅପରାଜେୟ ଓଡ଼ିଶାର ଦୂରନ୍ତ ଜୈତ୍ରଯାତ୍ରା (*3) ବୋଲି ଉଲ୍ଲେଖ କରିଛନ୍ତି । ପତିତପାବନ, ଦୀନାର୍ତ୍ତିନାଶନ, ଶରଣ ପଞ୍ଜର, ଚକାଡୋଳା ଜଗବନ୍ଧୁ ଜଗନ୍ନାଥଙ୍କର ରଥଯାତ୍ରା ଅପରାଜେୟ ଓଡ଼ିଶାର ରାଜନୈତିକ ଐକ୍ୟର ଏକ ସ୍ପର୍ଦ୍ଧିତ ଜୟଯାତ୍ରା ଭାବରେ ଔପନ୍ୟାସିକଙ୍କ ଦୃଷ୍ଟିରେ ନୂତନତା ଲାଭ କରିଛି ।

 

ଓଡ଼ିଆ କାବ୍ୟ, କବିତା ଓ ଜଣାଣ ପ୍ରଭୃତିଙ୍କ ଭଳି ଓଡ଼ିଆ ରଚନାରେ ମଧ୍ୟ ରଥଯାତ୍ରା ପ୍ରସଙ୍ଗ ଉଲ୍ଲିଖିତ । ଗାଳ୍ପିକ ଚନ୍ଦ୍ରଶେଖର ରଥଙ୍କ ମୁଁ କ୍ଷେତ୍ରଯିବି (୧୩୪), ହୋ ଭଗତେ (୧୩୫), ରଥବିଜେ (୧୩୬), ରଥପ୍ରସ୍ଥାନ (୧୩୭) ବାହୁଡ଼ା ବିଚ୍ଛେଦ (୧୩୮), ମଥୁରାଧିପତେ (୧୩୯) ଏବଂ ଠାକୁର୍‌ ଭଲେ ବିରାଜୋଜି (୧୪୦) ରଚନା ମାନଙ୍କରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିଯିବା ପାଇଁ ଭକ୍ତ, ଦର୍ଶକ ଓ କବି, ଭାବୁକମାନଙ୍କର ଶ୍ରୀକ୍ଷେତ୍ର ଗମନଠାରୁ ଆରମ୍ଭ କରି ଗମ୍ଭୀରା ପ୍ରବେଶ ପର୍ଯ୍ୟନ୍ତ ରଥଯାତ୍ରା ସମ୍ପର୍କିତ ସମଗ୍ର ଲୀଳାଟିକୁ ସଂପୂର୍ଣ୍ଣ ଗୋଟିଏ ନିଜସ୍ୱ ଶୈଳୀରେ ବର୍ଣ୍ଣନା କରିଛନ୍ତି । ପୂର୍ବରୁ ଆଲୋଚିତ ସମସ୍ତ କବିମାନଙ୍କ ବର୍ଣ୍ଣନା ଅପେକ୍ଷା ଏଥିରେ ଉପଲବ୍‌ଧ ସ୍ୱାତନ୍ତ୍ର୍ୟ ସମସ୍ତ ପାଠକଙ୍କୁ ମନ୍ତ୍ରମୁଗ୍‌ଧ କରେ । ଏହି ଗଳ୍ପଗୁଡ଼ିକୁ ଗୋଟିଏ ଜ୍ଞାନଦୀପ୍ତ ଧାରାବାହିକ ବିବରଣୀ (Running Commentary) ଭାବରେ ଗ୍ରହଣ କରାଯାଇପାରେ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ଚତୁର୍ଦ୍ଧାମୂର୍ତ୍ତିର ଯେଉଁ ଅନ୍ତଃଶ୍ଚୁମ୍ବୀ ବର୍ଣ୍ଣନା ଏଥିରେ ଦିଆଯାଇଛି, ତାହା ଏକାନ୍ତ ଭାବରେ ମନୋମୁଗ୍‌ଧକର ଓ ଚିନ୍ତା ଦ୍ୟୋତକ । ପରାତ୍ପର ଜଗନ୍ନାଥଙ୍କ ଐତିହ୍ୟ, କରୁଣା, ଅଲୌକିକ କାର୍ଯ୍ୟାବଳି ଓ ଲୋକାଚାର ସମ୍ମତ ଚଳଣି ପ୍ରଭୃତି ଆଦି ଗ୍ରନ୍ଥ ବେଦଠାରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ସାହିତ୍ୟିର ବିଭିନ୍ନ ବିଭାବରେ ଯାହାକିଛି ବର୍ଣ୍ଣିତ, ଆଲୋଚିତ ଓ ଚର୍ଚ୍ଚିତ ହୋଇଛି ତାହାର ଋଦ୍ଧିମନ୍ତ ଗୁମ୍ଫନ ଏହି ରଚନାଗୁଡ଼ିକର ଅନନ୍ୟ ସାଧାରଣ ବୈଶିଷ୍ଟ୍ୟ । ମହାପ୍ରଭୁଙ୍କ ବିଭିନ୍ନ ଅବତାରରେ ସଂଘଟିତ ଲୀଳାଖେଳାଗୁଡ଼ିକର ଭକ୍ତଜନ ଉପଯୋଗୀ ବର୍ଣ୍ଣନା ଓ ବ୍ୟାଖ୍ୟା ପାଠକମାନଙ୍କୁ ମୁଗ୍‌ଧ, ଚକିତ କରେ । ଏହି ଶବ୍ଦ ଯୋଜନାର କାଉଁରି ସ୍ପର୍ଶରେ ଯେଉଁ ଭାବ ପ୍ରବଣତା ସୃଷ୍ଟି କରାଯାଇଛି, ତାହା ଯେପରି ପ୍ରାଣପ୍ରାଚୁର୍ଯ୍ୟରେ ଭାସ୍ୱର, ଠିକ୍‌ ସେହିପରି ଭକ୍ତଜନ ମାନଙ୍କ ଦୃଷ୍ଟି ସମ୍ମୁଖରେ ଭଗବତ୍‌ ଲୀଳାଖେଳାର ଜୀବନ୍ତ ରୂପଟିଏ ଉପସ୍ଥାପିତ କରିବାରେ ଅତ୍ୟନ୍ତ ତତ୍ପର । ବର୍ଣ୍ଣନାର ପରିସର ମଧ୍ୟରେ ଚିତ୍ରିତ ଚିନ୍ତା ଓ ଚେତନା କ୍ଷଣକ୍ଷଣକେ ନବୀନତା ସୃଷ୍ଟିକରେ । ପାଠକମାନଙ୍କୁ ଅସୀମ ଆଶା, ଆକାଙ୍‌କ୍ଷା ଭୋଗଲିପ୍‌ସା ଓ ମୁକ୍ତି କାମନାରେ ଅହରହ ଉଦ୍‌ବେଳିତ କରେ । ଶବ୍ଦ ଶକ୍ତିର ସେହି ମାହାତ୍ମ୍ୟ ପାଠକମାନଙ୍କର କେବଳ ଅନୁଭବଯୋଗ୍ୟ, ଆଲୋଚନାର ବିଷୟ ନୁହେଁ ।

 

ସଂସାରର ତୁଚ୍ଛାତିତୁଚ୍ଛ ବସ୍ତୁ ଉପରେ ବିଭିନ୍ନ ପ୍ରକାର ଆଲୋକପାତ କରି କବିମାନେ ଯୁଗେ ଯୁଗେ ବହୁ ନୂତନ ତଥ୍ୟ ଆବିଷ୍କାର କରନ୍ତି । ବସ୍ତୁ ସ୍ଥିତି ବିଷୟରେ ଜନସାଧାରଣଙ୍କର ସ୍ଥୂଳ ଧାରଣାଟି କବିମାନଙ୍କର ଚିନ୍ତାପ୍ରବଣ ଆଲୋଚନା ମାଧ୍ୟମରେ ବଦଳିଯାଏ । ହେୟ ବସ୍ତୁ ମହାନ୍‌ଭାବରେ ଦୃଷ୍ଟିଗୋଚର ହୁଏ । ସାଧାରଣ କଥାଟି ଅସାଧାରଣ ଭାବରେ ପ୍ରତିଭାତ ହୁଏ । ଏଣୁ ଯେ କୌଣସି ଗୋଟିଏ ସାମାଜିକ ବସ୍ତୁର ଦିଗବିଦିଗ ଉଦ୍‌ଘାଟନ କରି ତାହାର ମାନବିକ ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ସେମାନେ ସବୁବେଳେ ସଚେତନ କରିଥାନ୍ତି । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓଡ଼ିଶାର ଜାତୀୟ ସଂସ୍କୃତି କ୍ଷେତ୍ରରେ ଗୋଟିଏ ସାଧାରଣ ଗତାନୁଗତିକ ଚଳଣି ହୋଇଥିଲେ ମଧ୍ୟ ସେଥିରେ ବିଭିନ୍ନ ସମୟର କବିମାନେ ନିତ୍ୟ ନୂତନତା ସୃଷ୍ଟି କରି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ସମର୍ଥ ହୋଇଛନ୍ତି । କବିଙ୍କ ମତରେ ରମଣୀୟ ବସ୍ତୁକୁ ବାରମ୍ବାର ବର୍ଣ୍ଣନା କଲେ ମଧ୍ୟ ସେଥିରେ ସବୁବେଳେ ନବୀନତା ଉକୁଟି ଉଠେ । ଠିକ୍‌ ସେହିପରି ରଥଯାତ୍ରା କଥାଟି ବିଭିନ୍ନ ଭକ୍ତ କବିଙ୍କ ଚିନ୍ତା ଓ ଚେତନାରେ ବହୁ ନବୀନ ରୂପ ଗ୍ରହଣ କରି ଆତ୍ମପ୍ରକାଶ କରିଛି । ତାହାର ଅଧ୍ୟୟନ, ଅଧ୍ୟାପନ ଓ ମନନ ଫଳରେ ପାଠକମାନଙ୍କ ମନରେ ବହୁ ପ୍ରାଚୀନ ଧର୍ମୀ ଚେତନାର ଉଦ୍ରେକ ହୁଏ । ଏଣୁ ଆଶା କରାଯାଏ କେଉଁ ଆଦିମ କାଳରୁ ଆଜିପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର କବିମାନେ ଆମର ଜାତୀୟ ଉତ୍ସବ ରଥଯାତ୍ରାକୁ ଯେ ଭଳି ଭାବରେ ଦେଖିଛନ୍ତି, ବର୍ଣ୍ଣନା କରିଛନ୍ତି ଏବଂ ଅନ୍ତଃସ୍ତତ୍ତ୍ୱ ଉଦ୍‌ଘାଟନ କରିଛନ୍ତି ତାହା ପାଠକମାନଙ୍କ ଚିନ୍ତା ଓ ଚେତନାର ବିସ୍ତାର କ୍ଷେତ୍ରରେ ସହାୟକ ହେବ । ମନମନ୍ଦିରର ସବୁ ଅନ୍ଧାର ଦୂର କରି ବାସ୍ତବ ଜ୍ଞାନାଲୋକରେ ଅନ୍ତର୍ଯ୍ୟାମୀ ଭଗବତ୍‌ ସତ୍ତା ଉପଲବ୍‌ଧି ହିଁ ଏ ସମସ୍ତ ବର୍ଣ୍ଣାଢ଼୍ୟ ବର୍ଣ୍ଣନାର ଏକମାତ୍ର ଉଦ୍ଦେଶ୍ୟ । ଏହି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱଟି ନିର୍ବାହ କରିବାରେ ବିଭିନ୍ନ ସମୟର ଓଡ଼ିଆ କବିମାନେ କେତେଦୂର ସମର୍ଥ ହୋଇଛନ୍ତି ତାହାହିଁ ଆଜିର ପ୍ରଣିଧାନ ଯୋଗ୍ୟ ବିଷୟ ।

 

***

 

Unknown

ପାଦଟୀକା :

 

୧.

‘‘ମଞ୍ଚେସ୍ନାନଂ ରଥବରଗତି ଶୟନଂ ଚାୟନଂ ଦ୍ୱୟଃ

ପାଶ୍ୱର୍ବୃତ୍ତି, ଶୟନ ନିବୃତ୍ତି ପାର୍ବତୀ ପୁଷ୍ୟ ପୂଜା

ଦୋଳକେଳି, ଦମନକ ମୋହତାକ୍ଷ ପୂର୍ଣ୍ଣି ତୃତୀୟା

ଏସାଂ ଯାତ୍ରା ଭୁବନ ବନ୍ଦିତା ଦ୍ୱାଦଶେୟଂ ନରେନ୍ଦ୍ର ।’’

(The Orissa-Gazette, Extra Ordinary, No.101, Ctc, Saturday, May 7, 1955 (Record of Rights, Part. II, P.49)

୨.

‘‘ଗୁଣ୍ଡିଚାଖ୍ୟାଂ ମହାଯାତ୍ରାଂ ପ୍ରକୁର୍ବୀଥାଃ କ୍ଷିତୀଶ୍ୱରଃ ।

ଗୁଣ୍ଡିଚା ମଣ୍ଡପଂ ନାମ ଯଗ୍ରାହମଜନଂ ପୁରା । ୩୦ ।

ଅଶ୍ୱମେଧ ସହସ୍ରସ୍ୟ ମହାବେଦୀ ତଦାଭବତ୍‌

ତସ୍ମାତ୍‌ ପୁଣ୍ୟତମଂ ସ୍ଥାନଂ ପୃଥିବ୍ୟାଂ ନେହ ବିଦ୍ୟତେ । ୩୪ ।

(ସ୍କ. ପୁରାଣ, ପୁରୁଷୋତ୍ତମ ମାହାତ୍ମ୍ୟ, ଊନତ୍ରିଂଶ ଅଧ୍ୟାୟ)

୩.

‘‘ଆତ୍ମାନଂ ରଥିନଂ ବିଦ୍ଧି ଶରୀରଂ ରଥମେବତୁ

ବୁଦ୍ଧିଂ ତୁ ସାରଥିଂ ବିଦ୍ଧିଂ ମନଃ ପ୍ରଗ୍ରହ ମେବ ଚ ।’’

(କଠୋପନିଷଦ, ୧ମ ଅଧ୍ୟାୟ, ୩ । ୩)

୪.

‘‘ହିରଣ୍ମୟେନ ସବିତା ରଥେନ

ଦେବୋ ଯାତି ଭୁବନାନି ପଶ୍ୟନ୍‌ ।’’

(ଯଜୁର୍ବେଦ ସଂହିତା)

୫.

ମଦନ ମୋହନ ପଟ୍ଟନାୟକ-ଭାରତ ତୀର୍ଥ ଦର୍ଶନ, ପୃ.୩୮୨

୬.

(କ) ଜଗବନ୍ଧୁ ସିଂହ-ପ୍ରାଚୀନ ଉତ୍କଳ, ପୃ.୨୯୮, ୨୯୯, ୩୦୫, ୩୦୬

(ଖ) ସୂର୍ଯ୍ୟନାରାୟଣ ଦାଶ-ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ

(ପରିବର୍ଦ୍ଧିତ ସଂସ୍କରଣ) ପୃ. ୧୪୫, ପୃ. ୧୦)

୭.

Old field-Sketches from Nepal, Vol-II, P. 316

୮.

Lagge-Travels of Fahian, P. 72

୯.

Harekrishna Mahtab-History of Orissa, Vol-II, 1960 P. P 521-522

୧୦.

Sir W. W. Hunter-The Indian Empire, P. 32

୧୧.

ଶ୍ରୀକ୍ଷେତ୍ର’-(ବଙ୍ଗଳା)-ଗୌଡ଼ୀୟ ମିଶନ ଦ୍ଵାରା ପ୍ରକାଶିତ, ପୃ.୧୩୦, ୧୩୧

୧୨.

R.L.Mitra-Antiquitis of Orissa, Vol. II, P. 136

୧୩.

(କ) ଆଷାଢ଼ ମାସରେ ମେଘ ଛାଡ଼ଇ ରଡ଼ି

ଘରୁ ବାହାରିଲେ କାଳିଆ ନନ୍ଦିଘୋଷ ଚଢ଼ି ।

ନନ୍ଦିଘୋଷ ରଥରେ ବିଜୟେ ଜଗନ୍ନାଥ

ତାଳଧ୍ୱଜ ରଥରେ ଭାଇ ବଳରାମ

ଗୋବିନ୍ଦ ରଥେ ଚଢ଼ି ସୁଭଦ୍ରା ଗମନ ହେ । ୪୭ ।

(ପଲ୍ଲୀ ଗୀତି ସଞ୍ଚୟନ, ୧ମଭାଗ, ପୃ. ୩୦୮)

(ଖ) ‘‘ନନ୍ଦିଘୋଷ ରଥରେ ନନ୍ଦେର ନନ୍ଦନ

ବିଜୟା ରଥରେ ଦେବୀ ସୁଭଦ୍ରା ଗୁଣ୍ଡିଚା ଯାତ୍ରା ଦିନରେ ।’’

(ଏଜନ୍‌. ପୃ ୩୩୪)

(ଗ) ‘‘ଆଷାଢ଼ ମାସରେ କଲମ ନଈ ନଈ

ନନ୍ଦିଘୋଷ ରଥ ପାଟ ମଣ୍ଡଣି ଦିଶଇ ଲାଲମୟୀ

ତାଳଧ୍ୱଜ ରଥରେ ତ ଭାଇ ବଳରାମ

ବିଜୟା ରଥରେ ଦେବୀ ସୁଭଦ୍ରା ତା ଚାଲି ନବଘନ

ତା’ ଚାଲି ନବଘନକୁ ତ ଗୁଣ୍ଡିଚା ଘର କୋଶେ

ଷୋଳଚକ୍ର ରଡ଼ି ଦେଉଛି କାଳିଆ ପାଦ ଘାତେ ।’’ ୪୮।

(ଏଜନ୍‌. ୨ୟଭାଗ, ପୃ.୩୩୩)

୧୪.

‘‘ଆଷାଢ଼ ମାସରେ ଗୁନ୍‌ଚା ରଥ,            ରଥେ ବିଜେ କଲେ ଜଗତ୍‌ନାଥ

ଆଗେ ବଳଭଦ୍ର ପଛେ ଭବାନୀ,            ପଛେ କୁଦାଇଲେ ଦୂତି ଲୋ ସାରଙ୍ଗପାନି ଡାଲଖାଇରେ ।’’

(ପ୍ରହ୍ଲାଦ ପ୍ରଧାନ-ପଶ୍ଚିମ ଓଡ଼ିଶାର ଲୋକଗୀତ ଓ ସୁଭଦ୍ରା-ପୌରୁଷ-ଜୁଲାଇ, ୧୯୮୦, ପୃ. ୭)

୧୫.

K.C Mishra-The Cult of Jagannath P. P. 13. 14.

୧୬.

‘‘ଆଷଢ଼ ମାସେ ଯେନ୍‌ ରଥ ଦେଖିଯିବୁ କେ ତାକେ ପର୍‌ଥମେ କଲା ବାହାର

ଜଗରୁ ନାଥର ବହେନ୍‌ ସୁଭଦ୍ରା ସୁନ୍ଦେରୀ

କହକେ ଅଟଇ ବୁଆଁ ତାରାରର ।’’

(ଘୁମୁରା ଗୀତ-ଲୋକଗୀତରେ ଜଗନ୍ନାଥ, ଉତ୍କଳ ପ୍ରସଙ୍ଗ, ଜୁଲାଇ, ୧୯୮୦)

୧୭.

‘‘ନନ୍ଦିଘୋଷ ରଥରେ ଯେ ନନ୍ଦର ନନ୍ଦନ

ତାଳଧ୍ୱଜ ରଥେ ଯେ ବିଜଏ ବଳରାମ

ବିଜୟା ରଥରେ ଦେଖ ସୁଭଦ୍ରା

ଗୁଣ୍ଡିଚାଯାତ୍ରା ଦିନ ହୋ ।’’

(ହଳିଆ ଗୀତ-ଲୋକଗୀତରେ ଜଗନ୍ନାଥ, ଉତ୍କଳ ପ୍ରସଙ୍ଗ, ଜୁଲାଇ, ୧୯୮୩, ପୃ-୪୦)

୧୮.

(କ)‘‘ଆହାରେ କାଲିଆଧନ ବାଙ୍ଗରୀ ଗୋ

ରଥେଁ ବିଜେ କଲେ ନନ୍ଦନନ୍ଦନ ଗୋ

ରଥର୍‌ ପଛେ ଧାଏଁ ମନ୍‌ ଗୋ ।’’

(ବାଙ୍ଗରା ଗୀତ-ଏଜନ୍‌ ପୃ-୪୦)

(ଖ) ‘‘କାଲିଆ ଭୁତକେ ସଖୀ ଚାଲ ଯିମା ଦେଖି

ଦହି ମହି ଖାଇ ଖାଇ ଢିମା ଢିମା ଆଖି

ମାଏଲା ପୁତନା ବକାଅଘା ତ ଅସୁର

କୁଜିକେ ରସିଲେ ମାରି ମାମୁଁ କଂସାସୁର

ସବୁପାପ ଆଏଜ୍ ମାରିଯାଉଛେ, ରଥର ଉପର...’’

(ରସର୍‌କେଲି ଏଜନ୍‌ ପୃ-୪୦)

(ଗ) ‘‘ଏ ମକର ଦେଖତ ଗୋ ରଥର ଉପରେଁ

ଚକା ଚକା ଆଏଁଖ୍‌ ଦୁଇଟା ତୁଲ୍‌ସି ତୁଲ୍‌ସି କହଁରେ

ଲତାକେ ମୁଇଁ ଦେଖିଥିଲି ଗୁପ୍‌ ପୁରଥି

ଦହି ଚୁରେଇ ଖାଇଥିଲା ଗୁପି ପୁର୍‌ଥି ।

ନନ୍ଦର ପୁତ କୃଷ୍ଣଇ ଗୋ ଯଶୋଦାର ପୋ କାନୁ

ଆଏଜ୍‌ ଦେଖିଲି ଜଗରନାଥ ନାଇଁ ପାଖଟର ମନୁ...’’

(ପଶ୍ଚିମ ଓଡ଼ିଶାର ନାନାବାୟା ଲୋକଗୀତ-ଏଜନ୍‌ ପୃ-୪୦)

୧୯.

ପଲ୍ଲୀଗୀତି ସଂଚୟନ, ୧ମ ଭାଗ, ପୃ-୫୫୧-୫୫୩ ।

୨୦.

‘‘ଚାଲ ଦେଖିବା ଗୋ ସଖୀ ପହଣ୍ଡି ବିଜୟେ

ବଡ଼ ଦେଉଳରୁ ବାହାର କାଲିଆ ବଡ଼ ଦେଉଳରୁ

ଅଙ୍ଗୁଶ୍ରମ ଝାଳବୁହେ ।

ଆଗେ ବଳଭଦ୍ର ପଛେ ଜଗନ୍ନାଥ ମଝିରେ ସୋଭଦ୍ରା ମାୟେ

କଳା ଧଳା ମୁଖ ଝଲସି ଦିଶୁଛି ଚନ୍ଦ୍ରସୂର୍ଯ୍ୟ ତାରା ପ୍ରାୟେ ।’’

(ନିମାଇଁ ଚରଣ ପଣ୍ଡା-ପଶ୍ଚିମ ଓଡ଼ିଶାର ରଥଯାତ୍ରା ଓ ଶ୍ରୀ ଜଗନ୍ନାଥ ‘ଶ୍ରୀ ଜଗନ୍ନାଥ’ ପତ୍ରିକା-୧୯୮୨, ପୃ-୪୬)

୨୧.

‘‘ଫର୍‌ଫର ଉଡ଼ୁଛେରେ ଦେଖ୍‌ ରଥର ଧଜା

ଛେରା ପଇଁରା କରୁଛେ ଗଅଁଟିଆ ରଜା

ଆଘେ ବଳରାମ ମଝି ସୁଭଦ୍ରା ବହନୀ

ଜଗତର ନାଥ ପଛେଁ ଲଗାଏ ମହନି

ଦେଖି ମନ ନରଦି ଯାଏ ରସ ହୋ... ।’’

(ରସରକେଲି ଗୀତ-ଲୋକଗୀତରେ ଶ୍ରୀଜଗନ୍ନାଥ-ଉତ୍କଳ ପ୍ରସଙ୍ଗ, ଜୁଲାଇ, ୧୯୮୦, ପୃ-୭୪)

୨୨.

‘‘ରସର କେଲିରେ ରଥଚାଲେ ଘିଡ଼ିଘିଡ଼ି ଗାଆଁ ଖୁଲିଁ ମାଡ଼ି

ଦୁଇଆଖି ଦେଖିଦେଲେ ପାପ ଯାଏ ଛାଡ଼ି ।’’      (ରସରକେଲି-ଏଜନ୍‌, ପୃ-୭୩)

x      x      x

‘‘ଡାଲଖାଇରେ...

ଘିଡ଼ିଘିଡ଼ି ଚାଲେ ଦୁତିଆ ରଥ

ରଥର ଉପ୍‌ରେଁ କାଲିଆ ଭୂତ

ସଂସାର କରତା ନନ୍ଦ ନନ୍ଦନ

ରଥେ ବିଜେକଲେ ଡାଲଖାଇ...ସେ ଭଗବାନ ।’’

(ଡାଲଖାଇ ଗୀତ-ଲୋକଗୀତରେ ଶ୍ରୀ ଜଗନ୍ନାଥ, ଉତ୍କଳ ପ୍ରସଙ୍ଗ, ଜୁଲାଇ, ୧୯୮୩, ପୃ-୪୦)

୨୩.

‘‘ନବଦିନ ଯାତ୍ରା ସାରିରେ ବଉଳ ନବଦିନ ଯାତ୍ରା ସାରି

ଗୁଣ୍ଡିଚା ଘରୁଁ ଆସୁଛନ୍ତି ଫେରି ବଉଳରେ ତାଳଧ୍ୱଜ ରଥେ ହଳଧାରୀ

ପଛେଁ ନନ୍ଦିଘୁଷ ରଥରେ ବଉଳ ପଛେଁ ନନ୍ଦିଘୁଷ ରଥ

ତହିଁରେ ବିଜୟ ଶ୍ରୀଜଗନ୍ନାଥ ବଉଳରେ ଶିରେ ଉଡ଼େ କେତେ ପାଟଛତ୍ର ।’’

(ନିମାଇଁ ଚରଣ ପଣ୍ଡା-ପଶ୍ଚିମ ଓଡ଼ିଶାର ରଥଯାତ୍ରା ଓ ଶ୍ରୀଜଗନ୍ନାଥ-‘ଶ୍ରୀଜଗନାଥ’ ପତ୍ରିକା-ପୂଜାସଂଖ୍ୟା, ୧୯୮୨, ପୃ-୪୬)

୨୪.

(କ)

K.C. Panigrahi-History of Orissa, 1981. p.190

 

 

(ଖ)

ସା.ମ, ଆଦିପର୍ବ, ପ୍ରଥମ ଖଣ୍ଡ, ପୃ-୪/ସଭାପର୍ବ, ପ୍ରଥମଖଣ୍ଡ, ପୃ-୪୦୦/ବନପର୍ବ, ୨ୟ ଖଣ୍ଡ,ପୃ-୨୭, ୨୮

 

(ଗ)

ସୂର୍ଯ୍ୟ ନାରାୟଣ ଦାସ-ଓଡ଼ିଆ ସାହିତ୍ୟର ଇତିହାସ (ପ୍ରଥମ ଖଣ୍ଡ) ପୃ-୧୯୫

୨୫.

‘‘ତାଳଧ୍ୱଜ ରଥରେ ଯେ ସୁବଳ ସାରଥୀ

ନନ୍ଦିଘୋଷ ରଥ ଦାରୁକ ବାହଅ ତଡ଼ତି ।

(ସା.ମ, ଆଦିପର୍ବ, ପ୍ରଥମଖଣ୍ଡ, ପୃ-୩୫୮-୩୫୯ ପଦ ୬,୭)

‘‘ଦାରୁକ ମଣ୍ଡିଲା ଯେ ନନ୍ଦିଘୋଷ ରଥ

ଅନେକ ସ୍ତମ୍ଭରେ ସ୍ୱାମୀ ବିଜୟେ ଜଗନ୍ନାଥ ।’’

(ଏଜନ୍‌ ପୃ-୫୭୫/ପଦ.୧୧୫)

୨୬.

ସଂପା : ଆର୍ତ୍ତବଲ୍ଲଭ ମହାନ୍ତି, ଅର୍ଜ୍ଜୁନ ଦାସ-ରାମବିଭା (ମୁଖବନ୍ଧ)-ପୃ-୨

୨୭.

(କ)

‘‘ନୀଳଗିରି ଜଗନ୍ନାଥ            ଶଙ୍ଖଚକ୍ର ଚତୁହସ୍ତ

ରଥ ବିଜୟକୁ ଅନା, ଶୁଣ ହୋ ମନାୟେ ।

ବଳଗଣ୍ଡି ପରବେଶ            ରହିଣ ନବଦିବସ

ଶିଶୁ ଅରଜୁନ ଦାସ, ମନେଉଲ୍ଲାସୟେ ।’’

(ଅର୍ଜ୍ଜୁନ ଦାସ-କଳ୍ପଲତା ଅଷ୍ଟମ ଛାନ୍ଦ)-ପୃ-୬୪

 

(ଖ)

‘‘ଶୁଣହେ ରସିକ ଜନମାନେ            ଦକ୍ଷିଣ ଉଦଧିକୂଳେ

କ୍ଷେତ୍ରବର ନୀଳଗିରି ନବରୁ ଶ୍ରୀଗୁଣ୍ଡିଚାକୁ ବିଜୟ କଲେ । ୪୧ ।

 

ନନ୍ଦିଘୋଷ ରହୁବରେ ଆରୋହିତ ଶ୍ରୀଭୁଜେ ଶଙ୍ଖଚକ୍ର ଧରି

ସକଳ ଦେବ ପଛେ ପଟୁଆରୀ କୁସୁମ ବରଷେ ରହୁବରେ

ଦେବତାଙ୍କ ପଛେ ପ୍ରାୟେ ପଡ଼ି ଶୋଇ

ବାହୁଡ଼ଇ ଅରଜୁନି ଦାସ ।’’

(ଅର୍ଜ୍ଜୁନ ଦାସ-କଳ୍ପଲତା-ଦ୍ୱାଦଶ ଛାନ୍ଦ-ପୃ-୮୮)

୨୮.

ସୂର୍ଯ୍ୟନାରାୟଣ ଦାସ-ଓଡ଼ିଆ ସାହିତ୍ୟର ଇତିହାସ, ପ୍ରଥମଖଣ୍ଡ-ପୃ-୩୭୫

୨୯.

‘‘ଆଷାଢ଼ ଶୁକ୍‌ଳ ଦୁତୀୟା ଦିନ, ଗୁଣ୍ଡିଚା ବିଜେ ପ୍ରଭୁ ଭଗବାନ

ନାଥ ତୋ ନବଦିନ କଟକାଇ, ସଙ୍ଗରେ ଆଗି ଆଣି ଜ୍ୟେଷ୍ଠଭାଇ

ପ୍ରତି ବରଷ ବିଜେ ଏହି ଦିନେ, ବଳରାମ ଦାସ ଦେଖେ ନୟନେ’’ । ୪୭୬ ।

(ଭକ୍ତ ବଳରାମ ଦାସଙ୍କ ଭକ୍ତି ଓ ବାଲିରଥ ବର୍ଣ୍ଣନା-ଭାବସମୁଦ୍ର-ଗୋବିନ୍ଦ ରଥଙ୍କ ଦ୍ୱାରା ସଂଗୃହୀତ ଓ ସଂଶୋଧିତ, ଅରୁଣୋଦୟ ପ୍ରେସରେ କଟକ ୧୯୧୦ରେ ମୁଦ୍ରିତ)

୩୦.

‘‘ହରିହୋ ତୋତେ ଆଶ୍ରେ କରି କ୍ଷେତ୍ରେ ରହିଲି, ତୋତେ ଆଶ୍ରେ କରି ଫଳ ପାଇଲି

ହରି ତୁ ବିଶ୍ୱାସ ଘାତକତା କଲୁ, ହରିର ନୃପତି ହାତେ ବନ୍ଧାଇଲୁ ।’’

(ଏଜନ ପୃ-୧୮)

୩୧.

‘‘ନନ୍ଦିଘୋଷ ରଥୁ ଦେଲୁ ଘଉଡ଼ି, କେ ଓଟାରିବ ତୋ ରଥ ଦଉଡ଼ି

ନାଥ ତୁ ମୋତେ ନେଲେ ସିନା ଯିବୁ, ନୋହିଲେ ସେହିଠାରେ ରହିଥିବୁ

ହରିହୋ, ଧରିଛି ଚିତ୍ତେ ତୁ ଯିବୁ କେମନ୍ତେ, ଦାସ ବଳରାମ ଭରସି ତୋତେ ।’’

(ଏଜନ୍‌-ପୃ-୨୪)

୩୨.

ସୂର୍ଯ୍ୟନାରାୟଣ-ଓଡ଼ିଆ ସାହିତ୍ୟର ଇତିହାସ, ପ୍ରଥମ ଖଣ୍ଡ, ପୃ-୪୫୫

୩୩.

ଜଗନ୍ନାଥ ଦାସ-ଗୁଣ୍ଡିଚା ବିଜେ-ପୃ-୨୪

୩୪.

Prabhat Mukherjee-The History of Medieval

Vaishnavism of Orissa,Calcutta, 1940, PP. 128-129.

୩୫.

‘‘ଦଇବେ ଶ୍ରୀଗୁଣ୍ଡିଚା ଘୋଷ ବିଜୟ ବେଳେ । x x x x x ।।

ସେବକ ପଣେ ମୁହିଁଥିଲି ଯେ ଛାମୁରେ । ବିଜୟ କଲେ ପ୍ରଭୁ ପହୁଣ୍ଡି ମଙ୍ଗଳରେ ।।

ମଙ୍ଗଳ ଆରୋପଣ ହଡ଼ପ ଲାଗି ବଢ଼ି । କନକମାଳା ଡୋରୀ ଲାଗି ହୋଇଲା ବଢ଼ି ।।

ବିଜୟ କରାଇଲେ ସେ ପରମ ମଙ୍ଗଳ । ଅତି ବଳିଷ୍ଠ ଭକ୍ତ ଦଇତାପତି କୁଳ ।।

ବିଜୟ ଶୁଭ ଉଣ୍ଡି ଗଜପତି ପ୍ରତାପ । ଦଣ୍ଡ ଛାଡ଼ିଣ ଛେରା ଧରି କରି ବହପ ।।

ଗହଗହ ଶବଦେ ଯାତ୍ରା ଯେ ଆରମ୍ଭିଲା । ଜ୍ୟୋତି ପରମ ସୁଦର୍ଶନ ଯେ ବିଜେ ହେଲା ।।

ଶ୍ରୀ ବଡ଼ବାଡ଼ ପ୍ରଭୁ ଶେଷଙ୍କ ଅବତାର । ଯାହାର ଆଦ୍ୟଅନ୍ତ ନାହିଁ କିଛି ମାତର ।।

ସୁଭଦ୍ରା ଆଦ୍ୟାଶକ୍ତି ତା’ପରେ କଲେ ବିଜେ । ସେବକ ପଣେ ଖଟୁଥାଏଁ ମୁରୁଖ ମୁଁ ଯେ ।।

ବାମନ ରୂପରେ ମହାପ୍ରଭୁ ଯେ ଗମନ୍ତି । ସେବକ ଗହଣେ ପ୍ରଭୁ ବିଜୟ କରନ୍ତି ।।’’

ସମ୍ପା : ଫକୀର ଚରଣ ଦାସ-ଶ୍ରୀଳ କହ୍ନାଇ ଖୁଣ୍ଟିଆ-

ଶ୍ରୀ ମହାଭାବ ପ୍ରକାଶ-ପ୍ରଥମ ବୃନ୍ତ, ପୃ-୨

ଶ୍ରୀ ହରିସଂକୀର୍ତ୍ତନ ପ୍ରକାଶନୀ, କଟକ-୧, ୧୯୮୧

୩୬.

‘‘ବଡ଼ଦାଣ୍ଡରେ ଉପଗତ । ହୋଇଛି ଶ୍ରୀଗୁଣ୍ଡିଚା ଯାତ

ଦେଖିଲେ ରଥ ତାଳଧ୍ୱଜ । ଯହିଁ ବିଜୟେ ତୋ ଅଗ୍ରଜ

ତାହାଙ୍କୁ କଲେ ଦରଶନ । ପ୍ରଣାମ ଆଦି ପ୍ରଦକ୍ଷିଣ

ରଥ ଦଉଡ଼ି ଓଟାରିଲେ । ଶ୍ରୀ ବଳଭଦ୍ର ବିଜେ କଲେ

ପୁଣି ଦେଖିଲେ ନନ୍ଦିଘୋଷ । ଯେ ରଥେ ତୋ’ ରୂପ ପ୍ରକାଶ

ଅମଳ କମଳ ଲୋଚନ । ଦୂରହୁଁ କଲେ ଦରଶନ

ଏମନ୍ତ ରୂପ ତୋର ଦେଖି । ସନ୍ତୋଷ କଲେ ଆତ୍ମା ଆଖି ।’’

(ଭୂପତି ପଣ୍ଡିତ-ପ୍ରେମପଞ୍ଚାମୃତ, ୭ମ ଅଧ୍ୟାୟ, ୧୬୭-୧୬୮ ପଦ)

୩୭.

‘‘ତୋର ଶ୍ରୀଗୁଣ୍ଡିଚା ଉତ୍ସବ ।       ମହିମା କେ କହି ପାରିବ

ନୃତ୍ୟହିଁ ବସୁଦେବ ଦେଖି । ଜନ୍ମ ଜୀବନ ଧନ୍ୟ ଲେଖି ।’’

(ଏଜନ୍‌, ସପ୍ତମ ଅଧ୍ୟାୟ, ପଦ ୧୮୧-୧୮୯)

୩୮.

ଅମୂଲ୍ୟକୃଷ୍ଣ ମିଶ୍ର-ଓଡ଼ିଆ ସାହିତ୍ୟରେ ଭକ୍ତକବି ସାଲବେଗଙ୍କ କାଳ-ନିରୂପଣ-ଝଂକାର, ୩୦ଶ ବର୍ଷ, ବିଷୁବ ସଂଖ୍ୟା, ପୃ-୧୧-୧୫

୩୯.

ଜଗବନ୍ଧୁ ହେ ଗୋସାଇଁ, ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ ।

ସାତଶ ପଞ୍ଚାଶ କୋଶ ଚାଲି ନ ପାରଇ, ମୋହ ଯିବାଯାଏ ନନ୍ଦିଘୋଷେ ଥିବ ରହି । ୧ ।

ରଥ ଚାରିପାଶେ ଲମ୍ବେ ମୁକୁତାର ଝରା, ଝଲ ଝଲ ଦିଶୁଥାଇ ପ୍ରଭୁ ଚକାଡ଼ୋଳା । ୨ ।

ଆଗେ ଚଳେ ବଳଭଦ୍ର ମଧ୍ୟେ ଚାନ୍ଦମୁହିଁରେ, ଆସୁଛି କାଳିଆ ପଛେ ଗହଳ ଲଗାଇରେ । ୪ ।

(ସମ୍ପା : ମୁରାରି ମୋହନ ଜେନା-କବିକଣ୍ଠେ ଜଗନ୍ନାଥ-ପୃ-୬୬)

୪୦.

‘‘ଜଗବନ୍ଧୁ ହେ କେଣିକି ଯାଉଛ ଯାଉଛ

ଅଣସର ଘରେ ଥିଲ, ଆଜ ବାହାର ହେଲ

ତ୍ରିଭଙ୍ଗୀ ଭଙ୍ଗୀ କରି ଚାହୁଁଛ । ୧ ।”

(ସାଲବେଗ ଜଣାଣ-କବି କଣ୍ଠେ ଜଗନ୍ନାଥ-ପୃ-୨୪)

୪୧.

‘‘ସାଜେଣି ହୋଇଛି ତିନିରଥ

      କି ଶୋଭା ପାଉଛି ପଦ୍ମମୁଖ

ହୀରା, ନୀଳା, ମୋତି, ମାଣିକ ଜଳୁଛି

      ଫରହର ବାନା ଉଡ଼େ ନେତେ, ଆହେ ଜଗନ୍ନାଥ । ୪ ।’’

(ଏଜନ୍‌, ପୃ-୭୦)

୪୨.

‘‘ସଳଖ ସୁନ୍ଦର ବଡ଼ଦାଣ୍ଡ, ନବକୋଟି ଲୋକ ତହିଁ ତୁଣ୍ଡ

ଦର୍ଶକ ମାତ୍ରକେ ପାପ କ୍ଷୟ ଯିବ ପାପାଧି ପାତକ ହୋଇ ଖଣ୍ଡ ହେ । ୭ ।

ସିଂହଦ୍ୱାର ଆଗେ ତିନିରଥ, ପାଟପତନୀରେ ମଣ୍ଡିନେତ

ଆଗେ ବଳଭଦ୍ର ମଧ୍ୟରେ ସୁଭଦ୍ରା, ପଛେ ବିଜେ କଲେ ଜଗନ୍ନାଥ ହେ । ୮ ।’’

(ଏଜନ୍‌, ପୃ-୬୮-୬୯)

୪୩.

‘‘କାଳିଆ ଧନ, ତୋ ଲାଗି ଯାଉ ଏ ଜୀବନ

            ବାରେ ନ ଦେଲୁ ଦରଶନ ।

ନନ୍ଦିଘୋଷ ରଥେ ବସିଛି କାଳିଆ ଜଗତ୍ର ମୋହିବା ପାଇଁ

ହରିହରି ବୋଲି ଶବଦ ଶୁଭୁଛି ମନରେ ଆନନ୍ଦ ହୋଇ । ୨ ।

(ଏଜନ୍‌, ପୃ-୬୨)

୪୪.

ସମ୍ପା : ଆର୍ତ୍ତବଲ୍ଲଭ ମହାନ୍ତି : ପ୍ରତାପ ରାୟ-ଶଶିସେଣା, ୬ଷ୍ଠ ଛାନ୍ଦ, ପୃ-୨୪

ପ୍ରକାଶକ-ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର

୪୫.

‘‘ଟେରାବାଡ଼ ପଛେ ଉଭା ହୋଇଥିବି ଧୂପ ଅବକାଶ ବେଳେ

ଛେରାପହଁରା ନଉକରୀ ପଣରେ ଖଟଣୀ ଖଟି ବି ହେଲେ । ୧ ।

ଛତିଶା ନିଯୋଗୀ ମଧ୍ୟରେ ଗଣିବ ମଣିମା ହେ ମୋତେ ନିତି ।

ବାର ମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ । ୨ ।’’

(ବନମାଳୀ ଦାସ-ମହାବାହୁ କାହାକୁ କହିବି ଦୁଃଖ’ ଜଣାଣ-କବିକଣ୍ଠେ ଜଗନ୍ନାଥ-ପୃ-୧୧୩)

୪୬.

ବିଛନ୍ଦ ଚରଣ ପଟ୍ଟନାୟକ-ଭଞ୍ଜପ୍ରଭା, ୨ୟ ସଂସ୍କରଣ, ୧୯୭୫, ପୃ-୪୦

ବିଚିତ୍ରାନନ୍ଦ ମହାନ୍ତି-ଭଞ୍ଜକବି ପରିଚୟ-ପୃ-୨

୪୭.

ବଳଗଣ୍ଡିଠାରେ ରହି ଯଥା ଜଗନ୍ନାଥ

ବିଜେ ପୁଣି ଜନକ ସନ୍ତୋଷେ ଚାଳି ରଥ ଯେ । ୫୭ ।

ବିସ୍ତାରିତ ଜୟ ଶବ୍ଦ ହେଲା ଦଶଦିଶ

ବଡ଼ଦେଉଳ ସାକେତେ ହେଲେ ପରବେଶ ଯେ । ୫୮ ।

(ବୈଦେହୀଶ ବିଳାଶ, ଷୋଡ଼ଶ ଛାନ୍ଦ, ଉପେନ୍ଦ୍ରଭଞ୍ଜ ଗ୍ରନ୍ଥାବଳୀ, ୪ର୍ଥ ଖଣ୍ଡ, ପୃ-୨୨୨)

୪୮.

ବୈଦେହୀଶ ବିଳାସ, ୪ର୍ଥ ଛାନ୍ଦ, ୭୨-୭୪ ପଦ, ଉପେନ୍ଦ୍ରଭଞ୍ଜ ଗ୍ରନ୍ଥାବଳୀ, ୪ର୍ଥଖଣ୍ଡ, ପୃ ୧୮୦

୪୯.

‘ଏଜନ୍‌’ ୪୪ ଛାନ୍ଦ, ୨୯ ପଦ, ଉ. ଗ୍ର. ୪ର୍ଥ ଖଣ୍ଡ, ପୃ-୨୮୬

୫୦.

‘‘ବଡ଼ ଦେଉଳ ଅଗ୍ରତରେ ଗୁଣ୍ଡିଚାରଥ ଯେ ଦେଖିଛ ତରକ

ବିଲୋକନେ ବିଳାସୀ ସର୍ବଲୋକ

ବିଦିତ ନରେଶେ ଉତ୍ସବ ସେଠାରେ ଏ ନବଦିନ ସଂଖ୍ୟକ ହୋ ବିଦୁଷେ ।’’

(ଏଜନ ବୈ.ବିଳାସ, ୫୧ ଛାନ୍ଦ, ୩୩ ପଦ ଉ. ଗ୍ର., ୪ର୍ଥ ଖଣ୍ଡ, ପୃ-୩୨୦)

୫୧.

ସ୍ନାନ ଗୁଣ୍ଡିଚା ଏବେନି ସ୍ୱୟଂ ଲୀଳା ଯାର

ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର । ୨୪ ।

(କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ପ୍ରଥମଛାନ୍ଦ)

୫୨.

ଉପେନ୍ଦ୍ର ଭଞ୍ଜ-‘ଏକାସଙ୍ଗେ ଭୋଜନ ବାଳୁତ କାଳୁ ଚଉତିଶା’-ହରିଶ୍ଚନ୍ଦ୍ର ବେହେରା, ସମାଲୋଚନାର ଦୃଷ୍ଟି ଓ ଦିଗ୍‌ବଳୟ ପୃ-୧୬୦

୫୩.

ଦୀନକୃଷ୍ଣ ଦାସ...ଜଗମୋହନ ଛାନ୍ଦ, ପୃ-୧୨, ୨ୟ ଛାନ୍ଦ

୫୪.

ସୁରେନ୍ଦ୍ର ମହାନ୍ତି-ଓଡ଼ିଆ ସାହିତ୍ୟର କ୍ରମବିକାଶ, ପୃ-୧୫୪

୫୫.

ଦୀନକୃଷ୍ଣ ଦାସ-ଜଗମୋହନ ଛାନ୍ଦ, ୪ର୍ଥ ଛାନ୍ଦ, ଚତୁର୍ଦ୍ଦଶ ପଦ, ପୃ-୩୪

୫୬.

ଏଜନ୍‌ ଜଗମୋହନ ଛାନ୍ଦ, ୭ମ ଛାନ୍ଦ, ପୃ-୪୮

୫୭.

ଦୀନକୃଷ୍ଣ ଦାସ-ଜଗମୋହନ ଛାନ୍ଦ, ନବମ ଛାନ୍ଦ, ତ୍ରୟୋଦଶ ଛାନ୍ଦ, ପୃ. ୫୭

୫୮.

ଦୀନକୃଷ୍ଣ ଦାସ-ଜଗମୋହନ ଛାନ୍ଦ, ଚତୁର୍ଦ୍ଦଶ ଛାନ୍ଦ, ପଦ ୨୬-୩୦

୫୯.

‘‘ଶ୍ରୀଗୁଣ୍ଡିଚା ଯାତ ପ୍ରାୟ ଦାଣ୍ଡେ ଲୋକବାକ

ଦେଖୁଁ ଦେଖୁଁ ଆସି ମାଡ଼ି ପଡ଼ିଲେ ଅନେକ

ରଥେ ବିଜେ ରାମହରି, କୃଷ୍ଣ ମନଗଲା କୃଷ୍ଣ ପଦ ଅନୁସରି ।’’

(ଦୀନକୃଷ୍ଣ ଦାସ-ମଧୁମଙ୍ଗଳ, ନବମ ଛାନ୍ଦ, ୬ ପଦ)

୬୦.

‘‘କିସେ ଗୁଣ୍ଡିଚାଯାତ ପ୍ରାୟେ ଲୋକ ବହୁତ

ଦେଖୁ ଦେଖୁ ମାଡ଼ି ପଡ଼ିଲେ

କାମପାଳ ଶ୍ରୀହରି            ପ୍ରାତ ମଣୋହି ସାରି

ରଥରେ ଯାଇ ବିଜେ କଲେ ସେ ।’’

(ଦୀନକୃଷ୍ଣ ଦାସ, ରସକଲ୍ଲୋଳ, ୨୫ ଛାନ୍ଦ, ୨୭ ପଦ)

୬୧.

କହ କହ ଆହେ ସଙ୍ଗାତ ସତେହେଁ ଜୀବନରେ ଆମ୍ଭେ ଥିବା

କୋଟି ବ୍ରହ୍ମାଣ୍ଡ ନାଥର ଶ୍ରୀଗୁଣ୍ଡିଚା ଯାତ୍ରା ଉତ୍ସବ ଦେଖିବା ସେ

            କୃପା କରିବେ ସତେ

କାମପାଳ ସୁଭଦ୍ରା ସହିତେ ସେ । କରିଛାଇଁ ଭାଗ୍ୟ ଆମ୍ଭେ ଏତେ ସେ ।

କହ ହୋଅଇ କି ମନେ ପ୍ରତେ ସେ । ୧ ।

 

ଗଙ୍ଗା ଯମୁନା ସରସ୍ୱତୀ ପରାୟେ ତିନିଗତି ୟେକା ଲାଗେ

ଗଜପତି ପଟୋଆର କରୁଥିବେ ଭଗୀରଥ ପ୍ରାୟେ ଆଗେ ସେ ।

            ଗହଗହ ଗହଳ

ଗୀତ ବାଦ୍ୟ ନାଦଙ୍କ ପ୍ରବଳରେ । ଗଞ୍ଜୁଥିବ ସମୁଦ୍ର ଚହଳ ସେ ।

ଗଲେ ସିନା ଦେଖିବା ସେ କାଳ ସେ । ୩ ।

(ଦୀନକୃଷ୍ଣ ଦାସ-ଗୁଣ୍ଡିଚା ଭାବନା ଚଉତିଶା,

ସଂପା : ବିଚ୍ଛନ୍ଦ ଚରଣ ପଟ୍ଟନାୟକ-ଚଉତିଶା ମଧୁଚକ୍ର, ଦ୍ୱିତୀୟଖଣ୍ଡ, ୧୯୩୧, ପୃ-୩୪)

୬୨.

(କ)

କେଦାରନାଥ ମହାପାତ୍ର-ଖୁରୁଧା ଇତିହାସ, ପୃ-୧୪୦

 

(ଖ)

ନୀଳମଣି ମିଶ୍ର-ଓଡ଼ିଆ ଶ୍ରୀଜଗନ୍ନାଥ ସାହିତ୍ୟ-ଶ୍ରୀଜଗନ୍ନାଥ, ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୮୨, ପୃ-୧୨୭

୬୩.

‘‘ଶୁଣହେ ସାଧୁଜନମାନେ ଏଥେ ଦେଇ ମାନସ

ଦ୍ୱାଦଶ ଉତ୍ସବ କହିବା ଯଥାବିଧି ପ୍ରକାଶ ।’’ (ଲୋକନାଥ ବିଦ୍ୟାଧର-ନୀଳାଦ୍ରି ମହୋତ୍ସବ, ୨ୟ ଛାନ୍ଦ ୨-୩ ପଦ)

୬୪.

(କ)

ଆର୍ଯ୍ୟକ୍ଷତ ନନ୍ଦିଘୋଷ ଦୃଢ଼ ଚକ୍ରଷ୍ଟଦଶ

ଉନ୍ନତ କର ଦ୍ୱାବିଂଶ ଆୟତ ତେତେ

ଚାରିପାଶେ ଚାରିଦୁଆର

ଦ୍ୱାରପୀଢ଼ା ସହିତରେ ଦିଶେ ରୁଚିର ।

 

ତହିଁ ପାଖରେ ସ୍ୟଦନ            ତାଳଧ୍ୱଜ ଅଭିରାମ

ସବୁରୂପେ ଅପଘନ ସେହି ସମାନ

କେବଳ ତହିଁ ଏତେକ            ବିସ୍ତୀର୍ଣ୍ଣ ଉତ୍ତରୁ ଏକ

କର ଆଉ ବେନି ଚକ୍ର ମାତ୍ର ନିଊନ

ମସ୍ତକରେ ଚନ୍ଦ୍ରମା ଦାନୀ

ଘୋଡ଼ ହରିତ ଏତେକ ଅମ୍ବର ଘେନି ।’’

(ଲୋକନାଥ ବିଦ୍ୟାଧର-ନୀଳାଦ୍ରି ମହୋତ୍ସବ, ପଞ୍ଚମ ଛାନ୍ଦ, ୭, ୮ ପଦ)

 

(ଖ)

ସ୍କ. ପୁ. ପୁରୁଷୋତ୍ତମ ମାହାତ୍ମ୍ୟ, ଊନତ୍ରିଂଶ ଅଧ୍ୟାୟ, ୩୦, ୩୩, ୩୪ ପଦ

 

(ଗ)

ଏଜନ୍‌ ତ୍ରୟତ୍ରିଂଶ ଅଧ୍ୟାୟ, ୧୨ ପଦ

୬୫.

ଲୋକନାଥ ବିଦ୍ୟାଧର-ନୀଳାଦ୍ରି ମହୋତ୍ସବ, ପଞ୍ଚମ ଛାନ୍ଦ, ୨୩ ପଦ ।

୬୬.

ଏଜନ୍‌-ପଞ୍ଚମ ଛାନ୍ଦ, ୨୭ ପଦ ।

୬୭.

ଏଜନ୍‌-ପଞ୍ଚମ ଛାନ୍ଦ, ୩୮ ପଦ/୭ ପଦ, ଷଷ୍ଠ ଛାନ୍ଦ, ୪ ପଦ ।

୬୮.

ବାଜିଲା ଘନ ଘନ ହୋଇ ମର୍ଦ୍ଦଳ

ମୁରୁଜ କାହାଳୀ ମେଘା ଘଣ୍ଟାବଳୀ ଟମକ ପଟହ ପଟଳ ।

(ଏଜନ୍‌. ତୃତୀୟ ଛାନ୍ଦ ୧, ୨ ପଦ)

x            x            x

କେ ମୃଦଙ୍ଗ ତାଳ ଝଞ୍ଜାଳ କଂସାଳ ଜାକ ଅଙ୍ଗ ଭଙ୍ଗେ ବଜାନ୍ତି

କରନ୍ତି ଆଳାପ ସୁକଥା ଆଳାପ କେ ମହୀରେ ଭାବେ ଲୋଟନ୍ତି

ଏମନ୍ତେ, କେହୁ ଜୟ ଜୟ କରନ୍ତି

ରଜ୍ଜୁ ଧରି ତହୁଁ ଆସ ମହାବାହୁ ବୋଲି ଯେ ପ୍ରଭୁଙ୍କୁ ଡାକନ୍ତି ।

(ଏଜନ୍‌-ଏକାଦଶ ଛାନ୍ଦ ୧୦, ୧୨ ପଦ)

୬୯.

ବହୁତ ଜାତି ପରିପୂର୍ଣ୍ଣେ ହୋଇ ଶୋଭା ପାଆନ୍ତି

ଭକ୍ତ ମଣ୍ଡଳୀ ନୃତ୍ୟ ଗୀତେ କେକୀ ପ୍ରାୟେ ଦିଶନ୍ତି ।

(ଲୋକନାଥ ବିଦ୍ୟାଧର-ନୀଳାଦ୍ରି ମହୋତ୍ସବ, ଏକାଦଶ ଛାନ୍ଦ ପଦ ୪)

୭୦.

‘‘ଏକାବେଳେ ତିନି ସ୍ୟଦନ, ସେମାନେ କରନ୍ତେ ଗମନ

ତେତେବେଳେ ଯେସନ, ଦିଶଇ ଶୋଭାବନ

ସେ ନିକି ହୁଅଇ କଥନ ସେ ।’’

(ଏଜନ୍‌-୮ମ ଛାନ୍ଦ, ପଦ ୧୩)

୭୧.

ଏଜନ୍‌-ସପ୍ତମ ଛାନ୍ଦ, ୪୧ ପଦ ।

୭୨.

ଏଜନ୍‌-ଦଶମ ଛାନ୍ଦ, ୧୮ ପଦ ।

୭୩.

‘‘ଯେ ରଥର ଉପରେ ବିଜେ କରିଥିବେ ଧୀରେ

ହରି ସେ ଯେଉଁ ଜଳରେ ପ୍ରତିବିମ୍ବଇ

ସେ ଜଳରେ କଲେ ସ୍ନାନ ହୁଅଇ ପାପ ନାଶନ

ଏଣୁ ପୁଣ୍ୟର ସମାନ ଯେହୁ ନୁହଇ ।

ଗଙ୍ଗା ଗୟା ସିନ୍ଧୁର ଜଳ, ଏ ଆଦି ମହିମା ସେ ରଥକୁ ନିଊନ’’ ।

(ଏଜନ୍‌-ପଞ୍ଚମ ଛାନ୍ଦ, ପଦ ୩)

୭୪.

‘‘ସତ୍ୱରେ ସୁପକାରମାନେ            ଆଣନ୍ତି ବିଶେଷ ଯତନେ

ଅମୃତକୁ ବିଜିତ            ଅମୃତ କର ବର୍ତ୍ତ

ଅମୃତ କୁଣ୍ଡ କୋରାମାନ ସେ ।

ସୁ ସୁବର୍ଣ୍ଣ ସଦୃଶ            ସୁବର୍ଣ୍ଣ ସୁପନସ

ସୁପକ୍ୱ ସପୁରି ପନସ’’

(ଏଜନ୍‌-ଏକାଦଶ ଛାନ୍ଦ, ୨ ପଦ)

୭୫.

‘‘ବୋଇଲା ସରପୁଳୀ ପୁଳୀ ହଂସ କେଳି ୟେ

ବୋଇଲା ପୀୟୁଷ ରସଆବଳୀ ଘନସାର କେଳୀୟେ ।

ବୋଇଲା ଏ ଆଦି ବିଶେଷ ସରସ କ୍ଷିରୀ ସଜ୍ଜିତ ଏ

ବୋଇଲା ତହିଁ ଲେଶ ଶେଷ ନୁହଇ କହିଲେ ବହୁତ ଏ’’ ।

(ଏଜନ୍‌-ଏକାଦଶ ଛାନ୍ଦ, ୫ ପଦ)

୭୬.

ନୀଳଗିରି ବିହାର, ରାଜ୍ୟ ସଂଗ୍ରହାଳୟ, ପୋଥି ନଂ. ୦୫୦୩ ।

୭୭.

କେଦାରନାଥ ମହାପାତ୍ର-ଖୁରୁଧା ଇତିହାସ, ପୃ-୧୫୭

୭୮.

ନୀଳାଦ୍ରି ମହୋଦୟଃ (ସଂସ୍କୃତ)-

କ) ବୀରମିତ୍ରୋଦୟ ସିଂହ, ପ୍ରଥମ ପ୍ରକାଶନ, ୧୯୨୨

ଖ) ସଂପା : ଶ୍ରୀଧର ମହାପାତ୍ର ଶର୍ମା, ସୂତାହାଟ, କଟକ ପ୍ରଥମ ପ୍ରକାଶ, ୧୯୮୪

୭୯.

ପଦ୍ମପୁରାଣ, ଅଷ୍ଟାଦଶ ଅଧ୍ୟାୟ, ପୃ-୯୮, ୯୯

୮୦.

ସଂପା : ସୁଧାକର ପଟ୍ଟନାୟକ, ବ୍ରଜନାଥ ଗ୍ରନ୍ଥାବଳୀ, ୧୯୬୫, ମୁଖବନ୍ଧ, ପୃ-୬

୮୧.

ଶ୍ରୀରାଧା ପତି ପଦ ଚିନ୍ତନେ ସକଲ୍‌ ବିଘ୍ନ କର ନାଶ୍‌

କର ତହିଁ ନରହରି ଗୁଣ୍ଡିଚା ଯାତ୍‌ ବିଧି ପରକାଶ୍‌ ।।

ଆଷାଢ଼ ମାସ ପ୍ରବେଶ ଉଏ ଦୁସରେ ପ୍ରତିପନେଦିନ

ଦୀନ ହୀନ ଜନବନ୍ଧୁ ଯେ ନେତ୍ର ଜାତ ବିଧିକୀନ ।।

(ଗୁଣ୍ଡିଚା ବିଜେ-ବ୍ରଜନାଥ ଗ୍ରନ୍ଥାବଳୀ, ପୃ-୬୬୩)

x            x            x            x

ମର୍ଦ୍ଦଳ ଘଣ୍ଟ ମୃଦଙ୍ଗ ଉପାଙ୍ଗ ଅଉର ବେନ ବୀଣା ବୀର କାହାଲ ଭେରୀ

ତୈଲଙ୍ଗ ବାଦନ ସୁନ୍ଦର ଗାୟନ ମୋହନ ରାଗ ହେଁ ମାନସ ହାରୀ ।

(ଏଜନ୍‌-ପୃ-୬୬୫)

୮୨.

‘‘କାହାଁ ହରହର ଧ୍ୱନି, କାହାଁ କହେ ଗୀତରସ,....ପୃ-୬୬୪

କାହାଁ ବେଦପାଠ ପଠନ କାହାଁ ହୋଏ ପ୍ରେମବଶ ।’’

(ଏଜନ୍‌-ପୃ-୬୬୭)

୮୩.

‘‘ସାରଥି ଭଣ୍ଡ ମେ ଗାଲିଦିଏ ଯବ୍‌ ଖୁସ୍‌ଚଲେ ତବ ରାମକେ ଭାଇ

ହାଁ ହାଁ ହାଁ ହାଁ କରେ ଗହଲ ମେ ଠେଲଦେଁ କୋଇ ଯାଏ ।

କୋଇ ଭିଡ଼୍‌ମେ ରୁଚିର ରମଣୀ କୁଚକୁ ଆଞ୍ଚଲିଏ ।

ନେଲା ନେଲା କହ କହ କୋଇ କାନକୁ ମୁଦିଧାଏଁ ।

ମାଲୋ ମାଲୋ ଚୋଡ଼ିପୋ କି କଲା ବୋଲକେ ସୋର କିଏ ।’’

(ଏଜନ୍‌-ପୃ-୬୭୨)

୮୪.

‘‘ନନ୍ଦି ନିକେତନ ସ୍ୟନ୍ଦନ କେପର ବୈଠତ ଜୋ ଜଗନ୍ନାଥ ହୈପ୍ୟାରେ

ବାଦଲ କାଲ କାଲାମ୍ବୁଜ କାନ୍ତି ସୁକାନ୍ତ କଲ ମୁଖରାଜତ୍‌ ୟାରେ ।’’

(ଏଜନ୍‌-ପୃ-୬୬୯)

x            x            x

‘‘ନୟନ ମେ ଆନନ୍ଦନୀର ଝରେ, ଭର ପୁଲକ ସେ ତନୁ ଫୁଲା

ୟ ସମୟ ବ୍ରଜନାଥ ହୀନା, ଜଗନ୍ନାଥ ହଜୁର ମେ ମିଲା ।’’

(ଏଜନ୍‌-ପୃ-୬୭୮)

୮୫.

ଗୁଣ୍ଡିଚା ବିଜେ-ବ୍ରଜନାଥ ଗ୍ରନ୍ଥାବଳୀ, ପୃ-୬୬୬

୮୬.

‘‘ପଥପର ଦୋଦିନ ରାତ ଦୋ ରଥପର କର ମୁକାମ୍

ଦାଖଲ ହୈଁ ହରି ଗୁଣ୍ଡିଚା ମନ୍ଦିର ସୁନ୍ଦର ଧାମ ।

ପ୍ରଭୁ ବେଶ ଉଏ ଶିବ ଶେଷ ଜଏ ଜଗଦୀଶ କହିଁକୁର ନିସ କିଏ

କୁସ୍‌ କେତେ ମିଲା ରସଭାବ ଭୋଲା ଜଗନ୍ନାଥ ନୀଳାମ୍ବର ଦେଶଭୁଲା ।’’

(ଏଜନ୍-ପୃ-୮୭୩)

୮୭.

ହାସ୍ୟ ଗୀତିରସ ଶତକ : ସମ୍ପା. ଚକ୍ରଧର ମହାପାତ୍ର

ଯଦୁମଣି ଗ୍ରନ୍ଥାବଳୀ-ପୃ-୧୫

(*) ଜାନକୀ ବଲ୍ଲଭ ମହାନ୍ତି-ଓଡ଼ିଆ ଗୀତି କାବ୍ୟ, ୨୯୭୬, ପୃ-୨୩୮

୮୮.

‘‘କି ଅବା ଗୁଣ୍ଡିଚା ବିଜେ କଲେ ଜଗନ୍ନାଥ

ପୟୋଧି ମନ୍ଥନେ କିବା ହୋଇଲେ ଆଗତ ।’’

(ମଥୁରା ମଙ୍ଗଳ, ଦଶମ ଛାନ୍ଦ)

୮୯.

ଜାନକୀ ବଲ୍ଲଭ ମହାନ୍ତି - ଓଡ଼ିଆ ଗୀତିକାବ୍ୟ, ୧୯୭୬, ପୃ-୨୧୯

୯୦.

କୃଷ୍ଣ ଜଗନ୍ନାଥ ପ୍ରେମ ପରମାର୍ଥ ଅନୁରଥ ଯାତ୍ରା ବିବର୍ଦ୍ଧିନୀ

ଗୋବିନ୍ଦ ଉଜ୍ଜ୍ୱଳ ସୁଖାନନ୍ଦ ସ୍ଥଳ କମଳ ସଙ୍କୁଳ ସୁବାସିନୀ । ୧୯ ।

(ବିଦଗ୍‌ଧ ଚିନ୍ତାମଣି-ତ୍ରିଚତ୍ୱାରିଂଶ ଛାନ୍ଦ, ପୃ-୧୫୧)

୯୧.

ଅଭିମନ୍ୟୁ ସାମନ୍ତ ସିଂହାର      -      ଜଗନ୍ନାଥ ଜଣାଣ-କବି କଣ୍ଠେ ଶ୍ରୀଜଗନ୍ନାଥ- ପୃ-୧୦୪, ୧୦୬

୯୨.

ରତ୍ନାକର ସାହୁ      -      ଓଡ଼ିଶାର ଧର୍ମ ଓ ସାହିତ୍ୟକୁ ହାଡ଼ି ଦାସଙ୍କ ଦାନ, ପୃ-୩୫

୯୩.

ହେ ପ୍ରଭୁ କଳାଶ୍ରୀମୁଖ

ତୁମ୍ଭ ରଥଯାତ ଦେଖି ନପାରିଲି

ଦେବାରୁ ଦାରୁଣ ଦୁଃଖ ।’’

(ହାଡ଼ି ଦାସ-କଳାଶ୍ରୀମୁଖ ଜଣାଣ-କବି କଣ୍ଠେ ଜଗନ୍ନାଥ-ପୃ-୨୬୫)

୯୪.

‘ଭଲ୍ଲାଉତ୍ସବ ଲାଗିଛି ଏହୁ ଜାତ’      -      କବିକଣ୍ଠେ ଜଗନ୍ନାଥ, ପୃ-୧୫୯

୯୫.

ଜାନକୀ ବଲ୍ଲଭ ମହାନ୍ତି      -      ଓଡ଼ିଆ ଗୀତିକାବ୍ୟ, ପୃ-୨୩୭

୯୬.

ବିଶ୍ୱନାଥ ଖୁଣ୍ଟିଆ      -      ଜଗନ୍ନାଥ ଜଣାଣ-କବିକଣ୍ଠେ ଜଗନ୍ନାଥ,ପୃ-୧୩୨-୧୩୩

୯୭.

ଶ୍ରୀ ନୀଳଗିରି ଶିଖରେ’-ଜଗନ୍ନାଥ ଜଣାଣ-ଏଜନ୍‌ ପୃ-୧୩୪

୯୮.

ପହଣ୍ଡି ବିଜେ ବେଳେ ଓଡ଼ିଶା ରାଜନ

ଚନ୍ଦନ ଛେରା ପକାଇ ଖରକନ୍ତି ପୁଣ । ୨୧ ।

ତ୍ରେତ୍ରିଶ କୋଟି ଦେବତା କରନ୍ତି ଯେ ସ୍ତୁତି

ଏମନ୍ତ ଦେଖିଲା ଯହୁଁ ଦକ୍ଷିଣ ନୃପତି । ୨୨ ।

(ପୁରୁଷୋତ୍ତମ ଦାସ-କାଞ୍ଚିକାବେରୀ ଚରିତ-୪ର୍ଥ ଛାନ୍ଦ, ୨୧, ୨୨ ପଦ)

୯୯.

ସମ୍ପା : ଚକ୍ରଧର ମହାପାତ୍ର-ଯଦୁମଣି ଗ୍ରନ୍ଥାବଳୀ, ପ୍ରକାଶକ-ଦାସ ବ୍ରଦର୍ସ, ବ୍ରହ୍ମପୁର, ପୃ-୭୦

୧୦୦.

ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର-ପ୍ରଥମ କଳା, ୩୬ ପଦ ଯଦୁମଣି ଗ୍ରନ୍ଥାବଳୀ, ପୃ-୧୯୬

୧୦୧.

ଏଜନ୍ ଦ୍ୱିତୀୟ କଳା, ୫୨ ପଦ ଯଦୁମଣି ଗ୍ରନ୍ଥାବଳୀ ପୃ-୨୫୧

୧୦୨.

ଏଜନ୍ ତୃତୀୟ କଳା, ୪୪ ପଦ ଯଦୁମଣି ଗ୍ରନ୍ଥାବଳୀ ପୃ-୨୯୯

୧୦୩.

ଏଜନ୍ ଚତୁର୍ଥ କଳା, ୨୨ ପଦ ଯଦୁମଣି ଗ୍ରନ୍ଥାବଳୀ ପୃ-୩୨୪

୧୦୪.

ଏଜନ୍ ପଞ୍ଚମ କଳା, ୩୫ ପଦ ଯଦୁମଣି ଗ୍ରନ୍ଥାବଳୀ ପୃ-୩୬୨

୧୦୫.

ଏଜନ୍ ସପ୍ତମ କଳା, ୫୧ ପଦ ଯଦୁମଣି ଗ୍ରନ୍ଥାବଳୀ ପୃ-୪୩୮

୧୦୬.

ଏଜନ୍ ଅଷ୍ଟମ କଳା, ୫୭ ପଦ ଯଦୁମଣି ଗ୍ରନ୍ଥାବଳୀ ପୃ-୫୦୧

୧୦୭.

ଜାନକି ବଲ୍ଲଭ ମହାନ୍ତି-ଓଡ଼ିଆ ଗୀତିକାବ୍ୟ, ପୃ-୨୨୦

୧୦୮.

ଆସ ସଙ୍ଗାତ ଗୁଣ୍ଡିଚା ଯାତ

ଦେଖିଯିବା ପରା ଆସ ଗୋ

ବରଷା ଦେଖି ଭରସା ପାଉନି

ସହଜେ ଆଷାଢ଼ ମାସ ଗୋ ।’’

(ଆର୍ତ୍ତ ଦାସ-ଜଗନ୍ନାଥ ଜଣାଣ, କବିକଣ୍ଠେ ଜଗନ୍ନାଥ-ପୃ-୧୬୨)

୧୦୯.

‘‘ପତିତଜନଙ୍କୁ ଉଦ୍ଧାରି ପାପ ତାପ ନାଶିବେ

ପତିତପାବନ ନାମକୁ ସ୍ୱଭାବରେ ବହିବେ

ନନ୍ଦିଘୋଷ ଘୋଷ ଯାତ୍ରାକୁ ପ୍ରଭୁ ବଳାଇମନ

ଭକତ ଜନଙ୍କ ଉଦ୍ଧାର ଭାବେ ଆରତ ପ୍ରାଣ ।’’

(ଆର୍ତ୍ତ ଦାସ-ରଥ ବିଜେ ଉତ୍କଳ ପ୍ରସଙ୍ଗ, ଜୁଲାଇ, ୧୯୮୩ ପୃ-୫୨)

୧୧୦.

ରତ୍ନାକର ସାହୁ-ଓଡ଼ିଶାର ଧର୍ମ ଓ ସାହିତ୍ୟକୁ ହାଡ଼ି ଦାସଙ୍କ ଦାନ, ୧୯୮୦, ପୃ-୧୬୫

୧୧୧.

‘‘ବୁଢ଼ା ବଢ଼େଇ ସନ୍ତାନ ଯୁଗେ ଯୁଗେ ଥିବ

ବରଷକେ ତିନିରଥ ନିର୍ମାଣ ହୋଇବ ।’’

(କୃଷ୍ଣ ଦାସ-ଦେଉଳ ତୋଳା, ପୃ-୮)

୧୧୨.

(କ) ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ-କେଦାର ନାଥ ମହାପାତ୍ର ‘ଶ୍ରୀ ଜଗନ୍ନାଥ’-ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୮୨, ପୃ-୧୧୭

 

(ଖ) ଜାନକୀବଲ୍ଲଭ ମହାନ୍ତି-ଓଡ଼ିଆ ଗୀତିକାବ୍ୟ, ପୃ-୨୭୪

୧୧୩.

‘‘ନୀଳାଦ୍ରି ସିଂହ ! କିଲୀଳା ଲଗାଇଛ ଆଣି କି ?

ନିସ୍ତାରିବା ପାଇଁ ପତିତମାନଙ୍କୁ

ବିସ୍ତାରିଛ ବେନି ପାଣିକି ।’’

(ଗୌରୀଚରଣଙ୍କ ଜଣାଣ-କବିକଣ୍ଠେ ଜଗନ୍ନାଥ-ପୃ-୨୧୮)

୧୧୪.

କାଳିଆ କାହ୍ନୁ ! ଆଉ ବିଳମ୍ବ କର କାହିଁକି ?

ବରଷକେ ଥରେ ବିଜୟ ରଥରେ

ପତିତ ତାରିବା ପାଇଁକି !’’

(ଏଜନ୍‌-ପୃ ୨୧୩-୨୧୫)

୧୧୫.

‘‘ପ୍ରାଣ ସଙ୍ଗାତରେ ନୟନ ପୂରାଇ ଅନା

ଫରହର ହୋଇ କେମନ୍ତେ ଉଡ଼ଇ

ତିନିରଥେ ତିନିବାନା ।’’

(କ.କ. ଜଗନ୍ନାଥ-ପୃ-୨୧୬, ୨୧୭)

୧୧୬.

ରଥର ଦଉଡ଼ି ଲମ୍ବେ ଧାଡ଼ି ଧାଡ଼ି

କିବା ସେ ବାସୁକୀ ଫଣିକି

ନର ସ୍ୱରୂପେ ଅମରଗଣ ମିଶି

ସଧୀରେ ଧରନ୍ତି ଧାଣିକି । ୬ ।

କରି ଘୁଂ ଘୁଂ ଚଳେ ନନ୍ଦିଘୋଷ

କମ୍ପାଇ ଦିଏ ଧରଣୀକି । ୮ ।

(ଏଜନ୍‌-ପୃ-୨୧୯)

୧୧୭.

କଳାସିଂହ ! କାହିଁକି ଅଇଲୁରେ

ଶ୍ରୀ ନୀଳକନ୍ଦର ଛାଡ଼ି

ଭାଇଭଗ୍ନୀ ସଙ୍ଗେ ଘେନି କରି ରଙ୍ଗେ

ରହିଛୁ ଗୁଣ୍ଡିଚା ବାଡ଼ି ।’’

(ଏଜନ୍‌-ପୃ-୨୨୦)

୧୧୮.

ଭରତ ଦାସ-‘ଚକାଡ଼ୋଳା ଚିକ୍‌କଣ କଳା’-‘ଶ୍ରୀମନ୍ଦିର’ ପତ୍ରିକା ଜୁନ୍‌, ୧୯୮୨

୧୧୯.

‘ନ ଦେଖିଲି ଶ୍ରୀଜଗନ୍ନାଥଙ୍କ ଜାତ’ ଚଉପଦି-କ.କ. ଜଗନ୍ନାଥ, ପୃ-୧୫୩

୧୨୦.

କ.କ. ଜଗନ୍ନାଥ-ପୃ-୧୫୬

୧୨୧.

‘‘ସଜନୀ, ଚାଲ ଦେଖିବା

ପହଣ୍ଡି ବିଜୟେ ବଳିୟାରଭୁଜ ହେବେନି ।’’

ଶ୍ୟାମସୁନ୍ଦର ଭଞ୍ଜଙ୍କ ଜଣାଣ-

(କ.କ. ଜଗନ୍ନାଥ, ପୃ-୧୫୬)

୧୨୨.

‘ସଖୀ ଗୋ, ନନ୍ଦିଘୋଷ ରଥେ ଦେଖିଲି ଯାଇ’-କବି ମୁରାରି, କବିକଣ୍ଠେ ଜଗନ୍ନାଥ-ପୃ-୧୫୮

୧୨୩.

ବୈଷ୍ଣବ ପାଣି, କ. କଣ୍ଠେ ଜଗନ୍ନାଥ, ପୃ-୩୦୨

୧୨୪.

ଏଜନ୍-ପୃ-୩୦୩

୧୨୫.

‘‘ଆଜରେ ନବସାଜରେ ହେଉ ଜଗବନ୍ଧୁ ସଜରେ

ନନ୍ଦିଘୋଷ ରଥେ ବିଜେ ତେଜି ତୁଳିଶେଯରେ ।’’

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

(କ.କ. ଜଗନ୍ନାଥ-ପୃ-୩୫୯)

୧୨୬.

‘‘ବଡ଼ଦେଉଳରୁ ପହଣ୍ଡି ବିଜେ ଲୋ

କୃପାମୟ ଚକା ଆଖି

ଭକତିଜଳରେ ଜଡ଼ିସଡ଼ି କୋଟି

ନୟନ ରହିଛି ଲାଖି ଲୋ ।’’

(ବାଞ୍ଛାନିଧି ଦାସ-ଏଜନ୍‌-ପୃ-୪୩୮)

୧୨୭.

ଗୋକୁଳାନନ୍ଦ ମହାନ୍ତି-ବିଜେ ଜଗବନ୍ଧୁ-କବି କଣ୍ଠେ ଜଗନ୍ନାଥ, ପୃ-୪୪୫

୧୨୮.

ଏଜନ୍‌-ପୃ-୪୪୬, ୪୪୭

୧୨୯.

ନରହରି ଉପାଧ୍ୟାୟ-‘କଳାଶ୍ରୀମୁଖ ଜଣାଣ’-କ.କ. ଜଗନ୍ନାଥ-ପୃ-୪୫୪, ୪୫୫

୧୩୦.

ଗୋଲକଚନ୍ଦ୍ର ମହାନ୍ତି-‘ଚାଲ ନୀଳାଚଳ ଦରଶନେ’-ଏଜନ୍‌, ପୃ-୪୯୩

 

୧.

ସୁରେନ୍ଦ୍ର ମହାନ୍ତି-ନୀଳଶୈଳ, ଅଷ୍ଟମ ପରିଚ୍ଛେଦ (ପାଞ୍ଚ) ପୃ-୩୪୮, ୩୭୩

ପ୍ରକାଶକ : କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର, ପ୍ରଥମ ପ୍ରକାଶନ, ୧୯୬୮

 

୨.

ଏଜନ୍‌-ନୀଳଶୈଳ, ଦଶମ ପରିଚ୍ଛେଦ (ତିନି) ପୃ-୪୪୮, ୪୫୧

 

୩.

ଏଜନ୍‌-ନୀଳଶୈଳ, ଅଷ୍ଟମ ପରିଚ୍ଛେଦ (ପାଞ୍ଚ) ପୃ-୩୭୩

୧୩୧.

ଶ୍ରୀମତୀ ସୁନ୍ଦରମଣି ପଟ୍ଟନାୟକ-‘ଶ୍ରୀଗୁଣ୍ଡିଚା’-ଉତ୍କଳ ପ୍ରସଙ୍ଗ, ୩୪ଶ ଭାଗ, ଜୁଲାଇ,

୧୯୭୮ ପୃ-୧୭-୧୮

୧୩୨.

‘‘ମୋ ଚକା ଆଖିଆ, ଟାହିଆ ଚୁଳିଆ, ଉଠ ମୋ କାଳିଆ ଠାକୁର

ଭାଇ ଭଉଣୀଙ୍କୁ ରଥରେ ବସାଇ ଏପରି କରୁଛ ଉଛୁର, ଏଇକି ବିବେକ ତୁମର’’ ।୧।

(କବିକଣ୍ଠେ ଜଗନ୍ନାଥ-ପୃ-୫୫୦-୫୫୧)

୧୩୩.

‘ହେ ପ୍ରାର୍ଥନା ! ତୁମେ ଆଜି ହୁଅ ରଥାରୂଢ଼

ଜୟଯାତ୍ରାକର ମଣିଷର ଚଲାପଥେ ।’’

(ସଚ୍ଚି ରାଉତରାୟ-ଶ୍ରୀଗୁଣ୍ଡିଚା, କ. କଣ୍ଠେ ଜଗନ୍ନାଥ-ପୃ-୫୮୮-୫୮୯)

୧୩୪.

ଉତ୍କଳ ପ୍ରସଙ୍ଗ, ରଥଯାତ୍ରା ବିଶେଷାଙ୍କ, ୩୨ଶ ଭାଗ, ଦ୍ୱାଦଶ ସଂଖ୍ୟା, ଜୁଲାଇ, ୧୯୭୬

୧୩୫.

ଏଜନ୍‌ ରଥଯାତ୍ରା ବିଶେଷାଙ୍କ, ୩୩ଶ ଭାଗ, ଏକାଦଶ ସଂଖ୍ୟା, ଜୁନ୍‌ ୧୯୭୭

୧୩୬.

ଏଜନ୍‌ ରଥଯାତ୍ରା ବିଶେଷାଙ୍କ, ୩୪ଶ ଭାଗ, ଦ୍ୱାଦଶ ସଂଖ୍ୟା, ଜୁଲାଇ, ୧୯୭୮

୧୩୭.

ଏଜନ୍‌ ରଥଯାତ୍ରା ବିଶେଷାଙ୍କ, ୩୫ଶ ଭାଗ, ଏକାଦଶ ସଂଖ୍ୟା, ଜୁନ୍‌, ୧୯୭୯

୧୩୮.

ଏଜନ୍‌ ରଥଯାତ୍ରା ବିଶେଷାଙ୍କ, ୩୬ଶ ଭାଗ, ଦ୍ୱାଦଶ ସଂଖ୍ୟା, ଜୁଲାଇ, ୧୯୮୦

୧୩୯.

ଏଜନ୍‌ ରଥଯାତ୍ରା ବିଶେଷାଙ୍କ, ୩୭ଶ ଭାଗ, ଦ୍ୱାଦଶ ସଂଖ୍ୟା, ଜୁଲାଇ, ୧୯୮୧

୧୪୦.

ଏଜନ୍‌ ରଥଯାତ୍ରା ବିଶେଷାଙ୍କ, ୩୮ଶ ଭାଗ, ଦ୍ୱାଦଶ ସଂଖ୍ୟା, ଜୁଲାଇ, ୧୯୮୨

 

***

 

ବାଗ୍‌ବିଶେଷ

ସେମାନେ ପୋଡ଼ିଲେ କାହାକୁ

-‘‘କୋଣାର୍କ’’, ନାଁ ସମାଲୋଚନାର ପ୍ରଚଳିତ ଧାରା ?

 

ଚଳିତ ବର୍ଷ, ଅପ୍ରେଲ ପହିଲା ଥିଲା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସୁବର୍ଣ୍ଣ ଜୟନ୍ତୀ ଦିବସ । ଊନବିଂଶ ଶତାବ୍ଦୀର ଶେଷ ପାଦରେ, ଓଡ଼ିଆ ଭାଷାରକ୍ଷା ଆନ୍ଦୋଳନ ମଧ୍ୟରୁ ଉତ୍କଳ-ସମ୍ମିଳନୀ ଆନୁକୂଲ୍ୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ବସ୍ତୁତଃ ଓଡ଼ିଆ ଭାଷା ଏକ ପ୍ରତିବେଶୀ ଭାଷାର ଆକ୍ରମଣରୁ ରକ୍ଷା ପାଇବା ପରେ ଯାଇଁ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଚିନ୍ତା ବା ଭାବନା ଦାନାବାନ୍ଧି ପାରିଥିଲା । ସେଥିପାଇଁ ସେଦିନ ଓଡ଼ିଆ ଭାଷା ଚର୍ଚ୍ଚା ଓ ସାହିତ୍ୟସେବା, ଦେଶମାତୃକାର ସେବା ସହିତ ସମୀକୃତ ଥିଲା କହିଲେ, ଅତ୍ୟୁକ୍ତି ହେବନାହିଁ । ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ଇତିହାସରେ ତେଣୁ, ଓଡ଼ିଆ ଭାଷା ଓ ସାହିତ୍ୟର ଭୂମିକାକୁ ରେଖାଙ୍କିତ କରିବା ଅଭିପ୍ରାୟରେ, ଓଡ଼ିଶା ସାହିତ୍ୟ ଅକାଦମୀ, ଏହାର ତ୍ରୈମାସିକ ମୁଖପତ୍ର ‘‘କୋଣାର୍କ’’ର ଗୋଟିଏ ବିଶେଷ ସଂଖ୍ୟା, ମୋର ସମ୍ପାଦନାରେ ପ୍ରକାଶ କରିବା ପାଇଁ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ନେଇଥିଲେ । ସେହି ନିଷ୍ପତ୍ତି କ୍ରମେ ‘‘କୋଣାର୍କ’’ର ବିଶେଷ ସଂଖ୍ୟାଟି ଅପ୍ରେଲ ପହିଲା ଦିନ ପ୍ରକାଶିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜୟନ୍ତୀ ସମାରୋହରେ ଉନ୍ମୋଚିତ ହୋଇଥିଲା ।

 

ପାଠକମାନେ ଲକ୍ଷ୍ୟ କରିଥିବେ, ଏହି ବିଶେଷ ସଂଖ୍ୟାର ଦୁଇଗୋଟି ବିଭାଗ ରହିଛି । ପ୍ରଥମ ବିଭାଗଟି ହେଉଛି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ପୃଷ୍ଠଭୂମି ଓ ପ୍ରଦେଶ ଗଠନ ଆନ୍ଦୋଳନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବରପୁତ୍ରମାନଙ୍କ ସମ୍ପର୍କରେ ଆଲୋଚନା । ଉଲ୍ଲେଖ କରିବା ନିଷ୍ପ୍ରୋୟଜନ, ଓଡ଼ିଆରେ ଏପର୍ଯ୍ୟନ୍ତ ଏପ୍ରକାର ସଂଯୋଜନା ହୋଇନଥିଲା । ଏହା ଆମ୍ଭମାନଙ୍କର ପଥିକୃତ ଏକ ଉଦ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ । ପରବର୍ତ୍ତୀ କାଳରେ ଅନ୍ୟମାନଙ୍କୁ ଏ ଦିଗରେ ବିସ୍ତୃତତର ଉଦ୍ୟମ ପାଇଁ ଏହା ଯେ ଏକ ନିର୍ଭରଯୋଗ୍ୟ ଭିତ୍ତିଭୂମି ଯୋଗାଇବ, ସେଥିରେ ସନ୍ଦେହ ନାହିଁ । ଏହା ମଧ୍ୟ ସର୍ବଜନାଦୃତ ହୋଇ ପାରିଅଛି । ଏହାର ଦ୍ୱିତୀୟ ଭାଗଟି ଥିଲା, ସାହିତ୍ୟ ସମ୍ପର୍କିତ ।ଆଜକୁ ୫୦ ବର୍ଷତଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାଦିନୁ, ଇତିମଧ୍ୟରେ ଓଡ଼ିଆ ସାହିତ୍ୟର ଗୁଣାତ୍ମକ ଓ ପରିମାଣାତ୍ମକ ଅଭିବୃଦ୍ଧି ସମ୍ପର୍କରେ ଏକ ସର୍ବେକ୍ଷଣ ପ୍ରକାଶ କରିବା ଉଦ୍ଦେଶ୍ୟରେ ଏହି ବିଭାଗଟି ଉଦ୍ଦିଷ୍ଟ ଥିଲା । ସେଥିପାଇଁ କେତେକ ବିଶିଷ୍ଟ ଆଲୋଚକ ଓ ସମାଲୋଚକଙ୍କୁ ଆମ୍ଭେମାନେ ଅନୁରୋଧ କରିଥିଲୁ । ସେମାନେ ଆମ୍ଭମାନଙ୍କର ଅନୁରୋଧ ରକ୍ଷାକରି, ପ୍ରବନ୍ଧମାନ ପଠାଇଥିବାରୁ, ଆମ୍ଭେମାନେ ସେମାନଙ୍କଠାରେ ବାଧିତ । କିନ୍ତୁ କେତେକ ପ୍ରବନ୍ଧରେ କେତେକ ତୃଟି ବା ଅପୂର୍ଣ୍ଣତା ରହିଥିବା ହେତୁ, ସେ ସବୁ ବିବଦମାନ ହୋଇପଡ଼ିଲା !

 

ଏ ସମ୍ପର୍କରେ ମୋତେ ଦୁଇଗୋଟି ପତ୍ର ମିଳିଅଛି । ପ୍ରଥମ ପତ୍ରଟି ଲେଖିଛନ୍ତି, ଡକ୍ଟର ଫନୀ ମହାନ୍ତି । ସମ୍ପାଦନାର ମାନ୍ୟତାପ୍ରାପ୍ତ ବୃତ୍ତିଗତ ନୀତି ଦୃଷ୍ଟିରୁ ତାହା ନିମ୍ନରେ ଅବିକଳ ଉଦ୍ଧୃତ ହେଉଅଛି :

 

ମାନନୀୟେଷୁ,

ଆପଣଙ୍କ ସମ୍ପାଦନାରେ ପ୍ରକାଶ ପାଇଥିବା ‘‘କୋଣାର୍କ’’ର ଉତ୍କଳ ପ୍ରଦେଶ ସୁବର୍ଣ୍ଣ ଜୟନ୍ତୀ ବିଶେଷାଙ୍କ ସଂଖ୍ୟାଟି ପାଇଲି । ସେଥିପାଇଁ ଅଶେଷ ଧନ୍ୟବାଦ । ପତ୍ରିକାର ସୁନ୍ଦର ମୁଦ୍ରଣ ଓ ଆକର୍ଷଣୀୟ ପ୍ରଚ୍ଛଦ ପାଇଁ ବଧାଇ ଜଣାଉଛି । କେତୋଟି ଲେଖା ଅତି ଉଚ୍ଚକୋଟୀର ଓ ଉପାଦେୟ । ସର୍ବମୋଟ ୧୮ଟି ପ୍ରବନ୍ଧ ମଧ୍ୟରୁ ୧୦ଟି ପ୍ରବନ୍ଧର ଲେଖକ ହେଉଛନ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ବୃନ୍ଦ । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ନାଟକ, କବିତା, ଗଳ୍ପ, ଉପନ୍ୟାସ ଓ ସମାଲୋଚନା ସମ୍ପର୍କରେ ପ୍ରବନ୍ଧମାନ ପ୍ରକାଶ ପାଇଛି । ସମ୍ପାଦକଙ୍କର ଆଭିମୁଖ୍ୟ ଓ ରୁଚି ସମ୍ପର୍କରେ ଯଥେଷ୍ଟ ସଚେତନ ଥାଇ ବି, ଏ ଚିଠି ମୁଁ ଆପଣଙ୍କୁ ଲେଖିବାକୁ ବାଧ୍ୟ ହେଉଛି । ଉପରୋକ୍ତ ପାଞ୍ଚୋଟି ପ୍ରବନ୍ଧ ମଧ୍ୟରୁ କେବଳ ‘‘ସମାଲୋଚନା’’ ସାହିତ୍ୟ ଶୀର୍ଷକ ପ୍ରବନ୍ଧଟିକୁ ବାଦଦେଲେ ଅନ୍ୟ ଚାରୋଟିଯାକ ପ୍ରବନ୍ଧ ଭାରସାମ୍ୟହୀନ, ପକ୍ଷପାତଦୁଷ୍ଟ ଓ ଉଦ୍ଦେଶ୍ୟପ୍ରଣୋଦିତ । ଏହି ଲେଖାଗୁଡ଼ିକ କେବଳ ଯେ ଓଡ଼ିଆ ସାହିତ୍ୟର ପ୍ରଗତି ପଥରେ ପ୍ରତିବନ୍ଧକ ସୃଷ୍ଟି କରିବ ସେତିକି ନୁହେଁ, ଏହା ସାହିତ୍ୟର ଇତିହାସକୁ ବିକଳାଙ୍ଗ ଓ ବିଭ୍ରାନ୍ତ କରିବା ସଙ୍ଗେ ସଙ୍ଗେ ପାଠକକୁ ଦିଗ୍‌ଭ୍ରଷ୍ଟ କରିପକାଇବ । ଏକାଡେମୀ ପକ୍ଷରୁ କିଛି ମାସ ତଳେ ‘‘ସୂଚନା ଭବନ’’ରେ ଆୟୋଜିତ ହୋଇଥିବା ‘‘ସମାଲୋଚନା ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ’’ ଶୀର୍ଷକ ଆଲୋଚନାଚକ୍ରରେ ଉପସ୍ଥିତ ଥାଇ (ଜଣେ ଶ୍ରୋତାଭାବେ) ମୁଁ ଆପଣଙ୍କ ସଭାପତି ଅଭିଭାଷଣ ଶୁଣିବାର ସୁଯୋଗ ଲାଭକରି, ସେଦିନ ମନେ ମନେ ଗର୍ବ ଅନୁଭବ କରିଥିଲି । ନିରାଟ, ନିଷ୍ଠୁର ସତକଥା ରୋକ୍‌ଠୋକ୍ ଭାବେ କହିବାରେ ଆପଣ ଯେ କାର୍ପଣ୍ୟ କରନ୍ତି ନାହିଁ, ଏହା ମୁଁ ବହୁ ଆଗରୁ ଜାଣିଛି । ଆଜି ସେହିପରି ଜଣେ ସତ୍ୟଦ୍ରଷ୍ଟା (ଯେ କି ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସର ମଧ୍ୟ ସ୍ରଷ୍ଟା)ଙ୍କ ସମ୍ପାଦନାରେ ଏପରି ନିମ୍ନମାନର ରୁଚିବିବର୍ଜିତ ଲେଖାଗୁଡ଼ିଏ କିପରି ‘‘କୋଣାର୍କ’’ରେ ପତ୍ରସ୍ଥ ହୋଇ ପାରିଛି, ତାହା ହିଁ ମୋ ପାଇଁ ବିସ୍ମୟର କାରଣ !

 

ଦୀର୍ଘ ୧୬ ପୃଷ୍ଠାର ଆଲୋଚନା ଭିତରେ ଡକ୍ଟର ନିତ୍ୟାନନ୍ଦ ଶତପଥୀ ଓଡ଼ିଆ କବିତା ସମ୍ପର୍କରେ କ’ଣ ବା କହିବାକୁ ଚାହିଁଛନ୍ତି, ମୁଁ ଠିକ୍‌ ବୁଝି ପାରୁନାହିଁ । କବି ପ୍ରତିଭା ଶତପଥୀଙ୍କୁ ରମାକାନ୍ତ, ସୀତାକାନ୍ତ ଓ ସୌଭାଗ୍ୟ ମିଶ୍ରଙ୍କ ପରେ ଜଣେ ପ୍ରତିଷ୍ଠିତ କବିଭାବେ ପ୍ରମାଣିତ କରିବା ଯଦି ତାଙ୍କର ଏକମାତ୍ର ଉଦ୍ଦେଶ୍ୟ, ସେଥିପାଇଁ ତାଙ୍କ ନିଜ ସଂପାଦିତ ପତ୍ରିକା ‘‘ଇସ୍ତାହାର’’ କ’ଣ ଯଥେଷ୍ଟ ନୁହେଁ ? ‘‘କୋଣାର୍କ’’ ପରି ଏକ ବହୁ ମୂଲ୍ୟବାନ ସାହିତ୍ୟ ପତ୍ରିକାର ପୃଷ୍ଠା ସେଥିପାଇଁ ଅପଚୟ ହେବ କାହିଁକି ? ଈର୍ଷା, ପରଶ୍ରୀକାତରତା, କୁତ୍ସାରଟନା, ଭାରସାମ୍ୟହୀନ ବିଚାରବୋଧ, ତୋଷାମୋଦ ପ୍ରବଣତା, ସମ୍ବେଦନ ଓ ସହାନୁଭୂତି ଶୂନ୍ୟ ଚିନ୍ତାଧାରାରେ ଯେଉଁ ବ୍ୟକ୍ତିସତ୍ତାଟି ନିତ୍ୟ ନିୟମିତ ଜର୍ଜରିତ, ସେ ସାହିତ୍ୟର ଇତିହାସ ଲେଖିବସିଲେ, ସତ୍ୟର ଅପଳାପ ହିଁ କରି ବସିବ, ଏଥିରେ ଦ୍ୱିମତ ନାହିଁ । କ୍ଷମତାସୀନ ଲେଖକର ସ୍ତୁତି ଗାନରେ ଯେଉଁ ଆଲୋଚକର ଭାଷା ଶତମୁଖ ହୋଇଉଠେ, ତାଙ୍କଠାରୁ ନିରପେକ୍ଷ, ନିର୍ଭୀକ, ନୈର୍ବ୍ୟକ୍ତିକ ସତ୍ୟପାଠ ଆଶା କରିବା ବୃଥା-। ସେହିପରି ଖର୍ବକାୟ ବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇଥିବା ସମଧର୍ମୀମାନଙ୍କ ପ୍ରତି ତାଙ୍କର ଯେ କିଛିଟା ସମ୍ବେଦନା ରହିଛି, ତାହା ଯେ କେହି ସଚେତନ ପାଠକ, ଆଲୋଚନାଟି ପଢ଼ି ସହଜରେ ବୁଝିପାରିବ । ୫୦ ବର୍ଷର ଓଡ଼ିଆ କବିତାରେ କବି ପ୍ରହରାଜ ସତ୍ୟନାରାୟଣ ନନ୍ଦ, ବିଭୁଦତ୍ତ ମିଶ୍ର, ନୃସିଂହ କୁମାର ରଥ, ବ୍ରହ୍ମୋତ୍ରୀ ମହାନ୍ତି, ଫନୀ ମହାନ୍ତି, କୁମାର ମହାନ୍ତି, ହରିହର ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ, ଗୋପାଳକୃଷ୍ଣ ରଥ ଓ ନିତ୍ୟାନନ୍ଦ ପତି ପ୍ରମୁଖ କବିମାନେ କେଉଁ ମାପକାଠିର ଅଦ୍ଭୁତ ଗଜବାଡ଼ିରେ ଆନାଲୋଚିତ ହୋଇ ରହିଗଲେ, ଏ ପ୍ରଶ୍ନ ଜଣେ ସତୀର୍ଥ, ସମଧର୍ମା, ସଚେତନ ପାଠକଭାବେ ମୋର ଆପଣଙ୍କ ପରି ଜଣେ ବର୍ଷୀୟାନ, ନିର୍ଭୀକ, ନିରପେକ୍ଷ ଲେଖକଙ୍କୁ ! ବ୍ୟକ୍ତିଗତ ସମ୍ପର୍କ ଭିନ୍ନ କଥା, ସାହିତ୍ୟର ମୂଲ୍ୟାଙ୍କନ ଅନ୍ୟଏକ କଥା । ବ୍ୟକ୍ତିଗତ ସମ୍ପର୍କକୁ ଭିତ୍ତିକରି ଇତିହାସକୁ କଦର୍ଥ କରିବାର ଅଭିପ୍ରାୟ କ’ଣ ଯୁକ୍ତିଯୁକ୍ତ ?

 

ସେହିପରି ଓଡ଼ିଆ ଗଳ୍ପ ସମ୍ପର୍କରେ ଶ୍ରୀ ଶତ୍ରୁଘ୍ନ ପାଣ୍ଡବଙ୍କ ଲେଖାଟି ଯେପରି ଅଧ୍ୟାପକୀୟ ଶୈଳୀରେ ଲେଖାଯାଇଛି, ତାହା ଆଇ.ଏ. ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କିଛିଟା ସହାୟକ ହୋଇପାରେ । କିନ୍ତୁ ସେ ଲେଖା ପଢ଼ି ସାଧାରଣ ଆଗ୍ରହୀ ପାଠକଟିଏ ଯେ କୌଣସି ପ୍ରକାରେ ଉପକୃତ ହେବ ନାହିଁ, ଏହା ମୋର ବଦ୍ଧମୂଳ ଧାରଣା । ଆଭିମୁଖ୍ୟହୀନ ଲେଖା, ପ୍ରସଙ୍ଗହୀନ ଆଲୋଚନା, ଭାଷାଗତ କୋଷ୍ଠକାଠିନ୍ୟତା ପାଇଁ ଶ୍ରୀ ପାଣ୍ଡବ ପାଠକ ମହଲରେ ସୁପରିଚିତ । ତା’ଛଡ଼ା ୫୦ ବର୍ଷର ଗଳ୍ପ-ସାହିତ୍ୟ ସମ୍ପର୍କରେ ନିବନ୍ଧଟିଏ ପ୍ରସ୍ତୁତ କରିବା ପାଇଁ ଯେଉଁ ଗଭୀର ଅନ୍ତର୍ଦୃଷ୍ଟି, ମର୍ମାନୁଭୂତି, ଅସାଧାରଣ ପାଣ୍ଡିତ୍ୟ, ପ୍ରଜ୍ଞା ଓ ଅଧ୍ୟୟନ, ଅନୁଭୂତିର ବ୍ୟାପକତା ଓ ଗଭୀରତାର ପ୍ରୟୋଜନ ତାହା ତାଙ୍କପରି ଜଣେ ଅଳ୍ପ ବୟସର ଯୁବଲେଖକଙ୍କଠାରୁ ଆଶା କରିବା ବୃଥା ନୁହେଁ କି ? ହରିଶ୍ଚନ୍ଦ୍ର ବରାଳ, ପ୍ରାଣବନ୍ଧୁ କର, ଶ୍ରୀ ଧୁର୍ଜଟୀ, ଭୁବନେଶ୍ୱର ବେହେରା, ନାରୁ ମହାନ୍ତି, ଅରୁଣ ପଟ୍ଟନାୟକ ପ୍ରମୁଖ ଲେଖକମାନଙ୍କ ଅବଦାନ ଓଡ଼ିଆ ଗଳ୍ପର ବିକାଶରେ ଏକ ବିତର୍କର ବିଷୟ କି ? ଆଲୋଚନା ଶେଷରେ ଯେଉଁ ପରିଚିତ/ଅପରିଚିତ ଗାଳ୍ପିକମାନଙ୍କର ଏକ ଲମ୍ବା ନାମ ତାଲିକା ପତ୍ରସ୍ଥ କରିଛନ୍ତି, ତାହାର ଏକମାତ୍ର ଅଭିପ୍ରାୟ ନିଜର ନାମକୁ ସେଥିରେ ସାମିଲ୍‌ କରିବା ନୁହେଁକି ? ଶ୍ରୀ ପାଣ୍ଡବ କିଛି କିଛି କବିତା ଲେଖିଥିବା କଥା ପାଠକେ ଜାଣନ୍ତି ! ସେ ଯେ ସଂପ୍ରତି ଜଣେ ନାମଜାଦା କଥାକାର ଏହା ମୁଁ ‘କୋଣାର୍କ’ର ପୃଷ୍ଠାରୁ ହିଁ ପ୍ରଥମେ ଜାଣିବାର ସୌଭାଗ୍ୟ ଲାଭ କଲି । ଶ୍ରୀ ଚନ୍ଦ୍ରଶେଖର ରଥ କେଉଁ ପୀଢ଼ିର ଲେଖକ ଶ୍ରୀ ପାଣ୍ଡବ କ’ଣ ଜାଣନ୍ତି ନାହିଁ ?

 

ଓଡ଼ିଆ ନାଟକ ସମ୍ପର୍କରେ ଡଃ ହେମନ୍ତ କୁମାର ଦାସ ଯେଉଁ ଆଲୋଚନାଟି ଲେଖିଛନ୍ତି, ତାହା ବହୁ ଦୋଷରେ ଆକ୍ରାନ୍ତ । ପ୍ରଥମ କଥା, ବିଷୟବସ୍ତୁ ସହିତ ସେ ଆଲୋଚନାର କୌଣସି ଭାବଗତ ସମ୍ପର୍କ ନାହିଁ । ପ୍ରଥମ କେତୋଟି ପୃଷ୍ଠା ସେ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ପୃଷ୍ଠଭୂମିର ଅବତାରଣା କରିଅଛନ୍ତି । ତା’ପରେ ହଠାତ୍‌ ‘ବ୍ରହ୍ମା ବିଳିବିଳେଇଲେ ବେଦ’ ନ୍ୟାୟରେ ଓଡ଼ିଆ ନାଟକର କତିପୟ ନାଟ୍ୟକାରଙ୍କ କଥା ତରବରରେ କହି ପକାଇ ମନୋରଞ୍ଜନଙ୍କଠାରେ ଅଟକି ଯାଇଛନ୍ତି । ମୋର ପ୍ରଶ୍ନ ହେଉଛି, ମନୋରଞ୍ଜନ କ’ଣ ଏକମାତ୍ର ଆଧୁନିକ ନାଟ୍ୟକାର ? ପ୍ରାଣବନ୍ଧୁ କର, ବିଜୟ ମିଶ୍ର, ବିଶ୍ୱଜିତ୍‌ ଦାସ, ଆନନ୍ଦଶଙ୍କର ଦାସ, ହରି ମିଶ୍ର, ରମେଶ ପାଣିଗ୍ରାହୀ, କାର୍ତ୍ତିକ ରଥ ଓ ବନବିହାରୀ ପଣ୍ଡା କେଉଁ କାଳର ଲେଖକ ? ୫୦ ବର୍ଷର ନାଟ୍ୟ ସାହିତ୍ୟର ପରିସର ଭିତରେ, ସେମାନଙ୍କ ନାମୋଲ୍ଲେଖ ମଧ୍ୟ ହେବ ନାହିଁ, କେଉଁ ଯୁକ୍ତିରେ ?

 

ଶ୍ରୀ ସାମଲଙ୍କ ଆଲୋଚନା କୌଣସି ନିର୍ଦ୍ଦିଷ୍ଟ ମୋଡ଼ ନେଇ ନାହିଁ ବୋଲି ମୁଁ ବିଚାରୁଛି । ଏହା ତାଙ୍କର ନିତିଦିନିଆ ଏକ ଶୈଳୀଗତ ଫେସନରେ ପରିଣତ ହୋଇଛି । ବହୁ ଅନାମଧେୟ ଔପନ୍ୟାସିକଙ୍କ ସମ୍ପର୍କରେ କହିଲା ବେଳେ ଯେପରି ମାତ୍ରାଧିକ ପ୍ରଂଶସା କରନ୍ତି, ଖ୍ୟାତିପୂର୍ଣ୍ଣ ଔପନ୍ୟାସିକମାନଙ୍କ ଗୁଣଗାନ କରିବାରେ ସେ ସେହିପରି ଶତମୁଖ । ବହୁ ନାମ-ତାଲିକା ଭିତରେ ଡଃ ନୃସିଂହ ଚରଣ ପଣ୍ଡା ଓ ଧୂର୍ଜଟୀଙ୍କ ନାମ ଦେଖିବାକୁ ମିଳିଲା ନାହିଁ । ‘ସପ୍ତସିନ୍ଧୁ’ ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଲେଖକ ଡଃ ପଣ୍ଡାଙ୍କୁ ‘ସାହିତ୍ୟ ଏକାଡେମୀ’ ଏହାପରେ ମାନ୍ୟତା ଦେବ କି ନାହିଁ ତାହାହିଁ ଏକ ପ୍ରଶ୍ନବାଚୀ !

 

ଉପରୋକ୍ତ ଆଲୋଚନା ପଢ଼ି ସାରିଲା ପରେ ମୁଁ ପ୍ରାଜ୍ଞ ସମାଲୋଚକ ଶ୍ରୀଯୁକ୍ତ ଦାସଙ୍କ ମତକୁ ଏଠାରେ କେତେକାଂଶରେ ଉଦ୍ଧୃତ କରିବାକୁ ବାଧ୍ୟ ହେଉଛି । ‘‘x x x ଆଜିର ସମାଲୋଚନାସାହିତ୍ୟ ମୁଖ୍ୟତଃ ପ୍ରଚାରଧର୍ମୀ ଓ ସଚେତନ ଉଦ୍ଦେଶ୍ୟମୂଳକ । ସେମାନେ (ଓଡ଼ିଆ ଅଧ୍ୟାପକମାନେ) କେମିତି ସମାଲୋଚନା କରନ୍ତି, ଗବେଷଣା କରନ୍ତି, ତାହା ସେମାନେ ଜାଣନ୍ତି । x x x ଆତ୍ମ ପ୍ରବଞ୍ଚନାଠାରୁ ବଳି ଆତ୍ମଘାତି ଆଉ କ’ଣ ଅଛି ? ସେମାନଙ୍କ (ଓଡ଼ିଆ ଅଧ୍ୟାପକଙ୍କ) ନିଷ୍ଠା ଓ ପ୍ରତିପତ୍ତି ଦୂରର କଥା; ଜ୍ଞାନ, ରୁଚି ଓ ସମ୍ବେଦନା ମଧ୍ୟ ଠିକ୍‌ ଦେଖିବାକୁ ମିଳେନାହିଁ । x x x ବୁଦ୍ଧି ଅପରିଣତ । କେଉଁଠି କେମିତି ଜ୍ଞାନ ଥିଲେବି କାଣ୍ଡଜ୍ଞାନ ପ୍ରାୟ ନାହିଁ । ପ୍ରକାଶିତ ସମାଲୋଚନାରୁ ଅଧିକାଂଶ ହାସ୍ୟକର ଓ ଅପାଠ୍ୟ, ଅବ୍ୟାପ୍ତି କି ଅତିବ୍ୟାପ୍ତି ଦୋଷଦୁଷ୍ଟ । x x x ଅନେକଙ୍କ ଭାଷାଜ୍ଞାନ ଏପରି ଦୁର୍ବଳ ଯେ ବର୍ଣ୍ଣାଶୁଦ୍ଧିହୀନ, ବ୍ୟାକରଣଗତ ଶୁଦ୍ଧବାକ୍ୟ ଖୋଜିଲେ, ନମିଳିପାରେ ।’’

 

ଆପଣଙ୍କ ସମ୍ପାଦନାରେ ପ୍ରକାଶିତ ‘‘କୋଣାର୍କ’’ର ଆଧୁନିକ ସାହିତ୍ୟ ସମ୍ପର୍କୀୟ ଆଲୋଚନାଗୁଡ଼ିକ ପ୍ରତି ଶ୍ରୀ ଦାସଙ୍କର ଏହି ସ୍ପଷ୍ଟୋକ୍ତି ପ୍ରଯୁଜ୍ୟ ନୁହେଁକି ?

 

‘‘ଆଶା କୁଶଳରେ ଥିବେ, ପ୍ରଣାମ ନେବେ ।’’ ଇତି : ଫନୀ ମହାନ୍ତି, ସାଧାରଣ ପରିଷଦ ସଭ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ ।

 

ଦ୍ୱିତୀୟ ପତ୍ରଟି ଲେଖିଛନ୍ତି, ପ୍ରଫେସର ଡକ୍ଟର ଗୋପାଳ ଚନ୍ଦ୍ର ମିଶ୍ର । ତାଙ୍କର ପତ୍ରଟି ମଧ୍ୟ ନିମ୍ନରେ ଉଦ୍ଧୃତ ହେଉଅଛି ।

 

 

ମାନନୀୟେଷୁ,

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରକାଶିତ ‘କୋଣାର୍କ’ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ଦେଖିଲି । ଆପଣ ଏକାଡେମୀର ଦାୟିତ୍ୱ ନେବା ପରଠାରୁ ‘କୋଣାର୍କ’ ପତ୍ରିକାରେ ଲେଖା ଦେବାପାଇଁ ଆପଣ ଲେଖକମାନଙ୍କ ପକ୍ଷରୁ ଲେଖା କିପରି ଭାବରେ ସଂଗ୍ରହ କରନ୍ତି, ସେ ବିଷୟରେ ମୋର ଧାରଣା ନାହିଁ । ତେବେ ମୁଁ କେବେ ‘କୋଣାର୍କ’ ପତ୍ରିକା ପାଇଁ ଲେଖା ଲେଖିବା ପାଇଁ ସମ୍ପାଦକଙ୍କଠାରୁ କୌଣସି ସୂଚନା ପାଇନାହିଁ । ଏଥର ‘ସୁବର୍ଣ୍ଣ ଜୟନ୍ତୀ’ ‘କୋଣାର୍କ’ ସଂଖ୍ୟାରେ ଯେଉଁମାନେ ଲେଖିଛନ୍ତି, ସେମାନଙ୍କୁ ମନୋୟନ କରିବାର ପ୍ରଣାଳୀ ଏବଂ ଭିତ୍ତି କଅଣ ? କୋଣାର୍କ ଏବଂ ସାହିତ୍ୟ ଏକାଡେମୀର ପୃଷ୍ଠପୋଷକତା ପାଇଲେ କ’ଣ ପ୍ରାବନ୍ଧିକମାନେ ସ୍ୱକୀୟ ଏବଂ ସ୍ୱଗୋତ୍ରୀୟ ପ୍ରଶଂସା କରି ଲେଖା ଲେଖିବେ, ନା ଓଡ଼ିଆ ସାହିତ୍ୟର ସାମୂହିକ ବିକାଶର ଚିତ୍ର ନିରପେକ୍ଷ ଭାବରେ ପରିବେଷଣ କରିବେ ? ଆପଣଙ୍କ ଉକ୍ତ ସଂଖ୍ୟାରେ ପ୍ରକାଶିତ ଓଡ଼ିଆ କବିତା ଶୀର୍ଷକ ପ୍ରବନ୍ଧ କେବଳ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏବଂ ବନ୍ଧୁବାନ୍ଧବଙ୍କର ପ୍ରଶସ୍ତି ଉଲ୍ଲେଖ କରିବାରେ ପରିପୂର୍ଣ୍ଣ । ବଡ଼ ଦୁଃଖ ଲାଗୁଛି ଯେ ଆପଣଙ୍କ ସମ୍ପାଦନାରେ ଏପରି ଏକତରଫା ଏବଂ ଅଭିସନ୍ଧିପୂର୍ଣ୍ଣ ଆଲୋଚନା ପ୍ରକାଶ ପାଇଛି । ଏକଦା ମୁଁ ସାହିତ୍ୟ ଏକାଡେମୀର ସଭ୍ୟ ଏବଂ କାର୍ଯ୍ୟନିର୍ବାହିକା ସମିତିର ସଭ୍ୟଥିଲି । ମୁଁ ଦେଖୁଛି ସାହିତ୍ୟ ଏକାଡେମୀର ମୋ ପ୍ରତି କୌଣସି କ୍ଷେତ୍ରରେ ବିଚାର ନାହିଁ । ‘ନମସ୍କାର’

 

ସ୍ନେହାଧୀନ,

ଗୋପାଳ ଚନ୍ଦ୍ର ମିଶ୍ର

 

ଏହା ବ୍ୟତୀତ ଗତମାସ ୨୧ ତାରିଖ ଦିନ ସନ୍ଧ୍ୟାରେ ଭୁବନେଶ୍ୱର ସହରରେ ସନ୍ଧ୍ୟା ୭ ଘଣ୍ଟା ୫ ମିନିଟ୍‌ ସମୟରେ ସାତ ଜଣ ଯୁବକ ଅଳକା କୋପରେଟିଭ୍‌ ଷ୍ଟୋର ନିକଟରେ, ରାସ୍ତା ଉପରେ ‘କୋଣାର୍କ’ର ଏହି ବିଶେଷ ସଂଖ୍ୟାଟିକୁ ନିଆଁ ଲଗାଇ ପୋଡ଼ିଥିଲେ । ସେତେବେଳେ ଆଉ ଦୁଇଜଣ ବୟସ୍କ ସାହିତ୍ୟସେବୀ ସେମାନଙ୍କଠାରୁ ଅଦୂରରେ ଠିଆ ହୋଇଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା । ‘କୋଣାର୍କ’ ପୋଡ଼ି ଥିଲା ଏହି ସାତଜଣ ତରୁଣ ସାହିତ୍ୟସେବୀଙ୍କର ପ୍ରତିବାଦର ସଙ୍କେତ । ଗଣତାନ୍ତ୍ରିକ ରାଷ୍ଟ୍ର ଓ ସମାଜରେ ପ୍ରତିବାଦ ପାଇଁ ସମସ୍ତଙ୍କର ସ୍ୱାଧୀନତା ରହିଛି । ତେଣୁ ସେମାନେ ଯେପରି ‘‘କୋଣାର୍କ’’ ପତ୍ରିକାକୁ ସେଦିନ ପୋଡ଼ିଲେ, ସେଥିରେ ବ୍ୟକ୍ତିଗତ ଭାବରେ ମୁଁ ଆଦୌ କ୍ଷୁଣ୍ଣ ବା ଦୁଃଖିତ ନୁହେଁ । କିନ୍ତୁ, ସେମାନେ କେଉଁ କାରଣରୁ ‘‘କୋଣାର୍କ’’ ପତ୍ରିକାକୁ ପୋଡ଼ିଲେ, ତାହା ସର୍ବସାଧାରଣରେ ପ୍ରକାଶ କରିଥିଲେ ତାହା ସାହିତ୍ୟିକ-ଜନୋଚିତ ହୋଇଥାଆନ୍ତା । ପୁଣି ଯେଉଁମାନେ ‘କୋଣାର୍କ’ ପୋଡ଼ିଲେ, ସେମାନେ ସ୍ମରଣ ରଖିବା ଉଚିତ୍, ସାହିତ୍ୟ ହେଉଛି ଅକ୍ଷରମାଳିନୀ କୀର୍ତ୍ତି । ଏହା ଯେହେତୁ ଅକ୍ଷର, ଏହା ଅଦାହ୍ୟ । ଏହାର କ୍ଷୟ ନାହିଁ ! ଦିନେ ଜର୍ମାନୀର ନାଜି ହିଟ୍‌ଲର ଗ୍ରନ୍ଥ-ପୋଡ଼ିକୁ ଏକ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ପରିଣତ କରିଥିଲେ । ଯେଉଁସବୁ ସାହିତ୍ୟ ହିଟଲରଙ୍କର ନାଜି ବାତୁଳତାକୁ ପ୍ରଶୟ ଦେଉଥିଲା, ସେ ସବୁକୁ ପୋଡ଼ି ଧ୍ୱଂସ କରିଦେବା, ହିଟଲରଙ୍କର ଅଭିପ୍ରାୟ ଥିଲା । ମାତ୍ର ସେହି ଗ୍ରନ୍ଥଦାହ ମଧ୍ୟରୁ ତଥାପି ଜର୍ମାନୀରେ ବର୍ତ୍ତି ରହିପାରିଲା, କାର୍ଲମାର୍କ୍‍ସଙ୍କର ପ୍ରସିଦ୍ଧ ‘‘କମ୍ୟୁନିଷ୍ଟ ମାନିଫାସ୍‌ଷ୍ଟୋ’’ର ପ୍ରଥମ ସଂସ୍କରଣ ! ତାହା ପୁଣି ନାଜିମାନଙ୍କର ଏକ ପୁସ୍ତକାଗାରରେ ! ଏକ ସମୟରେ ଭାରତରେ ବହୁ ବୌଦ୍ଧଶାସ୍ତ୍ର, ବିଧର୍ମୀମାନଙ୍କ ଆକ୍ରମଣରେ ବିନିଷ୍ଟ ହୋଇଥିଲା । ମାତ୍ର ସେସବୁର ପ୍ରତିଲିପି ତିବ୍ଦତ୍‌ଠାରୁ ଆରମ୍ଭ କରି ମଙ୍ଗୋଲିଆ ପର୍ଯ୍ୟନ୍ତ ବହୁ ଦେଶରେ ଆଜି ସୁରକ୍ଷିତ ହୋଇ ରହିପାରିଛି । ତେଣୁ ଖଣ୍ଡେ ‘‘କୋଣାର୍କ’’କୁ ପୋଡ଼ିଦେଲେ, ତାହା ଯେ ଧରାପୃଷ୍ଠରୁ ଲିଭିଗଲା, ତାହା ଆଦୌ ନୁହେଁ ! ସାହିତ୍ୟ କ୍ଷେତ୍ରରେ ପ୍ରତିବାଦ ଚଳେ ତର୍କ, ଯୁକ୍ତି ଓ ସାହିତ୍ୟ ରଚନା ମାଧ୍ୟମରେ । କିନ୍ତୁ ପେଟ୍ରୋଲ ଢାଳି ନିଆଁ ଲଗାଇବାରେ ନୁହେଁ ! ଯେଉଁମାନେ ଏହା କରନ୍ତି, ସେମାନେ ନିଜର ହାତ ଓ ମୁହଁରେ କଳା ବୋଳିଥାନ୍ତି ମାତ୍ର !

 

ପତ୍ରପ୍ରେରକମାନଙ୍କର ସମାଲୋଚନାର ଯୌକ୍ତିକତାକୁ ମୁଁ ଅସ୍ୱୀକାର କରୁନାହିଁ । ଓଡ଼ିଆ କବିତାର ସର୍ବେକ୍ଷଣରେ ବିନୋଦ ନାୟକଙ୍କ ପରି ଜଣେ ରସୋତ୍ତୀର୍ଣ୍ଣ, ସାର୍ଥକ କବି କିପରି ବାଦ ପଡ଼ିଗଲେ ବା ସାମ୍ପ୍ରତିକ କାଳର ଲବ୍‌ଧପ୍ରତିଷ୍ଠ କବି ଶ୍ରୀ ରାଜେନ୍ଦ୍ର ପଣ୍ଡାଙ୍କୁ, କେବଳ ମାତ୍ର ଥରେ ନାମ ଉଚ୍ଚାରଣ କରି କିପରି ବାଦ୍‌ ଦିଆଗଲା, ତାହାର କାରଣ ବୁଝିହୁଏ ନାହିଁ । ସଚ୍ଚି ରାଉତରାୟଙ୍କ ପୂର୍ବରୁ ଓଡ଼ିଆ କବିତାର ବିଷୟବସ୍ତୁ ତଥା ଆଙ୍ଗିକରେ ବିନୋଦ ନାୟକ, ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲେ । ଏମାନଙ୍କୁ ବାଦଦେଲେ, ଓଡ଼ିଆ କବିତାର ସର୍ବେକ୍ଷଣ ଯେ ଅସଂପୂର୍ଣ୍ଣ ରହିଯିବ, ସେଥିରେ ସନ୍ଦେହ ନାହିଁ । ଶ୍ରୀମତୀ ପ୍ରତିଭା ଶତପଥୀଙ୍କର ଏକାଧିକବାର ନାମୋଲ୍ଲେଖରେ କିଛି ଆପତ୍ତି ଥାଇ ନପାରେ ! ଶ୍ରୀମତୀ ଶତପଥୀ ନିଜର କୃତିତ୍ୱ ବଳରେ ସାମ୍ପ୍ରତିକ କାଳରେ ଜଣେ କବି ରୂପରେ ସ୍ୱୀକୃତି ପାଇପାରିଛନ୍ତି । କିନ୍ତୁ ସେଥି ସଙ୍ଗେ ସଙ୍ଗେ ବିନୋଦ ନାୟକ, ବ୍ରହ୍ମୋତ୍ରୀ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ଫନୀ ମହାନ୍ତି, ଦେବଦାସ ଛୋଟରାୟ, ହରିହର ମିଶ୍ର, କୁମାର ମହାନ୍ତି ଓ ଆହୁରି କେତେକଙ୍କୁ ବିଲ୍‌କୁଲ୍‌ ପାଶୋରିଦେବା, ପାଠକମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିବା ସ୍ୱାଭାବିକ । ସେହିପରି ଭାବରେ ଉପନ୍ୟାସର ସର୍ବେକ୍ଷଣରେ ସମଦର୍ଶୀତାର ଅଭାବ ପରିଲକ୍ଷିତ ହୋଇଥାଏ । କୌଣସି ଜଣଙ୍କୁ ବଡ଼ କରି ଥୋଇବା ଉଦ୍ଦେଶ୍ୟରେ ଗୋଷ୍ଠୀ ଗଢ଼ାଯାଇପାରେ; କିନ୍ତୁ ସମାଲୋଚନା କ୍ଷେତ୍ରରେ ତାହା ଆଦୌ ଚଳେନାହିଁ । ନାଟକ କ୍ଷେତ୍ରରେ ସେହିପରି ମନୋରଞ୍ଜନ ଦାସଙ୍କ ପୂର୍ବବର୍ତ୍ତୀ ପ୍ରାଣବନ୍ଧୁ କରଙ୍କୁ କେଉଁ ବିଚାରରେ ପାଶୋରି ଦିଆଗଲା ବା ସମସାମୟିକ କାଳର ରମେଶ ପାଣିଗ୍ରାହୀ, ବିଜୟ ମିଶ୍ର, ରତ୍ନାକର ଚଇନି, ବିଶ୍ୱଜିତ୍‌ ଦାସ ପ୍ରମୁଖଙ୍କୁ ବାଦ୍‌ ଦିଆଗଲା, ତାହା ବୁଝିବା ପ୍ରକୃତରେ କଠିନ । ଆଉ କ୍ଷୁଦ୍ରଗଳ୍ପ ସମ୍ପର୍କରେ ଯେଉଁ ଆଲୋଚନା ହୋଇଚି, ତାହା ପ୍ରକୃତରେ କୌଣସି ନୋଟ ବହିରେ ଚଳିପାରେ ସିନା, ଏକ ସମ୍ଭ୍ରାନ୍ତ ପତ୍ରିକାରେ ନୁହେଁ ! ପୁଣି କ୍ଷୁଦ୍ରଗଳ୍ପ ସମ୍ପର୍କିତ ପ୍ରବନ୍ଧ ସମ୍ପର୍କରେ ଲେଖକମାନଙ୍କର ଯେଉଁ ଲମ୍ବା ତାଲିକା ଦିଆଯାଇଛି, ତାହା ପାଠକ ମନରେ ଭୋଟର ତାଲିକାର ଭ୍ରମ ସୃଷ୍ଟି କରିବା ଅସ୍ୱାଭାବିକ ନୁହେଁ ! ରାଜନୈତିକ ଇତିହାସରେ ଅନେକେ ରାଜନୀତି କ୍ଷେତ୍ରକୁ ଆସିଥାଆନ୍ତି; ମାତ୍ର କ୍ୱଚିତ୍‌ ସେମାନଙ୍କ ମଧ୍ୟରୁ କେତେକ କେବଳ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଓ ଭୂମିକା ଯୋଗୁ ଇତିହାସରେ ସ୍ମରିତ ହୋଇପାରିଥାଆନ୍ତି ! ସାହିତ୍ୟ କ୍ଷେତ୍ରରେ ମଧ୍ୟ ଠିକ୍‌ ସେଇଆ ! ଏହା ଅପ୍ରୀତିକର ହେଲେହେଁ ଏକ କଠୋର ସତ୍ୟ । ସମାଲୋଚନା ଓ ସାହିତ୍ୟର ଇତିହାସ ବା ସର୍ବେକ୍ଷଣ କଦାପି ଏକ ଭୋଟର ଲିଷ୍ଟ ହୋଇନ ପାରେ !

 

ସଂପ୍ରତି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଗୋଷ୍ଠୀ ଗଠନ, ତାରଣ, ମାରଣ, ସ୍ତମ୍ଭନ, ଉଚ୍ଚାଟନର ଯେଉଁ ପ୍ରବୃତ୍ତି ଦେଖାଦେଇଛି, ଅଧିକାଂଶ ପତ୍ରିକାରେ ପ୍ରକାଶିତ ଆଲୋଚନା ବା ସମାଲୋଚନାରେ ଏବେ ତାହାର ପ୍ରତିଫଳନ ଦେଖିବାକୁ ମିଳୁଅଛି । ଏଥିରେ ନା ଅଛି ସମଦର୍ଶିତା, ନା ଅଛି ଶ୍ରଦ୍ଧା, ନା ଅଛି ଅନ୍ତର୍ଦୃଷ୍ଟି । ପରିଣାମରେ ଏସବୁ ସ୍ୱାଭିରୁଚିସମ୍ପନ୍ନ ବିବରଣୀଧର୍ମୀ ଓ ନାମ ତାଲିକାରେ ପରିଣତ ହୋଇ ପଡ଼ୁଛି । ସାମ୍ପ୍ରତିକ ଓଡ଼ିଆ ସମାଲୋଚନା ସାହିତ୍ୟରେ ଦୈନ୍ୟର କାରଣ ଏହିଠାରେ । ‘‘କୋଣାର୍କ’’ ପୋଡ଼ି ସାମ୍ପ୍ରତିକ ଓଡ଼ିଆ ସମାଲୋଚନାର ସେହି ଦୈନ୍ୟ ଓ ଅପୂର୍ଣ୍ଣତାକୁ ରେଖାଙ୍କିତ କରିଅଛି ମାତ୍ର । ମୋର ମନେହୁଏ ସେମାନେ ପୋଡ଼ିଛନ୍ତି ଓଡ଼ିଆ ସମାଲୋଚନାର ଏହି ବିକୃତିକୁ । ‘‘କୋଣାର୍କ’’ର ବିଶେଷ ସଂଖ୍ୟାକୁ ନୁହେଁ ।

 

ଏସବୁ ସମ୍ପାଦକ ଭାବରେ ମୋର ଦୃଷ୍ଟିକୁ ଯେ ନ ଆସିଥିଲା, ନୁହେଁ । କିନ୍ତୁ, ବୃତ୍ତିଗତ ନୀତି ଦୃଷ୍ଟିରୁ, ପ୍ରବନ୍ଧମାନଙ୍କରେ ମୌଳିକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ପଡ଼ିଲେ ପ୍ରଥମେ ଲେଖକମାନଙ୍କ ସହିତ ଆଲୋଚନା କରି ଓ ସେମାନଙ୍କର ମତାମତ ନେଇ, ପରିବର୍ତ୍ତନ, ପରିବର୍ଦ୍ଧନ କରିବା ସମ୍ପାଦକଙ୍କର କର୍ତ୍ତବ୍ୟ । ମାତ୍ର ପ୍ରବନ୍ଧସବୁ ବିଳମ୍ବରେ ହସ୍ତଗତ ହୋଇଥିବାରୁ, ନିର୍ଦ୍ଦିଷ୍ଟ ସମୟରେ ପତ୍ରିକା ପ୍ରକାଶନର ଚାହିଦା ଦୃଷ୍ଟିରୁ, ସେଥିପାଇଁ ସମୟ ନଥିଲା । ପୁଣି ପ୍ରବନ୍ଧଗୁଡ଼ିକୁ ଅନୁରୋଧ କରି ଲେଖକମାନଙ୍କଠାରୁ ଅଣାଯାଇଥିବାରୁ, ସେଗୁଡ଼ିକୁ ନାକଚ କରିଦେବାର ଉପାୟ ମଧ୍ୟ ନଥିଲା ! ପାଠକମାନଙ୍କର ବିଚାର ଉପରେ ମୁଁ ତାହାକୁ ଛାଡ଼ିଦେଇଥିଲି-। ଯାହାହେଉ, ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଗତ ୫୦ ବର୍ଷ ମଧ୍ୟରେ, ଓଡ଼ିଆ ସାହିତ୍ୟର ଗୁଣାତ୍ମକ, ସମଦୃଷ୍ଟିସମ୍ପନ୍ନ ଏକ ସର୍ବେକ୍ଷଣ ପ୍ରକାଶ କରିବାପାଇଁ, ଓଡ଼ିଆ ସାହିତ୍ୟ ଅକାଦମୀ ପକ୍ଷରୁ ଉଦ୍ୟମ କରାଯିବ । ମୁଁ ଆଶା କରୁଛି, ଏହାପରେ ‘‘କୋଣାର୍କ’’ ବିଶେଷ ସଂଖ୍ୟାର ସାହିତ୍ୟ ବିଭାଗ ଘେନି ଯେଉଁ ଅସନ୍ତୋଷ କେତେକ ମହଲରେ ପ୍ରକାଶ ପାଇଛି, ତାହା ଯଥାର୍ଥ ହେଲେହେଁ, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ ।

x            x            x            x

 

କିନ୍ତୁ ପ୍ରଶ୍ନ ଉଠୁଛି, ସମାଲୋଚନାର ଧର୍ମ କ’ଣ ? ସ୍ୱରୂପ କିପରି ? ଟି. ଏସ୍‌. ଏଲିଅଟ୍‌ କବି ଭାବରେ ତାଙ୍କ ପୂର୍ବ ପ୍ରତିଷ୍ଠା ଏବେ ହରାଇ ପାରିଥାନ୍ତି, ମାତ୍ର ସମାଲୋଚକ ଭାବରେ ଇଂରାଜୀ ସାହିତ୍ୟରେ ତାଙ୍କର ପ୍ରତିଷ୍ଠା ଆଜିସୁଦ୍ଧା ଅନାହତ ରହିଅଛି । ଏଲିଅଟ୍‌ “The Frontiers of Criticism” ପ୍ରବନ୍ଧରେ ଏବର ସମାଲୋଚକମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରିଅଛନ୍ତି “Lemon squeezer critic” ଓ “Workshop critic.” ପ୍ରଥମ ଶ୍ରେଣୀର ସମାଲୋଚକମାନେ ହେଲେ, ଲେମ୍ବୁ ଚୁପୁଡ଼ା ଶ୍ରେଣୀର । କେଉଁ କବି ବା ଲେଖକ, କାହିଁକି ଲେଖିଲେ, କ’ଣ ଲେଖିଲେ, କି ବାର୍ତ୍ତା ସେ ପାଠକ ସମାଜକୁ ପ୍ରସାରିତ କରିବାକୁ ଚାହାଁନ୍ତି, ତାହାର ଅନ୍ତର୍ଦୃଷ୍ଟିସମ୍ପନ୍ନ ସମୀକ୍ଷା ନକରି, ସେମାନେ କିପରି ଲେଖିଲେ, ସେହି ସମ୍ପର୍କରେ ଉଦ୍ଧୃତିକଣ୍ଟକିତ ଗୁଡ଼ିଏ କ୍ଲାନ୍ତିକର କାଠୁରିଆ ଆଲୋଚନା କରିଥାଆନ୍ତି । ଦ୍ୱିତୀୟ ଶ୍ରେଣୀର ସମାଲୋଚନା ହେଲା- କ୍ଲାସ୍‌ରୁମ୍‌ରେ ପଢ଼ାଇବା ବେଳେ, ଛାତ୍ରମାନଙ୍କୁ ନୋଟ୍‌ ଡାକିବା ପରି । ସାମ୍ପ୍ରତିକ ଓଡ଼ିଆ ସମାଲୋଚନାରେ ଚକୁଳି ଖାଇବାର ଯେତେ ଉଦ୍ୟମ ନାହିଁ, ସେତେ ଅଛି ବିନ୍ଧ ଗଣିବାର ଶୁଷ୍କ ପାଣ୍ଡିତ୍ୟ ! ଶ୍ରଦ୍ଧା ଓ ଅନ୍ତର୍ଦୃଷ୍ଟି ନ ଥିଲେ, କୌଣସି ସମାଲୋଚକ କଦାପି କୌଣସି ସାହିତ୍ୟ କୃତିର ଯଥାର୍ଥ ମୂଲ୍ୟାଙ୍କନ କରିପାରିବ ନାହିଁ ।

 

ଜଣଙ୍କୁ ‘ଯୁଗପ୍ରବର୍ତ୍ତକ’ ବା ସମ୍ରାଟ କହି, ଅନ୍ୟମାନଙ୍କୁ ଗୌଣ କରିଦେବା, ଗୋଷ୍ଠୀପ୍ରଚାରକମାନଙ୍କର କର୍ମ ସିନା, ତାହା ସମାଲୋଚକମାନଙ୍କର ଧର୍ମ ନୁହେଁ ! କେଉଁ ନିୟାମକରେ କିଏ ‘‘ଯୁଗ ପ୍ରବର୍ତ୍ତକ’’ ହେଲେ ତାହାର ତୁଳନାତ୍ମକ ବିଶ୍ଳେଷଣ ନ ଥିଲେ ଓ ସେ ସମ୍ପର୍କରେ ସିଦ୍ଧାନ୍ତ ତଥ୍ୟଭିତ୍ତିକ, ତର୍କସମ୍ମତ ନହେଲେ, ନିଜର ଉଦ୍ଦେଶ୍ୟ ଓ ଅଭିରୁଚି ସମ୍ପନ୍ନ ସିଦ୍ଧାନ୍ତକୁ କେବଳ ପାଠକ ସମାଜ ଉପରେ ଲଦି ଦେଲେ, ତାହା କେହି କଦାପି ଗ୍ରହଣ କରିବେ ନାହିଁ । ଉଭୟ ଇଂରାଜୀ ଓ ସଂସ୍କୃତ ସାହିତ୍ୟରେ ଏହାହିଁ ସମାଲୋଚନାର ଧର୍ମ ରୂପେ ସ୍ୱୀକୃତି ଲାଭ କରି ଆସିଅଛି ।

 

ଏଠାରେ ପୁଣି ସ୍ମରଣ ରଖିବାର ଅଛି, ଆଲୋଚକ ବା ସମାଲୋଚକମାନଙ୍କର କଲମ ଗାରରେ, କୌଣସି ଲେଖକ ବା କବି କଦାପି ମୁଖ୍ୟ ବା ଗୌଣ ହୋଇଯାଏ ନାହିଁ ! କାଳ ହିଁ ହେଉଛି, ତାହାର ସର୍ବଶେଷ ବିଚାରକ ! ଅଷ୍ଟାଦଶ ଶତାବ୍ଦୀର ସମାଲୋଚକ ଓ ଐତିହାସିକମାନେ ପ୍ରଶ୍ନ କରୁଥିଲେ, ଏ ସେକସ୍‌ପିଅର ଲୋକଟି କିଏ ? କିନ୍ତୁ ତା’ର ପରବର୍ତ୍ତୀ ଶତାବ୍ଦୀଠାରୁ ସେକସ୍‌ପିଅର ଚିରନ୍ତନ ସାରସତ୍ୱ ସତ୍ତାରେ ପରିଣତ ହୋଇପାରିଛନ୍ତି । ସେହିପରି ଇଂରାଜୀ କବି ଟି.ଏସ୍‌. ଏଲିଅଟ୍‌ ସେଦିନ ସମଗ୍ର ବିଶ୍ୱ କବିତାରେ ଜଣେ ଯୁଗାନ୍ତକାରୀ ଅବତାର ରୂପେ ବିବେଚିତ ହେଉଥିଲେ । କିନ୍ତୁ ଆଜି ସେହି ଏଲିଅଟ ବିଂଶ ଶତାବ୍ଦୀର ଜଣେ “Major minor-poet” ରୂପେ ବିବେଚିତ ହେଲେଣି ! ସମାଲୋଚକମାନଙ୍କର କଲମରେ କୌଣସି କବି ବା ଲେଖକ କେବେ ଅମର ହୋଇନାହିଁ । ସେ ହୋଇଛି କେବଳ ତା’ର ନିଜର କୃତି ଓ ସାଧନାରେ । ସମାଲୋଚକମାନେ କବି ଓ ଲେଖକମାନଙ୍କର ରଚନା ବା କୃତିରେ ଯେଉଁ ଅପୂର୍ଣ୍ଣତା ରହିଗଲା, ତାହାକୁ ପରିପୂର୍ଣ୍ଣ କରି ଶ୍ରଦ୍ଧା ଓ ଅନ୍ତର୍ଦୃଷ୍ଟିର ସହିତ ଆଉ ଏକ ନୂତନ ସୃଷ୍ଟିରେ ରୂପାନ୍ତରିତ କରି, ପାଠକମାନଙ୍କ ଆଗରେ ଉପସ୍ଥାପିତ କରିପାରିଲେ, ସମାଲୋଚକଙ୍କର ସିଦ୍ଧି ଓ ସଫଳତା ପ୍ରତିଷ୍ଠିତ ହୋଇପାରିବ । ଲେଖକମାନଙ୍କର ଅକାରଣ ପ୍ରଶଂସା ବା ଅଯଥା ନିନ୍ଦା, ଉପେକ୍ଷା ବା ବହୁ ଉଲ୍ଲେଖ ସମାଲୋଚକର ଧର୍ମ ନୁହେଁ ! ସମାଲୋଚକର ଭୂମିକା ସମ୍ପର୍କରେ ଏଠାରେ ଟି. ଏସ. ଏଲିଅଟଙ୍କର ଗୋଟିଏ ଉଦ୍ଧୃତି ଦେଇ, ମୁଁ ଏହି ଆଲୋଚନା ଶେଷ କରୁଅଛି-

 

“The critic accordingly is a literary critic if his primary interest, in writing criticism, is to help his readers to understand and enjoy. But he must have other interests, just as much as the poet himself; for the literary critic is not merely a technical expert, who has learned the rules to be observed by the writers he criticises : the critic must be the whole man, a man with convictions and principles and of knowledge and experience of life.”

 

ଏଥିରେ କୁହାଯାଇଛି, ସମାଲୋଚକ କେବଳ ଜଣେ ଟେକ୍‌ନିକାଲ ଏକ୍‌ସ୍‌ପଟ୍‌ ନୁହେଁ । ସମାଲୋଚକ ଜଣେ ନୀତିନିଷ୍ଠ, ବିବେକ ସମ୍ପନ୍ନ ବ୍ୟକ୍ତି ହୋଇଥିବା ଆବଶ୍ୟକ । ଜୀବନ ସମ୍ପର୍କରେ ପୁଣି ତାଙ୍କର ଅନୁଭୂତି ଓ ଜ୍ଞାନ ଗଭୀର ହୋଇଥିବା ଆବଶ୍ୟକ ।

 

ଗୋଟିଏ ଶବ୍ଦରେ ମୁଁ ଏ ସବୁକୁ କହିଛି ‘ଅନ୍ତର୍ଦୃଷ୍ଟି’ । ରସ ପ୍ରସାରଣ ସମାଲୋଚକର ଧର୍ମ-। ରସ-ସଂହାର ନୁହେଁ ।

 

ଅଳମତି ବିସ୍ତରେଣ ।

ସୁରେନ୍ଦ୍ର ମହାନ୍ତି

***

 

ଓଡ଼ିଆ ସାହିତ୍ୟ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମ

 

 

***

 

ଏକାଡେମୀ ସମାଚାର

 

(କ)

ଓଡ଼ିଶା ସାହିତ୍ୟ ଏକାଡେମୀର ସାରସ୍ୱତ ସମ୍ବର୍ଦ୍ଧନା-

ଗତ ୨୫ । ୪ । ୮୬ରିଖ ଅପରାହ୍‌ଣରେ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ ସମିତି ବୈଠକରେ ଓଡ଼ିଶାର ୧୪ ଜଣ ବୟୋଜ୍ୟେଷ୍ଠ ବରିଷ୍ଠ ସାହିତ୍ୟ-ସାଧକଙ୍କୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ନିମିତ୍ତ ଚଳିତ ବର୍ଷ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବରିଷ୍ଠ ସାହିତ୍ୟିକ ଗଣଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ତା୧୫।୬।୮୬ରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାର ସ୍ଥିର କରାଯାଇଛି । ସମ୍ବର୍ଦ୍ଧିତ ହେବାକୁ ଯାଉଥିବା ସାହିତ୍ୟିକମାନଙ୍କ ନାମ ନିମ୍ନରେ ପ୍ରଦାନ କରାଗଲା ।

 

ଶ୍ରୀ ଅନନ୍ତ ପଟ୍ଟନାୟକ

ଶ୍ରୀ ହରିହର ପଟେଲ

ଶ୍ରୀ ଉମେଶ ଚନ୍ଦ୍ର ପାଣିଗ୍ରାହୀ

ଶ୍ରୀ ରଜନୀକାନ୍ତ ଦାସ

ଶ୍ରୀ ଶତ୍ରୁଘ୍ନ ନାଥ

ଶ୍ରୀ ରାଧାମୋହନ ପାଣିଗ୍ରାହୀ

ଶ୍ରୀ ଗୋପାଳ ଛୋଟରାୟ

ପଣ୍ଡିତ ଶ୍ରୀଧର ହୋତା

ଶ୍ରୀ ଚିତ୍ତରଞ୍ଜନ ଦାସ

୧୦

ଶ୍ରୀ ସୁଧାଂଶୁ ଶେଖର ରାୟ

୧୧

ଶ୍ରୀମତୀ ନନ୍ଦିନୀ ଶତପଥୀ

୧୨

ପଣ୍ଡିତ ଦାଶରଥି ଦାଶ

୧୩

ଶ୍ରୀ ଭାଗିରଥୀ ପୂଜାରୀ

୧୪

ଶ୍ରୀ ନିତ୍ୟାନନ୍ଦ ଆଚାର୍ଯ୍ୟ

 

(ଖ)

ଶ୍ରୀ ଅମୃତରାୟଙ୍କ ‘‘କଲମ୍‌ କା ସିପାହୀ’’ ହିନ୍ଦୀ ପୁସ୍ତକଟି ଶ୍ରୀ ଅଜୟ କୁମାର ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଆରେ ଅନୂଦିତ ହୋଇ ଏକାଡେମୀ ଦ୍ୱାରା ପ୍ରକାଶ କରାଯିବ ବୋଲି ଏ ବୈଠକରେ ସ୍ଥିର କରାଗଲା ।

 

(ଗ)

ଓଡ଼ିଶା ସାହିତ୍ୟ ଏକାଡେମୀର ସାହିତ୍ୟିକ ବିନିମୟ କାର୍ଯ୍ୟକ୍ରମ-

ଓଡ଼ିଶା ସାହିତ୍ୟ ଏକାଡେମୀର ସାହିତ୍ୟିକ ବିନିମୟ କାର୍ଯ୍ୟକ୍ରମରେ ଚଳିତ ବର୍ଷ ସାହିତ୍ୟିକ ଡକ୍ଟର ବାଉରୀବନ୍ଧୁ କରଙ୍କୁ ମଣିପୁର ରାଜ୍ୟକୁ ପଠାଯାଇଥିଲା ।

 

ଡଃ କର ଜାନୁଆରୀ ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ମଣିପୁରରେ ରହି, ଫେରିଆସିଛନ୍ତି । ଏହି ସ୍ୱଳ୍ପ ସମୟ ମଧ୍ୟରେ ସେ ମଣିପୁରର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମମାନ ଦର୍ଶନ କରି ତା’ ବିଷୟରେ ସମ୍ୟକ୍‌ ଧାରଣା ଅର୍ଜନ କରିପାରିଛନ୍ତି । ମଣିପୁରରେ ରହଣି ସମୟରେ ତାଙ୍କୁ ମଣିପୁରୀ ସାହିତ୍ୟ ପରିଷଦ ଏକ ବକ୍ତୃତା ଦେବାପାଇଁ ନିମନ୍ତ୍ରଣ କରିଥିଲେ । ସେମାନଙ୍କ ଅନୁରୋଧ କ୍ରମେ ସେ ଜାନୁଆରୀ ୨୦ ତାରିଖରେ "Historical and Cultural background of Evolution of Oriya Literature ଶୀର୍ଷକ ଏକ ବକ୍ତୃତା ଦେଇଥିଲେ । ସେଇ ସଭାରେ ମଣିପୁର ବିଶ୍ୱବିଦ୍ୟାଳୟର ବରିଷ୍ଠ ଗବେଷକ ପ୍ରଫେସର ଥୋବି ସିଂ ପ୍ରମୁଖ ଯୋଗ ଦେଇଥିଲେ । ମଣିପୁରରେ ରହଣିକାଳ ମଧ୍ୟରେ ସେଠାକାର ବିଶିଷ୍ଟ ସାହିତ୍ୟିକ ଇ. ନୀଳକଣ୍ଠଙ୍କ ସହିତ ଡଃ କର ସାକ୍ଷାତ କରିବାର ସୁଯୋଗ ପାଇଥିଲେ ।

***

 

ସଂପାଦକୀୟ

 

ପରଲୋକରେ ଚନ୍ଦ୍ରଶେଖର ମିଶ୍ର

 

କବି, ଅନୁବାଦକ ଓ ସମାଲୋଚକ ଚନ୍ଦ୍ରଶେଖର ମିଶ୍ର ଆଉ ଇହ ଜଗତରେ ନାହାନ୍ତି । ଗତ ଏପ୍ରିଲ ୧୨ ତାରିଖରେ କଟକ ଜିଲ୍ଲାର ଆଠଗଡ଼ ସରକାରୀ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି-ଅବଶ୍ୟ ପରିଣତ ବୟସରେ, ୮୪ ବର୍ଷ ବୟସରେ । ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଆଜି ତାଙ୍କରି ଉଦ୍ଦେଶ୍ୟରେ ଅଶ୍ରୁ-ତର୍ପଣ କରୁଅଛି ।

 

୧୯୨୦ରେ ଓଡ଼ିଆ ସାହିତ୍ୟରେ ସବୁଜ ଦଳର ଆବିର୍ଭାବ । ସର୍ବଶ୍ରୀ ଅନ୍ମଦା ଶଙ୍କର ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ହରିହର ମହାପାତ୍ର ଓ ଶରତ ଚନ୍ଦ୍ର ମୁଖାର୍ଜୀ ପଞ୍ଚସଖା ।

 

ଚନ୍ଦ୍ରଶେଖର ସେତେବେଳେ ରେଭନ୍‌ସା ଛାତ୍ର । ସେମାନଙ୍କର ସମସାମୟିକ । ଅଗ୍ରଗଣ୍ୟ ସବୁଜ ଦଳ ସହିତ ତାଙ୍କର ଯୋଗସୂତ୍ର ନଥିଲା । ସବୁଜ ଦଳ ଯେତେବେଳେ ତାଙ୍କର ନୂତନ ଯୁଗର ସ୍ୱପ୍ନ ଓ ପରିକଳ୍ପନାକୁ ନେଇ ମୁକ୍ତ ଛନ୍ଦରେ, ମାତ୍ରା ଛନ୍ଦରେ କବିତା ରଚନା କରୁଥିଲେ, ଚନ୍ଦ୍ରଶେଖର ସେତେବେଳେ କବିତା ଲେଖୁଥିଲେ ଚୋଖି, ଆଷାଢ଼ଶୁକ୍ଳ, ଶଙ୍କରାଭରଣ ଓ ଗୋପୀଭାଷା ବୃତ୍ତରେ । ପୁରାତନ ରକ୍ଷଣଶୀଳତାର ସେ ଉପାସକ ଥିଲେ ବୋଲି ମନେହୁଏ ।

 

ଉତ୍କଳ ସାହିତ୍ୟ ପତ୍ରିକା ୧୩୩୩ ସାଲ ୩୦ଶ ଭାଗ ପୌଷ ୨ୟ ସଂଖ୍ୟାରେ ତାଙ୍କର ‘‘ଖଣ୍ଡ କବିତା-ପ୍ରାଚୀନ ଓ ଆଧୁନିକ’’ ପ୍ରବନ୍ଧରେ ସେ ସ୍ୱକୀୟ ମନୋଭାବ ପ୍ରକାଶ କରିଥିଲେ-

 

‘‘ଉଭୟ ଶ୍ରେଣୀର କବିତା ତରୁଣ ପାଠକଙ୍କ ନିକଟରେ ତୁଲ୍ୟ ରୂପେ ଚିତ୍ତାକର୍ଷକ ଏବଂ ଉତ୍ତେଜନାତ୍ମକ (Sensational) । କଳ୍ପନା କୁଶଳତା (Romanticism) ଆମ୍ଭେମାନେ ଉଭୟ କବିତାରେ ଊଣାଧିକ ରୂପେ ଦେଖିବାକୁ ପାଉଁ । ମାତ୍ର ଯୁଗଧର୍ମ ଯୋଗୁଁ ସେହି କଳ୍ପନା ଏବଂ ଭାବ ପ୍ରକାଶ ଭିନ୍ନ ଭିନ୍ନ ପଥରେ ଗତି କରେ । ଉକ୍ତ କଳ୍ପନା-ଚାତୁର୍ଯ୍ୟ ବାସ୍ତବ ରାଜ୍ୟରେ ଘଟିପାରେ ବା ନପାରେ । ଶେଷରେ ବକ୍ତବ୍ୟ ଏହି ଯେ, ପ୍ରାଚୀନ କବିତା ଆଲୋଚନା କଲେ ଦେଖାଯାଏ, ଆଧୁନିକ କବି କିଛି ନୂଆ କଥା କହୁ ନାହାନ୍ତି, କିନ୍ତୁ ଯାହା ପୂର୍ବରୁ କୁହାଯାଇଅଛି ବା ଯାହା ଲେଖା ଯାଇଅଛି, ତାହାକୁ ପୁଣି ନୂତନ ଭାବରେ କହୁ ଅଛନ୍ତି । ତେବେ, ଇଂରେଜୀ ଏବଂ ବଙ୍ଗଳା ସାହିତ୍ୟର ଅନୁକରଣରେ ସମୟ ସମୟରେ କେତେଗୁଡ଼ିଏ ନୂଆ ଚିନ୍ତା ଏବଂ ନୂଆ କଥା ଦେଖିବାକୁ ମିଳେ । ମାତ୍ର ତାହା ସଂଖ୍ୟାରେ ଅତି ଅଳ୍ପ ବୋଲି ଜଣାଯାଏ ।’’

 

ତାଙ୍କର ମୌଳିକ କବିତାମାନ ସେ ସଂଯତ ଭାବ ଓ ସଂଯତ ଭାଷାରେ ପ୍ରକାଶ କରିଛନ୍ତି-। ନିମ୍ନୋକ୍ତ କବିତାମାନଙ୍କରୁ ସହଜରେ ତାହା ଜଣାପଡ଼ିଥାଏ-

 

‘‘ସଂସାରର କୋଳାହଳ

ଜୀବନର ହଳାହଳ

ତେଜି ଆଜି ଶୂନ୍ୟ ମନେ ବହୁଦିନ ପରେ ।

ଶେଷ ଦମ୍ଭେ ତରୀ ବାହି

ଏକାକୀ ଚଳଇ କାହିଁ ?

ଶୂନ୍ୟ ପଥଯାତ୍ରୀ ଆହା ଦିଗଦିଗନ୍ତରେ ।’’

 

(ସରିତ ପ୍ରବାହେ, ଉତ୍କଳ ସାହିତ୍ୟ ୧୩୩୩ ସାଲ, ୩୦ଶ ଭାଗ, ଶ୍ରାବଣ, ଚତୁର୍ଥ ସଂଖ୍ୟା)

 

ରାଗ-ଆଷାଢ଼ ଶୁକ୍ଲ-

‘‘ସୁନ୍ଦରୀରେ ଆଜି ଦୁର୍ଦ୍ଦିନ ମୋର

ମାଡ଼ିଆସେ ଚାହୁଁ ନୈରାଶ୍ୟ ଘୋର,

କରୁଁ ଖସି ପଡ଼େ ବୀଣା ଅବନୀ

ଭାଳୁଣୀରେ କାଳ ଗଲାରେ ଧନି !

ଆସିବୁ ତୁ ସତେ,

ହେବ କି ମିଳନ ଆଉ ମରତେ ?’’

 

(ଚାରଣ କବିର ଗୀତ, ଉତ୍କଳ ସାହିତ୍ୟ ୧୩୩୪ ସାଲ, ୩୦ଶ ଭାଗ, ଆଶ୍ୱିନ ଷଷ୍ଠ ସଂଖ୍ୟା)

 

ଗୋପୀଭାଷା ବୃତ୍ତେ-

‘‘ମରମ ଯାତନା ନପାରେ ସହି,

ବିଫଳ ଜୀବନ ଯାଉଛି ବହି ।

ଘୋର ଦୁଃଖେ ଫାଟି ଗଲାଣି ଛାତି

ଅଶ୍ରୁମୁଖୀ କାନ୍ଦେ ଦିବସ ରାତି ।।

 

(ଅଶ୍ରୁମୁଖୀ, ଉତ୍କଳ ସାହିତ୍ୟ ୧୩୩୪ ସାଲ, ୩୧ଶ ଭାଗ, ଶ୍ରାବଣ, ଚତୁର୍ଥ ସଂଖ୍ୟା ।)

 

‘‘ସମୀର ସଙ୍ଗୀତ’’ ଶୀର୍ଷକରେ ଚନ୍ଦ୍ରଶେଖର କେତେଗୁଡ଼ିଏ ସଙ୍ଗୀତ ରଚନା କରିଥିଲେ ।

 

‘‘ସୋଦରେ ହେ ପଡ଼ୁନାହିଁ କି ମନେ’’ ବୃତ୍ତରେ

‘‘କିଏ ସେ ଗୋ ଡାକଇ ସାଗର ସେପାରେ

ପାରାବାର ତୀରେ ଭାସି ଅଶ୍ରୁ ନୀରେ

ମରମରେ ଘାରି ଆକୁଳ ଚିତ୍କାରେ । ୦ ।

କୁହେଳି ଅନ୍ଧାର ଘନ

 

ଆବରେ ଭୂମି ଗଗନ,

ମଧ୍ୟେ ଗରଜଇ ସିନ୍ଧୁ କାଳରୂପୀ

ମାଡ଼ି ଆସେ ବିଜନ,

ଶୁଖିଯାଏ ଜୀବନ

ପଥ କାହିଁ ନାହିଁ ଏକା ବସି ଚାହିଁ

ହାତ ଠାରି ଡାକେ ନୀରବ ପୀଡ଼ାରେ ।’’

 

(ଉତ୍କଳ ସାହିତ୍ୟ, ୧୩୩୩ ସାଲ, ୩୦ଶ ଭାଗ, ଜ୍ୟେଷ୍ଠ, ଦ୍ୱିତୀୟ ସଂଖ୍ୟା ।)

 

ଚନ୍ଦ୍ରଶେଖରଙ୍କ ପୂର୍ବରୁ କବି ଗୋଦାବରୀଶ, ପଦ୍ମଚରଣ, ଶଚୀନ୍ଦ୍ରନାଥ ଓ ଆଉ କେହି କେହି ଇଂରେଜୀ କବିତାରୁ ଓଡ଼ିଆକୁ ଅନୁବାଦ କରୁଥିଲେ । ମାତ୍ର ଅଜୟ ଚନ୍ଦ୍ର ଦାସ ମୁଖ୍ୟତଃ ଅନୁବାଦକ, ଇଂରେଜୀ କବିତାର ଅନୁବାଦ ‘‘ଶ୍ୱେତଦ୍ୱୀପ ବୀଣା’’ ନାମରେ ଓ Lay of the Last Menstrel’’ ଓ ‘‘ଶେଷବନ୍ଦୀ ଭାରତ’’ ନାମରେ ଅନୁବାଦ କରିଯାଇଛନ୍ତି । ଚନ୍ଦ୍ରଶେଖର ସେହିପରି Sir Walter Scott ଙ୍କର Lady of the Lake କାବ୍ୟ ଅନୁବାଦ କରିଛନ୍ତି ‘‘ସର ସୁନ୍ଦରୀ’’ ନାମରେ-

 

ମୂଳ-

Alice Brand-The Lady of the Lake

‘‘Merry it is in the good green wood,

When the man's and merle are singing

When the deer sweeps by and hounds are in cry

And the hunter’s horn is ringing.’’

‘‘O Alice Brand, my native Land

Is lost for love of you,

And we most held by wood wold,

As outlaws want to do.’’

 

ଅନୁବାଦ-

‘‘ଭରା ପ୍ରୀତିରେ ଶ୍ୟାମଳ ବନ

କୋଇଲି ଟିପା ଚୁଇଁ ନିସ୍ୱନ,

ରଚଇ ମୃଗ ପବନ ଯାନ

ଗରଜେ ପଛେ ଶିକାରୀ ଶ୍ୱାନ,

ଶିକାର ମଦେ ଶିଙ୍ଗା ଶବଦେ

ଦୂରୁ ଶିକାରୀ କରେ ଆହ୍ୱାନ;

(ଗରଜେ ପଛେ ଶିକାରୀ ଶ୍ୱାନ)

 

ମାନସୀ ମୋର ଶୁଣ ମାନସୀ

ତୋହରି ପ୍ରେମେ ସିନା ପ୍ରେୟସୀ,

ଛାଡ଼ିଲି ଦେଶ, ଛାଡ଼ିଲି ଘର

ଏବେ ଗହନ ଗିରି କନ୍ଦର,

ଶବର ସମ ଅତି ବିଷମ

କରିବ ସିନା ବାସ ଆମ୍ଭର !

(ଏବେ ଗହନ ଗିରି କନ୍ଦର ।)’’

 

ଏହା ବ୍ୟତୀତ ଇଂରେଜୀ କବି Sir Walter Scott, Lord Byron, P. B. Shelley, Keats, Words Worth ଓ Tennysonଙ୍କର ବହୁ କବିତା ଚନ୍ଦ୍ରଶେଖର ଓଡ଼ିଆ କବିତାରେ ରୂପାୟିତ କରିଛନ୍ତି ।

 

୧୯୪୭ରେ କାଳିଦାସଙ୍କର ‘‘ଋତୁସଂହାର’’ ଅନୁବାଦ କରିଛନ୍ତି ଆମର ଚନ୍ଦ୍ରଶେଖର ।

 

କାଳିଦାସ-

‘‘ପ୍ରଚଣ୍ଡ ସୂର୍ଯ୍ୟଃ ସ୍ପୃହଣୀୟ ଚନ୍ଦ୍ରମା

ସଦାବଗାହ କ୍ଷତ ବାରି ସଞ୍ଚୟଃ ।

ଦିନାନ୍ତ ରମ୍ୟୋଽଭ୍ୟୁପଶାନ୍ତ ମନ୍ମଥଃ

ନିଦାଘକାଳଃ ସମୁପାଗତ ପ୍ରିୟେ ! !’’

 

ଚନ୍ଦ୍ରଶେଖର-

‘‘ପ୍ରବେଶ ହେଲା ପ୍ରିୟେ ନିଦାଘ କାଳ,

ପ୍ରଚଣ୍ଡ ରବି, ଶଶି କିରଣ ଜାଳ

ଢାଳଇ, ଜଳାଶୟ କୃଶ, ଦିନାନ୍ତ

କି ସୁଖମୟ, କାମ ହୋଇଛି ଶାନ୍ତ ।’’

 

ଓଡ଼ିଆ ସାହିତ୍ୟକୁ ସେ ନାନା ଦିଗରେ ଋଦ୍ଧିମନ୍ତ କରିଯାଇଛନ୍ତି । ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ ନିମ୍ନୋକ୍ତ କେତୋଟି ଉଲ୍ଲେଖଯୋଗ୍ୟ-

 

୧.

କନଫୁସିଅସ (ଜୀବନୀ)

୨.

ସରସୁନ୍ଦରୀ (Lady of the lake)

୩.

ଗୀତିମାଲ୍ୟ (କବିତା ସଞ୍ଚୟନ)

୪.

ପାରିଜାତ (କବିତା ସଞ୍ଚୟନ)

୫.

ଗୋଲାପ ଗୁଚ୍ଛ

୬.

ବୈଠକ ମହଲ ।

 

ୟା’ ଛଡ଼ା ଓଡ଼ିଶାର ମୁକୁର, ଉତ୍କଳ ସାହିତ୍ୟ, ସହକାର, ପଞ୍ଚାମୃତ, ନବଭାରତ, ଓ ନବଜୀବନ ପ୍ରଭୃତି ମାସିକ ପତ୍ରିକାମାନଙ୍କରେ ତାଙ୍କର ଲେଖା ବିକ୍ଷିପ୍ତ ହୋଇ ରହିଅଛି ।

 

ଆଠଗଡ଼ ରାଜସଭାର ପଣ୍ଡିତ ଶ୍ରୀ ବିଦ୍ୟାଧର ବିଦ୍ୟାବାଗୀଶ ଓ ତାଙ୍କର ସହଧର୍ମିଣୀ ଶ୍ରୀମତୀ ଉମା ଦେବୀଙ୍କର ତୃତୀୟ ସନ୍ତାନ ଭାବରେ ଚନ୍ଦ୍ରଶେଖର ୧୯୦୦ରେ ଜନ୍ମଲାଭ କରିଥିଲେ । ମାତ୍ର ଦେଢ଼ବର୍ଷ ବୟସରେ ପିତୃ ବିୟୋଗ ହେତୁ ଅଗ୍ରଜ ଶ୍ରୀ ଗଣେଶ୍ୱରଙ୍କ ସ୍ନେହ ଓ ସହାନୁଭୂତିରେ ଲାଳିତପାଳିତ ହୋଇଥିଲେ ।

 

ଘୋର ଦାରିଦ୍ର୍ୟ ଭିତରେ ସେ ବିଦ୍ୟାଶିକ୍ଷା ଆରମ୍ଭ କରି ଆଠଗଡ଼ ମାଇନର ସ୍କୁଲରୁ କୃତିତ୍ୱର ସହିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆଠଗଡ଼ରୁ ପଳାଇ ଯାଇ ପହଞ୍ଚିଲେ ସତ୍ୟବାଦୀ ସ୍କୁଲରେ । ସେଠି ପଣ୍ଡିତ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ ପ୍ରଭୃତିଙ୍କ ସମ୍ପର୍କରେ ଆସି ଦୁଇବର୍ଷ ହାଇସ୍କୁଲରେ ଅଧ୍ୟୟନ କଲେ, ତା’ପରେ ଷ୍ଟେଟ୍‌ର ସାହାଯ୍ୟ ପାଇ ଢେଙ୍କାନାଳରେ ପଢ଼ି ୧୯୨୦ରେ ଏଣ୍ଟ୍ରାନସ ପରୀକ୍ଷାରେ ପାଶ୍‌କଲେ ।

 

ରେଭେନ୍‌ସା କଲେଜରେ ୧୯୨୧ରେ ଯୋଗଦେଇ ଇଂରେଜୀ ଅନର୍ସରେ ବି.ଏ. ପାଶ୍‌ କରି ସୋନପୁର ମେଡ଼ାଲ୍‌ ଲାଭ କରିଥିଲେ । ୧୯୨୬ରେ ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

 

ଚନ୍ଦ୍ରଶେଖର ଆଠଗଡ଼ ଷ୍ଟେଟ୍‌ରେ କେତେବର୍ଷ ତହସିଲଦାର କାର୍ଯ୍ୟ କରିଥିଲେ, ତହିଁରେ ତାଙ୍କର ମନଃପୂତ ହେଲାନାହିଁ । ତେଣୁ କଟକ ଆସି ଭିକ୍ଟୋରିଆ ହାଇସ୍କୁଲରେ ଶିକ୍ଷକ ଭାବରେ ଯୋଗ ଦେଲେ । ସେତିକିବେଳେ ସେ ଉତ୍କଳ ସାହିତ୍ୟ ସହିତ ଘନିଷ୍ଠ ଭାବରେ ସଂପୃକ୍ତ ହୋଇଥିଲେ । ୧୯୩୪ ଉତ୍କଳ ସାହିତ୍ୟର ବରେଣ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କର ଦେହାନ୍ତ ହେଲା । ତେଣୁ ଚନ୍ଦ୍ରଶେଖର ଉତ୍କଳ ସାହିତ୍ୟର ସମ୍ପାଦନାରେ ନିଜକୁ ନିୟୋଜିତ କଲେ ୧୯୪୮ରୁ ୧୯୫୩ ପର୍ଯ୍ୟନ୍ତ ।

 

କେତେବର୍ଷ ପରେ କଟକ ମିସନ୍‌ ସ୍କୁଲରେ ଯୋଗ ଦେଲେ । ପ୍ରଧାନ ଶିକ୍ଷକ ଭାବରେ ସେ ୧୯୬୩ରେ ଅବସର ଗ୍ରହଣ କରି ଆଠଗଡ଼ର ମଥୁରାପୁର ଗ୍ରାମରେ ରହୁଥିଲେ ।

 

ବାଲ୍ୟ ବୟସରୁ ସେ ଦୁଃଖରେ ବଢ଼ିଥିଲେ । ଜୀବନ ସାରା ତାହାରି ଭିତରେ ଜୀବନ ସଂଗ୍ରାମ କରୁଥିଲେ । ଜୀବନରେ ତାଙ୍କର ପୁତ୍ର ସନ୍ତାନ ନଥିଲା, ତେଣୁ ସେ ଓ ତାଙ୍କ ସହଧର୍ମିଣୀ ପାର୍ବତୀଦେବୀ ଅଗ୍ରଜ ଶ୍ରୀ ଗଣେଶ୍ୱର ମିଶ୍ରଙ୍କର ଦ୍ୱିତୀୟ ପୁତ୍ର ଶିଶିର କୁମାର ମିଶ୍ରଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ ।

 

ଡାକ୍ତର ଶିଶିର କୁମାର ବର୍ତ୍ତମାନ ସ୍ଥାୟୀ ବାସିନ୍ଦା ଭାବରେ ଇଂଲଣ୍ଡରେ ବାସ କରୁଛନ୍ତି ।

 

ଦୁଃଖର ସୀମା ନଥିଲା । ଶେଷ ଜୀବନରେ ଚନ୍ଦ୍ରଶେଖର ଦୃଷ୍ଟି ଶକ୍ତି ହରାଇଥିଲେ । ଥରେ ଆଠଗଡ଼ ହାଇସ୍କୁଲରେ ଡକ୍ଟର ମାୟାଧର ମାନସିଂହଙ୍କର ତୈଳଚିତ୍ର ଉନ୍ମୋଚନ କରିବା ପାଇଁ ମୁଁ ନିମନ୍ତ୍ରିତ ହୋଇଥିଲି । ସେଇ ସଭାରେ ତାଙ୍କ ସହିତ ମୋର ଦେଖା । ଆଉ ଥରେ ତାଙ୍କ ଗ୍ରାମ ମଥୁରାପୁର ଯାଇ ମୁଁ ଦେଖା କରି ଆସିଥିଲି ।

 

ତାଙ୍କଭଳି ଜଣେ ଅମାୟିକ ଓ ନିରାଡ଼ମ୍ବର ବ୍ୟକ୍ତି ସାଧାରଣତଃ ଦୁର୍ଲଭ । ଓଡ଼ିଆ ସାହିତ୍ୟକୁ ତାଙ୍କର ଦାନ ଓ ଅବଦାନ ପାଇଁ ମୁଁ ଆଉଥରେ ଶୋକତର୍ପଣ କରୁଅଛି ।

 

 

ରାଧାମୋହନ ଗଡ଼ନାୟକ

ସମ୍ପାଦକ, କୋଣାର୍କ

ଭୁବନେଶ୍ୱର

 

***

 

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଐତିହାସିକ ପୃଷ୍ଠଭୂମି ଓ ବିଗତ ପଚାଶ ବର୍ଷ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟର ବିଭିନ୍ନ ବିଭାଗରେ ହୋଇଥିବା ପ୍ରଗତିର ପାଣ୍ଡିତ୍ୟପୂର୍ଣ୍ଣ ସର୍ବେକ୍ଷଣ ଉପରେ ଆଧାରିତ ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ସାହିତ୍ୟ ମୁଖପତ୍ର :

 

କୋଣାର୍କର

 

ଉତ୍କଳଦିବସ ସୁବର୍ଣ୍ଣଜୟନ୍ତୀ ବିଶେଷାଙ୍କ ଗତ ଏପ୍ରିଲ ପହିଲାରେ ପ୍ରକାଶିତ ହୋଇଅଛି । ଏହି ସ୍ଵତନ୍ତ୍ର ସଂଖ୍ୟାଟି ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଏବଂ ଗତ ପଞ୍ଚଦଶନ୍ଧି ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧିର ମୂଲ୍ୟାୟନ ଉପରେ ଆଧାରିତ ଓଡ଼ିଶାର ଏକ ଲବ୍‌ଧପ୍ରତିଷ୍ଠ ଲେଖକମାନଙ୍କର ଲେଖନୀ ନିଃସୃତ ୧୮ ଗୋଟି ଉଚ୍ଚମାନର ଗବେଷଣାତ୍ମକ ପ୍ରବନ୍ଧର ଏକ ଅନବଦ୍ୟ ସମାହାର । ଏଭଳି ସଂକଳନ ଓଡ଼ିଆ ସାହିତ୍ୟରେ ସର୍ବପ୍ରଥମ ଏବଂ ଅନନ୍ୟ କୃତି । ସାଧାରଣ ଗ୍ରନ୍ଥାଗାରରେ ତଥା ସାହିତ୍ୟପ୍ରେମୀ ସୁଧୀବୃନ୍ଦଙ୍କ ପାଖରେ ସବୁଦିନ ପାଇଁ ସାଇତି ରଖିବା ଭଳି ଏହା ଏକ ଲୋଭନୀୟ ସଂକଳନ । ରୟାଲ ଆକୃତିର ସଚିତ୍ର ଲାମିନେସନ୍‌ ପ୍ରଚ୍ଛଦପଟ ସହ ସୁଦୃଶ୍ୟ ବାଇଣ୍ଡିଂ ଏହି ପତ୍ରିକାଟିର ଦାମ ଟ ୨୦.୦୦ । ଏଥିପାଇଁ ଏକାଡେମୀ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ରିହାତି ୨୫% ମଞ୍ଜୁର କରିଛନ୍ତି । ଏହି ରିହାତି ଏକାଡେମୀରୁ ସିଧାସଳଖ ପତ୍ରିକା ମଗାଇଲେ ମିଳିବ । ପତ୍ରିକା ପାଇଁ ଅର୍ଡ଼ର ଦେଲେ ଭି. ପି. ପି. ଯୋଗେ ପଠାଇ ଦିଆଯାଏ-

 

 

ଓଡ଼ିଆ ସାହିତ୍ୟର ଅନ୍ୟ ଏକ ବିଭାଗ ପାଲାର ଉତ୍ପତ୍ତି ଓ କ୍ରମବିକାଶ ଉପରେ ଆଧାରିତ ପ୍ରାମାଣିକ ଗ୍ରନ୍ଥ ଓଡ଼ିଶା ସାହିତ୍ୟ ଏକାଡେମୀର ସଦ୍ୟତମ ପ୍ରକାଶନ-

‘ଓଡ଼ିଶାର ପାଲା’

ଲେଖକ :

ଶ୍ରୀ ଧୀରେନ୍‌ ଦାଶ ଓ ଶ୍ରୀ ନିରଞ୍ଜନ ପଣ୍ଡା

ମୂଲ୍ୟ : ଟ ୧୭.୦୦

* ବ୍ୟବସାୟିକ ରିହାତି *

ଟ ୫୦୦-୦୦ ରୁ ଊର୍ଦ୍ଧ୍ଵ ପୁସ୍ତକ ଉପରେ ୪୦%

ସ୍କୁଲ, କଲେଜ ଆଦି ଅନୁଷ୍ଠାନମାନଙ୍କୁ ୨୫%

ଏବଂ ସାଧାରଣ ବିକ୍ରୟ ଉପରେ ୨୦% ରିହାତି

ପ୍ରଦାନର ବ୍ୟବସ୍ଥା କରାଯାଇଅଛି ।

* ଯୋଗାଯୋଗ *

ସମ୍ପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

ରାଜ୍ୟ ସଂଗ୍ରହାଳୟ ପରିସର,

ଭୁବନେଶ୍ଵର-୭୫୧୦୧୪,

ଓଡ଼ିଶା

 

 

ଓଡ଼ିଶା : ପ୍ରଗତି ଓ ସମୃଦ୍ଧିର ଏକ ନୂତନ ଅଧ୍ୟାୟ

 

 

ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା

 

Prajatantra Press, Cuttack-753002